ଦୂତୀ ଚାନ୍ଦ ଓ ପ୍ରମୋଦ ଭଗତଙ୍କ ନାଁରେ ହେବ KIITର ଦୁଇଟି ଷ୍ଟାଡିୟମ

author img

By

Published : Sep 20, 2021, 9:38 PM IST

Two Stadiums At KIIT To Be Named After olympian Pramod Bhagat And Dutee Chand

ଅଲମ୍ପିଆନଙ୍କ ନାମରେ ଦୁଇଟି ଷ୍ଟାଡିୟମ ନାମିତ କରିବାରେ KIIT ଦେଶର ପ୍ରଥମ ବିଶ୍ବବିଦ୍ୟାଳୟ ହେବ । ଅଧିକ ପଢନ୍ତୁ...

ଭୁବନେଶ୍ବର: ରାଜ୍ୟ ତଥା ରାଜ୍ୟ ବାହାରର ଅନେକ କ୍ରୀଡା ପ୍ରତିଭାଙ୍କ ପାଇଁ KIIT ବିଶ୍ବବିଦ୍ୟାଳୟ ନିଜ ପ୍ରତିଭା ବିକଶିତ କରିବାର ପ୍ରକୃଷ୍ଟ ସ୍ଥାନ ପାଲଟିଛି । ପ୍ରଶିକ୍ଷଣ ଓ ପ୍ରୋତ୍ସାହନରେ ନିଜ ପରିବାର ସଦସ୍ୟଙ୍କ ଭଳି ସାହାରା ସାଜିଛି । ଏଠାରେ ଥିବା ପଡିଆରେ ପ୍ରସ୍ତୁତି କରି ଏକାଧିକ କ୍ରୀଡାପ୍ରତିଭା ବିଶ୍ବକ୍ରୀଡାମଞ୍ଚରେ ଦମ ଦେଖାଇସାରିଛନ୍ତି । ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ସ ଓ ପାରାଲମ୍ପିକ୍‌ସରେ KIIT ପ୍ରତିଭାଙ୍କ ପାଦଚିହ୍ନ ପଡିଥିଲା ।

ଦୀର୍ଘବର୍ଷ ଧରି KIIT ସହିତ ସଂପର୍କରେ ଥିବା ପ୍ରମୋଦ ଭଗତ ନିକଟରେ ଟୋକିଓ ପାରାଲମ୍ପିକ୍‌ସରେ ସ୍ବର୍ଣ୍ଣ ପଦକ ବିଜେତା ହୋଇଛନ୍ତି । ସେ ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ପଦକ ସହିତ ସେ ରାଜ୍ୟ ତଥା ଦେଶ ପାଇଁ ଅନେକ ପଦକ ଜିତିଛନ୍ତି । KIIT ଇନଡୋର୍‌ ଷ୍ଟାଡିୟମରେ ପ୍ରମୋଦ ଅଭ୍ୟାସ କରିଛନ୍ତି ।

ପ୍ରମୋଦଙ୍କ ସ୍ବର୍ଣ୍ଣିମ ସଫଳତା ପାଇଁ KIIT ଓ KISS ପ୍ରତିଷ୍ଠାତା ତଥା ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ ସୋମବାର ଇନଷ୍ଟିଚ୍ୟୁଟ୍‌ର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହିତ 5 ଲକ୍ଷ ଆର୍ଥିକ ପୁରସ୍କାର ପ୍ରଦାନ କରି ପ୍ରମୋଦଙ୍କୁ ସମ୍ମାନିତ କରିଛି KIIT । କେବଳ ସେତିକି ନୁହେଁ, ପ୍ରମୋଦ ଯେଉଁଠାରେ ଅଭ୍ୟାସ କରୁଥିଲେ, ୧୨ ନମ୍ବର କ୍ୟାମ୍ପସ୍‌ର ଇଣ୍ଡୋର ଷ୍ଟାଡିୟମକୁ ତାଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଛି ଇନଷ୍ଟିଚ୍ୟୁଟ୍‌ ।

ସେହିପରି KIIT ସ୍କୁଲ ଅଫ୍‌ ଲ ତଥା ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ ୨୦୨୧ରେ ଦୁଇଟି ଇଭେଣ୍ଟରେ ଅଂଶଗ୍ରହଣ କରି ରାଜ୍ୟ ଓ ଦେଶର ସମ୍ମାନ ବୃଦ୍ଧି କରିଥିବା ଦୂତୀ ଚାନ୍ଦଙ୍କ ନାମରେ KIITର ସିନ୍ଥେଟିକ୍‌ ଆଥଲେଟିକ୍‌ ଷ୍ଟାଡିୟମକୁ ନାମିତ କରିବାକୁ ଯୋଜନା କରିଛି । ଅଲମ୍ପିଆନଙ୍କ ନାମରେ ଦୁଇଟି ଷ୍ଟାଡିୟମ ନାମିତ କରିବାରେ KIIT ଦେଶର ପ୍ରଥମ ବିଶ୍ବବିଦ୍ୟାଳୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.