ICC ODI Rankings: ତୃତୀୟ ସ୍ଥାନକୁ ଉଠିଲା ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ କ୍ଲିନ ସ୍ବିପ କଲେ ହେବ ନମ୍ବର ୧

author img

By

Published : Jan 22, 2023, 6:08 PM IST

ଟିମ ଇଣ୍ଡିଆ

ଭାରତଠାରୁ ଦିନିକିଆ ସିରିଜରେ ପରାଜିତ ହେବା ପରେ କିୱି ଦଳ ICC ଦିନିକିଆ ମାନ୍ୟତାରେ ନମ୍ବର ୱାନ ପଜିସନରୁ ହଟିବାକୁ ପଡିଛି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ICC ଦିନିକିଆ ମାନ୍ୟତାରେ ତୃତୀୟ ସ୍ଥାନକୁ ଉଠିଲା ଭାରତ । ଦ୍ବିତୀୟ ଦିନିକିଆରେ ଭାରତଠାରୁ ପରାସ୍ତ ପରେ ନ୍ୟୁଜିଲାଣ୍ଡ ଦିନିକିଆ ମାନ୍ୟତା ଦ୍ବିତୀୟ ସ୍ଥାନକୁ ଖସିଛି । ଗତକାଲି(ଶନିବାର) ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଦିନିକିଆରେ ବିଜୟ ଲାଭ କରି ୨-୦ରେ ଆଗୁଆ ସିରିଜ ବିଜୟୀ ହୋଇଛି ମେନ୍ ଇନ୍ ବ୍ଲୁ । ତେବେ ଦ୍ବିତୀୟ ଦିନିକିଆରେ ଭାରତଠାରୁ ନ୍ୟୁଜିଲାଣ୍ଡର ୮ ୱିକେଟର ପରାସ୍ତ ପରେ ବ୍ଲାକ୍ କ୍ୟାପ୍ସକୁ ଏହାର କ୍ଷତି ସହିବାକୁ ପଡିଛି । ଭାରତଠାରୁ ଏହି ସିରିଜରେ ପରାଜିତ ହେବା ପରେ କିୱି ଦଳ ICC ଦିନିକିଆ ମାନ୍ୟତାରେ ନମ୍ବର ୱାନ୍‌ ସ୍ଥାନରୁ ହଟିବାକୁ ପଡିଛି । ICC ଦିନିକିଆ ମାନ୍ୟତାରେ ନ୍ୟୁଜିଲାଣ୍ଡ ଏବେ ୧୧୩ ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛି । ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ଏହି ସିରିଜ ଜିତିବା ପରେ ଇଂଲିସ ଟିମ୍‌କୁ ଏଥିରେ ଫାଇଦା ହୋଇଛି । ICC ଦିନିକିଆ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଥିବା ଇଂଲଣ୍ଡ ଏବେ ଶୀର୍ଷ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛି ।

ଭାରତ ବନାମ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ପୂର୍ବରୁ ନ୍ୟୁଜିଲାଣ୍ଡ ୧୧୫ ରେଟିଂ ସହିତ ICC ଦିନିକିଆ ମାନ୍ୟତାରେ ଶୀର୍ଷ ସ୍ଥାନରେ ରହିଥିଲା । ସେହିପରି ଚଳିତ ଟି୨୦ ବିଶ୍ବକପ ଚମ୍ପିଆନ୍‌ ତଥା ଇଂଲଣ୍ଡ ଟିମ୍‌ ୧୧୩ ରେଟିଂ ସହିତ ଦ୍ବିତୀୟ ସ୍ଥାନରେ ରହିଥିଲା । ଅଷ୍ଟ୍ରେଲିଆ ୧୧୨ ରେଟିଂ ସହିତ ତୃତୀୟ ସ୍ଥାନରେ ରହିଥିଲା । ଭାରତ ୧୧୧ ରେଟିଂ ସହିତ ଚତୁର୍ଥ ସ୍ଥାନରେ ରହିଥିଲା ।

ଗତକାଲି(ଶନିବାର) ରାୟପୁରରେ ଖେଳାଯାଇଥିବା ଭାରତ ବନାମ ନ୍ୟୁଜିଲାଣ୍ଡର ମ୍ୟାଚ୍‌ ପରେ ICC ଦିନିକିଆ ମାନ୍ୟତାରେ ପରିବର୍ତ୍ତନ ହୋଇଛି । ନ୍ୟୁଜିଲାଣ୍ଡ ମ୍ୟାଚ୍‌ ହାରିବା ପରେ ୧୧୩ ରେଟିଂ ସହିତ ପ୍ରଥମ ସ୍ଥାନରୁ ଗୋଟିଏ ସ୍ଥାନ ତଳକୁ ଖସି ଦ୍ବିତୀୟ ସ୍ଥାନରେ ରହିଛି । ଏହାର ଫାଇଦା ଇଂଲଣ୍ଡ ଟିମ୍‌କୁ ମିଳିଛି । ICC ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନ କବଜା କରିବାରେ ସଫଳ ହୋଇଛି ଇଂଲିସ ଟିମ୍‌ । ଦଳ ୧୧୩ ରେଟିଂରେ ଏବଂ ୩୪୦୦ ପଏଣ୍ଟ ସହିତ ଶୀର୍ଷ ସ୍ଥାନ ଅକ୍ତିଆର କରିଛି । ନ୍ୟୁଜିଲାଣ୍ଡ ମଧ୍ୟ ୧୧୩ ରେଟିଂରେ ରହିଥିବା ବେଳେ ୩୧୬୬ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନକୁ ଖସିଛି । ସେହିପରି ଟିମ୍‌ ଇଣ୍ଡିଆ ଚତୁର୍ଥ ସ୍ଥାନରୁ ଗୋଟିଏ ସ୍ଥାନ ଉପରକୁ ଉଠି ୧୧୩ ରେଟିଂ ଏବଂ ୪୮୪୭ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ପହଞ୍ଚିଛି । ୨୪ ତାରିଖରେ ଖେଳାଯିବାକୁ ତୃତୀୟ ଦିନିକିଆରେ ଭାରତ ଯଦି ନ୍ୟୁଜିଲାଣ୍ଡକୁ ପରାସ୍ତ କରିବ ତାହେଲେ ICC ଦିନିକିଆ ମାନ୍ୟତାର ପ୍ରଥମ ସ୍ଥାନ କବଜା କରିବାରେ ସଫଳ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.