ETV Bharat / sports

Cricket World Cup 2023: ଫ୍ୟାନ୍ସଙ୍କ ଦାବି ଶୁଣିଲେ ରୋହିତ, ବ୍ୟାଟିଂ ପରେ ବୋଲିଂରେ କମାଲ କଲେ ରୋହିତ-ବିରାଟ

author img

By ETV Bharat Odisha Team

Published : Nov 12, 2023, 10:45 PM IST

ବିଶ୍ବକପ୍‌ ୨୦୨୩ ଶେଷ ଲିଗ୍‌ ମ୍ୟାଚ୍‌ରେ ବ୍ୟାଟିଂ ପରେ ବୋଲିଂରେ କମାଲ କଲେ ରୋହିତ ଶର୍ମା ଓ ବିରାଟ କୋହଲି । ବ୍ୟାଟିଂ କରି ଅର୍ଦ୍ଧଶତକୀୟ ପାଳି ପରେ ବୋଲିଂ କରି ହାସଲ କଲେ ୱିକେଟ୍‌ । ଅଧିକ ପଢ଼ନ୍ତୁ

ବ୍ୟାଟିଂ ପରେ ବୋଲିଂରେ କମାଲ କଲେ ରୋହିତ-ବିରାଟ
ବ୍ୟାଟିଂ ପରେ ବୋଲିଂରେ କମାଲ କଲେ ରୋହିତ-ବିରାଟ

ବେଙ୍ଗାଲୁରୁ: ବିଶ୍ବକପ୍‌ ୨୦୨୩ ଲିଗ୍‌ ପର୍ଯ୍ୟାୟରେ ଏକମାତ୍ର ଅପରାଜେୟ ଦଳ ଭାବେ ଅଭିଯାନ ଶେଷ କରିଛି ଭାରତ । ଶେଷ ଲିଗ୍‌ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡକୁ ୧୬୦ ରନ୍‌ରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ । ତେବେ ଭାରତ ମ୍ୟାଚ୍‌ ଖେଳିଥିବା ପ୍ରାୟ ସବୁ ଭେନ୍ୟୁରେ କୋହଲିଙ୍କୁ ବୋଲିଂ ଦେବା ପାଇଁ ପ୍ରଶଂସକ ଦାବି କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ଶେଷ ଲିଗ୍‌ ମ୍ୟାଚ୍‌ରେ ବେଙ୍ଗାଲୁରୁରେ ମଧ୍ୟ ଏହି ଦାବି କରିଥିଲେ ଫ୍ୟାନ୍ସ । ଅଧିନାୟକ ରୋହିତ ଶର୍ମା ମଧ୍ୟ ପ୍ରଶଂସକଙ୍କ ଦାବି ରଖି କୋହଲିଙ୍କୁ ବୋଲିଂ ଦେଇଥିଲେ । କୋହଲି ଏହି ମ୍ୟାଚ୍‌ରେ ୩ ଓଭର ବୋଲିଂ କରି ଗୋଟିଏ ୱିକେଟ୍‌ ମଧ୍ୟ ନେଇଥିଲେ । ଏପରିକି ଅଧିନାୟକ ରୋହିତ ଶର୍ମା ମଧ୍ୟ ବୋଲିଂ କରି ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ ।

ପ୍ରଶଂସକଙ୍କ ଦାବି ଶୁଣିଲେ ରୋହିତ: ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ଦମଦାର ବ୍ୟାଟିଂ କରିଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଶୁଭମନ ଗିଲ୍‌ ଓ ବିରାଟ କୋହଲି ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଏହାପରେ ଶ୍ରେୟସ ଆୟର ଓ କେଏଲ୍‌ ରାହୁଲ ବିସ୍ଫୋରକ ବ୍ୟାଟିଂ କରି ନିଜ ନିଜର ଶତକ ଅର୍ଜନ କରିଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୪ ୱିକେଟ୍‌ ହରାଇ ୪୧୦ ରନ ସଂଗ୍ରହ କରିଥିଲା । ବିଜୟ ପାଇଁ ୪୧୧ ରନର ବିଶାଳ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ନେଦରଲ୍ୟାଣ୍ଡ । ଭାରତର ବୋଲିଂ ସମୟରେ ଚିନ୍ନାସ୍ବାମୀର ଦର୍ଶକ ଏକସ୍ବରରେ କୋହଲିଙ୍କୁ ବୋଲିଂ ଦେବାକୁ ନାରା ଦେଇଥିଲେ । ପ୍ରଶଂସକଙ୍କ ଦାବି ଅଧିନାୟକ ରୋହିତ ଶର୍ମାଙ୍କ କାନରେ ମଧ୍ୟ ପଡ଼ିଥିଲା । ୨୩ତମ ଓଭରରେ ବିରାଟଙ୍କୁ ବୋଲିଂ ଦେଇଥିଲେ ରୋହିତ ।

