ETV Bharat / sports

Cricket World Cup 2023: ମଲାନଙ୍କ ବିସ୍ଫୋରକ ଶତକ, ବାଂଲାଦେଶକୁ ୩୬୫ ରନ୍‌ର ବିଶାଳ ଟାର୍ଗେଟ

author img

By ETV Bharat Odisha Team

Published : Oct 10, 2023, 3:12 PM IST

Updated : Oct 10, 2023, 3:26 PM IST

ବିଶ୍ବକପ୍‌ ୨୦୨୩ର ୭ମ ମ୍ୟାଚ୍‌ରେ ଆଜି ଧର୍ମଶାଳାରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ ଓ ବାଂଲାଦେଶ । ତେବେ ପ୍ରଥମେ ବ୍ୟାଟିଂ କରି ବଟଲର୍‌ ବାହିନୀ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୬୪ ରନ ସଂଗ୍ରହ କରିଛି । ସେପଟେ ବାଂଲାଦେଶ ଏହାର ଦ୍ବିତୀୟ ମ୍ୟାଚ୍‌ ଜିତିବାକୁ ୩୬୫ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଛି । ଅଧିକ ପଢ଼ନ୍ତୁ

ବାଂଲାଦେଶ ଆଗରେ ୩୬୫ ରନ୍‌ର ବିଶାଳ ଲକ୍ଷ୍ୟ
ବାଂଲାଦେଶ ଆଗରେ ୩୬୫ ରନ୍‌ର ବିଶାଳ ଲକ୍ଷ୍ୟ

ଧର୍ମଶାଳା: ଦିନିକିଆ ବିଶ୍ବକପ୍‌ ୨୦୨୩ ବିଶ୍ବଯୁଦ୍ଧରେ ମଙ୍ଗଳବାର ଡିଫେଣ୍ଡିଂ ଚମ୍ପିଆନ୍‌ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ଫାଇଟ୍‌ ଜାରି ରହିଛି । ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ବଟଲର୍‌ ବାହିନୀର ଆଜି ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଧର୍ମଶାଳାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଇଂଲଣ୍ଡ ଦଳର ଡେଭିଡ୍‌ ମଲାନ ୧୦୭ ବଲରୁ ୧୬ ଚୌକା ଓ ୫ ଛକା ସହ ୧୪୦ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ । ଅନ୍ୟତମ ଓପନର ଜନି ବେୟାର୍‌ଷ୍ଟୋ ୫୨ ରନ ସ୍କୋର କରିଥିବା ବେଳେ ଜୋ ରୁଟ୍‌ ୮୨ ରନର ଦମଦାର ପାଳି ଖେଳିଥିଲେ । ଫଳରେ ଦଳୀୟ ସ୍କୋର ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍‌ ହରାଇ ୩୬୪ ରନରେ ଶେଷ ହୋଇଛି । ଆଫଗାନିସ୍ତାନ ବିପକ୍ଷରେ ବିଜୟରୁ ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କରିଥିବା ବାଂଲାଦେଶକୁ ଏହାର ଦ୍ବିତୀୟ ମ୍ୟାଚ୍‌ ଜିତିବାକୁ ୩୬୫ ରନର ବିଶାଳ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଛି ।

