ETV Bharat / sports

ଗୋଟିଏ ଦିନରେ ଏକାଧିକ କ୍ରିକେଟରଙ୍କ ଜନ୍ମଦିନ, ସୋସିଆଲ୍‌ ମିଡିଆରେ ଛୁଟୁଛି ଶୁଭେଚ୍ଛା ସୁଅ

author img

By ETV Bharat Odisha Team

Published : Dec 6, 2023, 5:56 PM IST

ଆଜି ଗୋଟିଏ ଦିନରେ ଜନ୍ମଦିନ ପାଳୁଛନ୍ତି ଅନେକ ଷ୍ଟାର କ୍ରିକେଟର । ଜାଡେଜା ଓ ବୁମ୍‌ରାଙ୍କ ଠାରୁ ଆରମ୍ଭ କରି ଶ୍ରେୟସ ଆୟର ଓ ଆର୍‌ପି ସିଂହ । ସୋସିଆଲ୍‌ ମିଡିଆରେ ଛୁଟୁଛି ଶୁଭେଚ୍ଛାର ସୁଅ । ଅଧିକ ପଢ଼ନ୍ତୁ

୫ ଭାରତୀୟ ଷ୍ଟାର କ୍ରିକେଟରଙ୍କ ଜନ୍ମଦିନ
୫ ଭାରତୀୟ ଷ୍ଟାର କ୍ରିକେଟରଙ୍କ ଜନ୍ମଦିନ

ହାଇଦ୍ରାବାଦ: ଭାରତୀୟ କ୍ରିକେଟ୍‌ ଜଗତରେ ଆଜି ହେଉଛି ଏକ ବିଶେଷ ଦିନ । ଟିମ୍‌ ଇଣ୍ଡିଆ ପାଇଁ ଯେତିକି ଖାସ୍‌, ପ୍ରଶଂସକଙ୍କ ପାଇଁ ମଧ୍ୟ ସେତିକି ସ୍ବତନ୍ତ୍ର । କାରଣ ଆଜି ଗୋଟିଏ ଦିନରେ ଦିନ ଟିମ୍‌ ଇଣ୍ଡିଆର ୫ ଜଣ ଷ୍ଟାର କ୍ରିକେଟରଙ୍କ ଜନ୍ମଦିନ । ଏମାନେ ନିଜ ଉଚ୍ଚକୋଟୀର ପ୍ରଦର୍ଶନ ବଳରେ ଭାରତୀୟ କ୍ରିକେଟ୍‌କୁ ଏକ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚାଇଛନ୍ତି । ସେଥିପାଇଁ ବିସିସିଆଇ ସମେତ ସାଥି ଖେଳାଳି ଓ ପ୍ରଶଂସକମାନେ ମଧ୍ୟ ଏମାନଙ୍କୁ ନିଜ ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲ୍‌ରେ ଶୁଭେଚ୍ଛା ଜଣାଇଛନ୍ତି । ଜାଣନ୍ତୁ କିଏ ଏହି ୫ ଷ୍ଟାର କ୍ରିକେଟର ଓ ଭାରତୀୟ କ୍ରିକେଟ୍‌ ପାଇଁ କଣ ରହିଛି ଏମାନଙ୍କ ଅବଦାନ ।

ରବୀନ୍ଦ୍ର ଜାଡେଜା: ଆଜି ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ୩୫ତମ ଜନ୍ମଦିନ । ୬ ଡିସେମ୍ବର ୧୯୮୮ରେ ଗୁଜରାଟର ସୌରାଷ୍ଟ୍ରରେ ଜନ୍ମ ଗ୍ରହଣ କରିଥିଲେ ଜାଡେଜା । କ୍ରିକେଟ୍‌ରେ ବୋଲିଂରେ ହେଉ ବା ବ୍ୟାଟିଂରେ, ନିଜ ଷ୍ଟାଇଲ୍‌ରେ ମଧ୍ୟ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ଜାଡେଜା । କ୍ରିକେଟ୍‌ର ସମସ୍ତ ୩ଟି ଫର୍ମାଟରେ ଦେଶ ପାଇଁ ସେ ଚମତ୍କାର କରିଛନ୍ତି । ଜାତୀୟ ଦଳରେ ୬୭ ଟେଷ୍ଟ ମ୍ୟାଚ୍‌ ଖେଳି ସେ ୨୮୦୪ ରନ୍‌ ସଂଗ୍ରହ କରିଥିବାବେଳେ ବୋଲିଂରେ ୨୭୫ ୱିକେଟ୍‌ ଅକ୍ତିଆର କରିଛନ୍ତି । ୧୯୭ ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି ଜାଡୁ । ଏହି ଫର୍ମାଟ୍‌ରେ ସେ ବ୍ୟାଟ୍‌ରୁ ୨୭୫୬ ରନ ସଂଗ୍ରହ କରିଥିବାବେଳେ ୨୨୦ ୱିକେଟ୍‌ ଦଖଲ କରି ବୋଲିଂରେ ମଧ୍ୟ ଚମତ୍କାରିତା ଦେଖାଇଛନ୍ତି । ସେହିଭଳି ଟି୨୦ କ୍ରିକେଟ୍‌ରେ ଜାଡେଜା ୬୪ ମ୍ୟାଚ୍‌ରୁ ୪୫୭ ରନ ଓ ୫୧ ୱିକେଟ୍‌ ସଂଗ୍ରହ କରିଛନ୍ତି ।

