ETV Bharat / state

Padmapur By Poll: ବିଜେପିକୁ ପାର କରାଇବେ ପଶ୍ଚିମାଞ୍ଚଳ ନେତା !

author img

By

Published : Nov 8, 2022, 11:07 PM IST

ଧାମନଗରରେ ଧୋଇଦେଲେ ସାମଲ । ପଦ୍ମପୁରରେ ପୋଛିଦେବେ ସୁରେଶ । ଦମ ଦେଖାଇଲେ ଉପକୂଳିଆ । ଏବେ ପାଳି ପଶ୍ଚିମାଞ୍ଚଳର । ଲଢିବେ, ଗର୍ଜିବେ । ବାଲେଶ୍ବରର ପ୍ରତିଶୋଧ ନେବେ । ନିଜ ଦକ୍ଷତା ଦେଖାଇବେ ବିଜେପିର ତ୍ରିମୂର୍ତ୍ତୀ । ଦଳର ରଖିବେ ସମ୍ମାନ । ନିଜ ଅଞ୍ଚଳରେ ବିଜେଡିକୁ ଚଖାଇବେ ପରାଜୟ । ଛାଡିବେ ନାହିଁ ପଦ୍ମପୁର ଆସନ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ଧାମନଗରରେ ଧୋଇଦେଲେ ସାମଲ । ପଦ୍ମପୁରରେ ପୋଛିଦେବେ ସୁରେଶ ! ଦମ ଦେଖାଇଲେ ଉପକୂଳିଆ । ଏବେ ପାଳି ପଶ୍ଚିମାଞ୍ଚଳର । ଲଢିବେ, ଗର୍ଜିବେ । ବାଲେଶ୍ବରର ପ୍ରତିଶୋଧ ନେବେ । ନିଜ ଦକ୍ଷତା ଦେଖାଇବେ ବିଜେପିର ତ୍ରିମୂର୍ତ୍ତୀ । ଦଳର ରଖିବେ ସମ୍ମାନ । ନିଜ ଅଞ୍ଚଳରେ ବିଜେଡିକୁ ଚଖାଇବେ ପରାଜୟ । ଛାଡିବେ ନାହିଁ ପଦ୍ମପୁର ଆସନ । ଶାସକ ଦଳ ଠାରୁ ଆଣିବେ ଛଡାଇ । ଏଥିପାଇଁ ଗୈରିକ ଦଳ ରଚିଛି ସ୍ବତନ୍ତ୍ର ଚକ୍ରବ୍ୟୁହ । ଧାମନଗର ପରେ ପଦ୍ମପୁରରେ ବି ବିଜୟ ବାନା ଉଡାଇବା ପାଇଁ ଫୁଲ୍ କନଫିଡେନ୍ସ ଗେରୁଆ ବାହିନୀ ।

