ବଲାଙ୍ଗୀରରେ ବର୍ଷା ବିତ୍ପାତ, ସହରର ତଳିଆ ଅଞ୍ଚଳରେ କୃତ୍ରିମ ବନ୍ୟା !

author img

By

Published : Sep 14, 2021, 5:16 PM IST

Updated : Sep 14, 2021, 7:04 PM IST

ଲଘୁଚାପ ବର୍ଷାରେ ବେହାଲ ବଲାଙ୍ଗୀର ଜିଲ୍ଲା, ସହରର ତଳିଆ ଅଞ୍ଚଳରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା

ଜିଲ୍ଲାରେ ହୋଇଛି ରେକର୍ଡ ସଂଖ୍ୟକ ବର୍ଷା । ଆଉ ବର୍ଷା ପାଣି ନିଷ୍କାସନ ହୋଇ ନ ପାରିବାରୁ କୃତ୍ରିମ ବନ୍ୟାର ଭ୍ରମ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସହରର ତଳିଆ ଅଞ୍ଚଳ ଗୁଡିକରେ । ଅଧିକ ପଢନ୍ତୁ..

ବଲାଙ୍ଗୀର: ଲଗାଣ ବର୍ଷାରେ ବେହାଲ ହେବାରେ ଲାଗିଛି ବଲାଙ୍ଗୀର ଜିଲ୍ଲା । ସହରର ବିଭିନ୍ନ ରାସ୍ତାଘାଟ, ଗଳି କନ୍ଦି ଠାରୁ ଆରମ୍ଭ କରି ମନ୍ଦିର ସମେତ ଲୋକଙ୍କର ଘର ସବୁଠି ଆଣ୍ଠୁଏ ପାଣି ଜମି ରହିଛି । ତେବେ ବିଶେଷ କରି ତଳିଆ ଅଞ୍ଚଳରେ ରହୁଥିବା ଲୋକ ଏଥିରେ ବହୁ ମାତ୍ରାରେ ପ୍ରଭାବିତ ହୋଇଛନ୍ତି ।

ଲଘୁଚାପ ବର୍ଷାରେ ବେହାଲ ବଲାଙ୍ଗୀର ଜିଲ୍ଲା, ସହରର ତଳିଆ ଅଞ୍ଚଳରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା

ଏହାସହ ଜିଲ୍ଲାର ଶତାଧିକ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ସହର ମଧ୍ୟରେ ତାଲ ପାଲିପଡ଼ା, ବରପାଲି ପଡ଼ା, ତୁଳସୀ ନଗର ଓ ମାଲ ପଡ଼ାର କିଛି ଅଞ୍ଚଳ ଏବେବି ପାଣି ଘେରରେ ରହିଛି । ଲୋକେ ସୋମବାର ରାତିରୁ ପାଣି ଘେରରେ ଥିବା ବେଳେ ତାଙ୍କର ମୂଲ୍ୟବାନ ସାମଗ୍ରୀ ସହ ଚାଉଳ, ଡାଲି ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇ ଯାଇଥିବାର କହିଛନ୍ତି । ସେହିପରି ବର୍ଷା ଯୋଗୁଁ ସେମାନଙ୍କ ଖାଇବା ପିଇବା ମଧ୍ୟ ବନ୍ଦ ଥିବାର କହିଛନ୍ତି ।

ବନ୍ୟା ପାଣି ନିଷ୍କାସନ ବ୍ୟବସ୍ଥା ଏଯାଏଁ ହୋଇପାରି ନାହିଁ । ଯାହାଫଳରେ ଲୋକେ ଆଜି (ମଙ୍ଗଳବାର) ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

ସେହିପରି ଲଗାଣ ବର୍ଷାକୁ ନେଇ ଜିଲ୍ଲାପ୍ରଶାସନ ସୋମବାର ରାତିରୁ ବନ୍ୟା ଜଳ ନିଷ୍କାସନ ପାଇଁ ପଦକ୍ଷେପ ମାନ ନେଇଥିବା ନେଇ ସୂଚନା ମିଳିଛି । ତେବେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି ତାଙ୍କୁ ଅସ୍ଥାୟୀ ଭାବେ ଥଇଥାନ କରିବା ସହ ତାଙ୍କର ଖାଇବା ପିଇବାର ବ୍ୟବସ୍ଥା କରିଛି । ସମାନ ଭାବରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମଧ୍ୟ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ଲୋକଙ୍କ ସହିତ ଆଲୋଚନା କରିଛନ୍ତି ।

ତେବେ ଲଗାଣ ବର୍ଷା ସାଙ୍ଗକୁ ପ୍ରଶାସନର ଅବହେଳା ଯୋଗୁଁ ବଲାଙ୍ଗୀରରେ ବନ୍ୟା ପରିସ୍ଥିତି ଉପୁଜିଥିବାର ସେ କହିଛନ୍ତି । ଏବଂ ଏହାର ଦୀର୍ଘ ମିଆଦି ସମାଧାନ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ନେଇ କହିଛନ୍ତି । ସେପଟେ ବଲାଙ୍ଗୀର ପାଟଣାଗଡ଼ରେ ମଧ୍ୟ ବନ୍ୟା ପରିସ୍ଥିତି ଉପୁଜିଛି । ତେବେ ପାଟଣାଗଡ଼ ସହର ମଧ୍ୟ ଦେଇ ଯାଇଥିବା ସୁବର୍ଣ୍ଣରେଖା ନଦୀର ପାଣି ବିପଦ ଚିହ୍ନ ଉପରେ ପ୍ରବାହିତ ହେଉଛି । ତା ସହିତ ଅନେକ ସ୍ଥାନରେ ପାଣି ଜନବସତି ଅଞ୍ଚଳକୁ ପଶିବାରେ ଲାଗିଛି ।

ତେବେ ପାଟଣାଗଡ଼ ବରପଦର୍ ଠାରେ ଥିବା ଗ୍ରାମ୍ୟ ଜଳ ଯୋଗାଣ କଲୋନୀରେ ବନ୍ୟା ପାଣି ପଶିଥିବାବେଳେ ସମସ୍ତ ଘର ଜଳ ମଗ୍ନ ହେବାରେ ଲାଗିଛି । ତେବେ ଏହି କଲୋନୀରେ ରହୁଥିବା 32 ଜଣ ଲୋକଙ୍କୁ ପାଟଣାଗଡ଼ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି । ସମାନ ଭାବରେ ପାଟଣାଗଡ଼ ସହର ମଧ୍ୟରେ ବନ୍ୟା ପାଣି ଜମିଥିବାବେଳେ ତାର ନିଷ୍କାସନ ପାଇଁ ପ୍ରଶାସନ ପଦକ୍ଷେପ ନେଉଥିବା ନେଇ ସୂଚନା ମିଳିଛି ।

ବଲାଙ୍ଗୀରରୁ ଏସ୍‌.କେ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated :Sep 14, 2021, 7:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.