ETV Bharat / sports

ଆଇପିଏଲ୍‌ ୨୦୨୪ ପୂର୍ବରୁ KKRକୁ ଗମ୍ଭୀରଙ୍କ କମ୍‌ବ୍ୟାକ୍‌, କ୍ୟାପଟେନ୍ ନୁହେଁ ଏଥର ମେଣ୍ଟର୍

author img

By ETV Bharat Odisha Team

Published : Nov 22, 2023, 5:21 PM IST

ଆଇପିଏଲ୍‌ ୨୦୨୪ ପୂର୍ବରୁ ପୁଣିଥରେ କେକେଆର୍‌କୁ ଫେରିଲେ ଗୌତମ ଗମ୍ଭୀର । ଲକ୍ଷ୍ନୌ ଦଳ ଛାଡ଼ିବା ପରେ କଲେ ଭାବପୂର୍ଣ୍ଣ ପୋଷ୍ଟ । ଅଧିକ ପଢ଼ନ୍ତୁ

KKRକୁ ଗମ୍ଭୀରଙ୍କ କମ୍‌ବ୍ୟାକ୍‌
KKRକୁ ଗମ୍ଭୀରଙ୍କ କମ୍‌ବ୍ୟାକ୍‌

ନୂଆଦିଲ୍ଲୀ: ଭାରତରେ ଫଟାଫଟ୍ କ୍ରିକେଟ୍‌ର ସବୁଠାରୁ ବଡ଼ ଉତ୍ସବ ଆଇପିଏଲ୍‌ ୨୦୨୪ ପୂର୍ବରୁ ପୁଣିଥରେ କୋଲକାତା ନାଇଟ ରାଇଡର୍ସ (KKR)କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଗୌତମ ଗମ୍ଭୀର । ବଲିଉଡ୍‌ର କିଙ୍ଗ୍‌ ଶାହାରୁଖ ଖାନଙ୍କ ଦଳ କେକେଆର ଆଇପିଏଲ୍‌ ୨୦୨୪ ପାଇଁ ଗୌତମ ଗମ୍ଭୀରଙ୍କୁ ଏହାର ପରାମର୍ଶଦାତା ଭାବେ ନିଯୁକ୍ତ କରିଛି । ଏପର୍ଯ୍ୟନ୍ତ କେକେଆର୍‌ ୨ ଥର ଆଇପିଏଲ୍‌ ଟ୍ରଫି ଜିତିଥିବାବେଳେ(୨୦୧୨ ଓ ୨୦୧୪), ସେହି ଦୁଇ ଥର ଯାକ ଦଳର ନେତୃତ୍ବ ନେଇଥିଲେ ଗମ୍ଭୀର। ଆଇପିଏଲରେ ଗମ୍ଭୀରଙ୍କ ସଫଳତମ ଦଳ ହେଉଛି କେକେଆର୍‌ । ଶେଷ ଆଇପିଏଲ୍‌ ପର୍ଯ୍ୟନ୍ତ ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ଟିମ୍‌ର ମେଣ୍ଟର ଦାୟିତ୍ବ ତୁଲାଇଥିଲେ । କିନ୍ତୁ ଆଇପିଏଲ୍‌ ୨୦୨୪ରେ ଗମ୍ଭୀରଙ୍କୁ ପୁଣିଥରେ କେକେଆର୍‌ରେ ଜର୍ସିରେ ଦେଖିବାକୁ ମିଳିବ ।