ଧାମନଗର ପରାଜୟ ଭୁଲି ବିଜୁ ଜନତା ଦଳ ଏବେ ପଦ୍ମପୁର ଉପନିର୍ବାଚନ (Padmapur By Poll) ଉପରେ ଫୋକସ ପକାଇଛି । ଯେନତେନ ପ୍ରକାରଣେ ପଦ୍ମପୁର ଆସନ ବଜାୟ ରଖିବାକୁ ଦଳ ସୁପ୍ରିମୋଙ୍କ କଡା ନିର୍ଦ୍ଦେଶ ପରେ ପୁରା ଆକ୍ଟିଭ ସବୁଜ ବାହିନୀ । ଦଳର ଦ୍ବିତୀୟ ଧାଡି ବିଗ୍ରେଡିୟର ଧାମନଗରରେ ମାଟି କାମୁଡିବା ପରେ ଏବେ ବିଜେଡି ଖୋଜିଛି ପୁରୁଖା ନେତାଙ୍କୁ । ପଦ୍ମପୁର ଆସନ ବଞ୍ଚାଇବା ପାଇଁ ଭେଟେରାନ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ନେତା ସୁଶାନ୍ତ ସିଂ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ନବ ଦାଶ, ମନ୍ତ୍ରୀ ଟୁକିନି ସାହୁ, ମନ୍ତ୍ରୀ ରୀତା ସାହୁ, ମନ୍ତ୍ରୀ ରୋହିତ ପୂଜାରୀ, ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟକ ସରୋଜ ମେହେର, ବିଧାୟକ ପଦ୍ମନଭ ବେହେରାଙ୍କ ଭଳି ପଶ୍ଚିମ ଓଡିଶା ଓ ସେହି ଅଞ୍ଚଳର ରାଜନୀତ ସହ ଜଡିତ ନେତାଙ୍କୁ ଦାୟିତ୍ବ ବାଣ୍ଟିଛି ବିଜେଡି । ପୁରା ନିର୍ବାଚନ ମଣ୍ଡଳୀ ଦାୟିତ୍ବରେ ପ୍ରସନ୍ନ ଆଚାର୍ଯ୍ୟ ଥିବା ବେଳେ, ନିର୍ବାଚନ ପରିଚାଳନା ଦାୟିତ୍ବରେ ରହିବେ ସୁଶାନ୍ତ ସିଂ । ଏହାସହ ବିଭିନ୍ନ ବ୍ଲକ ପଞ୍ଚାୟତ ଜଗିବେ ବିଧାୟକ ମନ୍ତ୍ରୀ । କୌଣସି ମତେ ବିଜେପି ଯେମିତି ପଦ୍ମପୁରରେ ପଦ୍ମ ଫୁଟାଇ ନପାରେ ତାହା ଏହି ନେତାଙ୍କ ଉପରେ ଛାଡିଛନ୍ତି ମୁଖିଆ ।

ସେପଟେ ଭାରତୀୟ ଜନତା ପାଟି ମଧ୍ୟ ନିଜ ପୁରୁଣା ଆସନ ଫେରି ପାଇବା ପାଇଁ ପୁରା ଫୋକସ କରୁଛି। କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ରଣନୀତିରେ ଦଳ ଲଢିବ ନିର୍ବାଚନ । ହେଲେ ପୁରା ପଶ୍ଚିମାଞ୍ଚଳ ବିଗ୍ରେଡିୟରଙ୍କୁ ଦାୟିତ୍ବ ଦେଇଛି ବିଜେପି । ବିଶେଷ କରି ବରଗଡ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ଦଳର ଫାୟାରବ୍ରାଣ୍ଡ ନେତା ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ବରେ ଲଢିବ ଦଳ । ସାଂସଦ ସୁରେଶ ପୂଜାରୀ (Mp Suresh Pujari) ଙ୍କ ସଂସଦୀୟ କ୍ଷେତ୍ର ବରଗଡରେ ପଦ୍ମପୁର ଆସୁଥିବା ବେଳେ ନିର୍ବାଚନରେ ତାଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ଆଉ ନିଜ ସମ୍ମାନ ରକ୍ଷା ପାଇଁ ସୁରେଶଙ୍କ ପାଖରେ ମଧ୍ୟ ଏହା ସୁଯୋଗ ରହିଛି । କାରଣ କିଛି ଦିନ ତଳେ ନିଜ ସଂସଦୀୟ କ୍ଷେତ୍ର ବ୍ରଜରାଜ ନଗର ଉପନିର୍ବାଚନରେ ବିଜେପି ପୁରା ମାଟି କାମୁଡି ଥିଲା । ଦଳର ପ୍ରଦର୍ଶନ ନେଇ ସେତେବେଳେ ସୁରେଶଙ୍କ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା । ଏହାସହ ସୁରେଶ ରାଜ୍ୟ ବିଜେପିର ଜଣେ ପୁରୁଖା ପ୍ରବୀଣ ରାଜନେତା। ଦଳର ସଭାପତି ଠାରୁ ଆରମ୍ଭ କରି ସମସ୍ତ ଗୁରୁତ୍ବପୂର୍ଣ୍ଣ ପଦ ପଦବୀରେ ରହିଆସିଛନ୍ତି । ଏହାସହ ପୁରା ପଶ୍ଚିମ ଓଡିଶାରେ ତାଙ୍କର ଦକ୍ଷତା ପ୍ରଭାବ ରହିଛି । ସବୁଠାରୁ ବଡ କଥା ହେଲା ଉପକୂଳ ଅପେକ୍ଷା ପଶ୍ଚିମ ଓଡିଶାରେ ବିଜେପିର ସଂଗଠନ ବେଶ ସୁଦୃଢ । ତେଣୁ ପଦ୍ମପୁରରେ ପଦ୍ମ ଫୁଟାଇବା ସୁରେଶଙ୍କ ପାଇଁ ସହଜ ହୋଇପାରେ । ଏହାସହ ବିଜେଡି ଦାୟିତ୍ବରେ ଥିବା ପୁରୁଖା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଗତ ସାଧାରଣ ନିର୍ବାଚନରେ ସୁରେଶ ପରାସ୍ତ କରିଥିବାରୁ ଏହା ବୋନସ ପଏଣ୍ଟ ହୋଇପାରେ ।

