ETV Bharat / state

ଜିଲ୍ଲା ମାନ୍ୟତା ଦାବିରେ ଆଜି ଟିଟିଲାଗଡ ବନ୍ଦ

author img

By ETV Bharat Odisha Team

Published : Dec 7, 2023, 9:38 AM IST

Titilagarh Bandh: ଜିଲ୍ଲା ମାନ୍ୟତା ଦାବିରେ ଆଜି ୧୨ ଘଣ୍ଟିଆ ଟିଟିଲାଗଡ ବନ୍ଦ । ଟିଟିଲାଗଡ ମିଳିତ କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ

ଆଜି ଟିଟିଲାଗଡ ବନ୍ଦ
ଆଜି ଟିଟିଲାଗଡ ବନ୍ଦ

ଆଜି ଟିଟିଲାଗଡ ବନ୍ଦ

ବଲାଙ୍ଗୀର: ଜୋର୍ ଧରିଲା ଟିଟିଲାଗଡ ଜିଲ୍ଲା ମାନ୍ୟତା ଦାବି । ପଦ୍ମପୁରକୁ ଜିଲ୍ଲା ଗଠନ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହେବା ପରେ ଏବେ ଟିଟଲାଗଡକୁ ମଧ୍ୟ ଜିଲ୍ଲା କରିବା ପାଇଁ ସ୍ବର ତେଜିଛି । ଏହି ଦାବିରେ ଆଜି(ଗୁରୁବାର) ପୁଣିଥରେ ୧୨ ଘଣ୍ଟିଆ ଟିଟିଲାଗଡ ବନ୍ଦ ଡାକରା ଦେଇଛି ଟିଟିଲାଗଡ଼ ମିଳିତ କ୍ରିୟାନୁଷ୍ଠାନ କମିଟି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ । ଯାହାଫଳରେ ସକାଳୁ ଟିଟିଲାଗଡ଼ରେ ସମସ୍ତ ଦୋକାନ ବଜାର, ସରକାରୀ ବେସରକାରୀ ଅନୁଷ୍ଠାନ, ସ୍କୁଲ୍‌ କଲେଜ ସହ ଗାଡ଼ି ଚଳାଚଳ ବନ୍ଦ ରହିଛି । କମିଟିର ସଦସ୍ୟମାନେ ବିଭିନ୍ନ ଛକରେ ଧାରଣା ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ, ଦୁଇ ଦିନ ତଳେ ଟିଟିଲାଗଡ଼ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ଡକାଇ ୧୨ ଘଣ୍ଟିଆ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା । ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପାଇଁ ଦୀର୍ଘ ବର୍ଷ ହେଲା ସ୍ଥାନୀୟ ସଂଗଠନ ଏବଂ ରାଜନୈତିକ ଦଳଗୁଡ଼ିକୁ ଆନ୍ଦୋଳନ କରିଆସୁଛନ୍ତି । ଅନେକ ଥର ବିକ୍ଷୋଭ ସହ ବନ୍ଦ ପାଳନ ହୋଇଛି । ରାଜ୍ୟ ସରକାର ମଧ୍ୟ ଗତ ନିର୍ବାଚନ ପୂର୍ବରୁ ଜିଲ୍ଲା ଗଠନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏପରିକି ଟିଟିଲାଗଡ଼ରେ ଜଣେ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ଏଡିଏମଙ୍କ ନିଯୁକ୍ତି ହୋଇଛି । ହେଲେ ସରକାର ଅନ୍ୟ ପ୍ରାନ୍ତକୁ ଜିଲ୍ଲା ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଟିଟିଲାଗଡ଼ର ଦାବିକୁ ଅବହେଳା କରିଥିବା କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । ଦାବି ପୂରଣ ନହେଲେ ତୀବ୍ର ଆନ୍ଦୋଳନ ପାଇଁ ସଂଗଠନ ନିଷ୍ପତ୍ତି ନେଇଥିବା ବେଳେ ଏହି କ୍ରମରେ ଆଜି ଟିଟିଲାଗଡ ବନ୍ଦ ଡାକରା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ତେଜିଲା ଜିଲ୍ଲା ମାନ୍ୟତା ଦାବି; ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ

ଦିନକ ତଳେ ସମାନ ଦାବି ନେଇ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଥିଲା । କଣ୍ଟାବାଞ୍ଜି ଜିଲ୍ଲା ସଂଘର୍ଷ ସମିତିର ସଦସ୍ୟମାନେ ରାସ୍ତା ଅବରୋଧ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଜି ସମାନ ଭାବେ ଟିଟିଲାଗଡ ବନ୍ଦ ସରକାରଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଇଛି । ଆଜି ବନ୍ଦ ଡାକରାରେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ବିଭିନ୍ନ ଛକରେ ଧାରଣା ଦେଇଛନ୍ତି । ଅନ୍ୟପଟେ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ ପାଇଁ ପୋଲିସ ପକ୍ଷରୁ ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.