ETV Bharat / sports

ବିଶ୍ବକପ୍‌ ୨୦୨୩: ବୋଲରଙ୍କୁ ପାଣି ପିଆଇଲେ କିୱି ବ୍ୟାଟର, ଭାରତକୁ ଫାଇନାଲ୍‌ରେ ପହଞ୍ଚାଇଲେ ଶାମି

author img

By ETV Bharat Odisha Team

Published : Nov 15, 2023, 10:44 PM IST

Updated : Nov 15, 2023, 11:01 PM IST

ଭାରତୀୟ ବିସ୍ଫୋରକ ବ୍ୟାଟିଂର ଦୃଢ଼ ଜବାବ ଦେଲେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌ ଓ ଷ୍ଟାର ବ୍ୟାଟର ଡେରାଇଲ୍‌ ମିଚେଲ୍‌ । ମିଚେଲ୍‌ଙ୍କ ଦମଦାର ଶତକୀୟ ପାଳି ଉପରେ ଭାରି ପଡ଼ିଲେ ମହମ୍ମଦ ଶାମି । ଏକାକୀ ୭ ୱିକେଟ୍‌ ହାସଲ କରି ଭାରତକୁ ଫାଇନାଲ୍‌ରେ ପହଞ୍ଚାଇବା ସହ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ଶାମି । ଅଧିକ ପଢ଼ନ୍ତୁ

ଭାରତକୁ ଫାଇନାଲ୍‌ରେ ପହଞ୍ଚାଇଲେ ଶାମି
ଭାରତକୁ ଫାଇନାଲ୍‌ରେ ପହଞ୍ଚାଇଲେ ଶାମି

ମୁମ୍ବାଇ: ସେମି ଲଢ଼େଇରେ ଭାରତୀୟ ବୋଲରଙ୍କୁ ପାଣି ପିଆଇଲେ ନ୍ୟୁଜିଲାଣ୍ଡ ବ୍ୟାଟର । ହେଲେ ଡେରାଇଲ୍‌ ମିଚେଲ୍‌ଙ୍କ ଦମଦାର ଶତକୀୟ ପାଳି ଉପରେ ଭାରି ପଡ଼ିଲା ଶାମିଙ୍କ ଘାତକ ବୋଲିଂ । ଏକାକୀ ୭ ୱିକେଟ୍‌ ନେଇ ଭାରତକୁ ଫାଇନାଲ୍‌ରେ ପହଞ୍ଚାଇଲେ ମହମ୍ମଦ ଶାମି । ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଐତିହାସିକ ୫୦ତମ ଦିନିକିଆ ଶତକ ଓ ଶ୍ରେୟସ ଆୟରଙ୍କ ଶତକ ବଳରେ ୩୯୭ ରନର ବିଶାଳ ସ୍କୋର କରିଥିଲା ଭାରତ । ନ୍ୟୁଜିଲାଣ୍ଡ ପକ୍ଷରୁ ଏହାର ଜବାବ ଜବାବ ଦେଇଥିଲେ ଦଳର ଅଧିନାୟକ କେନ୍‌ ୱିଲିୟମସନ୍‌ ଓ ଷ୍ଟାର ବ୍ୟାଟର ଡେରାଇଲ୍‌ ମିଚେଲ୍‌ । ତେବେ ଗୋଟିଏ ପଟେ ଟିମ୍‌ ଇଣ୍ଡିଆର ସମସ୍ତ ବୋଲର ଲେନ୍ଥ୍‌ ଖୋଜୁଥିବାବେଳେ ମହମ୍ମଦ ଶାମି ଏକାକୀ ୭ ୱିକେଟ୍‌ ନେଇ ଭାରତକୁ ବିଶ୍ବକପ୍‌ ୨୦୨୩ ଫାଇନାଲ୍‌ରେ ପହଞ୍ଚାଇଛନ୍ତି । ୪୮.୫ ଓଭରରେ ୩୨୭ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି ନ୍ୟୁଜିଲାଣ୍ଡ । ଫଳରେ ୭୦ ରନ୍‌ରେ ବିଜୟ ହାସଲ କରିଛି ଭାରତ ।

