ETV Bharat / sports

Cricket World Cup 2023: ୱାଙ୍ଖେଡେ ଷ୍ଟାଡିୟମରେ ସଚିନଙ୍କ ପ୍ରତିମୂର୍ତ୍ତି, ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ହେବ ଅନାବରଣ

author img

By ETV Bharat Odisha Team

Published : Oct 20, 2023, 5:01 PM IST

ଆସନ୍ତା ନଭେମ୍ବର ୨ ତାରିଖରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କାକୁ ଭେଟିବ ଭାରତ । ତେବେ ଏହା ପୂର୍ବଦିନ, ଅର୍ଥାତ ନଭେମ୍ବର ୧ରେ ଏଠାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ (ଏମ୍‌ସିଏ) । ଅଧିକ ପଢ଼ନ୍ତୁ

ୱାଙ୍ଖେଡେ ଷ୍ଟାଡିୟମରେ ସଚିନଙ୍କ ପ୍ରତିମୂର୍ତ୍ତି
ୱାଙ୍ଖେଡେ ଷ୍ଟାଡିୟମରେ ସଚିନଙ୍କ ପ୍ରତିମୂର୍ତ୍ତି

ମୁମ୍ବାଇ: ମହାନ କ୍ରିକେଟର୍‌ ସଚିନ ତେନ୍ଦୁଲକର କେବଳ ଭାରତରେ ନୁହେଁ, ସାରା ବିଶ୍ବରେ ପ୍ରାୟ ସମସ୍ତ ଷ୍ଟାଡିୟମରେ ଅନେକ ରେକର୍ଡ କରିଯାଇଛନ୍ତି । ହେଲେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ ସହ ତାଙ୍କର ରହିଛି ଏକ ସ୍ବତନ୍ତ୍ର ସମ୍ପର୍କ । ଯେତେବେଳେ ବି ଏହି ଷ୍ଟାଡିୟମରେ ସଚିନ ଖେଳନ୍ତି, ଏହା ସବୁବେଳେ ତାଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ । ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ 'ଭାରତ ରତ୍ନ' ସମ୍ମାନରେ ସମ୍ମାନୀତ ଏହି ମହାନ କ୍ରିକେଟରଙ୍କର ହୋମ୍‌ଗ୍ରାଉଣ୍ଡ ହେଉଛି ୱାଙ୍ଖେଡେ । ସଚିନ ରମେଶ ତେନ୍ଦୁଲକରଙ୍କ ନାମରେ ଏହି ଷ୍ଟାଡିୟମରେ ଏକ ଷ୍ଟାଣ୍ଡ ମଧ୍ୟ ରହିଛି । ବର୍ତ୍ତମାନ ସଚିନ ତେନ୍ଦୁଲକର ଷ୍ଟାଣ୍ଡ ନିକଟରେ ଏହି ମହାନ କ୍ରିକେଟରଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରୁଛି ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌ (ଏମ୍‌ସିଏ) । ଏହି ପ୍ରତିମୂର୍ତ୍ତି ଆସନ୍ତା ନଭେମ୍ବର ୧ରେ ଉନ୍ମୋଚନ ହେବ ।

