ETV Bharat / sports

ରୋହିତ-ହାର୍ଦ୍ଦିକ ପ୍ରସଙ୍ଗ: MI ସମର୍ଥନରେ ଲିଟିଲ ମାଷ୍ଟର, କହିଲେ ଦଳର ହିତ ପାଇଁ ଏଭଳି ନିଷ୍ପତ୍ତି

author img

By ETV Bharat Odisha Team

Published : Dec 18, 2023, 9:51 PM IST

Sunil Gavaskar: ମୁମ୍ବାଇ ଇଣ୍ଡିଆନ୍ସ ନିଷ୍ପତ୍ତିର ସମର୍ଥନରେ ବାହାରିଛନ୍ତି ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର । ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତି କରିବା ନିଷ୍ପତ୍ତି ଦଳର ହିତରେ ବୋଲି ସେ କହିଛନ୍ତି । ଅଧିକ ପଢ଼ନ୍ତୁ

MI ସମର୍ଥନରେ ଲିଟିଲ ମାଷ୍ଟର
MI ସମର୍ଥନରେ ଲିଟିଲ ମାଷ୍ଟର

ମୁମ୍ବାଇ: ଆଇପିଏଲ୍‌ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ଏକ ବଡ଼ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଶ୍ବର ସବୁଠାରୁ ବଡ଼ କ୍ରିକେଟ୍‌ ଲିଗ୍‌ କୁହାଯାଉଥିବା ଆଇପିଏଲ୍‌ର ଜଣେ ସଫଳତମ ଅଧିନାୟକ ଭାବେ ମୁମ୍ବାଇକୁ ଦ୍ବିତୀୟ ସଫଳତମ ଟିମ୍‌ ଭାବେ ଛିଡ଼ା କରାଇଥିବା ରୋହିତଙ୍କୁ ଅଧିନାୟକ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି ଫ୍ରାଞ୍ଚାଇଜ୍‌ । ଏହା ସେବେ ଠାରୁ ଚର୍ଚ୍ଚାର ବିଷୟ ହୋଇ ରହିଛି । ହାର୍ଦ୍ଦିକଙ୍କୁ ଗୁଜରାଟରୁ ଆଣିବା ଓ ରୋହିତଙ୍କ ଠାରୁ ନେତୃତ୍ବ ଛଡ଼ାଇ ହାର୍ଦ୍ଦିକଙ୍କୁ ଦେବା ପରେ ପ୍ରଶଂସକ ରାଗରେ ନିଆଁବାଣ ହୋଇଛନ୍ତି । ଅନେକ ଫ୍ରାଞ୍ଚାଇଜ୍‌କୁ ଏଥିପାଇଁ ସମାଲୋଚନା କରୁଛନ୍ତି । ହେଲେ ଏହାରି ଭିତରେ ମୁମ୍ବାଇ ଇଣ୍ଡିଆନ୍ସ ସପକ୍ଷରେ ବାହାରିଛନ୍ତି ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ।

