ETV Bharat / sports

IPL 2023: ଦୀପକ ଚହର ଆହତ, ଚିନ୍ତାରେ ଚେନ୍ନାଇ

author img

By

Published : Apr 10, 2023, 1:33 PM IST

ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ ଜାରି ରହିଛି । ଏହାରି ଭିତରେ ଚେନ୍ନାଇ ପାଇଁ ଚିନ୍ତାର ବିଷୟ ସୃଷ୍ଟି ହୋଇଛି । ଚେନ୍ନାଇ ସୁପରକିଙ୍ଗସ ଫାଷ୍ଟ ବୋଲର ଦୀପକ ଚହର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

csk deepak chahar injured
ଦୀପକ ଚହର ଆହତ

ନୂଆଦିଲ୍ଲୀ: ଚାରି ଥର ଆଇପିଏଲ ଚମ୍ପିଅନ ଚେନ୍ନାଇ ସୁପରକିଙ୍ଗସ ପାଇଁ ଚିନ୍ତାର କାରଣ ସୃଷ୍ଟି ହୋଇଛି । ଦଳର ଷ୍ଟାର ବୋଲର ଦୀପକ ଚହର ଆହତ ହୋଇଛନ୍ତି । ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚରେ ବୋଲିଂ ବେଳେ ତାଙ୍କ ଜଙ୍ଘ ପଛପଟ ମାଂସପେଶୀ ଟାଣି ହୋଇଯାଇଥିଲା । ଖୁବଶୀଘ୍ର ତାଙ୍କ ଆହତ ସ୍ଥାନର ସ୍କାନ କରାଯିବ । ଫଳରେ ଆଗାମୀ କିଛି ମ୍ୟାଚ ଖେଳିବେ ନାହିଁ ଦୀପକ ଚହର । ପୂର୍ବରୁ ଚେନ୍ନାଇର ବେନ ଷ୍ଟୋକ୍ସ ଆହତ ହୋଇଥିଲେ ଏବେ ଦୀପକ ଆହତ ହେବା ଦଳ ପାଇଁ ଚିନ୍ତାର କାରଣ ହୋଇଛି ।

ସ୍କାନ ରିପୋର୍ଟ ଆସିବା ପରେ ଦୀପକ ଚହରଙ୍କ ଆହତ ଗୁରୁତର କି ନାହିଁ ତାହା ସ୍ପଷ୍ଟ ହେବ । ତେବେ ସେ ଆଗାମୀ 4ରୁ 5ଟି ମ୍ୟାଚରୁ ବାଦ ପଡିବା ନେଇ ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲାରେ ଚହର ପ୍ରଥମ ଓଭରରେ 5ଟି ବଲ ପକାଇବା ପରେ ଆହତ ହୋଇଥିଲେ । ଫିଜିଓ ଟିମ ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା କରିଥିଲେ । ଓଭରର ଶେଷ ବଲ ପକାଇ ସେ ଡ୍ରେସିଂ ରୁମକୁ ଫେରିଥିଲେ । ତାଙ୍କ ସ୍ଥାନରେ ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତି ଫିଲ୍ଡିଂ କରିଥିଲେ । ଇମ୍ପାକ୍ଟ ପ୍ଲେୟାର ନିୟମରେ ଅମ୍ବାତି ରାୟୁଡୁ ବ୍ୟାଟିଂ କରିଥିଲେ ।

ଆସନ୍ତା 12ରେ ରାଜସ୍ଥାନ ବିପକ୍ଷରେ ମଇଦାନକୁ ଓହ୍ଲାଇବ ଚେନ୍ନାଇ । ଏହା ପୂର୍ବରୁ ଦଳର ଆହତ ସମସ୍ୟା ଚିନ୍ତାର କାରଣ ହୋଇଛି । ପୂର୍ବରୁ ବେନ ଷ୍ଟୋକ୍ସ ଆହତ ହୋଇଥିଲେ । ଷ୍ଟୋକ୍ସଙ୍କ ପାଦ ବୁଢା ଆଙ୍ଗୁଠିରେ ଆଘାତ ଲାଗିଛି । ତେଣୁ ସେ ମଧ୍ୟ ରୟାଲ୍ସ ବିପକ୍ଷ ମୁକାବିଲାରେ ଉପସ୍ଥିତ ରହିବେ ନାହିଁ । ମୁମ୍ବାଇ ବିପକ୍ଷ ମ୍ୟାଚ ମଧ୍ୟ ଖେଳି ନଥିଲେ ବେନ ଷ୍ଟୋକ୍ସ ।

ଏହା ବି ପଢନ୍ତୁ...IPL 2023: ଆଜି ରାହୁଲ-ଡୁପ୍ଲେସି ମୁକାବିଲା

ଏହା ବି ପଢନ୍ତୁ...Rinku Singh: ପଙ୍କରୁ ପଦ୍ମ, ପୋଛା ଲଗାଉଥିବା ରିଙ୍କୁ ବନିଲେ ହିରୋ

ମାର୍ଚ୍ଚ 31 ତାରିଖରୁ ଆରମ୍ଭ ହୋଇଥିବା ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଏଯାବତ 15ଟି ମ୍ୟାଚ ଖେଳା ସରିଛି । ଚେନ୍ନାଇ ସୁପରକିଙ୍ଗସ ମୋଟ 3ଟି ମ୍ୟାଚ ଖେଳି 2ଟିରେ ବିଜୟ ହାସଲ କରିଥିବାବେଳେ ଗୋଟିଏ ମ୍ୟାଚରେ ପରାସ୍ତ ହୋଇଛି । ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚମ୍ପିଅନ ଗୁଜୁରାଟ ଟାଇଟନ୍ସଠୁ ପରାସ୍ତ ହୋଇଥିଲା ଚେନ୍ନାଇ । ଦ୍ବିତୀୟ ମୁକାବିଲାରେ ଲକ୍ଷ୍ନୌ ଓ ତୃତୀୟ ମୁକାବିଲାରେ ମୁମ୍ବାଇକୁ ପରାସ୍ତ କରି ବିଜୟ ହାସଲ କରିଥିଲା ଚେନ୍ନାଇ ସୁପରକିଙ୍ଗସ । 4 ପଏଣ୍ଟ ସହ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବାଧୀନ ଚେନ୍ନାଇ । ଆସନ୍ତା 12 ତାରିଖରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ସିଏସକେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.