ETV Bharat / state

ବିଦ୍ୟୁତ ଯୋଗାଣରେ ଅନିୟମିତତାକୁ ନେଇ ତାତିଲା ବିଜେପି, TPNODL କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

author img

By ETV Bharat Odisha Team

Published : Oct 10, 2023, 6:47 PM IST

Updated : Oct 10, 2023, 7:10 PM IST

ବିଦ୍ୟୁତ ବିଭ୍ରାଟକୁ ନେଇ ବିକ୍ଷୋଭ । ୮ ଦଫା ଦାବି ନେଇ ବିଜେପି ପକ୍ଷରୁ ଧାରଣା । ବାଲେଶ୍ଵର ସଦର ବାଲିଆଠାରେ ଥିବା TPWODL କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ । ଅଧିକ ପଢ଼ନ୍ତୁ

ବିଦ୍ୟୁତ ଯୋଗାଣରେ ଅନିୟମିତତା
ବିଦ୍ୟୁତ ଯୋଗାଣରେ ଅନିୟମିତତା

ବିଦ୍ୟୁତ ଯୋଗାଣରେ ଅନିୟମିତତା

ବାଲେଶ୍ବର: ବିଦ୍ୟୁତ ବିଭ୍ରାଟକୁ ନେଇ ବିକ୍ଷୋଭ । ୮ ଦଫା ଦାବି ନେଇ ବିଜେପି ପକ୍ଷରୁ ଧାରଣା । ବାଲେଶ୍ଵର ସଦର ବାଲିଆଠାରେ ଥିବା TPWODL କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ । ଟାଟା ପାୱାର ବିଭାଗର ମନମ୍ମୁଖୀ କାର୍ଯକଳାପ ଉପରେ ବର୍ଷିଲା ବିଜେପି । ଟାଟା ପାୱାର ବିଦ୍ୟୁତ ଯୋଗାଣ ଦାୟୁତ୍ବ ନେବା ପରଠାରୁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଥିବା ନେଇ ଆଣିଲା ଅଭିଯୋଗ ।

ତେବେ ବିଜେପିର ଅଭିଯୋଗ ଅନୁସାରେ, ପୂର୍ବରୁ ସମାନ ବିଜୁଳି ବ୍ୟବହାର କରି ଯେତିକି ବିଲ ପୈଠ କରିବାକୁ ପଡ଼ୁଥିଲା ଏବେ ତାର ଦୁଇ ଗୁଣ ବିଜୁଳି ବିଲ ପୈଠ କରିବାକୁ ପଡ଼ୁଛି । ପୂର୍ବରୁ ଲାଗୁଥିବା ମିଟରଗୁଡ଼ିକରେ ବିଲ୍‌ ଯେତିକି ଉଠୁଥିଲା ଏବେ ଟାଟା ପାୱାର ପୂର୍ବରୁ ଚାଲୁଥିବା ମିଟରଗୁଡ଼ିକ ଅପସାରଣ କରି ନୂତନ ଭାବେ ବସାଇଥିବା ମିଟରଗୁଡ଼ିକରେ ବିଲ୍‌ ଅଧିକ ଉଠୁଛି । ଏହାସହ ୩୦ ଦିନିଆ ବିଲ ପୈଠ ନକରି ପ୍ରତି ବିଲ୍‌ରେ ଦୁଇ ଦିନ ଲେଖାଏଁ କମାଇ ୨୮ ଦିନରେ ବିଲ ଦେବା ପାଇଁ ପଡ଼ୁଛି । ଫଳରେ ମାସିକିଆ ଧାର୍ଯ୍ୟ ବିଲର ସଂଖ୍ୟା ବର୍ଷକରେ ୧୨ଥର ବଦଳରେ ୧୩ଥର ଦେବାକୁ ପଡ଼ୁଛି । କିଛି ସ୍ଥାନରେ ପ୍ରତିମାସ ନିର୍ଦ୍ଧାରିତ ତାରିଖରେ ମିଟର ରିଡିଂ ୩୦ ଦିନରେ ଦେବା ପରିବର୍ତ୍ତେ ମନମୁଖୀ ଭାବେ ୩୫ ଦିନ ପୁଣି କେଉଁ ମାସରେ ୪୦ ଦିନରେ ଦେବାକୁ ପଡ଼ୁଛି । ଯାହାଦ୍ବାରା ସ୍ଲାବ୍‌ ଅନୁସାରେ ଉପଭୋକ୍ତା ଯେଉଁ ରିହାତି ପାଇବା କଥା ତାହା ପାଇ ପାରୁନାହାନ୍ତି । ଅଧିକାଂଶ ସମୟରେ ମରାମତି ଆଳରେ ଘନଘନ ବିଜୁଳି କାଟ ହେଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ୮ ଦଫା ସମ୍ବଳିତ ଦାବି ଉପସ୍ଥାପନ କରିଛି ବିଜେପି ।