  • 181 international matches 👌
    351 international wickets 👏
    One of the three Indian cricketers to pick a Test hat-trick (in Men's Cricket) 🙌

    Here's wishing @Jaspritbumrah93 - one of the finest modern-day pacers - a very Happy Birthday 👏🎂 pic.twitter.com/VW6gYlns1h

    — BCCI (@BCCI) December 6, 2023 " class="align-text-top noRightClick twitterSection" data=" ">

ଯଶପ୍ରୀତ ବୁମ୍‌ରା: ସଂପ୍ରତି ଭାରତୀୟ ଦଳର ପ୍ରମୁଖ ବୋଲର ଯଶପ୍ରୀତ ବୁମ୍‌ରା ଆଜି ତାଙ୍କର ୩୦ତମ ଜନ୍ମଦିନ ପାଳନ କରୁଛନ୍ତି । ୬ ଡିସେମ୍ବର ୧୯୯୩ରେ ଗୁଜରାଟର ଅହମ୍ମଦାବାଦରେ ଜନ୍ମ ଗ୍ରହଣ କରିଥିଲେ ବୁମ୍‌ରା । ନିଜ ଯାଦୁଗରୀ ବୋଲିଂ ଦ୍ବାରା ସେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟର ଦେଖିଲେ ସେ ୩୦ ଟେଷ୍ଟ ମ୍ୟାଚ୍‌ ଖେଳି ୧୨୮ ୱିକେଟ୍‌ ଅକ୍ତିଆର କରିଛନ୍ତି । ସେହିଭଳି ୮୯ ଏକଦିବସୀୟ ମ୍ୟାଚ୍‌ରୁ ୧୪୯ ୱିକେଟ୍‌ ସଂଗ୍ରହ କରିଛନ୍ତି ବୁମ୍‌ରା । ଟି୨୦ କ୍ରିକେଟ୍‌ରେ ୬୨ ମ୍ୟାଚ୍‌ ଖେଳି ନିଜ ନାମରେ ୭୪ ୱିକେଟ୍‌ କରିପାରିଛନ୍ତି ଏହି ଷ୍ଟାର ପେସର ।

ଶ୍ରେୟସ୍‌ ଆୟର: ବର୍ତ୍ତମାନ ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ମିଡିଲ ଅର୍ଡର ବ୍ୟାଟର ହେଉଛନ୍ତି ଶ୍ରେୟସ୍‌ ଆୟର । ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ବକପ୍‌ରେ ମଧ୍ୟ ସେ ପ୍ରଭାବୀ ବ୍ୟାଟିଂ କରିଥିଲେ । ଖୁବ୍‌ କମ୍‌ ସମୟରେ କ୍ରିକେଟ୍ ଦୁନିଆରେ ଅନେକ ସୁନାମ ଅର୍ଜନ କରିଥିବା ଏହି ଷ୍ଟାର ବ୍ୟାଟର ଆଜି ୨୯ତମ ଜନ୍ମଦିନ ପାଳନ କରୁଛନ୍ତି । ଭାରତ ପାଇଁ ସମସ୍ତ ୩ଟି ଫର୍ମାଟ୍‌ରେ ସେ ଭଲ ପ୍ରଦର୍ଶନ କରିଛନ୍ତି । ଏପର୍ଯ୍ୟନ୍ତ ୧୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୬୬୬ ରନ କରିଥିବାବେଳେ ୫୮ଟି ଦିନିକିଆ ମ୍ୟାଚ୍‌ରୁ ୨୩୩୧ ରନ ସଂଗ୍ରହ କରିଛନ୍ତି ଆୟର । ସେହିଭଳି ୫୧ ଟି୨୦ ମ୍ୟାଚ୍‌ ଖେଳି ସେ କ୍ରିକେଟ୍‌ର ସବୁଠାରୁ ଛୋଟ ଫର୍ମାଟ୍‌ରେ ୧୧୦୪ ରନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରଥମ ଥର ପାଇଁ ୩ ଅଧିନାୟକ ନେଇ ଗସ୍ତ କରିବ ଟିମ୍‌ ଇଣ୍ଡିଆ, ଜାଣନ୍ତୁ ଦକ୍ଷିଣ ଆଫ୍ରିକା ଗସ୍ତର ସମ୍ପୂର୍ଣ୍ଣ ସୂଚୀ