ରୋହିତ ଶର୍ମାଙ୍କୁ ଅଧିନାୟକତ୍ବରୁ ମୁକ୍ତି କରି ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବା ପରେ ଅନେକ ବଡ଼ ବଡ଼ କ୍ରିକେଟର ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ପ୍ରଶଂସକମାନେ ମୁମ୍ବାଇ ଇଣ୍ଡିଆନ୍ସର ଜର୍ସି ଓ ଟୋପି ପୋଡ଼ ଫ୍ରାଞ୍ଚାଇଜ୍‌ର ଏଭଳି ନିଷ୍ପତ୍ତିକୁ ନିନ୍ଦା କରୁଛନ୍ତି । ହେଲେ ମୁମ୍ବାଇ ମ୍ୟାନେଜ୍‌ମେଣ୍ଟ ସପକ୍ଷରେ ପ୍ରତିକ୍ରିୟା ରଖିଛନ୍ତି ଭାରତର ପୂର୍ବତନ ଅଧିନାୟକ ତଥା ଭେଟେରାନ କ୍ରିକେଟର ସୁନୀଲ ଗାଭାସ୍କର । ସେ କହିଛନ୍ତି, "ଆମେ ଠିକ ଏବଂ ଭୁଲକୁ ଯିବା ଉଚିତ୍ ନୁହେଁ । ହେଲେ ଦଳର ହିତ ପାଇଁ ମ୍ୟାନେଜମେଣ୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ରୋହିତଙ୍କ ଅବଦାନ ଆଇପିଏଲ୍‌ରେ କିଛିମାତ୍ରାରେ କମିଯାଇଛି । ସେ କ୍ରମାଗତ କ୍ରିକେଟ୍‌ ଖେଳୁଥିବାରୁ ହୁଏତ କିଛି ମାତ୍ରାରେ ଥକିଯାଇଥିଲେ । ଉଭୟ ଭାରତୀୟ ଦଳ ଓ ଫ୍ରାଞ୍ଚାଇଜ୍‌ର ନେତୃତ୍ବ ନେଇ ସେ କିଛିମାତ୍ରାରେ ଥକିଯାଇଥାଇ ପାରନ୍ତି । ଅନ୍ୟପଟେ ଗୁଜରାଟ ଟାଇଟନ୍ସ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ଗତ ଦୁଇ ସିଜିନ୍ ଖେଳି ଦୁଇ ଥର ଯାକ ସେ ଦଳକୁ ଫାଇନାଲକୁ ନେଇଥିଲେ । ଏପରିକି ୨୦୨୨ରେ ପ୍ରଥମ ସିଜିନରେ ସେ ଦଳକୁ ଟାଇଟଲ୍‌ ମଧ୍ୟ ଜିତାଇଥିଲେ । ତେଣୁ ସେ ଏପରି ଜଣେ ଅଧିନାୟକ ଯିଏ ଆପଣଙ୍କୁ ମ୍ୟାଚ୍‌ ଜିତାଇ ପାରିବେ । ଏସବୁକୁ ଦୃଷ୍ଟିରେ ରଖି ମ୍ୟାନେଜ୍‌ମେଣ୍ଟ ଏଭଳି ନିଷ୍ପତ୍ତି ନେଇଥିବା ମୁଁ ଅନୁଭବ କରୁଛି ।"

ଏହା ମଧ୍ୟ ପଢ଼ନ୍ତୁ...କ୍ୟାପ୍ଟେନ୍‌ ସର୍ତ୍ତ ରଖି ଆସିଥିଲେ ପାଣ୍ଡ୍ୟା ! ଦିନକରେ ୫ଲକ୍ଷ ଫଲୋୟର୍ସ ହରାଇଲା MI

ପ୍ରକାଶଯୋଗ୍ୟ, ରୋହିତଙ୍କ ଅଧିନାୟକତ୍ବରେ ମୁମ୍ବାଇ ୫ ଥର ଆଇପିଏଲ୍‌ ଟାଇଟଲ୍‌ ଜିତିଥିଲା । ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ରେ ମୁମ୍ବାଇକୁ ଚମ୍ପିଆନ୍‌ କରାଇଥିଲେ ରୋହିତ ଶର୍ମା । ହେଲେ ଆଇପିଏଲ୍‌ ୨୦୨୪ ଅକ୍ସନକୁ ଯିବା ପୂର୍ବରୁ ହଠାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଯାହାକୁ ନେଇ ଖପ୍ପା ହୋଇଛନ୍ତି ପ୍ରଶଂସକ । ଏପରିକି ସୋସିଆଲ୍‌ ମିଡିଆରେ #ShameOnMI, #BoycuttMI, #UnfollowMI ଭଳି ଟ୍ରେଣ୍ଡ ଚାଲିଛି । କ୍ରମାଗତ ଭାବେ ସୋସିଆଲ୍‌ ମିଡିଆରୁ ଅନେକ ଫଲୋୟର୍ସ ମଧ୍ୟ ହରାଉଛି ମୁମ୍ବାଇ ଇଣ୍ଡିଆନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.