ଭାରତ ବ୍ୟାଟିଂ: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ଭଲ ଆରମ୍ଭ ଦେଇଥିଲେ ଦୁଇ ଓପନର । ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ୨୯ ବଲରୁ ୪ଟି ଲେଖାଏଁ ଛକା ଓ ଚୌକା ବଳରେ ୪୭ ରନ କରିଥିଲେ ଅଧିନାୟକ ରୋହିତ ଶର୍ମା । ୬୫ ବଲରୁ ୭୯ ରନର ଦମଦାର ପାଳି ଖେଳିଥିବା ଶୁଭମନ ଗିଲ୍‌ ଆହତ ହୋଇ ପାଭିଲିୟନ ଫେରିଯାଇଥିଲେ । ସେ ଆଜି ୮୦ ରନର ପାଳି ଖେଳିଛନ୍ତି । ଏହାପରେ ଶ୍ରେୟସ ଆୟର ଓ କୋହଲିଙ୍କ ମଧ୍ୟରେ ଏକ ବଡ଼ ଭାଗିଦାରୀ ଦେଖିବାକୁ ମିଳିଥିଲା । କୋହଲି ୧୧୩ ବଲରୁ ୯ ଚୌକା ଓ ୨ ଛକା ବଳରେ ୧୧୭ ରନର ଐତିହାସିକ ପାଳି ଖେଳି ଆଉଟ୍‌ ହୋଇଥିଲେ । ଏହାପରେ ଶ୍ରେୟସ ଆୟର କିନ୍ତୁ ଆକ୍ରାମକ ବ୍ୟାଟିଂ ଜାରି ରଖି ୭୦ ବଲରୁ ୪ ଚୌକା ଓ ୮ ଛକା ବଳରେ ୧୦୫ ରନ୍‌ର ବିସ୍ଫୋରକ ଶତକୀୟ ପାଳି ଖେଳି ଆଉଟ୍‌ ହୋଇଥିଲେ । ଶେଷରେ କେଏଲ୍‌ ରାହୁଲ ୨୦ ବଲରୁ ୫ ଚୌକା ଓ ୨ ଛକା ବଳରେ ୩୯ ରନର ଉପଯୋଗୀ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୩୯୭ ରନ୍‌ରେ ପହଞ୍ଚାଇଥିଲେ ।

ନ୍ୟୁଜିଲାଣ୍ଡ ବୋଲିଂ: ନ୍ୟୁଜିଲାଣ୍ଡର କୌଣସି ବୋଲର ଆଜି ଭାରତୀୟ ବ୍ୟାଟରଙ୍କ ଆଗରେ ଲାଇନ୍‌ ଲେନ୍ଥ ଖୋଜିବାରେ ଅସଫଳ ହୋଇଥିଲେ । ଦଳର ଷ୍ଟାର ବୋଲର ଟିମ୍‌ ସାଉଦୀ ସର୍ବାଧିକ ୩ ୱିକେଟ୍‌ ସଫଳତା ହସଲ କରିଥିଲେ ମଧ୍ୟ ସେ ସର୍ବାଧିକ ୧୦୦ ରନ ବ୍ୟୟ କରି ଦଳ ପାଇଁ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ୧୦ ଓଭରରୁ ୮୬ ରନ ବ୍ୟୟ କରି ଗୋଟିଏ ସଫଳତା ହତେଇଥିଲେ ଟ୍ରେଣ୍ଟ ବୋଲ୍ଟ । ଅନ୍ୟ କୌଣସି ବୋଲର ଦଳ ପାଇଁ ସଫଳତା ହାସଲ କରିପାରିନଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ଭାଙ୍ଗିଲା ସଚିନ୍‌ଙ୍କ ରେକର୍ଡ, ଦିନିକିଆରେ କୋହଲିଙ୍କ ୫୦ତମ ଶତକ

