ETV Bharat / sports

ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର, ଜାନୁଆରୀ ୯ରୁ ଆରମ୍ଭ ହେବ 'କଳିଙ୍ଗ ସୁପର କପ୍‌'

author img

By ETV Bharat Odisha Team

Published : Nov 29, 2023, 11:08 PM IST

Kalinga Super Cup: ଓଡ଼ିଶାକୁ ଆସୁଛି ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ । ଫୁଟବଲ୍‌ ସୁପର କପ୍‌ର ନାମ ପରିବର୍ତ୍ତନ ହୋଇ ଚଳିତ ବର୍ଷ 'କଳିଙ୍ଗ ସୁପର କପ୍‌' କରାଯାଇଛି । ଆସନ୍ତା ଜାନୁଆରୀ ୯, ୨୦୨୪ରୁ ଓଡ଼ିଶାରେ ୨ଟି ଭେନ୍ୟୁରେ ଖେଳାଯିବ ଏହି ହାଇପ୍ରୋଫାଇଲ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ । ଅଧିକ ପଢ଼ନ୍ତୁ

ଜାନୁଆରୀ ୯ରୁ ଆରମ୍ଭ ହେବ 'କଳିଙ୍ଗ ସୁପର କପ୍‌'
ଜାନୁଆରୀ ୯ରୁ ଆରମ୍ଭ ହେବ 'କଳିଙ୍ଗ ସୁପର କପ୍‌'

ନୂଆଦିଲ୍ଲୀ: ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟକୁ ଆସୁଛି ଆଉ ଏକ ବଡ଼ ଟୁର୍ଣ୍ଣାମେଣ୍ଟ । ଜାନୁଆରୀ ୯ ତାରିଖରୁ ଆରମ୍ଭ ହେବ କଳିଙ୍ଗ ସୁପର କପ୍‌ । ସର୍ବଭାରତୀୟ ଫୁଟବଲ ମହାସଂଘ (AIFF) ପକ୍ଷରୁ ସୁପର କପ୍‌ର ନାମ ପରିବର୍ତ୍ତନ କରାଯାଇ ଏହାର ନାମ କଳିଙ୍ଗ ସୁପର କପ୍‌ ରଖାଯାଇଛି । ଓଡ଼ିଶାରେ ଖେଳାଯିବାକୁ ଥିବା ଏହାର ନାମ 'କଳିଙ୍ଗ ସୁପର କପ୍‌' ରଖିବାକୁ ନିଷ୍ପତ୍ତି ହୋଇଥିବା ସର୍ବଭାରତୀୟ ଫୁଟବଲ ମହାସଂଘ ଅଧ୍ୟକ୍ଷ କଲ୍ୟାଣ ଚୌବେ ସୂଚନା ଦେଇଛନ୍ତି ।

ଉଭୟ ଆଇଏସ୍‌ଏଲ୍‌ ଓ ଆଇ ଲିଗ୍‌ର ଦଳ ଏହି କଳିଙ୍ଗ ସୁପର କପ୍‌ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ । ଏହି ହାଇପ୍ରୋଫାଇଲ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍‌ ଜାନୁଆରୀ ୨୮, ୨୦୨୪ରେ ଅନୁଷ୍ଠିତ ହେବ । ଏନେଇ ସର୍ବଭାରତୀୟ ଫୁଟବଲ ମହାସଂଘ (AIFF) ପକ୍ଷରୁ ବୁଧବାର ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ଯେ, ୧୬ଟି ଦଳ ୪ଟି ଗ୍ରୁପ୍‌ରେ ରହିବେ । ପ୍ରତି ଗ୍ରୁପ୍‌ରେ ୩ଟି ଲେଖାଏଁ ଆଇଏସଏଲ୍‌ ଦଳ ଓ ଗୋଟିଏ ଲେଖାଏଁ ଆଇ ଲିଗ୍‌ ଦଳକୁ ନେଇ ଗ୍ରୁପ ପର୍ଯ୍ୟାୟ ଖେଳାଯିବ । ସେହିପରି ୪ ଗ୍ରୁପ୍‌ର ପ୍ରଥମ ସ୍ଥାନରେ ରହିଥିବା ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ । ଶେଷରେ ଦୁଇ ସେମିଫାଇନାଲ୍‌ ବିଜେତା ନଭେମ୍ବର ୨୮ ତାରିଖରେ ଟାଇଟଲ୍‌ ପାଇଁ ମୁହାଁମୁହିଁ ହେବେ ।

ଆଇଏସ୍‌ଏଲ୍‌ର ଦଳ ଗୁଡିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳି କଳିଙ୍ଗ ସୁପର କପ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବେ । ୪ଟି ଆଇ ଲିଗ୍‌ ଦଳ ଖେଳିବାକୁ ଯୋଗ୍ୟତା ହାସଲ କରିବେ । ଅନ୍ୟ ପକ୍ଷରେ ପ୍ରତି ଗ୍ରୁପ୍‌ରେ ୩ଟି ଲେଖାଏଁ ଆଇଏସଏଲ୍‌ ଦଳ ସ୍ଥାନ ପାଇବେ । ଏହି ଟୁର୍ଣ୍ଣାମେଣ୍ଟର ଚମ୍ପିଆନ୍‌ ଦଳ ଏଏଫ୍‌ସି କପ୍‌ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିବ । ଏହା ସହିତ ଏସିଆନ୍‌ ଚମ୍ପିଆନ୍ସ ଲିଗ୍‌ର ଦ୍ବିତୀୟ ଚରଣରେ ମଧ୍ୟ ଏହି ଦଳ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିବ । ପ୍ରତିବର୍ଷ ସର୍ବଭାରତୀୟ ଫୁଟବଲ ମହାସଂଘ (AIFF) ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ସୁପର କପ୍‌କୁ ଚଳିତ ବର୍ଷ କଳିଙ୍ଗ ସୁପର କପ୍‌ ଭାବରେ ନାମିତ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଏଆଇଏଫଏଫ୍‌ ସଭାପତି କଲ୍ୟାଣ ଚୌବେ କହିଛନ୍ତି । ଏହା ସହିତ ପୂର୍ବାପେକ୍ଷା ଏହି ଟୁର୍ଣ୍ଣାମେଣ୍ଟର କାୟାକଳ୍ପକୁ ମଧ୍ୟ ବୃଦ୍ଧି କରାଯିବା ନେଇ ସେ ସୂଚନା ଦେଇଛନ୍ତି । କଳିଙ୍ଗ ସୁପର କପ୍‌ ଆଗାମୀ ଦିନରେ ଦର୍ଶକୀୟ ଆଦୃତି ଲାଭ କରିବା ସହ ସଫଳ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.