ETV Bharat / sports

SAFF Championship 2023: କୁଏତକୁ ହରାଇ ନବମ ଟାଇଟଲ ହାତେଇଲା ଭାରତ

author img

By

Published : Jul 5, 2023, 8:01 AM IST

ସାଫ୍‌ ଚମ୍ପିଆନ ହୋଇଛି ଭାରତ । କୁଏତକୁ 5-4 ପେନାଲ୍ଟି ସୁଟଆଉଟରେ ହରାଇ ନବମ ଥର ପାଇଁ ସାଫ୍ ଚମ୍ପିଆନ ହୋଇଛି ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଫୁଟବଲ ଦଳ । ଅଧିକ ପଢନ୍ତୁ

SAFF Championship 2023
India beat Kuwait in SAFF Championship final

ବେଙ୍ଗୁଲୁରୁ: ଇଣ୍ଟରକଣ୍ଟିନେଣ୍ଟାଲ କପ ଚମ୍ପିଆନ ପରେ ସାଫ ଚମ୍ପିଆନ ଟ୍ରଫି ହାତେଇଛି ଭାରତ । ଗୋଲକିପର ଗୁରପ୍ରୀତ ସିଂହଙ୍କ ଜବରଦସ୍ତ ଗୋଲ କିପିଂ ବଳରେ ଭାରତ ନବମ ଥର ପାଇଁ ସାଫ୍ ଚମ୍ପିଆନସିପ ଟାଇଟଲ ହାସଲ କରିଛି । ପେନାଲ୍ଟି ସୁଟଆଉଟରେ କୁଏତକୁ 5-4 ଗୋଲରେ ପରାସ୍ତ କରି ସାଫ୍ ଚମ୍ପିଆନସିପ 2023 ସଂସ୍କରଣର ବିଜେତା ହୋଇଛି ।

ଭାରତ ବନାମ କୁଏତ ଫାଇନାଲ ଫାଇଟ: ସାଫ୍ ଚମ୍ପିଆନସିପ 2023 ଫାଇନାଲ ମୁକାବିଲା ସଂଘର୍ଷପୂର୍ଣ୍ଣ ଥିଲା । ନିର୍ଦ୍ଧାରିତ ସମୟ ଖେଳ 1-1ରେ ରହିଥିଲା । ଅତିରିକ୍ତ ସମୟ ମଧ୍ୟ ଅମୀମାଂସିତ ରହିବାରୁ ଶେଷରେ ପେନାଲ୍ଟି ସୁଟଆଉଟରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା । ପ୍ରଥମ ସୁଟ୍‌ ଆଉଟ୍‌ 4-4 ହେବା ପରେ ସଡନଡେଥରେ ଭାରତ 5-4ରେ ବିଜୟୀ ହୋଇଥିଲା । ମହେଶ ନାଓରେମ ଓ ଗୋଲକିପର ଗୁରପ୍ରୀତ ସିଂହ ସାନ୍ଧୁ ଦଳର ବିଜୟରେ ମୁଖ୍ୟ ଭୂମିକା ତୁଲାଇଥିଲେ ।

ଏହା ବି ପଢନ୍ତୁ...ଜାତୀୟ ସବ୍‌ଜୁନିୟର ବ୍ୟାଡମିଣ୍ଟନରେ ଓଡ଼ିଆ ଝିଅ ବିଶାଖା ଟପ୍ପୋଙ୍କୁ ସ୍ବର୍ଣ୍ଣ, ଅଲିମ୍ପିକ୍ସ ଖେଳିବାକୁ ସ୍ୱପ୍ନ

ମ୍ୟାଚର ଦ୍ବିତୀୟ ମିନିଟରେ ଭାରତର ଲାଲିଆନଜୁଆଲା ଗୋଲ ସ୍କୋର କରିବାକୁ ସୁଯୋଗ ସୃଷ୍ଟି କରିଥିଲେ ମାତ୍ର ବିଫଳ ହୋଇଥିଲେ । 14 ମିନିଟରେ କୁଏତର ସାବାଇବ ଅଲ ଖାଲଦି ପ୍ରଥମ ଗୋଲ କରି ଖାତା ଖୋଲିଥିଲେ । ଭାରତ ଗୋଲ ପରିଶୋଧ କରିବାକୁ ଲଗାତାର ପ୍ରୟାସ କରିଥିଲା । ମ୍ୟାଚରେ 38 ମିନିଟରେ ଘରୋଇ ଦଳ ଗୋଲ ସ୍କୋର କରି ସ୍ଥିତି 1-1 କରିଥିଲା । ସହାଲ ସମାଦଙ୍କର ଏକ ପାସ୍‌କୁ ୱିଙ୍ଗର ଚଙ୍ଗତେ ଗୋଲରେ ପରିଣତ କରିଥିଲେ । ନିର୍ଦ୍ଧାରିତ ସମୟ ଖେଳ 1-1ରେ ରହିଥିଲା । ପେନାଲ୍ଟି ସୁଟଆଉଟରେ ଫଳାଫଳ ନିର୍ଣ୍ଣୟ ହୋଇଥିଲା । ଅଧିନାୟକ ସୁନୀଲ ଛେତ୍ରୀ ପ୍ରଥମ ପେନାଲ୍ଟିରେ ସଫଳ ହୋଇଥିଲେ । ଭାରତ ଆଗୁଆ ଥିଲା । ସନ୍ଦେଶ ଦ୍ବିତୀୟ ପେନାଲ୍ଟିରେ ସଫଳ ହେବା ପରେ ଭାରତ 2-0ରେ ଆଗୁଆ ରହିଥିଲା । ଏହାପରେ କୁଏତର ଓତାଇବି ସଫଳ ହୋଇଥିଲେ ସ୍ଥିତି 2-1ରେ ରହିଥିଲା । ପରେ କୁଏତ ଆଉ ଏକ ଗୋଲ କରିଥିଲା । ଚତୁର୍ଥ ପେନାଲ୍ଟିରେ ଉଦାନ୍ତ ସିଂ ମିସ୍‌ କରିବା ପରେ ଅବଦୁଲ୍ଲାଜିଜି ମୁରଦ ସଫଳ ହୋଇଥିଲେ । ସ୍ଥିତି 3-3 ହୋଇଥିଲା ।