ଜାରି ରହିଥିବା ବିଶ୍ବକପ୍‌ ୨୦୨୩ ଲିଗ୍‌ ପର୍ଯ୍ୟାୟରେ ଆସନ୍ତା ନଭେମ୍ବର ୨ ତାରିଖରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କାକୁ ଭେଟିବ ଟିମ୍‌ ଇଣ୍ଡିଆ । ତେବେ ଏହି ମ୍ୟାଚ୍‌ ପୂର୍ବଦିନ ଅର୍ଥାତ ନଭେମ୍ବର ୧ ତାରିଖରେ ଏଠାରେ ରହିଥିବା ସଚିନ ରମେଶ ତେନ୍ଦୁଲକର ଷ୍ଟାଣ୍ଡ ନିକଟରେ ଏହି ମହାନ କ୍ରିକେଟରଙ୍କର ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯିବ । ଏନେଇ ଏମ୍‌ସିଏ ସଭାପତି ଆମୋଲ କାଲେ ଶୁକ୍ରବାର ଦିନ ‘ଇଟିଭି ଭାରତ’କୁ ସୂଚନା ଦେଇଛନ୍ତି । ଏପରିକି ଏହି ଉଦ୍‌ଘାଟନୀ ସମାରୋହରେ ତେନ୍ଦୁଲକର ନିଜେ ଉପସ୍ଥିତ ରହିବେ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଚୂଡ଼ାନ୍ତ ହୋଇଥିବା କାଲେ କହିଛନ୍ତି । ବର୍ତ୍ତମାନ ବିଶ୍ବକପ୍‌ ଖେଳୁଥିବା ଭାରତୀୟ କ୍ରିକେଟ ଦଳର ସମସ୍ତ ସଦସ୍ୟ ଓ ସପୋର୍ଟ ଷ୍ଟାଫ୍‌ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି । ଚଳିତ ବର୍ଷ ୫୦ ବର୍ଷ ବୟସରେ ପାଦ ଦେଇଥିବା ସଚିନ ତେନ୍ଦୁଲକରଙ୍କୁ ସମ୍ମାନିତ କରିବାକୁ ପୂର୍ବରୁ ମହାରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ନିଷ୍ପତ୍ତି ନେଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ଅନ୍ତର୍ଜାତୀୟ କ୍ରିକେଟରେ ସଂଗ୍ରହ କଲେ ଦ୍ରୁତତମ 26K ରନ୍‌

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଜେ ମୁମ୍ବାଇର ବାସିନ୍ଦା । ସେ ବାନ୍ଦ୍ରା ସହର ଉପାନ୍ତ ସାହିତ୍ୟ ସହୱାସରେ ବଢ଼ିଥିଲେ । କେନ୍ଦ୍ରୀୟ ମୁମ୍ବାଇର ଦାଦାର ଶିବାଜୀ ପାର୍କରେ ତାଙ୍କ ପ୍ରଶିକ୍ଷକ ସ୍ବର୍ଗତ ରମାକାନ୍ତ ଅଚ୍ରେକରଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ । ତେନ୍ଦୁଲକର ବିଶ୍ବର ସମସ୍ତ ଷ୍ଟାଡିୟମରେ ବିପକ୍ଷ ଦଳର ବୋଲିଂ ବିଭାଗକୁ ଭରପୁର ଆକ୍ରମଣ କରୁଥିଲେ, ହେଲେ ନିଜ ଘରୋଇ ଷ୍ଟାଡିୟମରେ ଘରୋଇ ଦର୍ଶକଙ୍କ ଆଗରେ ବିପକ୍ଷ ବୋଲରଙ୍କୁ ଆକ୍ରମଣ କରିବା ଏହି ମହାନ କ୍ରିକେଟରଙ୍କ ପାଇଁ ସ୍ବତନ୍ତ୍ର ଥିଲା । ଏହି କିମ୍ବଦନ୍ତୀ କ୍ରିକେଟରଙ୍କ କ୍ରିକେଟ ଜୀବନର ସବୁଠାରୁ ବଡ଼ ମୁହୂର୍ତ୍ତ ମଧ୍ୟ ଏହି ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା, ଯେତେବେଳେ ଏପ୍ରିଲ ୨, ୨୦୧୧ରେ ଶ୍ରୀଲଙ୍କାକୁ ହରାଇ ବିଶ୍ବକପ୍‌ ଟ୍ରଫି ହାତେଇଥିଲା ଭାରତ । ଏପରିକି ନଭେମ୍ବର ୨୦୧୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟେଷ୍ଟ ଖେଳି ଏହି ୱାଙ୍ଖେଡେ ଷ୍ଟାଡିୟମରେ ନିଜ ଖେଳ ଜୀବନରୁ ଅବ୍ୟାହତି ନେଇଥିଲେ ସଚିନ ତେନ୍ଦୁଲକର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.