ETV Bharat / state

Coromandel Express Accident: କାହିଁକି ଘଟିଲା ଦୁର୍ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ

author img

By

Published : Jun 3, 2023, 6:47 AM IST

ବାହାନାଗାରେ ଛାତିଥର ଟ୍ରେନ ଦୁର୍ଘଟଣା । ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ । ଅଧକ ପଢନ୍ତୁ

Railway minister Ashwin Vaishnaw orders probe
Railway minister Ashwin Vaishnaw orders probe

ବାଲେଶ୍ବର: ବାହାନାଗା ଠାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ସମୟ ଯେତିକି ଗଡୁଛି, ମୃତ୍ୟୁସଂଖ୍ୟା ସେତିକି ବଢୁଛି । ପ୍ରଥମେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ସଂଖ୍ୟା ୨୩୩ରେ ପହଞ୍ଚିଛି । ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଏବେ ବି ବଗି ତଳୁ ଲୋକଙ୍କ ଆର୍ତ୍ତ ଚିତ୍କାର ଶୁଣାଯାଉଛି । ସକାଳେ ହୋଇଯାଇଥିଲେ ହେଁ ଏ ଯାଏଁ ରେସ୍ୟୁ ଅପରେସନ ସରିପାରି ନାହିଁ । ତେବେ କାହିଁକି ଘଟିଲା ଏତେ ବଡ ଦୁର୍ଘଟଣା ? ଏଥିପାଇଁ ଦାୟୀ କିଏ ତାହାର ତଦନ୍ତ କରାଯିବ । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାହାନାଗା ରେଳ ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଟ୍ରେନ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି, ରେଳମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଦୁର୍ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଏନଡିଆରଏଫ୍, ଓଡ୍ରାଫ ଟିମ୍ ଓ ଅଗ୍ନିଶମ ଦଳ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ସେହିପରି ଦୁର୍ଘଟଣା ପରେ ରାତିରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଏସଆରସି, ଅଗ୍ନିଶମ ଡିଜି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି । ବିଭିନ୍ନ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅନେକ ଡାକ୍ତର ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି । ଉଦ୍ଧାର କାର୍ଯ୍ୟରେ ପ୍ରାୟ ୨୦୦ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ଥିବାବେଳେ ୧୦୦ରୁ ଅଧିକ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଡାକ୍ତର, ପାରାମେଡିକାଲ ଷ୍ଟାଫ, ଇସିଜି ଟେକ୍ନିସିଆଙ୍କ ଛୁଟି ବାତିଲ କରାଯାଇଛି ।

ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇ ଏହାର ବଗି ବିପରୀତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ଫଳରେ ଆଖି ପିଛୁଳାକ ସେଠାରେ ଶହ ଶହ ଲାସ୍ ଗଦା ହୋଇଯାଇଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ଏବେ ବି ଟ୍ରେନର ବଗି ତଳେ ଅନେକ ଯାତ୍ରୀ ଚାପି ହୋଇରହିଛନ୍ତି । ସମସ୍ତ ବଗି ବାହାରିବା ପରେ ମୃତ୍ୟୁ ସଂଖ୍ୟା ସ୍ପଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.