IPL 2023 Eliminator: ଆକାଶ ମାଢୱାଲଙ୍କ ଶ୍ରେଷ୍ଠ ପ୍ରଦର୍ଶନର, ବିଦା ହେଲା ଲକ୍ଷ୍ନୌ

author img

By

Published : May 25, 2023, 1:28 AM IST

IPL 2023 Eliminator

ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ପ୍ରଦର୍ଶନ । ପ୍ରଥମେ ବ୍ୟାଟିଂ କରି 182 ରନ କରିବା ପରେ ଲକ୍ଷ୍ନୌକୁ କେବଳ 101 ରନରେ ଅଟକାଇଛି ରୋହିତ ବାହିନୀ । ଦଳ ପକ୍ଷରୁ ଆକାଶ ମାଢୱାଲ ଚଳିତ ସଂସ୍କରଣର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ । ଅଧିକ ପଢ଼ନ୍ତୁ

ଚେନ୍ନାଇ: ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ବଡ଼ ବିଜୟ ସହିତ କ୍ବାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ 20 ଓଭରରେ 182 ରନ କରିଥିଲା ମୁମ୍ବାଇ । ତେବେ କ୍ବାଲିଫାୟରରେ ପହଞ୍ଚିବା ପାଇଁ 183 ରନର ବଡ଼ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ମାତ୍ର 101 ରନରେ ସମସ୍ତ ୱିକେଟ ହରାଇଛି ଲକ୍ଷ୍ନୌ । ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରି ଆକାଶ ମାଢୁଆଲ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ ।

ଆଜି ଚେନ୍ନାଇର ଚେପକ୍ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ 2023 ଏଲିମିନେଟରରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମା । ତେବେ ଦଳକୁ ସେ ଭଲ ଆରମ୍ଭ ଦେଇପାରିନଥିଲେ । ମାତ୍ର 11 ରନ କରି ରୋହିତ ଆଉଟ ହେବାପରେ ତୁରନ୍ତ 15 ରନ କରିଥିବା ଈଶାନ କିଶାନ ପାଭିଲିୟନ ଫେରିଥିଲେ । ଏହାପରେ କାମେରନ ଗ୍ରୀନ ଓ ସୂର୍ଯ୍ୟକୁମାର ଯାଦବ ଦଳ ପାଇଁ ଲଢ଼ିଥିଲେ । ଗ୍ରୀନ ମାତ୍ର 23 ବଲରୁ 6 ଚୌକା ଓ ଗୋଟିଏ ଛକା ବଳରେ ଦୃତ 41 ରନ କରି ଆଉଟ ହୋଇଥିବା ବେଳେ 33 ରନ କରି ସୂର୍ଯ୍ୟକୁମାର ଆଉଟ ହୋଇଥିଲେ । ସେହିଭଳି ତିଲକ ବର୍ମା 26 ଓ ଟିମ ଡେଭିଡ 13 ରନ କରି ପାଭିଲିୟନ ଫେରିଥିଲେ । ଶେଷ ବେଳକୁ ବଡ଼ ସଟ୍ ଖେଳି ନେହାଲ ୱାଧେରା 12 ବଲରୁ 23 ରନ ସଂଗ୍ରହ କରି ଦଳୀୟ ସ୍କୋରକୁ 182ରେ ପହଞ୍ଚାଇଥିଲେ ।

ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ୍ ହକ୍ ଓ ୟଶ ଠାକୁର ଆକର୍ଷଣୀୟ ବୋଲିଂ ପ୍ରଦର୍ଶନ କରିଥିଲେ । ନବୀନ 4 ଓଭରରେ 38 ରନ ଖର୍ଚ୍ଚ କରି 4ଟି ୱିକେଟ ଅକ୍ତିଆର କରିଥିଲେ । ସେହିଭଳି 4 ଓଭରରେ 34 ରନ ଖର୍ଚ୍ଚ କରିଥିବା ୟଶ ଠାକୁର 3ଟି ୱିକେଟ ନେଇଥିଲେ । 3 ଓଭରରୁ 24 ରନ ବ୍ୟୟରେ ଗୋଟିଏ ସଫଳତା ହାତେଇଥିଲେ ମୋହସିନ ଖାନ ।

ଏହାପରେ କ୍ବାଲିଫାୟରକୁ ଉନ୍ନୀତ ହେବାପାଇଁ ଲକ୍ଷ୍ନୌକୁ 183 ରନର ଆବଶ୍ୟକତା ରହିଥିଲା । ହେଲେ ମାତ୍ର 3 ରନ କରି ପ୍ରେରକ ମଙ୍କଡ ଆଉଟ ହୋଇଥିଲେ । ଅଧିନାୟକ କୃଣାଲ ପାଣ୍ଡ୍ୟା ମଧ୍ୟ କେବଳ 8 ରନ କରିପାରିଥିଲେ । ପ୍ରାରମ୍ଭିକ ବ୍ୟାଟର କାୟଲ ମାୟର୍ସ 18 ରନ କରି ଆଉଟ ହେବାପରେ ଦଳୀୟ ସଂକଟ ବଢ଼ିଥିଲା । ଗୋଟିଏ ପଟେ ମାର୍କସ ଷ୍ଟୋଇନିସ ଧୂଆଁଧାର ବ୍ୟାଟିଂ ଜାରି ରଖିଥିବା ବେଳେ ଅନ୍ୟପଟେ ୱିକେଟ ପତନ ଘଟି ଚାଲିଲା । ବ୍ୟାଟିଂ ବିପର୍ଯ୍ୟୟ ମଧ୍ୟରେ ଷ୍ଟୋଇନିସ 27 ବଲରୁ ଦଳ ପାଇଁ ସର୍ବାଧିକ 40 ରନ ଓ ଦୀପକ ହୁଡ୍ଡା 15 ରନ କରି ଆଉଟ ହୋଇଥିଲେ । ଫଳରେ ଦଳ 16.3 ଓଭରରେ ମାତ୍ର 101 ରନରେ ସମସ୍ତ ୱିକେଟ ହରାଇ ଏଲିମିନେଟ ହୋଇଥିଲା ।

ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆକାଶ ମାଢୱାଲ ଚଳିତ ସଂସ୍କରଣର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ କରିଥିଲେ । ସେ 3.3 ଓଭର ବୋଲିଂ କରିଥିବା ବେଳେ ମାତ୍ର 5 ରନ ବ୍ୟୟରେ 5ଟି ୱିକେଟ ଅକ୍ତିଆର କରିଥିଲେ । ଅନ୍ୟପଟେ କ୍ରିସ ଜୋର୍ଦ୍ଦାନ ଓ ପୀୟୁଷ ଚାୱଲାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା । ଦଳଗତ ପ୍ରଦର୍ଶନ ସହିତ ମୁମ୍ବାଇ କ୍ବାଲିଫାୟରରେ ପହଞ୍ଚିଛି । ଆସନ୍ତା ଶୁକ୍ରବାର ଫାଇନାଲରେ ପହଞ୍ଚିବା ପାଇଁ ଗୁଜରାଟକୁ ଭେଟିବ ଦଳ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.