ଏହା ବି ପଢନ୍ତୁ...Ashes Series: ଘନେଇଲା ଆସେସ୍‌ ବିବାଦ, ସୁନକ... ତୁମର କ୍ରିଜରେ ରୁହ କହିଲେ ଅଷ୍ଟ୍ରେଲିଆ ପିଏମ୍

ଶେଷ ରାଉଣ୍ଡରେ ଉଭୟ ଦଳ ସଫଳ ହେବା ଫଳରେ ସ୍ଥିତି 4-4ରେ ରହିଥିଲା । ଏହାପରେ ସଡନଡେଥ ଆରମ୍ଭ ହୋଇଥିଲା । ମେହଶ ନାଓରେମ ସଫଳ ହେବା ପରେ ଶେଷ ରାଉଣ୍ଡରେ ଭାରତ 5-4ରେ ଆଗୁଆ ରହି ଚମ୍ପିଆନ ହୋଇଥିଲା । କୁଏତର ଖାଲିଦ ଇବ୍ରାହିମଙ୍କୁ ଅଟକାଇଥିଲେ ଗୋଲକିପର ଗୁରପ୍ରୀତ ଫଳରେ ଭାରତ 5-4ରେ ବାଜି ମାରି ନେଇଥିଲା । ଚଳିତ ବର୍ଷ ଘରୋଇ ମାଟିରେ ଭାରତ ଲଗାତାର ତିନୋଟି ଟାଇଟଲ ଜିତିଛି ଯଥା ତ୍ରିରାଷ୍ଟ୍ରୀୟ କପ, ଇଣ୍ଟରକଣ୍ଟିନାଲ କପ ଏବଂ ସାଫ୍ ଚମ୍ପିଅନସିପ । ଏହା ପୂର୍ବରୁ ଭାରତ 1993, 1997, 1999, 2005, 2009, 2011, 2015, 2021ରେ ସାଫ୍ ଚମ୍ପିଆନ ହୋଇଥିଲା ।

ଜୁନ 21 ତାରିଖରୁ ବେଙ୍ଗାଲୁରୁର ଶ୍ରୀକାନ୍ତୀରବି ଷ୍ଟାଡିୟମରେ ଆରମ୍ଭ ହୋଇଥିବା ସାଉଥ ଏସିଆନ ଫୁଟବଲ ଫେଡେରେସନ ଚମ୍ପିଆନସପିରେ ଭାରତ ତାର ପ୍ରଥମ ମ୍ୟାଚରେ ପାକିସ୍ତାନକୁ 4-0 ଗୋଲରେ ପରାସ୍ତ କରିଥିଲା । ଦ୍ବିତୀୟ ମ୍ୟାଚରେ ନେପାଳକୁ 2-0 ଗୋଲରେ ହରାଇଥିଲା । ତୃତୀୟ ମ୍ୟାଚ କୁଏତ ବିପକ୍ଷରେ ଖେଳିଥିଲା ତାହା 1-1ରେ ଡ୍ର' ହୋଇଥିଲା । ସେମିଫାଇନାଲରେ ଲେବାନନକୁ 4-2 ପେନାଲ୍ଟି ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ସୁନୀଲ ଛେତ୍ରୀଙ୍କ ନେତୃତ୍ବାଧୀନ ଭାରତୀୟ ଫୁଟବଲ ଦଳ । ଫାଇନାଲ ମ୍ୟାଚରେ କୁଏତକୁ ହରାଇ ନବମ ଥର ଟାଇଟଲ ନାମରେ କରିଛି ଭାରତ । ନିକଟ ଅତୀତରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟବଲ ଚମ୍ପିଆନସପିରେ ଭାରତ ଲେବାନନକୁ ହରାଇ ଚମ୍ପିଆନ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.