ସେହିଭଳି ସାଂସଦ ବସନ୍ତ ପଣ୍ଡା ମଧ୍ୟ ରାଜ୍ୟର ଜଣେ ଅନୁଭବୀ ରାଜନେତା । ବିଶେଷ କରି ପୂର୍ବରୁ ରାଜ୍ୟ ସଭାପତି ଭାବେ ତାଙ୍କର ସାଂଗଠନିକ ଦକ୍ଷତା ରହିଛି । ଏତତ ବ୍ୟତୀତ ସେ ମଧ୍ୟ ପଶ୍ଚିମ ଓଡିଶା ରାଜନୀତିକୁ ବେଶ ଭଲ ଭାବେ ବୁଝିଛନ୍ତି । ଏପରି ନିଜ ଗୃହ ଜିଲ୍ଲା ନୂଆପଡା ଓ ଉପନିର୍ବାଚନ ହେବାକୁ ଥିବା ପଦ୍ମପୁର ବିଧାନସଭା ଅନ୍ତର୍ଗତ ଝାରବନ୍ଧ ବ୍ଲକ ସୀମା ଲାଗିଛି । ସେହି ଦୃଷ୍ଟିରୁ ପୁରା ପଦ୍ମପୁରକୁ ଭଲ ଭାବେ ବୁଛିଛନ୍ତି ବସନ୍ତ । ପଡୋଶୀ ଜିଲ୍ଲା ଭାବେ ପଦ୍ମପୁର ତାଙ୍କର ଅତି ପରିଚିତ । ଗତ ନିର୍ବାଚନରେ ହୋଇଥିବା ତ୍ରୁଟିକୁ ସୁଧାରି ଏଥର ପଦ୍ମପୁର ଦଖଲ ପାଇଁ ବସନ୍ତ ମଧ୍ୟ ବଡ ଭୂମିକା ତୁଳାଇବେ । ଏହାସହ ଉପକୂଳ ବିଜୟକୁ ପଶ୍ଚିମାଞ୍ଚଳ ଯାଏଁ ଟାଣିନେବେ ।

