ETV Bharat / sports

Cricket World Cup 2023: ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର କୋହଲି, ସଚିନଙ୍କ ଆଉ ଏକ ରେକର୍ଡର ହେଲେ ସମକକ୍ଷ

author img

By ETV Bharat Odisha Team

Published : Nov 12, 2023, 8:19 PM IST

ବେଙ୍ଗାଲୁରୁରେ ନେଦରଲ୍ୟାଣ୍ଡ ବିପକ୍ଷରେ ଅର୍ଦ୍ଧଶତକୀୟ ପାଳି ପରେ ଚଳିତ ବିଶ୍ବକପ୍‌ ୨୦୨୩ର ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର ହୋଇଛନ୍ତି ବିରାଟ କୋହଲି । ଗୋଟିଏ ସଂସ୍କରଣରେ ୭ ଥର ୫୦ରୁ ଅଧିକ ସ୍କୋର କରି ହେଲେ ସଚିନଙ୍କ ସମକକ୍ଷ । ଅଧିକ ପଢ଼ନ୍ତୁ

ସଚିନଙ୍କ ଆଉ ଏକ ରେକର୍ଡର ହେଲେ ସମକକ୍ଷ
ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର କୋହଲି

ବେଙ୍ଗାଲୁରୁ: ବିଶ୍ବକପ୍‌ ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ରବିବାର ଖେଳାଯାଉଛି ଶେଷ ଲିଗ୍‌ ମ୍ୟାଚ୍‌ । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଦମଦାର ପ୍ରଦର୍ଶନ ଜାରି ରଖି ପଏଣ୍ଟ୍ସ ଟେବୁଲ ଶୀର୍ଷରେ ରହି ଲିଗ୍‌ ପର୍ଯ୍ୟାୟ ଅଭିଯାନ ଶେଷ କରିବାକୁ ଯାଉଛି ଆୟୋଜକ ଭାରତ । ରବିବାର ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଶେଷ ଲିଗ୍‌ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡକୁ ଭେଟିଛି ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ରେ ଘରୋଇ ଦଳର ଟପ୍‌ ଅର୍ଡର ବ୍ୟାଟରଙ୍କ ବ୍ୟାଟରୁ ରନ୍‌ ବର୍ଷା ହୋଇଛି । ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଓପନର ଗିଲ୍‌ ଓ ବିରାଟ କୋହଲି ଅର୍ଦ୍ଧଶତକୀୟ ପାଳି ଖେଳି ଆଉଟ୍‌ ହେବାପରେ କେଏଲ୍‌ ରାହୁଲ ଓ ଶ୍ରେୟସ ଆୟରଙ୍କ ବିସ୍ଫୋରକ ଶତକ ବଳରେ ୪୧୦ ରନ୍‌ର ବିଶାଳ ସ୍କୋର କରିଛି ଭାରତ । ତେବେ ଏହି ମ୍ୟାଚ୍‌ରେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଏକ ରେକର୍ଡର ସମକକ୍ଷ ହୋଇଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି ।

