ETV Bharat / sports

ପିଚକୁ ନେଇ ଅଷ୍ଟ୍ରେଲିଆର ବିଭ୍ରାନ୍ତିକର ଅଭିଯୋଗ, ଜବାବ ରଖିଲେ ହିଟ୍ ମ୍ୟାନ

author img

By

Published : Feb 8, 2023, 10:17 PM IST

ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ପିଚକୁ ନେଇ ଭାରତ ବିରୋଧରେ ବିଭ୍ରାନ୍ତିକର ଅଭିଯୋଗ ଆଣିଥିଲା ଅଷ୍ଟ୍ରେଲିଆ । ହିଟ୍ ମ୍ୟାନ କଡା ଭାଷାରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଅତିଥି ଦଳ ଅଷ୍ଟ୍ରେଲିଆକୁ ଯେଉଁ ପିଚ୍ ମିଳିବ ସେଥିରେ ତାଙ୍କୁ ଖେଳିବାକୁ ପଡିବ । ଅଧିକ ପଢନ୍ତୁ

ରୋହିତ ଶର୍ମା
ରୋହିତ ଶର୍ମା

ହାଇଦ୍ରାବାଦ : ଅଷ୍ଟ୍ରେଲିଆକୁ କଡା ଭାଷାରେ ଜବାବ ଦେଲେ ଅଧିନାୟକ ରୋହିତ ଶର୍ମା । ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ପିଚକୁ ନେଇ ଭାରତ ବିରୋଧରେ ବିଭ୍ରାନ୍ତିକର ଅଭିଯୋଗ ଆଣିଥିଲା ଅଷ୍ଟ୍ରେଲିଆ । ହିଟ୍ ମ୍ୟାନ କଡା ଭାଷାରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଅତିଥି ଦଳ ଅଷ୍ଟ୍ରେଲିଆକୁ ଯେଉଁ ପିଚ୍ ମିଳିବ ସେଥିରେ ତାଙ୍କୁ ଖେଳିବାକୁ ପଡିବ । ଠିକ୍ ଯେମିତି ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଗଲେ ଯେଉଁ ପିଚ୍ ମିଳିଥାଏ ଖେଳିବାକୁ ପଡେ । ରାତି ପାହିଲେ ଖେଳାଯିବ ଐତିହାସିକ ବର୍ଡର ଗାଭାସ୍କର ଟ୍ରଫି । ନାଗପୁର ବିଦର୍ଭ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ବନାମ ଅଷ୍ଟ୍ରେଲିଆ । ଏହା ପୂର୍ବରୁ ପିଚକୁ ନେଇ ଆରମ୍ଭ ହୋଇଛି ବିବାଦ । ପିଚକୁ ନେଇ ଅଷ୍ଟ୍ରେଲିଆ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଭାରତ ପିଚରେ କିଛି ଜାଲିଆତି କରିଛି । ଏହାକୁ ନେଇ କଙ୍ଗାରୁ ଦଳ ନିଜର ବୟାନ ରଖିଥିଲା ଭାରତୀୟ ସ୍ପିନରଙ୍କୁ ଧ୍ୟାନରେ ରଖାଯାଇ ପିଚ୍ ନିର୍ମାଣ କରାଯାଇଛି । ଭ୍ରମଣକାରୀ ଦଳ ଅଷ୍ଟ୍ରେଲିଆ ଟିମ ନାଗପୁରର ବିଦର୍ଭ କ୍ରିକେଟ ସଂଘକୁ ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ସ୍ପିନ ଅନୁକୂଳ ପିଚ୍ ତଥା ରବିଚନ୍ଦ୍ରନ ଅଶ୍ବୀନଙ୍କ ବୋଲିଂକୁ ସୁହାଇଲା ଭଳି ପିଚ୍ ହୋଇଥିବା କହିଛି । ଅତିଥି ଦଳର ଏଭଳି ଭିତ୍ତିହୀନ ଅଭିଯୋଗ ପରେ, ଏହାର ପାଲଟା ଜବାବ ରଖିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା ।

ରୋହିତ ଶର୍ମା ପ୍ରି ଗେମ ପ୍ରେସ କନଫରେନ୍ସରେ କହିଛନ୍ତି, "ମୋତେ ଲାଗୁଛି କି ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ଉପରେ ଅଧିକ ଧ୍ୟାନ ଦେବା ଦରକାର । ପିଚ ବାବଦରେ ଅଧିକ ମୁଣ୍ଡ ଖେଳାଇବା ହିଁ ବୃଥା । ଗତ ସିରିଜ ଆମେ ଏଠାରେ ଖେଳିଥିଲୁ । ସେଥିରେ ମଧ୍ୟ ପିଚ ବାବଦରେ ବହୁତ କିଛି କୁହାଯାଇଥିଲା । ଖେଳିବାକୁ ଥିବା ୨୨ କ୍ରିକେଟର ସମସ୍ତେ ଉଚ୍ଚକୋଟୀର । ତେଣୁ ପିଚ ବାବଦରେ କୌଣସି ଚିନ୍ତା କରିବା ଆବଶ୍ୟକ ନାହିଁ ।" ସେପଟେ ସିରିଜ ବାବଦରେ ଅଧିନାୟକ ରୋହିତ ଶର୍ମା କହିଛନ୍ତି, "ଏହି ସିରିଜ ଭାରତ ପାଇଁ ବେଶ୍ ଆହ୍ବାନପୂର୍ଣ୍ଣ ରହିବ । ଯଦି ଆପଣ ଇଂଲଣ୍ଡ ବିପକ୍ଷରେ ଆମର ଗତ ସିରିଜ ଉପରେ ନଜର ପକାଇବେ ତାହେଲେ କୁହାଯାଇପାରିବ ଯେ ଆମେ ସେଥିରେ ଭଲ ପ୍ରଦର୍ଶନ କରିଥିଲୁ । ଆମେ ସ୍ବୀକାର କରୁଛୁ ଯେ ଅଷ୍ଟ୍ରେଲିଆ ମଧ୍ୟ ଏକ ଶକ୍ତିଶାଳୀ ଦଳ । ତାଙ୍କ ପାଖରେ ଭଲ ସ୍ପିନର ଅଛନ୍ତି ଯାହା ଆମ ପାଇଁ ମୁଣ୍ଡ ବ୍ୟଥାର କାରଣ । ତେବେ ଆମକୁ ମଧ୍ୟ ଜଣା ଅଛି ଅଷ୍ଟ୍ରେଲିଆ ବିପକ୍ଷରେ କିଭଳି ରଣନୀତି ହେବା ଦରକାର ।"

ଭାରତ ଘରୋଇ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ପ୍ରଥମ ମୁକାବିଲା ଫେବୃଆରୀ ୯ ତାରିଖରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ । ଆସନ୍ତାକାଲି (ଗୁରୁବାର) ନାଗପୁରର ବିଦର୍ଭ କ୍ରିକେଟ ଷ୍ଟାଡିୟମରେ ଟିମ ଇଣ୍ଡିଆକୁ ଭେଟିବ ଅଷ୍ଟ୍ରେଲିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.