ETV Bharat / state

ଆବାସ ବଣ୍ଟନରେ ଦୁର୍ନୀତି ! ବଲାଙ୍ଗୀରରେ ବ୍ଲକ ଘେରାଉ କଲା ବିଜେପି

author img

By ETV Bharat Odisha Team

Published : Nov 18, 2023, 10:21 AM IST

ଦୁର୍ନୀତି ବିରୋଧରେ ବଲାଙ୍ଗୀର ଜିଲ୍ଲାର ସମସ୍ତ ବ୍ଲକ ଘେରାଉ କଲା ବିଜେପି । ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ

Etv Bharat
Etv Bharat

ଆବାସ ବଣ୍ଟନରେ ଦୁର୍ନୀତି ! ରାଜ୍ୟ ତମାମ ବିଜେପିର ବ୍ଲକ ଘେରାଉ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଆନ୍ଦୋଳନ । ଆବାସ ବଣ୍ଟନରେ ରାଜ୍ୟ ସରକାର ଘୋଟାଲା କରୁଥିବା ଅଭିଯୋଗରେ ଜିଲ୍ଲା ତମାମ ଆନ୍ଦୋଳନ କରିଛି ବିଜେପି । ସବୁ ବ୍ଲକରେ ବିରାଟ ଶୋଭାଯାତ୍ରା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଏଥିସହ ବିଡିଓଙ୍କ ଜରିଆରେ ଏନେଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବା ସହ ଆଗାମୀ ଦିନରେ ଏହି ପ୍ରସଙ୍ଗ ବିଧାନସଭା ଅଧିବେଶନରେ ଉଠାଯିବା ନେଇ ବିଜେପି ପକ୍ଷରୁ କୁହାଯାଇଛି ।

ରାଜ୍ୟ ବିଜେପିର ଆହ୍ୱାନକ୍ରମେ ଶୁକ୍ରବାର ଦିନ ବଲାଙ୍ଗୀର ଜିଲ୍ଲା ତମାମ ବିଜେପିର ଆନ୍ଦୋଳନ ଦେଖିବାକୁ ମିଳିଥିଲା । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବାଟମାରଣା କରି ରାଜ୍ୟ ସରକାର ଦୁର୍ନୀତି କରୁଥିବା ଅଭିଯୋଗ ଆଣି ଆନ୍ଦୋଳନ ମୁହାଁ ହୋଇଛି ବିଜେପି । ଯେଉଁଥିରେ ଜିଲ୍ଲାର ସମସ୍ତ 14 ଟି ବ୍ଲକରେ ହଜାର ହଜାର ବିଜେପି କର୍ମୀ ବିରାଟ ଶୋଭାଯାତ୍ରା ସହ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛି ।

ଏହାମଧ୍ୟ ପଢନ୍ତୁ: ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି, ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଏହି କ୍ରମରେ ବଲାଙ୍ଗୀର ଲୋଇସିଂହା ବ୍ଲକରେ ମଧ୍ୟ ବିଜେପିର ବିରାଟ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଓଡିଶା ସରକାରଙ୍କ ଦ୍ବାରା ଆବାସ ବଣ୍ଟନରେ ଦୁର୍ନୀତି ଅଭିଯୋଗ ଆଣିବା ସହ ଏହା ବିରୋଧରେ ଲୋଇସିଂହା ବ୍ଲକ ଘେରାଉ କରାଯାଇଥିଲା । ଲୋଇସିଂହା ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ ହଜାର ହଜାର ବିଜେପି କର୍ମୀ ଏଥିରେ ସାମିଲ ହୋଇଥିଲେ ଏବଂ ସହରରେ ଏକ ବିରାଟ ଶୋଭାଯାତ୍ରା କରି ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ସେହିପରି ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ସେହିପରି ବଲାଙ୍ଗୀରର ସଦର ବ୍ଲକ, ବଲାଙ୍ଗୀର, ପୁଇଁତଲା ବ୍ଲକରେ ମଧ୍ୟ ସମାନ ଆନ୍ଦୋଳନ ଦେଖିବାକୁ ମିଳିଥିଲା । ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ଏନେଇ କହିଛନ୍ତି, "ରାଜ୍ୟ ବିଜେଡି ସରକାର ଦୁର୍ନୀତିଗ୍ରସ୍ତ ସରକାର ଅଟନ୍ତି । ଏଠି ମହିଳାଙ୍କ ପ୍ରତି ଅତ୍ୟାଚାର, ଆବାସ ଯୋଜନାରେ ଦୁର୍ନୀତି, ବିଭିନ୍ନ ଉନ୍ନୟନମୂଳକ କାମରେ ଦୁର୍ନୀତି ସୀମା ଟପି ସାରିଛି । ଏହାର ବିରୋଧରେ ବିଜେପି ଏହି ଆନ୍ଦୋଳନ କରୁଛି । ସେହିପରି ଏହି ଦୁର୍ନୀତି ବିଷୟ ଆଗକୁ ହେବାକୁ ଥିବା ବିଧାନସଭା ଶୀତ ଅଧିବେଶନରେ ବିଜେପି ପ୍ରଶ୍ନ କରିବ ।"

ସେ ଆଉ ମଧ୍ୟ କହିଛନ୍ତି ଯେ, ଏହି ଅତ୍ୟାଚାର ବିରୋଧରେ ଯାଇ ଲୋକେ ଆଗାମୀ ନିର୍ବାଚନରେ ବିଜେପିକୁ ବାଛିବେ ଓ ବିଜେପି ସରକାର ଆସିଲେ ଏଠି ସୁଶାସନ ହେବ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.