ETV Bharat / state

ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ଗାଈଖାଇ ଜଳଭଣ୍ଡାର, ବଢିବ ପର୍ଯ୍ୟଟକଙ୍କ ସଂଖ୍ୟା

author img

By

Published : Feb 20, 2023, 6:42 AM IST

Updated : Feb 20, 2023, 12:30 PM IST

ବଲାଙ୍ଗୀର ଜିଲ୍ଲାର ଅନନ୍ୟ ପର୍ଯ୍ୟଟନସ୍ଥଳୀ ଗାଈଖାଇ ଜଳଭଣ୍ଡାର । ଏହାର ବିକାଶ ନେଇ ସରକାର ପଦକ୍ଷେପମାନ ନିଜ ହାତକୁ ନେବା ପରେ ଖୁବଶୀଘ୍ର ଏହା ନୂଆ ରୂପ ପାଇବ ।

ବଲାଙ୍ଗୀରର ଗାଈଖାଇ ଜଳଭଣ୍ଡାର
gaikhai water reservoir in balangir

ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ଗାଈଖାଇ ଜଳଭଣ୍ଡାର

ବଲାଙ୍ଗୀର: ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ବଲାଙ୍ଗୀର ଜିଲ୍ଲା । ସବୁଜ ବଣ ପାହାଡ଼ ପରିବେଷ୍ଟିତ ଏହି ଜିଲ୍ଲାରେ ରହିଛି ଅନେକ ଛୋଟ ବଡ଼ ମନୋରମ ପର୍ଯ୍ୟଟନ ସ୍ଥଳୀ । ମାତ୍ର ପର୍ଯ୍ୟଟନ କ୍ଷେତ୍ର ବିକାଶର ଅଭାବ ଯୋଗୁଁ ଅନେକ ମନୋରମ ପର୍ଯ୍ୟଟନ ସ୍ଥଳୀ ଆଜି ବି ପର୍ଯ୍ୟଟକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ବଲାଙ୍ଗୀରରେ ଅନେକ ଦର୍ଶନୀୟ ସ୍ଥାନ ଥିଲେ ମଧ୍ୟ ହାତ ଗଣତି ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଛି । ସେଥିମଧ୍ୟରୁ ଗାଈଖାଇ ଜଳଭଣ୍ଡାର ଅନ୍ୟତମ ।

ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକରେ ଅବସ୍ଥିତ ଏକ ବିସ୍ତୀର୍ଣ୍ଣ ଜଳଭଣ୍ଡାର । ଏହି ପ୍ରକଳ୍ପକୁ ତିନି ପାର୍ଶ୍ବରୁ ଘେରି ରହିଛି ବଣ ପାହାଡ । ଜଙ୍ଗଲ ମଧ୍ୟରେ ଥିବା ଏହି ଜଳଭଣ୍ଡାରର ଦୃଶ୍ୟ ଅତ୍ୟନ୍ତ ମନୋରମ ଓ ହୃଦୟସ୍ପର୍ଶୀ । ଏହାର ଅପୂର୍ବ ଶୋଭାକୁ ଦ୍ବିଗୁଣିତ କରିଥାନ୍ତି ବନ୍ୟଜନ୍ତୁ ଓ ବିଦେଶାଗତ ପକ୍ଷୀ । ଲକ୍ଷାଧିକ ସଂଖ୍ୟାରେ ପକ୍ଷୀଙ୍କ ଆଗମନ ହୋଇଥାଏ । ଜଳଭଣ୍ଡାରର ନୀଳ ଜଳରାଶି ମଧ୍ୟରେ ବିଦେଶାଗତ ପକ୍ଷୀଙ୍କୁ ଜଳକ୍ରୀଡା ଓ କାକରାଳ ଦେଖଣାହାରୀଙ୍କୁ ବିମୋହିତ କରିଥାଏ । ଏଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ପ୍ରତିଦିନ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗାଈଖାଇ ଜଳଭଣ୍ଡାର ପର୍ଯ୍ୟଟକଙ୍କୁ ଅଦ୍ଭୁତ ଅନୁଭବ ଦେଇଥାଏ ।

