ETV Bharat / sports

ISSF World Cup: ହୃଦୟ ଓ ନାନ୍‌ସିଙ୍କୁ ପ୍ରଥମ ବିଶ୍ବକପ୍‌ ପଦକ, ୨୯ ବର୍ଷର ରେକର୍ଡ ଭାଙ୍ଗିଲେ ରିଦିମ

author img

By

Published : May 14, 2023, 11:01 PM IST

ଆଜେରବାଇଜାନ୍‌ର ବକୁରେ ଜାରି ରହିଥିବା ISSF ବିଶ୍ବ ସୁଟିଂ ପ୍ରତିଯୋଗିତାରେ ହୃଦୟ ହଜାରିକା ଏବଂ ହରିୟାଣାର ନାନ୍‌ସି ନିଜ ନିଜର ପ୍ରଥମ ବିଶ୍ବକପ ପଦକ ଜିତିଛନ୍ତି । ସେପଟେ ୨୫ ମିଟର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ୫୯୫ ପଏଣ୍ଟ ସହ ୨୯ ବର୍ଷର ରେକର୍ଡ ଭାଙ୍ଗିଲେ ରିଦିମ ସାଙ୍ଗୱାନ । ଅଧିକ ପଢ଼ନ୍ତୁ

ISSF World Cup
ISSF World Cup

ବକୁ (ଆଜେରବାଇଜାନ୍‌): ପୂର୍ବତନ କନିଷ୍ଠ ବିଶ୍ବକପ ବିଜେତା ହୃଦୟ ହଜାରିକା ଏବଂ ହରିୟାଣାର ନାନ୍‌ସି ବରିଷ୍ଠ ସୁଟିଂ ବିଶ୍ବକପରେ ନିଜ ନିଜର ପ୍ରଥମ ବିଶ୍ବକପ ପଦକ ଜିତିଛନ୍ତି । ବକୁରେ ଚାଲିଥିବା ISSF ବିଶ୍ବ ସୁଟିଂ ପ୍ରତିଯୋଗିତାରେ ଶୁକ୍ରବାର ୧୦ ମିଟର ଏୟାର ରାଇଫଲ୍‌ ପୁରୁଷ ବର୍ଗରେ ହୃଦୟ ରୌପ୍ୟ ପଦକ ଜିତିଥିବା ବେଳେ ଏବଂ ମହିଳା ବର୍ଗରେ ନାନ୍‌ସି ରୌପ୍ୟ ପଦକ ଜିତିଥିଲେ । ଫାଇନାଲ୍‌ରେ ହୃଦୟ ୨୫୧.୯- ୨୫୨.୪ରେ ହଙ୍ଗେରିର ଜଲାନ ପେକେଲରଙ୍କଠାରୁ ଏବଂ ନାନ୍‌ସି ୨୫୩.୩- ୨୫୪.୦ରେ ଚୀନର ହାଙ୍ଗ ଜିୟାୟୁଙ୍କଠାରୁ ପରାସ୍ତ ହୋଇଥିଲେ ।

୨୯ ବର୍ଷର ରେକର୍ଡ ଭାଙ୍ଗିଲେ ରିଦିମ: ଭାରତୀୟ ସୁଟର ରିଦିମ ସାଙ୍ଗୱାନ ଶନିବାର ଚଳିତ ISSF ବିଶ୍ବକପରେ ୨୯ ବର୍ଷର ରେକର୍ଡ ଭାଙ୍ଗିଛନ୍ତି । ସେ ‌୨୫ ମିଟର ପିସ୍ତଲ ଯୋଗ୍ୟତା ପର୍ଯ୍ୟାୟରେ ୫୯୫ ପଏଣ୍ଟ ସହ ସେ ଏହି ରେକର୍ଡ ଭାଙ୍ଗିଛନ୍ତି । ପୂର୍ବରୁ ୧୯୯୪ ମସିହାରେ ବୁଲଗେରିଆର ଡାଏନା ଲୋରଗୋଭା ମିଲାନଙ୍କ ନା‌ମରେ ଥିବା କୀର୍ତ୍ତିମାନକୁ ଭାଙ୍ଗିଛନ୍ତି ରିଦିମ ସାଙ୍ଗୱାନ । ଏଥିସହ ସେ ଟେବୁଲର ଶୀର୍ଷରେ ରହି ଫାଇନାଲ୍‌ରେ ପହଞ୍ଚିଥିଲେ । ତେବେ ୮ ଜଣିଆ ଫାଇନାଲରେ ପ୍ରଥମ ସୁଟର ଭ‌ାବେ ସେ ବିଦାୟ ନେଇ ପଦକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ । ପୂର୍ବରୁ ମଧ୍ୟ ରିଦିମ କନିଷ୍ଠ ବିଶ୍ବକପରେ ୩୪ ବର୍ଷର କୀର୍ତ୍ତିମାନ ଭାଙ୍ଗିଥିଲେ । ପୂର୍ବରୁ ଜାଗ୍ରେବ ୟୁରୋପୀୟ ଚମ୍ପିଆନ୍‌ସିପ୍‌ରେ ୫୯୩ ପଏଣ୍ଟ ସହ ଋଷିଆର ନିନୋ ସାଲୁକଭାଜେଙ୍କ ନାମରେ ଏହି କୀର୍ତ୍ତିମାନ ରହିଥିଲା ।

ଏହା ମଧ୍ୟ ପଢ଼ନ୍ତୁ... Mothers Day 2023: ମାତୃତ୍ବ ଦିବସରେ ଏମିତି ବାର୍ତ୍ତା ଦେଲେ କ୍ରିକେଟର

ତେବେ ରିଦିମ ପଦକ ନପାଇବାରୁ ଚଳିତ ପ୍ରତିଯୋଗିତାରେ ଆଜି(ଶନିବାର) ପ୍ରଥମ ଥର ପାଇଁ ଭାରତ ଗୋଟିଏ ଦିନ ପଦକ ଶୂନ୍ୟ ରହିଛି । ରିଦିମଙ୍କ ସାଥୀ ଈଶା ସିଂହ ୧୩ ତମ ସ୍ଥାନରେ ରହି ପଦକ ଦୌଡ଼ରୁ ବାଦ୍‌ ପଡ଼ିଥିବା ବେଳେ ମନୁ ଭାକର ୨୭ତମ ସ୍ଥାନରେ ରହି ପଦକ ଦୌଡ଼ରୁ ବାଦ୍‌ ପଡ଼ିଥିଲେ । ସେହିପରି ପୁରୁଷ ୫୦ ମିଟର ରାଇଫଲ ୩ ପୋଜିସନରେ ୩ ଭାରତୀୟ ଭାଗ ନେଇଥିଲେ । ତେବେ ସେମାନଙ୍କ ମଧ୍ୟରୁ କେହି ବି ଶୀର୍ଷ ୮ରେ ରହି ପାରିନଥିଲେ । ଐଶ୍ବର୍ଯ୍ୟ ପ୍ରତାପ ସିଂହ, ଅଖିଳ ‌ସିଓରାନ ଓ ସ୍ବପ୍ନିଲ କୁସାଲେ ଯଥାକ୍ରମେ ୧୦, ୧୩ ଓ ୨୨ତମ ସ୍ଥାନରେ ରହି ପଦକ ଦୌଡ଼ରୁ ବାଦ ପଡ଼ିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.