ETV Bharat / state

ବଲାଙ୍ଗୀରରେ ବଢୁଛି ସ୍କ୍ରବ ଟାଇଫସ ମାମଲା, ସତର୍କ କରାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ

author img

By ETV Bharat Odisha Team

Published : Sep 23, 2023, 9:31 PM IST

ବଲାଙ୍ଗୀର ଜିଲ୍ଲାରେ 2 ମାସ ମଧ୍ୟରେ ଜିଲ୍ଲାରେ 337 ଟି ସ୍କ୍ରବ ଟାଇଫସ ମାମଲା ଚିହ୍ନଟ ହୋଇଛି। କିଛି ବି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଖାନା ଆସି ପରୀକ୍ଷା କରାଇନେବା ପାଇଁ ପରାମର୍ଶ ଦେଇଛନ୍ତି ଡାକ୍ତର। ଅଧିକ ପଢନ୍ତୁ

scrub typhus cases rise
ବଢୁଛି ସ୍କ୍ରବ ଟାଇଫସ ମାମଲା

ବଢୁଛି ସ୍କ୍ରବ ଟାଇଫସ ମାମଲା

ବଲାଙ୍ଗୀର: ବଢୁଛି ସ୍କର୍ବ ଟାଇଫସ ମାମଲା। 2 ମାସ ମଧ୍ୟରେ ଜିଲ୍ଲାରେ 337 ଟି ମାମଲା ଚିହ୍ନଟ ହୋଇଛି। ଯେଉଁଥିରେ ଏବେ ବି 5 ଜଣ ଚିକିତ୍ସାଧୀନ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। କୌଣସି ଲକ୍ଷଣ ଦେଖା ଦେଲେ ତୁରନ୍ତ ଡାକ୍ତରଖାନା ଆସିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସେହିପରି ଏହାର ପରୀକ୍ଷା ଓ ଚିକିତ୍ସା ସରକାରୀ ଡାକ୍ତରଖାନାରେ ମାଗଣା ଉପଲବ୍ଧ ବୋଲି ଡାକ୍ତର କହିଛନ୍ତି। ସାରା ଓଡ଼ିଶାରେ ସ୍କ୍ରବ ଟାଇଫସ ମାମଲା ସାମନାକୁ ଆସିବାରେ ଲାଗିଛି। ଏପରିକି କେତେକ ଲୋକଙ୍କ ଜୀବନ ଯାଇଥିବା ଅଭିଯୋଗ ଆସିଛି।

ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତ ଅଗଷ୍ଟ ମାସରେ ମୋଟ 506 ଟି ନମୁନା ପରୀକ୍ଷା ହୋଇଥିଲା। ଯେଉଁଥିରେ 172 ଟି ନମୁନା ପଜିଟିଭ ଆସିଥିଲା। ସେହିପରି ସେପ୍ଟେମ୍ବର ମାସରେ 777 ଟି ଟେଷ୍ଟ ହୋଇଥିଲା । ଯେଉଁଥିରେ 165 ଜଣଙ୍କର ନମୁନା ପଜିଟିଭ ବୋଲି ଜଣା ପଡିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ତେବେ ଏଥି ଧ୍ୟରୁ ସମସ୍ତେ ଚିକିତ୍ସିତ ହୋଇ ସୁସ୍ଥ ହୋଇସାରିଥିବାବେଳେ ଏବେ 5 ଜଣ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଏଯାଏଁ ଏଥିରେ କାହାରି ମୃତ୍ୟୁ ହୋଇନଥିବା ବିଭାଗ କହିଛି। ସେପଟେ କୂଟମଡଲାର ପୂର୍ବତନ ସରପଞ୍ଚ ବାସୁଦେବ ସିଂ ସ୍କ୍ରଵ ଟାଇଫସରେ ଆକ୍ରାନ୍ତ ହୋଇଥିଲେ। ପରେ ବରଗଡ଼ ଜିଲ୍ଲାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଗତ ଚାରି ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି।

ତେବେ ଏହି ମୃତ୍ୟୁକୁ ଏଯାଏଁ ସ୍ୱାସ୍ଥ୍ୟ ବିଭାଗ ସ୍କ୍ରବ ଟାଇଫସ ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ କରି ନାହିଁ। ଅନ୍ୟପଟେ ଜିଲ୍ଲାରେ ଏହି ମାମଲା ବଢୁଥିବା ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ ବ୍ୟାପକ ପଦକ୍ଷେପ ନେଇଛି। ଯେଉଁଥିରେ ସବୁ ଡାକ୍ତରଖାନାରେ ଡାକ୍ତରମାନଙ୍କୁ ଆଡଭାଇଜରି ଜାରି ହୋଇଛି। ଲକ୍ଷଣ ଥିବା କିମ୍ବ ଲକ୍ଷଣ ନ ଥିବା ରୋଗୀଙ୍କୁ ଅଧିକ ପରୀକ୍ଷା ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନା ପଠାଇବାକୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଏଠାରେ ଏଲିସା ମେସିନ ରହିଛି ଓ ଶୀଘ୍ର ଏସବୁର ପରୀକ୍ଷା ହୋଇ ଉପଯୁକ୍ତ ଚିକିତ୍ସା ଦିଆଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଏହା ବି ପଢନ୍ତୁ...Digital Dialogue: 'ସ୍କ୍ରବ ଟାଇଫସ ହେଲେ ପ୍ରଥମେ ଡାଏଗ୍ନୋସିସ, ତା' ପରେ ଚିକିତ୍ସା'