୯ ବର୍ଷ ପରେ କୋହିଲଙ୍କୁ ୱିକେଟ୍‌: ବିରାଟ ଠିକଠାକ୍‌ ବୋଲିଂ ଆରମ୍ଭ କରିଥିଲେ । ପ୍ରଥମ ଓଭରରେ ସେ ୭ ରନ ବ୍ୟୟ କରିଥିଲେ । ଦ୍ବିତୀୟ ଓଭର୍‌ ବୋଲିଂ କରିବାକୁ ଆସି ତୃତୀୟ ବଲରେ ସେ ନେଦରଲ୍ୟାଣ୍ଡ ଅଧିନାୟକ ସ୍କଟ୍‌ ଏଡୱାର୍ଡ୍ସ(୧୭)ଙ୍କୁ ଆଉଟ କରିଦେଇଥିଲେ । ସେ ଲେଗ୍‌ ସାଇଡ୍‌ରେ ଏକ ବଲ ପକାଇଥିଲେ । ଏଡୱାର୍ଡ୍ସ ସିଙ୍ଗିଲ୍‌ ନେବାକୁ ଚେଷ୍ଟା କରି ୱିକେଟକିପର କେଏଲ୍‌ ରାହୁଲଙ୍କ ହାତରେ ଧରା ପଡ଼ିଥିଲେ । ବିରାଟ ଆଜି ସମୁଦାୟ ୩ ଓଭର ବୋଲିଂ କରିଥିବାବେଳେ ୧୩ ରନ ବ୍ୟୟ କରି ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଲଢ଼େଇ କରି ୨୫୦ରେ ଅଟକିଲା ନେଦରଲ୍ୟାଣ୍ଡ, ଲିଗ୍‌ ପର୍ଯ୍ୟାୟରେ ଭାରତ ଅପରାଜେୟ

୧୧ ବର୍ଷ ପରେ ରୋହିତ୍‌ ଶର୍ମାଙ୍କୁ ୱିକେଟ୍‌: କୋହଲିଙ୍କ ପରେ ଶୁଭମନ ଗିଲ୍‌ ଓ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବୋଲିଂ କରିଥିଲେ । ତେବେ ୪୮ତମ ଓଭରରେ ବୋଲିଂ କରିବାକୁ ନିଜେ ଆସିଥିଲେ ଅଧିନାୟକ ରୋହିତ । ସେତେବେଳକୁ ୪୭ ଓଭରରେ ନେଦରଲ୍ୟାଣ୍ଡ ୨୪୩ ରନ୍‌ କରି ୯ ୱିକେଟ୍‌ ହରାଇ ସାରିଥିଲା । ଏହି ଓଭରର ୪ର୍ଥ ବଲରେ ନିଦାମାନୁରୁ ରୋହିତଙ୍କ ବଲରେ ଏକ ବଡ଼ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ହେଲେ ୫ମ ବଲରେ ରୋହିତ ତାଙ୍କୁ ଆଉଟ୍‌ କରି ନେଦରଲ୍ୟାଣ୍ଡର ଖେଳ ଶେଷ କରିଦେଇଥିଲେ । ଏହା ସହିତ ଭାରତ ଶେଷ ଲିଗ୍‌ ମ୍ୟାଚ୍‌କୁ ୧୬୦ ରନ୍‌ରେ ଜିତିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.