ETV Bharat / state

Train Mishap In Odisha: ଗଲାଣି 288 ଜୀବନ, ଆହୁରି ବଢିବା ଆଶଙ୍କା

author img

By

Published : Jun 3, 2023, 12:54 PM IST

Updated : Jun 3, 2023, 6:41 PM IST

ବାଲେଶ୍ବର ବାହାନଗାରରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଦିନ 2ଟା ସୁଦ୍ଧା 288 ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି ।

Train Mishap In Odisha
Train Mishap In Odisha

ବାଲେଶ୍ବର: ଭୟଙ୍କର, ଭୟାନକ, ଛାତିଥରା ହୃଦୟ ବିଦାରକ... ଦୁର୍ଘଟଣାକୁ ବୟାନ କରିବାକୁ ଶବ୍ଦ ନାହିଁ । ବାଲେଶ୍ବର ବାହାନଗାରରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଲିଭି ଯାଇଛି ଅନେକ ଜୀବନ ଦୀପ । ସାରା ବିଶ୍ବକୁ ସ୍ତବ୍ଧ କରି ଦେଇଛି ଦୁର୍ଘଟଣା । ସମୟ ଯେତିକି ଗଡୁଛି ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଦିନ 2ଟା ସୁଦ୍ଧା 288 ଜଣଙ୍କ ଜୀବନ ଯାଇଥିବାବେଳେ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । 803 ଲୋକ ଆହତ ହୋଇଛନ୍ତି । ଏବେ ବି ଟ୍ରେନ ତଳେ ଚାପି ହୋଇ ରହିଛି ଅନେକ ଜୀବନ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଟ୍ରେନ ଯାତ୍ରୀ ଯାତ୍ରା ଆରମ୍ଭ କରିସାରିଥିଲେ । କିଏ କେତେ ଖୁସିରେ ଯାତ୍ରା ଆରମ୍ଭ କରିଥିଲେ । କିଏ ପରିବାରକୁ ଭେଟିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ କେତେବେଳେ ତାଙ୍କ ଠିକଣା ଆସିବ । ହେଲେ ଏ ଯାତ୍ରା ଯେ ତାଙ୍କ ଶେଷ ଯାତ୍ରା ହେବେ ତାହା କାହାକୁ ବା ଜଣାଥିଲା । ଆଖିପିଛୁଳାକେ ସବୁ କିଛି ଛାରଖାର ହୋଇଗଲା । ଟ୍ରେନ ଟ୍ରାକ ଚୁରମାର ସହ ସ୍ବପ୍ନ ଛାରଖାର ହୋଇଛି । ଦୁର୍ଘଟଣା ଆଖିରେ ଲୁହ ଆଉ ଟ୍ରାକରେ ଲହୁର ଦାର । ବାଲେଶ୍ବର ବାହାନଗାର ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଏଯାବତ 288ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । କରମଣ୍ଡଳ ଏକ୍ସପ୍ରେସରେ ମୋଟ 1257 ସଂରକ୍ଷିତ ଯାତ୍ରୀ ଓ ଯଶୋବନ୍ତପୁର ଏକ୍ସପ୍ରେସରେ ମୋଟ 1039 ସଂରକ୍ଷିତ ଯାତ୍ରୀ ରହିଥିବା ସରକାରୀ ସୁତ୍ରରୁ ଜଣାପଡିଛି ।

ଉଦ୍ଧାର କାର୍ଯ୍ୟରେ 9 NDRF: ବାଲେଶ୍ବର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଯେଉଁଆଡେ ଚାହିଁଲେ ଖାଲି ମୃତଦେହ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସନ୍ଧ୍ୟା ସୁଦ୍ଧା ଉଦ୍ଧାରକାର୍ଯ୍ୟ ଶେଷ ହେବ । 9ଟି ଏନଡିଆରଏଫ ଟିମ ଓଡିଶାରୁ 7 ଓ ପଶ୍ଚିମବଙ୍ଗରୁ 2ଟି ଟିମ ସାମିଲ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି NDRF IG ନରେନ୍ଦ୍ର ସିଂହ ବୁନ୍ଦେଲ ।

ବାଲେଶ୍ବର ବାହାନଗାରରେ ଭୟଙ୍କର ଟ୍ରେନ ଦୁର୍ଘଟଣା ନେଇ ସ୍ଥିତି ସମୀକ୍ଷା ନେଇ ଆଜି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବା ସହିତ ଡାକ୍ତରଖାନାରେ ଆହତଙ୍କୁ ଭେଟିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ତାମିଲନାଡୁ ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ମଧ୍ୟ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଦୁର୍ଘଟଣାସ୍ଥଳରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପହଞ୍ଚି ସାରିଛନ୍ତି ।

ଏହା ବି ପଢନ୍ତୁ...Odisha Train Tragedy: ବାଲେଶ୍ବର ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଦୁର୍ଘଟଣାସ୍ଥଳକୁ ଯିବେ

ଏହା ବି ପଢନ୍ତୁ...Train tragedy: ଚେନ୍ନାଇ ଏମରଜେନ୍ସି ଅଫିସରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ବାଲେଶ୍ବର ଆସୁଛନ୍ତି ମନ୍ତ୍ରୀ ଉଦୟାନିଧି

ପ୍ରକାଶଥାଉ କି, ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏହାର ବଗି ବିପରୀତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏବେ ବି ବଗି ତଳେ ଅନେକ ଲୋକ ଚାପି ହୋଇ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସନ୍ଧ୍ୟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଥିବା କହିଛନ୍ତି ଏନଡିଆରଏଫ ଆଇଜି ନରେନ୍ଦ୍ର ସିଂହ ବୁନ୍ଦେଲ ।

Last Updated :Jun 3, 2023, 6:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.