ଏନେଇ ଡାକ୍ତର ଗିରିଜା ଶଙ୍କର ଉଦଗତା କହିଛନ୍ତି, "ମଣିଷକୁ ଏହି କୀଟ ସାଧାରଣତଃ ନିଜର ବାହକ କିମ୍ବା ଶିକାର ଭାବରେ ଆକ୍ରମଣ କରିନଥାଏ। କିନ୍ତୁ ଦୁର୍ଘଟଣା ବଶତଃ ଏହି କୀଟ ମଣିଷକୁ କାମୁଡି ଥାଏ। ତେବେ ଓରିଏଣ୍ଟା ମୁସୁଗିମୂଷି ବୋଲି ଏକ ବ୍ୟାକ୍ଟେରିଆ ଯୋଗୁଁ ଏହି ରୋଗ ହୋଇଥାଏ। ଯାହାର ବାହକ ଭାବରେ ଏହି ପୋକ ବା ମାଇଟ କାମ କରିଥାଏ। ତେବେ ସ୍କ୍ରବ ଟାଇଫସରେ ସଂକ୍ରମିତ ହେବା ସଂଖ୍ୟା ବିଶେଷ କରି ଗ୍ରାମଞ୍ଚରେ ଅଧିକ ରହିଥାଏ। ଏହି ସଂକ୍ରମିତ କୀଟ କାମୁଡ଼ିଲେ ପ୍ରଥମେ କାମୁଡିଥିବା ସ୍ଥାନରେ ଲାଲ ଚିହ୍ନ ଆସି ଥାଏ ଏବଂ 48 ଘଣ୍ଟା ପରେ ଜ୍ୱର, ମୁଣ୍ଡ ବିନ୍ଧା, ମୂତ୍ରାଶୟରେ ପୋଡ଼ା ଭଳି ଲକ୍ଷଣ ଦେଖାଦେଇଥାଏ।"

ସେ ଆହୁରି ମଧ୍ୟ କହିଛନ୍ତି, "ଏହାର ଚିକିତ୍ସା ନହେଲେ ମସ୍ତିଷ୍କରେ ଇନଫେକ୍ସନ ହେବା, ହୃଦପିଣ୍ଡ ଠିକରେ କାମ ନ କରିବା ଓ ଅନ୍ୟ ଜରୁରୀ ଆଭ୍ୟନ୍ତରୀଣ ଅଙ୍ଗରେ ରକ୍ତସ୍ରାବ ହୋଇ ମୃତ୍ୟୁ ମଧ୍ୟ ହୋଇଥାଏ। ତେବେ ଏହାର ଚିକିତ୍ସା ଅତି ସହଜ ଓ ସାଧାରଣ ବୋଲି କହିଛନ୍ତି ଡାକ୍ତର। ଏଥିପାଇଁ ଡାକ୍ତରଖାନାରେ ମହଜୁଦ ଥିବା ଲ୍ୟାବରେ ଏହାର ଟେଷ୍ଟ କରାଯାଇପାରିବ। ଏହି ରୋଗ ଡକ୍ସି ସାଇକ୍ଲିନ ଓ ଏଜିଥ୍ରୋ ମାଇସିନ ଔଷଧ ଦ୍ବାରା ଠିକ ହୋଇଯାଏ।"

ତେବେ ଏହି ଔଷଧ ସବୁ ବହୁ କମ୍ ମୂଲ୍ୟର ହୋଇଥିବାବେଳେ ସବୁ ସରକାରୀ ଡାକ୍ତରଖାନାରେ ଏହା ମାଗଣାରେ ମିଳେ ବୋଲି ସେ କହିଛନ୍ତି। ତେବେ ସ୍କ୍ରବ ଟାଇଫସ ମାମଲା ଆଗରୁ ଏତେ ପରିମାଣରେ ନଥିବାବେଳେ ହଠାତ କିଛି ମାସ ହେବ ବଢିଛି। ତେଣୁ ସେ ସାଧାରଣ ଲୋକଙ୍କୁ ସଚେତନ ରହିବାକୁ କହିଛନ୍ତି। ଜଙ୍ଗଲ କିମ୍ବା ବୁଦା ଅଞ୍ଚଳକୁ ଗଲେ ଜୋତା ପିନ୍ଧିବା ସହ ଦେହକୁ ଯଥା ସମ୍ଭବ ଘଉଡ଼ାଇ ରଖିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। ସେହିପରି କିଛି ବି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଖାନା ଆସି ପରୀକ୍ଷା କରାଇନେବା ପାଇଁ ସେ କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.