  • " class="align-text-top noRightClick twitterSection" data="">

ସଚିନଙ୍କ ଆଉ ଏକ ରେକର୍ଡର ସମକକ୍ଷ କୋହଲି: ବିରାଟ କୋହଲି ଚଳିତ ବିଶ୍ବକପ୍‌ରେ ଦମଦାର ଫର୍ମରେ ରହିଛନ୍ତି । ପ୍ରତି ମ୍ୟାଚ୍‌ରେ ନିଜ ନାମରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି କିଙ୍ଗ୍‌ କୋହଲି । ନେଦରଲ୍ୟାଣ୍ଡ ବିପକ୍ଷରେ ୫୧ ରନର ପାଳି ଖେଳି ଆଉ ଏକ ନୂଆ କୀର୍ତ୍ତିମାନ ହାସଲ କରିବା ସହ ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହୋଇଛନ୍ତି । ୯ମ ଲିଗ୍‌ ମ୍ୟାଚ୍‌ ଖେଳୁଥିବା କୋହଲି ଏହି ସଂସ୍କରଣରେ ୨ଟି ଶତକ ସମେତ ଗୋଟିଏ ବିଶ୍ବକପ ସିଜିନରେ ୭ଥର ୫୦ରୁ ଅଧିକ ସ୍କୋର କରିଛନ୍ତି । ପୂର୍ବରୁ ସଚିନ୍‌ ତେନ୍ଦୁଲକର ଓ ବାଂଲାଦେଶ ଅଧିନାୟକ ଶାକିବ୍‌ ଅଲ୍‌ ହାସନ ଏହି ରେକର୍ଡ କରିଛନ୍ତି । ୨୦୦୩ ବିଶ୍ବକପ୍‌ରେ ୭ ମ୍ୟାଚରେ ୫୦ରୁ ଅଧିକ ସ୍କୋର କରିଥିଲେ ସଚିନ୍‌ । ୨୦୧୯ ବିଶ୍ବକପରେ ଏହି ରେକର୍ଡ ହାସଲ କରିଥିଲେ ବାଂଲାଦେଶ ଅଧିନାୟକ ଶାକବ୍‌ ଅଲ୍‌ ହାସନ । କିନ୍ତୁ ଚଳିତ ବିଶ୍ବକପରେ ସେମିଫାଇନାଲ ପୂର୍ବରୁ କୋହଲି ଏହି ରେକର୍ଡ ହାସଲ କରିନେଇଛନ୍ତି । ସେମିଫାଇନାଲରେ ଆଉ ଗୋଟିଏ ଅର୍ଦ୍ଧଶତକ ଯୋଡ଼ିଲେ ବା ଏହାଠାରୁ ବଡ଼ ସ୍କୋର କଲେ ଗୋଟିଏ ସଂସ୍କରଣରେ ସର୍ବାଧିକ ୫୦ରୁ ଅଧିକ ସ୍କୋର କରିଥିବା ଖେଳାଳିଙ୍କ ତାଲିକାରେ ଶୀର୍ଷରେ ରହିବେ କୋହଲି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ସେମି ପୂର୍ବରୁ ଚମକିଲା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର, ଡଚ୍‌ ଦଳ ଆଗରେ ବିଶାଳ ୪୧୧ ରନ ଲକ୍ଷ୍ୟ

ବିଶ୍ବକପ୍‌ ୨୦୨୩ର ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟର କୋହଲି: ଚଳିତ ବିଶ୍ବକପରେ ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟରଙ୍କ ତାଲିକାର ମଧ୍ୟ ଶୀର୍ଷରେ ପହଞ୍ଚିଛନ୍ତି ବିରାଟ କୋହଲି । ଆଜିର ୫୧ ରନର ପାଳି ପରେ କୋହଲି ଏହି ବିଶ୍ବକପ୍‌ରେ ୨ ଶତକ ଓ ୫ ଅର୍ଦ୍ଧଶତକୀୟ ପାଳି ସହ ୫୯୪ ରନ କରିଛନ୍ତି । ୫୯୧ ରନ ସହିତ ଏହି ତାଲିକାର ଦ୍ବତୀୟରେ ଅଛନ୍ତି ଦକ୍ଷିଣ ଆଫ୍ରିକୀୟ ୱିକେଟ୍‌କିପର-ବ୍ୟାଟର କ୍ବିଣ୍ଟନ ଡିକକ୍‌ । ପ୍ରତି ମ୍ୟାଚ୍‌ରେ ବଡ଼ ପାଳି ଖେଳିବା ସହ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି କୋହଲି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ନିଜ କ୍ୟାରିୟରର ୪୯ତମ ଦିନିକିଆ ଶତକ ହାସଲ କରି ସେ ସଚିନଙ୍କ ସମକକ୍ଷ ମଧ୍ୟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.