ETV Bharat / state

ଲୋୟର ସୁକତେଲ ଡ୍ୟାମରେ ପଶିଲା ବନ୍ୟା ପାଣି, ଭିଟାମାଟି ଛାଡିବାକୁ ଅମଙ୍ଗ ବିସ୍ଥାପିତ

author img

By

Published : Jul 4, 2023, 12:03 PM IST

ବଲାଙ୍ଗୀର ଜିଲ୍ଲାର ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପରେ ବନ୍ୟାପାଣି ପ୍ରବେଶ କରିଛି । ଭିଟାମାଟି ଛାଡିବାକୁ ନାରାଜ ବୁଡି ଅଞ୍ଚଳବାସୀ । ଅଧିକ ପଢନ୍ତୁ

flood water enter in to lower suktel dam
ଲୋୟର ସୁକତେଲ ଡ୍ୟାମରେ ପଶିଲା ବନ୍ୟା ପାଣି

ଲୋୟର ସୁକତେଲ ଡ୍ୟାମରେ ପଶିଲା ବନ୍ୟା ପାଣି

ବଲାଙ୍ଗୀର: ଜିଲ୍ଲାର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଲୋୟର ସୁକତେଲ ଡ୍ୟାମକୁ ବନ୍ୟା ପାଣି ପଶିଛି । ଏହା ସତ୍ତ୍ୱେ ଭିଟା ମାଟି ଛାଡିବାକୁ ନାରାଜ ବୁଡି ଅଞ୍ଚଳବାସୀ । ପ୍ରଶାସନ ଅମାନବୀୟ ଭାବରେ ବିଦ୍ୟୁତ ଓ ପାଣି ଯୋଗାଣ କାଟିଥିବା ଅଭିଯୋଗ ହୋଇଛି ।

ବଲାଙ୍ଗୀର ଜିଲ୍ଲାର ବହୁ ପ୍ରତୀକ୍ଷିତ ଲୋୟର ସୁକତେଲ ପ୍ରକଳ୍ପରେ ବନ୍ୟାପାଣି ପ୍ରବେଶ କରିଛି । ଭିଟାମାଟି ଛାଡ଼ିବାକୁ ନାରାଜ ବୁଡି ଅଞ୍ଚଳବାସୀଙ୍କ ବିଦ୍ୟୁତ ଓ ପାଣି ଯୋଗାଣ ବନ୍ଦ କରିଛି ପ୍ରଶାସନ । ବିସ୍ଥାପିତଙ୍କ ପ୍ରତି ଏଭଳି ଆଚରଣ ଅମାନବୀୟ ବୋଲି ଅଭିଯୋଗ ହୋଇଛି । ବୃହତ ଜଳ ଲୋୟର ସୁକତେଲ ପ୍ରକଳ୍ପକୁ ବଲାଙ୍ଗୀରର ଜୀବନ ରେଖା ବୋଲି କୁହାଯାଏ । ଅନେକ ବଡ଼ ବିବାଦ ଓ ବିରୋଧ ପରେ ଏବେ ପ୍ରାୟତଃ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଜୁନର ବର୍ଷାରେ ଏହି ଡ୍ୟାମରେ ପ୍ରଥମ ବନ୍ୟା ପାଣି ପ୍ରବେଶ କରିଛି । ଗୋଟିଏ ପଟେ ବଲାଙ୍ଗୀରବାସୀଙ୍କ ଦଶନ୍ଧି ଧରି ଥିବା ଦାବି ଏବେ ପୂର୍ଣ୍ଣ ହେବାକୁ ଲାଗିଛି । ହେଲେ ଅନ୍ୟପଟେ ଏଥିରେ ବିସ୍ଥାପିତ ହେବାକୁ ଥିବା ଲୋକେ କିନ୍ତୁ ଏବେ ବି ଭିଟାମାଟି ଛାଡିବାକୁ ନାରାଜ ଅଛନ୍ତି । ପ୍ରକଳ୍ପ ଯୋଗୁଁ 29ଟି ଗାଁ ଲୋକେ ବିସ୍ଥାପିତ ହେବେ । ଏଯାଏଁ ମାତ୍ର 10ଟି ଗାଁ ଖାଲି କରାଯାଇଛି । ଅନ୍ୟ କିଛି ଗାଁକୁ ଖାଲି କରିବା ପାଇଁ ଏବେବି ପ୍ରଶାସନ ପଦକ୍ଷେପ ନେଉଛି ।

