ETV Bharat / sports

IPL 2023 RR vs RCB: ରାଜସ୍ଥାନର ବ୍ୟାଟିଂ ବିପର୍ଯ୍ୟୟ, ୧୧୨ ରନରେ ଜିତିଲା ବାଙ୍ଗାଲୋର

author img

By

Published : May 14, 2023, 7:20 PM IST

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଶୋଚନୀୟ ପରାଜୟ ବରଣ କରିଛି ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରି ୧୭୧ ରନ କରିଥିଲା ଆରସିବି । ତେବେ ବ୍ୟାଟିଂ ବିପର୍ଯ୍ୟୟ ସହ କେବଳ ୫୯ ରନରେ ସମସ୍ତ ୱିକେଟ ହରାଇଛି ରାଜସ୍ଥାନ । ଫଳରେ ଚଳିତ ଆଇପିଏଲ ୨୦୨୩ରେ ରାଜସ୍ଥାନର ପ୍ଲେ ଅଫ୍‌ ପହଞ୍ଚିବା ଆଶା କ୍ଷୀଣ ହୋଇଛି । ଅଧିକ ପଢ଼ନ୍ତୁ

IPL 2023 RR vs RCB
IPL 2023 RR vs RCB

ଜୟପୁର: ଗତକାଲି ଦିଲ୍ଲୀ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିବା ପରେ ଆଜି ରାଜସ୍ଥାନର ମଧ୍ୟ ପ୍ଲେ ଅଫରେ ପହଞ୍ଚିବା ଆଶା କ୍ଷୀଣ ହୋଇଛି । ଘରୋଇ ଗ୍ରାଉଣ୍ଡରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଶୋଚନୀୟ ପରାଜୟ ବରଣ କରିଛି ରାଜସ୍ଥାନ ରୟାଲ୍ସ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୧ ରନ କରିଥିଲା ଆରସିବି । ତେବେ ବ୍ୟାଟିଂ ବିପର୍ଯ୍ୟୟ ସହ କେବଳ ୫୯ ରନରେ ସମସ୍ତ ୱିକେଟ ହରାଇଛି ରାଜସ୍ଥାନ । ସେପଟେ ମ୍ୟାଚରେ ୧୧୨ ରନରେ ଏକ ବଡ଼ ବିଜୟ ହାସଲ କରିଛି ବାଙ୍ଗାଲୋର ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆରସିବିକୁ ଯଦିଓ ଭଲ ଆରମ୍ଭ ମିଳିଥିଲା, ବିରାଟ କୋହଲିଙ୍କୁ କିନ୍ତୁ ରନ ସ୍କୋର କରିବା ପାଇଁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ସେ ୧୯ ବଲ୍‌ରୁ କେବଳ ୧୮ ରନ୍‌ ହିଁ କରିପାରିଥିଲେ । ଏହାପରେ ଅଧିନାୟକ ଫାଫ୍‌ ଡୁପ୍ଲେସିସ୍‌ ଓ ଗ୍ଲେନ୍‌ ମାକ୍ସୱେଲ୍‌ଙ୍କ ମଧ୍ୟରେ ଏକ ଦୃଢ଼ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଡୁପ୍ଲେସିସ ୪୪ ବଲ୍‌ରୁ ୩ ଚୌକା ଓ ୨ ଛକା ବଲ୍‌ରେ ୫୫ ରନ୍‌ କରି ଆଉଟ ହୋଇଥିବା ବେଳେ ୩୩ ବଲ୍‌ରୁ ୫ ଚୌକା ଓ ୩ ଛକା ସହିତ ୫୪ ରନ୍‌ର ଧୂଆଁଧାର ପାଳି ଖେଳିଥିଲେ ମାକ୍ସୱେଲ । ଏହାପରେ ଆରସିବିର କ୍ରମାଗତ ଭାବେ ୱିକେଟ ପତନ ଘଟିଥିଲା । ତେବେ ଶେଷରେ ୧୧ ବଲ୍‌ରୁ ୨୯ ରନ୍‌ର ଦମଦାର ପାଳି ଖେଳି ଦଳୀୟ ସ୍କୋରକୁ ୧୭୧ରେ ପହଞ୍ଚାଇଥିଲେ ଅନୁଜ୍‌ ରାୱତ ।