ଏହା ମଧ୍ୟ ପଢ଼ନ୍ତୁ....ଅଘୋଷିତ ବିଦ୍ୟୁତ କାଟ ଏବଂ ବର୍ଦ୍ଧିତ ବିଦ୍ୟୁତ ବିଲ୍ ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ତେବେ ଦାବିଗୁଡିକ ହେଉଛି, ପ୍ରତ୍ୟେକ ମାସର ନିର୍ଦ୍ଦିଷ୍ଟ ତାରିଖରେ ମିଟର ରିଡିଂ ନିଆଯାଇ ବିଲ ଦିଆଯାଉ ଓ ସ୍ମାର୍ଟ ମିଟର ନାଁରେ ଜୋର ଜବରଦସ୍ତ ନୂଆ ମିଟର ବସାଇ ଉପଭୋକ୍ତାଙ୍କୁ ଶୋଷଣ କରାନଯାଉ । ପାର୍ବଣ ଋତୁରେ ସହରାଞ୍ଚଳ ଓ ଗ୍ରାମଞ୍ଚଳରେ ନିରବଚ୍ଛିନ ୨୪ ଘଣ୍ଟିଆ ବିଦ୍ୟୁତ ସରବରାହ ଅବ୍ୟାହତ ରହୁ । ସୌଭାଗ୍ୟ ଏବଂ ବିପିଏଲ୍‌ ଯୋଜନାରେ ବିଜୁଳି ବ୍ୟବହାର କରୁଥିବା ହିତାଧିକାରୀମାନଙ୍କୁ ଶୀଘ୍ର ନିୟମିତ କରି ବିଜୁଳି ବିଲ୍‌ କ୍ଲବ-୧ରେ ନିଆଯାଉ ଓ ବିଜୁଳି ସଂଯୋଗରୁ ବଞ୍ଚିତ ଗରିବ ହିତାଧିକାରୀମାନଙ୍କୁ ତୁରନ୍ତ ମାଗଣାରେ ବିଜୁଳି ସଂଯୋଗ ଦିଆଯାଉ । ସ୍କ୍ୱାଡ୍‌ ଚେକିଂ ଆଳରେ ଉପଭୋକ୍ତାମାନଙ୍କୁ ଅଯଥାରେ ହଇରାଣ ନକରି ଅବ୍ୟବହୃତ ବିଜୁଳି ଉପକରଣ ଉପରେ ମନଇଚ୍ଛା ଜୋରିମାନା ନେବା ବନ୍ଦ ହେଉ । ବାଲେଶ୍ଵର ସହରର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ବରେ ରୋଡ୍‌ କ୍ରସିଂ କରାନଯାଇ ଉଭୟ ପାର୍ଶ୍ବରେ ପୋଲରେ ବିଜୁଳି ଯୋଗାଣ କରାଯାଉ ଏବଂ ବିପଦସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ ଖୁଣ୍ଟଗୁଡ଼ିକୁ ତୁରନ୍ତ ହଟାଯାଉ । ଲୋ-ଭେଲ୍ଟେଜରୁ ମୁକ୍ତି ପାଇବା ଓ ସୁଗମ ବିଦ୍ୟୁତ ସରବରାହ ପାଇଁ ଓଲନ୍ଦା ସାରଗାଁ, ସିନ୍ଧିଆ, ଗୋପୀନାଥପୁର, ପରିଖି ଆଦି ଗ୍ରାମ ପଞ୍ଚାୟତକୁ ନେଇ ଏକ ଗ୍ରିଡ୍‌ ଷ୍ଟେସନ ବସାଯାଉ । ଦୂର୍ଗାପୂଜା ଉତ୍ସବରେ ସବୁ ମଣ୍ଡପଗୁଡ଼ିକୁ ମାଗଣା ବିଜୁଳି ଯୋଗାଣ କରାଯାଉ । TPWODLରେ ସ୍ଥାନୀୟ ଓଡ଼ିଆ ପିଲାଙ୍କୁ ସିଧାସଳଖ ନିଯୁକ୍ତିରେ ପ୍ରାଧାନ୍ୟ ଦିଆଯିବା ଭଳି ଦାବି ଉପସ୍ଥାପନ କରାଯାଇଛି । ତେବେ ଦାବି ଗୁଡ଼ିକ ପୂରଣ ପାଇଁ ଲିଖିତ ପ୍ରତିଶୃତି ନମିଳିଲେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ସହ ଅଫିସ ଅଚଳ କରିବାକୁ ଚେତାବନୀ ଦେଇଛି ବିଜେପି ।

ଇଟିଭି ଭାରତ, ବାଲେଶ୍ବର

Last Updated : Oct 10, 2023, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.