ETV Bharat / state

ଦିବ୍ୟାଙ୍ଗ ଚିତ୍ର ଶିଳ୍ପୀଙ୍କ ଅଦ୍ଭୁତ କଳାକୃତି ମୋହୁଛି ମନ

author img

By

Published : Jan 26, 2023, 8:53 AM IST

ବାଲେଶ୍ବରର ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ସ୍ମୃତିରେଖା ଦାସ ଙ୍କ କଳାକୃତି ଏବେ ବେଶ ଆଦୃତ।

physically disabled artist smruti rekha das
physically disabled artist smruti rekha das

ବାଲେଶ୍ବର: ଦିବ୍ୟାଙ୍ଗ ଚିତ୍ରଶିଳ୍ପୀଙ୍କ କଳାକୃତି ଏବେ ବେଶ ଆଦୃତ । ତାଙ୍କର ଚିତ୍ରକଳା ସମସ୍ତଙ୍କ ପସନ୍ଦ ପାଲଟିଛି । ଅବିକଳ ଚିତ୍ର ଆଙ୍କି ସେ ସାଉଁଟୁଛନ୍ତି ପ୍ରଶଂସା । ସେ ହେଉଛନ୍ତି ବାଲେଶ୍ବରର ଦିବ୍ୟାଙ୍ଗ ଚିତ୍ରଶିଳ୍ପୀ ସ୍ମୃତିରେଖା ଦାସ । ଯିଏକି ଏବେ ବାଲେଶ୍ୱର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଅବିକଳ ଚିତ୍ର ଆଙ୍କି ସେମାନଙ୍କ ନିକଟରୁ ସାଉଁଟିଛନ୍ତି ଅନେକ ପ୍ରଶଂସା । ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଓ ଏସ୍‌ପି ସାଗରିକା ନାଥଙ୍କ ଅବିକଳ ଚିତ୍ର ଆଙ୍କି ତାହାକୁ ଫ୍ରେମ କରି ସ୍ମୃତିରେଖା ଉଭୟଙ୍କୁ ଉପହାର ଭାବେ ପ୍ରଦାନ କରିଛନ୍ତି ।

physically disabled artist smruti rekha das
ଅଦ୍ଭୁତ କଳାକୃତି ମୋହୁଛି ମନ

ସ୍ମୃତିରେଖା ଜଣେ ଶୁଣିପାରୁନଥିବା ଓ କହିପାରୁ ନଥିବା ଜଣେ ପ୍ରତିଭାମୟୀ ଛାତ୍ରୀ ତଥା ଚିତ୍ରକଳାକାର । ତାଙ୍କର ଏହି ଭିନ୍ନକ୍ଷମତାକୁ ସେ ଆଡେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ପାଦ ଆଗକୁଆଗକୁ ବଢ଼ାଇ ଚାଲିଛନ୍ତି । ତାଙ୍କ ଚିତ୍ରକଳାରେ ଅନେକ ନିର୍ଜୀବ ବସ୍ତୁ ଜୀବନ୍ତ ହୋଇଯାଆନ୍ତି । ପୁଣି କେବେକେବେ ଅନେକ ସ୍ମୃତି ତାଙ୍କ ହାତରେ ଆଙ୍କି ହୋଇଯାଏ । ଚିତ୍ର କରି ସ୍ମୃତିରେଖା ଶହେରୁ ଅଧିକ ପୁରସ୍କାର ଲଳିତକଳା ଏକାଡେମୀଠୁ ଆରମ୍ଭ କରି ଆର୍ଟ ଗ୍ୟାଲେରୀ ପକ୍ଷରୁ ପାଇଛନ୍ତି ।