ବିଶେଷ କରି ଡ୍ୟାମ ପାଣିରେ ପ୍ରଥମେ ପ୍ରଭାବିତ ହେବାକୁ ଥିବା ଗାଁଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ଖାଲି କରାଯାଉଛି । ଅନେକ ଗ୍ରାମର ବିସ୍ଥାପିତ କ୍ଷତି ପୂରଣ ପାଇ ସାରିଛନ୍ତି । କିଛି ଗ୍ରାମର ବିବାଦ ରହିଥିବା ବିସ୍ଥାପିତ ଏବେ ବି ସମ୍ପୂର୍ଣ୍ଣ କ୍ଷତିପୂରଣ ପାଇ ନାହାନ୍ତି । ଏଭଳି ସ୍ଥଳେ ଡ୍ୟାମରେ ପାଣି ପଶିଥିବା ବେଳେ ଲୋକେ ପାଣି କାଢ଼ିବା ପାଇଁ ସବୁ ଗେଟ୍‌ ଖୋଲିବାକୁ ଦାବି କରିଛନ୍ତି । ବିସ୍ଥାପିତ ଗ୍ରାମବାସୀ ତାଙ୍କର ସମ୍ପୂର୍ଣ୍ଣ କ୍ଷତିପୂରଣ ଦେବା ଏହି ଡ୍ୟାମରେ ପାଣି ନ ରଖିବାକୁ ଦାବି କରିଛନ୍ତି ।

ଏହା ବି ପଢନ୍ତୁ...ଚିନ୍ତାରେ ଲୋୟର ସୁକତେଲ ପ୍ରକଳ୍ପର ବିସ୍ଥାପିତ: ଜୁନ୍‌ରେ ହେବ କାର୍ଯ୍ୟକ୍ଷମ, ଏଯାଏଁ ପୂରଣ ହୋଇନି ଦାବି

ପ୍ରସାଶନ ଦାବି ନଶୁଣି ଓଲଟା ଗାଁ ମାନଙ୍କର ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ କରିବା ସହ ପିଇବା ପାଣି ଯୋଗାଣ ମଧ୍ୟ ବନ୍ଦ କରି ଦେଇ ଥିବାର ଅଭିଯୋଗ କରିଛନ୍ତି । ଦାବି ପୁରଣ ନହେବା ଯାଏଁ ସେମାନେ ଭିଟାମାଟି ଛାଡିବେ ନାହିଁ ବୋଲି କହିଛନ୍ତି । ଲୋୟର ସୁକତେଲ ଡ୍ୟାମ୍‌ ଲାଗିକି ରହିବ ଗଡ଼ ଶଙ୍କର ଡୁଙ୍ଗୁରିପାଳି ଗ୍ରାମବାସୀ ଗାଁ ମୁଣ୍ଡରେ ପାଣି ଲାଗିଥିଲେ ସୁଦ୍ଧା ଗାଁ ଖାଲି କରି ନାହାନ୍ତି । ବିସ୍ଥାପିତ ହେବାକୁ ଥିବା ଲୋକେ କହିଛନ୍ତି ଯେ ତାଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଏଯାଏଁ ମିଳିନାହିଁ । ସେମାନଙ୍କ ପାଇଁ ତିଆରି ହୋଇଥିବା ଅସ୍ଥାୟୀ ଘର ରହିବା ଯୋଗ୍ୟ ନୁହେଁ ତେଣୁ ଉଚିତ ଥଇଥାନ ନକରିବା ଯାଏଁ ଗାଁ ଛାଡିବେ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।

ସେପଟେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶାସନର ଏହି କାର୍ଯ୍ୟକୁ ଅମାନବୀୟ ବୋଲି କହିଛନ୍ତି । ଲୋୟର ସୁକତେଲ ପ୍ରକଳ୍ପ ଜିଲ୍ଲା ପାଇଁ ଅତି ଜରୁରୀ ଥିଲା ଏବଂ ଏବେ ତାହା ସମ୍ପୂର୍ଣ୍ଣ ରୂପ ନେଉଛି ହେଲେ ଏଥିପାଇଁ ଭିଟା ମାଟି ଛାଡୁଥିବା ଲୋକଙ୍କୁ ସମ୍ମାନର ସହ ସେଇଠୁ ବିସ୍ଥାପିତ କରିବା କଥା ବୋଲି ସେ କହିଛନ୍ତି । ଏହା ପ୍ରତି ପ୍ରଶାସନ ଓ ସରକାର ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ।

ପ୍ରକାଶଥାଉ କି, 1996 ମସିହାର ଲୋୟର ସୁକତେଲ ପ୍ରକଳ୍ପ ଶୁଭ ଦିଆଯାଇଥିଲା । ପ୍ରାରମ୍ଭିକ ନିର୍ମାଣ ଖର୍ଚ୍ଚ 212 କୋଟି ଥିଲା । ହେଲେ ବିରୋଧ ଯୋଗୁଁ ଏହା ଅହେତୁକ ବିଳମ୍ବ ଘଟି ଏବେ ଏହାର ଖର୍ଚ୍ଚ 5 ହଜାର କୋଟି ଉପରକୁ ଯାଇଛି । ଆସନ୍ତା ନଭେମ୍ବସର କିମ୍ବା ଡିସେମ୍ବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ ବୋଲି କୁହାଯାଉଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.