ଆଜି ଟସ୍‌ ଜିତି ପ୍ରଥମେ ଇଂଲଣ୍ଡକୁ ବ୍ୟାଟିଂ ଆହ୍ବାନ କରିଥିଲେ ବାଂଲାଦେଶ ଅଧିନାୟକ ସାକିବ୍‌ ଅଲ୍‌ ହାସନ । ପ୍ରଥମେ ବ୍ୟାଟିଂ ନିମନ୍ତ୍ରଣ ପାଇଁ ବଟଲର୍‌ ବାହିନୀ ବିସ୍ଫୋରକ ଆରମ୍ଭ କରିଥିଲେ । ଦୁଇ ଓପନର ଜନି ବେୟାର୍‌ଷ୍ଟୋ ଓ ଡେଭିଡ୍‌ ମଲାନ ପ୍ରଥମ ୱିକେଟ୍‌ ପାଇଁ ଦଳୀୟ ଖାତାରେ ୧୧୫ ରନ ଯୋଡ଼ିଥିଲେ । ଏହାପରେ ବାଂଲାଦେଶକୁ ପ୍ରଥମ ସଫଳତା ଦେଇଥିଲେ ଅଧିନାୟକ ସାକିବ୍‌ । ସେ ଜନି ବେୟାର୍‌ଷ୍ଟୋଙ୍କୁ କ୍ଲିନ୍‌ ବୋଲ୍ଡ କରି ପାଭିଲିୟନ ଫେରାଇଦେଇଥିଲେ । ବେୟାର୍‌ଷ୍ଟୋ ୫୯ ବଲରୁ ୮ ଚୌକା ବଳରେ ୫୨ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ । ଏହାପରେ ମଲାନଙ୍କ ସାଥ୍‌ ଦେଇଥିଲେ ଅନ୍ୟତମ ବିସ୍ଫୋରକ ବ୍ୟାଟର ଜୋ ରୁଟ୍‌ । ତେବେ ମଲାନ କେବଳ ୧୦୭ ବଲ ଖେଳି ୧୬ ଚୌକା ଓ ୫ ଛକା ସହିତ ବ୍ୟକ୍ତିଗତ ୧୪୦ ରନ ସଂଗ୍ରହ କରି ଆଉଟ୍‌ ହୋଇଥିଲେ । ଏହାପରେ ରୁଟ୍‌ କିନ୍ତୁ ତାଙ୍କର ଆକ୍ରମଣ ଜାରି ରଖିଥିଲେ । ସେ ୬୮ ବଲରୁ ୮ ଚୌକା ଓ ଗୋଟିଏ ଛକା ବଳରେ ୮୨ ରନ କରି ଆଉଟ୍‌ ହେବା ସହ ସ୍କୋରବୋର୍ଡକୁ ଲମ୍ବା ରାସ୍ତା ଦେଖାଇ ଯାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବଟଲର୍‌ ଓ ହ୍ୟାରୀ ବ୍ରୁକ୍‌ ୨୦ ରନ୍‌ ଲେଖାଏଁ କରି ଆଉଟ୍‌ ହୋଇଥିଲେ । ଅନନ୍ୟ କୌଣସି ବ୍ୟାଟର୍‌ ଦୁଇ ଅଙ୍କ ସ୍କୋର୍‌ କରିବାର ଅସମର୍ଥ ରହିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍‌ ହରାଇ ୩୬୪ ରନ୍‌ ସଂଗ୍ରହ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଆଜି 2 ମୁକାବିଲା, ଇଂଲଣ୍ଡ ବନାମ ବାଂଲାଦେଶ ଓ ପାକିସ୍ତାନ ବନାମ ଶ୍ରୀଲଙ୍କା ଫାଇଟ

ସେପଟେ ବାଂଲାଦେଶ ପକ୍ଷରୁ ମେହିଦୀ ହାସନ୍‌ ସର୍ବାଧିକ ୪ ୱିକେଟ୍‌ ସଫଳତା ହାସଲ କରିଥିଲେ । ସେହିଭଳି ଶୋରିଫୁଲ ଇସ୍‌ଲାମ୍‌ଙ୍କୁ ମଧ୍ୟ ୧୦ ଓଭରରୁ ୩ଟି ୱିକେଟ୍‌ ମିଳିଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ସାକିବ୍‌ ଅଲ୍‌ ହାସନ ଓ ତସ୍‌କିନ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍‌ ପାଇଥିଲେ । ଅନ୍ୟ କୌଣସି ବୋଲର ଦଳକୁ ୱିକେଟ୍‌ ଦେବାରେ ଅସମର୍ଥ ରହିଥିଲେ । ଏହାପରେ ଚଳିତ ବିଶ୍ବକପ୍‌ର ଦ୍ବିତୀୟ ବିଜୟ ପାଇଁ ୩୬୫ ରନ୍‌ର ବିଶାଳ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଛି ବାଂଲାଦେଶ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 10, 2023, 3:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.