ସେପଟେ ରାଜସ୍ଥାନ ପକ୍ଷରୁ ଆଦାମ ଜାମ୍ପାଙ୍କ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେ ୪ ଓଭରରେ ମାତ୍ର ୨୫ ରନ ଖର୍ଚ୍ଚ କରି ୨ଟି ୱିକେଟ ନେଇଥିଲେ । ସେହିଭଳି କେଏମ ଆସିଫ୍‌ ମଧ୍ୟ ୨ଟି ୱିକେଟ ପାଇଥିଲେ । ତେବେ ସେ ୪ ଓଭରରୁ ସର୍ବାଧିକ ୪୨ ରନ ଖର୍ଚ୍ଚ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେବଳ ସନ୍ଦୀପ ଶର୍ମାଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହାପରେ ପ୍ଲେ ଅଫ ଦୌଡ଼ ସମ୍ଭାବନାକୁ ଉଦ୍‌ଜୀବୀତ ରଖିବା ପାଇଁ ରାଜସ୍ଥାନକୁ ୧୭୨ ରନର ଆବଶ୍ୟକତା ଥିଲା । କିନ୍ତୁ ପ୍ରଥମ ଓଭରରୁ ହିଁ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କ୍ରମାଗତ ଭାବେ ୱିକେଟ ହରାଇ ଚାଲିଥିଲା ଦଳ । କିଛି ସମୟ ପାଇଁ ଜୋ ରୁଟ ଓ ସିମ୍ରନ ହେଟମାୟର ପରିସ୍ଥିତିକୁ ସମ୍ଭାଳିଥିଲେ । ତେବେ ରୁଟ୍‌ ୧୦ ରନ କରି ଆଉଟ ହୋଇଯାଇଥିଲେ । ଗୋଟିଏ ପଟେ ଧୂଆଁଧାର ବ୍ୟାଟିଂ କରି ୧୯ ବଲରୁ ୩୫ ରନ କରି ହେଟମାୟର ଆଉଟ ହୋଇଥିବା ବେଳେ ଅନ୍ୟପଟେ କୌଣସି ବ୍ୟାଟର୍‌ ୨ ଅଙ୍କ ସ୍କୋର୍‌ କରିବାକୁ ସକ୍ଷମ ହୋଇନଥିଲେ । ଫଳରେ ଦଳ କେବଳ ୫୯ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା ।

ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଦମଦାର ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସମସ୍ତ ବୋଲର ଆଜି ରାଜସ୍ଥାନ ବ୍ୟାଟରଙ୍କ ଉପରେ ଚାପ ସୃଷ୍ଟି କରି ରଖିଥିଲେ । ୱେନ୍‌ ପାର୍ନେଲ ୩ ଓଭରରେ କେବଳ ୧୦ ରନ୍‌ ଖର୍ଚ୍ଚ କରିଥିବା ବେଳେ ସର୍ବାଧିକ ୩ ୱିକେଟ ସଫଳତା ପାଇଥିଲେ । ସେହିଭଳି ମିଚେଲ ବ୍ରାସୱେଲ ଓ କର୍ଣ୍ଣ ଶର୍ମାଙ୍କୁ ୨ଟି ଲେଖାଏଁ ସଫଳତା ମିଳିଥିଲା । ମହମ୍ମଦ ସିରାଜ ଓ ଗ୍ଲେନ୍‌ ମାକ୍ସୱେଲ୍‌ ଗୋଟିଏ ଲେଖାଏଁ ୱିକେଟ ହାସଲ କରି ଦଳର ପ୍ଲେ ଅଫ୍‌ ଆଶା ଉଜ୍ଜୀବିତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.