ସେହିପରି ଦାୟିତ୍ବରେ ଥିବା ଆଉ ଜଣେ ହେଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର (Leader of Opposition Jai Narayan Mishra) । ଜୟ ପୁରା ପଶ୍ଚିମ ଓଡିଶାରେ ଜଣେ ଜଣାଶୁଣା ଚେହେରା । ସମ୍ବଲପୁର ନିଜ ଗୃହ ଜିଲ୍ଲା ହୋଇଥିଲେ ସୁଦ୍ଧା, ଜୟ ପୁରା ପଶ୍ଚିମ ଓଡିଶା ରାଜନୀତିକୁ ଅତି ପାଖରୁ ଦେଖନ୍ତି, ବୁଝନ୍ତି । ତାଙ୍କ ଅନୁଭବ ଦକ୍ଷତା, ଲୋକପ୍ରିୟତା ମଧ୍ୟ ପଦ୍ମପୁରରେ ପ୍ରତିଫଳିତ ହେବ ବୋଲି ବିଜେପି ଆଶା ରଖିଛି । ମୋଟା ମୋଟି ଭାବେ ବିଜେପିର ଏହି ତ୍ରିମୂର୍ତ୍ତୀ ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ଜୟ ନାରାୟଣ ମିଶ୍ର ପଶ୍ଚିମ ଓଡିଶାରେ ଦଳକୁ ନୂଆ ଦିଶା ଦିଗଦର୍ଶନ ଦେବେ ବୋଲି ରାଜ୍ୟ ବିଜେପି ଆଶା ରଖିଛି । ଏହି 3 ନେତାଙ୍କ ପାଖରେ ମଧ୍ୟ ବଡ ସୁଯୋଗ ରହିଛି ଶାସକ ଦଳକୁ ଝଟକା ଦେବା ପାଇଁ । ବିଜେପି ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚାର ସଭାପତି ପ୍ରଦୀପ ପୁରୋହିତଙ୍କୁ ଟିକେଟ ଦେବା ନିଶ୍ଚିତ । ଗତ ନିର୍ବାଚନରେ ହାରିଥିଲେ ମଧ୍ୟ ପ୍ରଦୀପଙ୍କ ନିଜସ୍ବ ଭୋଟ ବ୍ୟାଙ୍କ ରହିଛି । ନିଜର ସ୍ବତନ୍ତ୍ର ପ୍ରଭାବ ରହିଛି । ଏହାଛଡା ପ୍ରଦୀପ ଜଣେ ଲୋକପ୍ରିୟ ନେତା ମଧ୍ୟ । ତେଣୁ ପ୍ରଦୀପ ଟିକେଟ ପାଇବା ନିଶ୍ଚିତ ।

ତେବେ ଦେଖିବାର କଥା କିଏ ଦଖଲ କରୁଛି ପଦ୍ମପୁର । କେଉଁ ଦଳର ନେତା ହେଉଛନ୍ତି ସଫଳ । ପଶ୍ଚିମ ଓଡିଶାର କେଉଁ ଦେଳର ନେତା କେତେ ଲୋକ ପ୍ରିୟ ତାହା ଜଣା ପଡିବ । ପଶ୍ଚିମ ଓଡିଶା ନେତାଙ୍କ ମଧ୍ୟରେ ହେବାକୁ ଥିବା ଲଢେଇରେ କେଉଁ ନେତା କେଉଁ ଦଳ ବାଜି ମାରୁଛି ତାହାକୁ ଅପେକ୍ଷା ।

ସୂଚନାଯୋଗ୍ୟଯେ...ଗତ ୨୦୧୪ ଓ ୨୦୧୯ ମସିହା ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ହୋଇଥିଲା। ୨୦୧୪ ରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୬୮ ହଜାର ୯୪୨ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେଡି ପାଇଥିଲା ୬୪ ହଜାର ୪୨୯ ‌‌ଭୋଟ । ସେହିଭଳି ୨୦୧୯ ନିର୍ବାଚନରେ ପୁଣି ଥରେ ବିଜେଡି ବିଜେପି ମଧ୍ୟରେ ଟକ୍କର ହୋଇଥିଲା । ହେଲେ ଏଥର ବିଜେପି ପରାସ୍ତ ହୋଇଥିଲା । ବିଜେଡି ୮୩ ହଜାର ୨୯୯ ଭୋଟ ପାଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୫ ହଜାର ୭୩୪ ଭୋଟରେ ପରାସ୍ତ କରିଥିଲା ।

ଇଟିଭି ଭାରତ, ଓଡିଶା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.