କରୁଣ ନାୟର: ଭାରତ ପାଇଁ ଅଧିକ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିନଥିଲେ ମଧ୍ୟ କ୍ରିକେଟ୍‌ ଇତିହାସରେ ନିଜ ନାମକୁ ସୁବର୍ଣ୍ଣ ଅକ୍ଷରରେ ଲେଖିବାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି କରୁଣ ନାୟର । କର୍ଣ୍ଣାଟକରେ ଜନ୍ମିତ ଏହି କ୍ରିକେଟରଙ୍କର ଆଜି ହେଉଛି ୩୨ତମ ଜନ୍ମଦିନ । ବୀରେନ୍ଦ୍ର ସେହୱାଗ୍‌ଙ୍କ ପରେ ଏକମାତ୍ର ଭାରତୀୟ ବ୍ୟାଟର ଭାବେ ସେ ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ଟ୍ରିପଲ୍‌ ହଣ୍ଡ୍ରେଡ୍‌ (୩୦୦) ରନ ସ୍କୋର କରିବାର ରେକର୍ଡ କରିଥିଲେ । ୨୦୧୬ରେ ଚେନ୍ନାଇରେ ଖେଳାଯାଇଥିବା ଏକ ଟେଷ୍ଟ୍‌ ମ୍ୟାଚ୍‌ରେ ସେ ଇଂଲଣ୍ଡ ବିପକ୍ଷରେ ୩୦୩ ରନର ଅପରାଜିତ ପାଳି ଖେଳିଥିଲେ । କେବଳ ୬ ଟେଷ୍ଟ ମ୍ୟାଚ୍‌ରୁ ୩୭୪ ରନ ଓ ୨ଟି ଦିନିକିଆ ଖେଳି ୪୬ ରନ ହିଁ କରିପାରିଛନ୍ତି ନାୟର । ଭାରତ ପାଇଁ ଟି୨୦ରେ ଡେବ୍ୟୁ କରିବାର ସୁଯୋଗ ମିଳିନଥିଲେ ମଧ୍ୟ ଆଇପିଏଲ୍‌ରେ ସେ ସକ୍ରିୟ ଅଛନ୍ତି ।

ଆର୍‌ପି ସିଂହ: ଆଜି ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର ବୋଲର ରୁଦ୍ର ପ୍ରତାପ ସିଂହ (ଆର୍‌ପି ସିଂହ)ଙ୍କ ୩୮ତମ ଜନ୍ମଦିନ । ଉତ୍ତର ପ୍ରଦେଶର ଏହି କ୍ରିକେଟର ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବେଶ ବହୁତ ଭଲ ଖେଳିଛନ୍ତି । ଆର୍‌ପି ସିଂହ ଭାରତ ପାଇଁ ୧୪ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୪୦ ୱିକେଟ୍‌ ଅକ୍ତିଆର କରିଥିଲେ । ସେହିଭଳି ୫୮ଟି ଦିନିକିଆ ମ୍ୟାଚ୍‌ରୁ ସେ ୬୮ ୱିକେଟ୍‌ ହାସଲ କରିଛନ୍ତି । କ୍ରିକେଟ୍‌ର ସବୁଠାରୁ ଛୋଟ ଫର୍ମାଟ ଟି୨୦ରେ ସେ ୧୦ଟି ମ୍ୟାଚ୍‌ ଖେଳି ୧୫ ୱିକେଟ୍‌ ନେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...'ଚାଲି ପାରୁଥିବା ଯାଏଁ ଆଇପିଏଲ୍‌ ଖେଳିବି'; ଏବିଡି ଓ ବିରାଟଙ୍କୁ ପ୍ରଂଶସାରେ ପୋତିଲେ ମ୍ୟାକ୍ସୱେଲ୍‌

ଆଜିର ଦିନରେ ଅନେକ କ୍ରିକେଟର ଜନ୍ମଗ୍ରହଣ କରିଥିବାରୁ ଏହା କ୍ରିକେଟ୍‌ ଜଗତ ପାଇଁ ବେଶ ସ୍ବତନ୍ତ୍ର । ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଦଳର ଉଦୀୟମାନ ତାରକା ସୂୟଶ ପ୍ରଭୁଦେଶାଇଙ୍କର ମଧ୍ୟ ଆଜି ଜନ୍ମଦିନ । ଏହି ଯୁବ କ୍ରିକେଟର ଏବେ ଆଇପିଏଲ୍‌ରେ ଆର୍‌ସିବି ଦଳର ସଦସ୍ୟ ରହିଛନ୍ତି । ସେହିଭଳି ପୂର୍ବତନ କ୍ରିକେଟର ବିକେ ସଦାଶିବ (୭୬) ଓ ଦେବରାଜ ପାଟିଲ (୩୬)ଙ୍କ ସମେତ ସୂର୍ଯ୍ୟପ୍ରକାଶ ସୁୱାଲକା (୩୦) ମଧ୍ୟ ଆଜିର ଦିନରେ ନିଜର ଜନ୍ମଦିନ ପାଳନ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.