ଗତ 50 ବର୍ଷରୁ ଉର୍ଦ୍ଧ୍ବ ହେବ ରାଜ୍ୟ ସରକାର ଏଠାରେ ଉନ୍ନତିକରଣ କରି ଏକ ବାନ୍ଧ ବାନ୍ଧିଥିଲେ। ଯାହାଦ୍ୱାରା ଏଠି ପାଖାପାଖି 70 ହେକ୍ଟର ଅଞ୍ଚଳରେ ପାଣି ରହିଛି । ଏହା କେବଳ ପର୍ଯ୍ୟଟନ ନୁହେଁ ଆଗଲପୁର ବ୍ଲକର ଏହା ଜୀବନ ରେଖା । ଖାଲି ସେତିକି ନୁହେଁ ବଲାଙ୍ଗୀର ଲୋଇସିଂହା, ଆଗଲପୁର ଓ ସୋନପୁର ଜିଲ୍ଲାର କିଛି ଅଞ୍ଚଳକୁ ଏହି ଜଳଭଣ୍ଡାର ମାଡ଼ି ଥିବାରୁ ସେଠାକାର ଲୋକେ ଏହା ଉପରେ ନିର୍ଭରଶୀଳ ଅଟନ୍ତି । ଜଳଭଣ୍ଡାର ଦ୍ବାରା ଏଠାକାର ଚାଷୀ ଦୁଇ ଫସଲି ଚାଷ କରି ବେଶ ସଫଳ ହୋଇଥାନ୍ତି । କିନ୍ତୁ ଜିଲ୍ଲାର ଅନ୍ୟ ପର୍ଯ୍ୟଟନ ସ୍ଥଳୀ ଭଳି ଏହାର ବିକାଶ ହୋଇପାରିନାହିଁ । ତେଣୁ ଏଠାରେ ଉନ୍ନତିକରଣ କାର୍ଯ୍ୟ ପାଇଁ ଦୀର୍ଘ ବର୍ଷ ଧରି ବଲାଙ୍ଗୀରବାସୀ ଦାବି କରି ଆସିଥିଲେ । ବର୍ତ୍ତମାନ ରାଜ୍ୟ ସରକାର ଏହାର ବିକାଶ ପାଇଁ ପଦକ୍ଷେପ ନିଜ ହାତକୁ ନେଇଛନ୍ତି । ରାଜ୍ୟ ସରକାର ପାଖାପାଖି ଏକ କୋଟି ଟଙ୍କାର ଅନୁଦାନ ଦେଇଥିବା ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ।

ବଲାଙ୍ଗୀର ଜିଲ୍ଲା ବନ ଅଧିକାରୀ ନିତିସ କୁମାର କହିଛନ୍ତି ଯେ, "ସରକାର ଦେଇଥିବା ଅଧିକାଂଶ ଟଙ୍କା ବନ ବିଭାଗ ପାଇଛି । ଏଥିରେ ପ୍ରଥମ କରି ବୋଟିଂ ସୁବିଧା କରାଯିବ । ଯାହାର ଟେଣ୍ଡର ସରିଥିବା ବେଳେ କେବଳ ବୋଟ କିଣିବା ବାକି ଅଛି। ସମାନ ଭାବରେ ଏଠି ଆଗକୁ ଏକ ପାର୍କ, ଏକ ରେସ୍ତୋରାଁ, ଲୋକଙ୍କ ବସିବା ପାଇଁ ସୁବିଧା, ଗୋଟିଏ ବଡ ସ୍ୱାଗତ ଗେଟ ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ କରାଯିବ । " ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ଏଠି ସବୁ କାର୍ଯ୍ୟକ୍ଷମ ହେବ ଓ ପର୍ଯ୍ୟଟନଙ୍କ ସଂଖ୍ୟା ବଢିବ ବୋଲି ସେ କହିଛନ୍ତି । ସ୍ଥାନୀୟ ଲୋକଙ୍କ ଜୀବନ ରେଖା ପାଲଟିଥିବା ଗାଈଖାଇ ଜଳଭଣ୍ଡାରର ବିକାଶ ହେଲେ ଜିଲ୍ଲା ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ ବୋଲି ମତ ପ୍ରକାଶ ପାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated :Feb 20, 2023, 12:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.