ତେବେ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ପେଣ୍ଡେରାସାହିର ବ୍ରଜକାନ୍ତ ଦାସଙ୍କ ଝିଅ ହେଉଛନ୍ତି ସ୍ମୃତିରେଖା । ବ୍ରଜକାନ୍ତ ଦାସ ଜଣେ ଅବସରପ୍ରାପ୍ତ ଶିକ୍ଷକ । ସ୍ମୃତିରେଖା ପିଲାଟି ଦିନରୁ ନା ଭଲରେ କଥା କହିପାରନ୍ତି ନା ଶୁଣିପାରନ୍ତି । ସ୍ମୃତିରେଖା ୮୦ ପ୍ରତିଶତ ଦିବ୍ୟାଙ୍ଗ । ଚିତ୍ର ପ୍ରତି ଆଗ୍ରହ ଥିବାରୁ ସେ ଆର୍ଟ କଲେଜରୁ ବିବିଏସ୍ ପଢିବା ପରେ ଡିଗ୍ରୀ ଶେଷ କରିଛନ୍ତି । ସେ ବର୍ତ୍ତମାନ ଜଳେଶ୍ଵରର ଦକ୍ଷିଣ ପ୍ରହରାଜପୁର ୟୁଜିୟୁପି ସ୍କୁଲରେ ଭିଜୁଆଲ୍ ଆର୍ଟରେ ପାର୍ଟ ଟାଇମ୍ ଇନ୍‌ଷ୍ଟ୍ରକ୍ଟର୍ ଭାବେ କାମ କରନ୍ତି । ପିଲାଟି ଦିନରୁ ସ୍ମୃତିରେଖା ଚିତ୍ର ଆଙ୍କି ଆସୁଛନ୍ତି ।

ତେବେ ସ୍ମୃତିରେଖା କହିଶୁଣି ନପାରିଲେ ବି ଅନେକ କଥା ଠାରରେ କହି ସାମ୍ନା ଲୋକଙ୍କ ସହ କଥା ହେବାକୁ ଚେଷ୍ଟା କରନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ଅବିକଳ ଚିତ୍ର ଆଙ୍କି ତାଙ୍କୁ ଭେଟି ତାହା ପ୍ରଦାନ କରିଥିଲେ । ସେହିପରି ଅନେକ ଅଫିସରଙ୍କ ଚିତ୍ର ଆଙ୍କି ସେ ପ୍ରଶଂସା ସାଉଁଟିଛନ୍ତି । କାହାକୁ ଦେଖିକି ସେ ଚିତ୍ର ଆଙ୍କିବାକୁ ସେ ଚାହିଁଲେ ସେ ସଙ୍ଗେସଙ୍ଗେ ପେନସିଲ୍ ଓ କାଗଜରେ ଖୁବ୍ ଅଳ୍ପ ସମୟ ମଧ୍ୟରେ ତାହାର ସଫଳ ରୂପ ଦେଇଥାଆନ୍ତି । ଖାଲି ପେନସିଲ୍ ନୁହେଁ ବରଂ ରଙ୍ଗତୂଳୀ ବ୍ୟବହାର କରି ସେ ଶହଶହ ଚିତ୍ର ଆଙ୍କି ଘରେ ସଜାଇଛନ୍ତି । ଏମିତିକି କାନଭାସ୍ ଉପରେ ରଙ୍ଗ ବ୍ୟବହାର କରି ଅନେକଙ୍କ ଚିତ୍ର ଆଙ୍କି ସେମାନଙ୍କୁ ପ୍ରଦାନ କରିଛନ୍ତି । ସେହିପରି ସେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଚିତ୍ର ୮ ଦିନ ମଧ୍ୟରେ ଶେଷ କରି ତାଙ୍କୁ ଭେଟି ପ୍ରଦାନ କରିଛନ୍ତି ।

ଏନେଇ ରେଗୁଲାର ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଁ ଜିଲ୍ଲାପାଳ ତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏ‌ହାବ୍ୟତୀତ ସ୍ମୃତିରେଖା କଥା ହୋଇପାରୁ ନଥିବା ଏବଂ ଏପରି ସ୍ଥିତିରେ ୪ରୁ ୫ କିମି ରାସ୍ତା ନଦୀକୂଳ ତଥା ବଣଜଙ୍ଗଲ ଦେଇ କାମ ପାଇଁ ଯାଉଛନ୍ତି । ଜୀବନ ପ୍ରତି ଭୟ ରହୁଛି । ସେଥିପାଇଁ ତାଙ୍କୁ ଗାଁକୁ ଟ୍ରାନ୍ସଫର୍ କରିବା ପାଇଁ ଡିଇଓ-ଡିପିସିଙ୍କୁ ଜଣାଇଛନ୍ତି ସ୍ମୃତିରେଖା ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.