ETV Bharat / state

ବିପତ୍ତି ସାଜିଛି ପଥର ଖାଦନ: ବ୍ଳାଷ୍ଟିଂରେ ଫାଟୁଛି ଘର, କୁମ୍ଭକର୍ଣ୍ଣ ନିଦ୍ରାରେ ପ୍ରଶାସନ

author img

By

Published : Jan 2, 2023, 4:01 PM IST

ପଥର ଖାଦାନରେ ବ୍ୟାପକ ବ୍ଲାଷ୍ଟିଂ ଯୋଗୁଁ ଭୟଭୀତ ଅନୁଗୋଳ ଜିଲ୍ଲା ପଦ୍ମପୁର ଗ୍ରାମବାସୀ । ଘରର କାନ୍ଥ ଭାଟିବା ସହ ଘର ଥରିବା ଯୋଗୁଁ ଘରେ ରହିପାରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ଏନେଇ ଏନେଇ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନକୁ ଜଣାଇବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବା ନେଇ ଦୁଃଖର ସହ କହିଛନ୍ତି ସେମାନେ । ଦେଖନ୍ତୁ ଏହି ରିପୋର୍ଟ

angul stone blasting
angul stone blasting

ବ୍ଳାଷ୍ଟିଂରେ ଫାଟୁଛି ଘର

ଅନୁଗୋଳ: କେଉଁଠି ଘରର କାନ୍ଥ ଫାଟିଛି ତ କେଉଁଠି ଛାତ ଫାଟି ଆଁ କରିଛି । ଚାଳଘର ମାଡି ବସୁଥିବା ବେଳେ ଉପରୁ ଖସୁଛି ଆଜବେଷ୍ଟ ଖଣ୍ଡ । ଅନୁଗୋଳ ଜିଲ୍ଲାର କିଶୋରନଗର ବ୍ଲକ ଜାମୁନାଲି ପଞ୍ଚାୟତର ପଦ୍ମପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହା କୌଣସି ପ୍ରାକୃତିକ ନୁହେଁ ଏହା ଘଟୁଛି ମନୁଷ୍ୟକୃତ କାରଣ ପାଇଁ । ପଥର ଖାଦାନରେ ବ୍ଲାଷ୍ଟିଂ ପାଇଁ ଅଞ୍ଚଳ ଥରୁଥିବା ବେଳେ ପ୍ରଦୂଷିତ ହୋଇଛି ପରିବେଶ । ଯାହାକୁ ନେଇ ଡରିଡରି ଜୀବନ ଜିଉଁଛନ୍ତି ଗ୍ରାମବାସୀ ।

ପଦ୍ମପୁର ଗ୍ରାମର ମାତ୍ର ୧୦୦ ମିଟର ଦୂରରେ ଚାଲିଛି ଏହି ପଥର ଖାଦାନ । ଯାହା ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ପାଇଁ ବ୍ୟବହାର କରାଯାଉଛି । ଏକ ଘରୋଇ ସଂସ୍ଥା ଏହି ନିର୍ମାଣ ଦାୟିତ୍ୱ ନେଇଛି । ଖାଦାନରେ ପଥର ଫଟାଇବା ପାଇଁ ବହୁ ସମୟରେ ଉଚ୍ଚ ଶକ୍ତି ସମ୍ପନ୍ନ ରାସାୟନିକ ଦ୍ରବ୍ୟ ବ୍ୟବହାର କରି ପଥର ଫଟା ଯାଉଛି। ଫଳରେ ପ୍ରଚଣ୍ଡ ଶବ୍ଦ ହେଉଛି । ଘରର ଛାତ ଓ କାନ୍ଥ ଫାଟି ଯାଉଛି। ଲୋକେ ପିଲା ଛୁଆଙ୍କୁ ନେଇ ରାତିରେ ଘର ଭିତରେ ଶୋଇ ଥିବା ବେଳେ ଶବ୍ଦ ଯୋଗୁଁ ଭୟଭୀତ ଅବସ୍ଥାରେ ବାହାରକୁ ବାହାରି ଆସୁଛନ୍ତି । ଏହାସହ ଦିନରେ ନିଜର ଗୃହ ପାଳିତ ପଶୁଙ୍କୁ ଚରାଇବାକୁ ଜଙ୍ଗଲକୁ ନେବାକୁ ଭୟ କରୁଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ: Demonetization Row: ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍ ଥିଲା କହିଲେ ସୁପ୍ରିମକୋର୍ଟ

ଗ୍ରାମବାସୀ ଏହାର ପ୍ରତିକାର ପାଇଁ ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କୁ ଅନେକ ଥର ଲିଖିତ ଅଭିଯୋଗ କରିଛନ୍ତି । ସରପଞ୍ଚଙ୍କୁ ମଧ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ନିବେଦନ କରିଛନ୍ତି । କିନ୍ତୁ କୌଣସୁ ସୁଫଳ ମିଳୁନାହିଁ ।

ଗ୍ରାମବାସୀଙ୍କ କହିବା ଅନୁସାରେ, "ପଥର ଖାଦାନ କିମ୍ବା ରାସ୍ତା ନିର୍ମାଣ କାର୍ଯ୍ୟକୁ ଆମେ ଆଦୌ ବିରୋଧ କରୁନାହୁଁ । ହେଲେ ନିକଟରେ ଗାଁ ଥିବାରୁ ଖାଦାନରେ ରସାୟନ ଦ୍ରବ୍ୟ ବ୍ୟବହାର କରି ପଥର ଫଟାଇବା ପରିବର୍ତ୍ତେ ଅନ୍ୟ କୌଣସି ଉପାୟରେ ପଥର ଫୁଟାଇବା ବ୍ୟବସ୍ଥା କରନ୍ତୁ । ଯାହା ଫଳରେ ଗ୍ରାମବାସୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ।"

ତେବେ ଗ୍ରାମବାସୀଙ୍କ ନିବେଦନ ପରେ କିଛି ଦିନ ପୂର୍ବରୁ ତହସିଲଦାର ଓ ପୋଲିସ ପହଞ୍ଚି ଘଟଣାସ୍ଥଳ ଦେଖିଥିଲେ । ସମ୍ପୃକ୍ତ ଠିକା ସଂସ୍ଥାକୁ ରାସାୟନିକ ଦ୍ରବ୍ୟ ବ୍ୟବହାର କରି ପଥର ନଫଟାଇବା ପାଇଁ ତାଗିଦ ମଧ୍ୟ କରିଥିଲେ । କିନ୍ତୁ ଠିକା ସଂସ୍ଥା ସରକାରୀ ବାବୁଙ୍କ କଥାକୁ ବାଏଁ ବାଏଁ ଉଡାଇ ଦେଇଛି । ତେଣୁ ଗ୍ରାମବାସୀ କଣ କରିବେ ଗାଁରେ କେମିତି ରହିବେ ସେନେଇ ଚିନ୍ତାରେ ରହିଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରୁ ସେ ଜିଲ୍ଲାପାଳଙ୍କୁ ଜଣାଇଥିବା କହିଥିବା ବେଳେ କିଶୋର ନଗର ବିଡ଼ିଓ କିଛି ଜାଣିନାହାନ୍ତି କହି କଥା ଏଡାଇ ଦେଇଛନ୍ତି । ଦିନରାତି ଅହରହ ଖାଦାନ ଚାଲୁଥିବା ବେଳେ ଜୀବନ ପ୍ରତି ବିପଦ ବଢିବାରେ ଲାଗିଛି । ତେବେ ଏଥିପ୍ରତି ପ୍ରଶାସନର ଦୃଷ୍ଟି କେବେ ପଡୁଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.