ଭାରତୀୟ କ୍ରିକେଟ ଦଳର ଏହି ପୂର୍ବତନ ବ୍ୟାଟର ୨୦୧୧ରୁ ୨୦୧୭ ପର୍ଯ୍ୟନ୍ତ ଆଇପିଏଲ୍‌ରେ କୋଲକାତା ନାଇଟ ରାଇଡର୍ସ ପାଇଁ ଖେଳିଥିଲେ । ବହୁ ବର୍ଷ ଧରି ଏହି ଦଳର ନେତୃତ୍ବ ନେବା ମଧ୍ୟରେ ସେ ଆଇପିଏଲ୍‌ ୨୦୧୨ ଏବଂ ଆଇପିଏଲ୍‌ ୨୦୧୪ରେ ଟାଇଟଲ ଜିତି କେକେଆରକୁ ଦୁଇ ଥର ଚମ୍ପିଆନ୍‌ ମଧ୍ୟ କରାଇଥିଲେ । କିନ୍ତୁ ସେ ଆଇପିଏଲ୍‌ ୨୦୧୮ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଫେରିଥିଲେ । ଏହାପରେ ସେ ଆଇପିଏଲରୁ ଅବସର ନେଇଥିଲେ । ୨୦୨୨ରେ ନୂଆକରି ଆଇପିଏଲ୍‌ ଖେଳିବାକୁ ଆସିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ସହ ପୁଣିଥରେ ଆଇପିଏଲ୍‌ କମ୍‌ବ୍ୟାକ୍‌ କରିଥିଲେ ଗମ୍ଭୀର । ଦୁଇ ବର୍ଷ ସେ ଏହାର ମେଣ୍ଟର ଦାୟିତ୍ବ ତୁଲାଇବା ପରେ ଏବେ ପୁଣିଥରେ ନିଜର ପୁରୁଣା ଦଳକୁ ଫେରିଛନ୍ତି ଗମ୍ଭୀର ।

ଏହା ମଧ୍ୟ ପଢ଼ନ୍ତୁ...IPL 2024: ଡିସେମ୍ବର 19ରେ ନିଲାମୀ, ନଭେମ୍ବର 15 ସୁଦ୍ଧା ଖେଳାଳି ତାଲିକା ଦେବେ ଫ୍ରାଞ୍ଚାଇଜ

ଗୌତମ ଗମ୍ଭୀର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ପ୍ରଶଂସକଙ୍କ ସହ ଏହି ବାର୍ତ୍ତା ସେୟାର କରିଛନ୍ତି । ସେ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି, "ମୁଁ ଫେରି ଆସିଛି, ମୁଁ ଭୋକିଲା, ମୁଁ ନମ୍ବର୍‌ ୨୩, ମୁଁ KKR ।" ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ଦଳର ମେଣ୍ଟରସିପ୍ ଛାଡିବା ପରେ ଦଳର ଖେଳାଳୀ ଓ ସପୋର୍ଟ ଷ୍ଟାଫ୍‌ଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ଭାବପ୍ରବଣ ଟ୍ବିଟ୍‌ କରିଛନ୍ତି ଗମ୍ଭୀର । ସେ ଲେଖିଛନ୍ତି, "ଲକ୍ଷ୍ନୌରେ ଖେଳାଳି, କୋଚ୍, ସପୋର୍ଟ ଷ୍ଟାଫ୍ ଏବଂ ଦଳ ସହିତ ଜଡିତ ସମସ୍ତଙ୍କଠାରୁ ମୁଁ ସମର୍ଥନ ପାଇଲି । ମୁଁ ଡକ୍ଟର ସଞ୍ଜୀବ ଗୋଏଙ୍କା (ଲକ୍ଷ୍ନୌ ଦଳର ମାଲିକ)ଙ୍କୁ ଧନ୍ୟବାଦ ଦେବାକୁ ଚାହେଁ । ଡକ୍ଟର ଗୋଏଙ୍କାଙ୍କ ନେତୃତ୍ବ ଉତ୍କୃଷ୍ଟ ଥିଲା । ମୁଁ ଆଶା କରୁଛି ଭବିଷ୍ୟତରେ ଲକ୍ଷ୍ନୌ ଦଳ ଭଲ ପ୍ରଦର୍ଶନ କରିବ । ଏହା LSG ପ୍ରଶଂସକମାନଙ୍କୁ ଗର୍ବିତ କରିବ । ସେଥିପାଇଁ ମୋର ସବୁ ଟିମ୍‌ ମେଟ୍‌ଙ୍କୁ ଶୁଭକାମନା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.