ନ୍ୟୁଜିଲାଣ୍ଡ ବ୍ୟାଟିଂ: ନ୍ୟୁଜିଲାଣ୍ଡର ଦୁଇ ଓପନର ଆଜି କେବଳ ୧୩ ରନ ଲେଖାଏଁ କରିବାରେ ସକ୍ଷମ ହୋଇଥିଲେ । ଏହାପରେ ଅଧିନାୟକ କେନ୍‌ ୱିଲିୟମସନ୍‌ ଓ ଡେରାଇଲ୍‌ ମିଚେଲ୍‌ ଏକ ବଡ଼ ଭାଗିଦାରୀ କରି ଦଳକୁ ଏକ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ । ଉଭୟ ତୃତୀୟ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୧୮୧ ରନ ଯୋଡ଼ିଥିଲେ । ଦଳୀୟ ସ୍କୋର ୨୨୦ ହୋଇଥିବାବେଳେ ଅଧିନାୟକ କେନ୍‌ ୱିଲିୟମସନ୍‌ ଆଉଟ୍‌ ହୋଇଥିଲେ । ସେ ୬୯ ରନର ଗୁରୁତ୍ବପୂର୍ଣ୍ଣ ସ୍କୋର କରି ଆଉଟ୍‌ ହୋଇଥିଲେ । ଏହାପରେ ଗ୍ଲେନ୍‌ ଫିଲିପ୍ସ ୪୧ ରନ କରି ଆଉଟ୍‌ ହୋଇଥିଲେ । ଗୋଟିଏ ପଟେ ଡେରାଇଲ୍‌ ମିଚେଲ୍‌ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟପଟେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମିଚେଲ୍‌ ଦଳ ପାଇଁ ସର୍ବାଧିକ ୧୩୪ ରନର ସଙ୍ଘର୍ଷପୂର୍ଣ୍ଣ ପାଳି ଖେଳି ମ୍ୟାଚ୍‌କୁ ଏକ ପ୍ରକାର ଭାରତ ହାତରୁ ନେଇଯାଇଥିଲେ । ହେଲେ ଅନ୍ୟପଟେ କୌଣସି ବ୍ୟାଟର ଦୁଇ ଅଙ୍କ ସ୍କୋର କରିବାରେ ସକ୍ଷମ ହୋଇନଥିଲେ । ଫଳରେ ୪୮.୫ ଓଭରରେ ୩୨୭ ରନ ପାଇଁ ସମସ୍ତ ୱିକେଟ୍‌ ହରାଇଥିଲା ନ୍ୟୁଜିଲାଣ୍ଡ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ୍‌ ୨୦୨୩: ସେମିରେ ପୁଣି ଚମକିଲେ ଟପ୍‌ ଅର୍ଡର, ନ୍ୟୁଜିଲାଣ୍ଡ ଆଗରେ ୩୯୮ ଟାର୍ଗେଟ୍‌

ଭାରତ ବୋଲିଂ: ବିଶ୍ବକପ୍‌ ୨୦୨୩ ଆରମ୍ଭରୁ ଜବରଦସ୍ତ ଫର୍ମରେ ନଜର ଆସୁଥିବା ଭାରତୀୟ ବୋଲିଂ ଆଟାକ୍‌ ପକ୍ଷରୁ ଆଜି ଏତେ ଆକର୍ଷଣୀୟ ବୋଲିଂ ଦେଖିବାକୁ ମିଳିନଥିଲା । ସମସ୍ତ ବୋଲରଙ୍କୁ କିୱି ବ୍ୟାଟର ଆକ୍ରାମକ ଖେଳିବାରେ ଲାଗିଥିଲେ । ହେଲେ ମହମ୍ମଦ ଶାମି ଏକାକୀ ୭ ୱିକେଟ୍‌ ଅକ୍ତିଆର କରି ଭାରତକୁ ଫାଇନାଲ୍‌ରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍‌ରା ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 15, 2023, 11:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.