ETV Bharat / sports

Cricket World Cup 2023: ଗିଲ୍‌ଙ୍କୁ ଜ୍ବର, ବିକଳ୍ପ କିଏ ? ଟିମ୍‌ ଇଣ୍ଡିଆରେ ଏମିତି ରହିଛି ବ୍ୟାଟିଂ ଓ ବୋଲିଂ ଲାଇନ୍‌ ଅପ୍‌

author img

By ETV Bharat Odisha Team

Published : Oct 6, 2023, 7:40 PM IST

ଭାରତ ବିଶ୍ବକପ୍‌ ୨୦୨୩ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଦଳର ଷ୍ଟାର ବ୍ୟାଟର ଶୁଭମନ ଗିଲ୍‌ ଜ୍ବରରେ ପୀଡ଼ିତ ହୋଇଛନ୍ତି । ଯାହା ଦଳକୁ ଅନେକ କ୍ଷତି ପହଞ୍ଚାଇପାରେ । ତେବେ ସେ ଏବେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦଳରୁ ବାଦ ପଡ଼ିନାହାନ୍ତି । ଭାରତର ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଜାଣନ୍ତୁ କଣ ରହିଛି ଦଳରେ ସ୍ପେଶାଲ । ଅଧିକ ପଢ଼ନ୍ତୁ

ଟିମ୍‌ ଇଣ୍ଡିଆରେ ଏମିତି ରହିଛି ବ୍ୟାଟିଂ ଓ ବୋଲିଂ ଲାଇନ୍‌ ଅପ୍‌
ଟିମ୍‌ ଇଣ୍ଡିଆରେ ଏମିତି ରହିଛି ବ୍ୟାଟିଂ ଓ ବୋଲିଂ ଲାଇନ୍‌ ଅପ୍‌

ହାଇଦ୍ରାବାଦ: ଆରମ୍ଭ ହୋଇଯାଇଛି ବିଶ୍ବ କ୍ରିକେଟ୍‌ର ମହାକୁମ୍ଭ ବିଶ୍ବକପ୍‌ ୨୦୨୩ । ଉଦ୍‌ଘାଟନୀ ମ୍ୟାଚ୍‌ରେ ବିଗତ ସଂସ୍କରଣର ବିଜେତା ଇଂଲଣ୍ଡକୁ ହରାଇ ବିପକ୍ଷ ଦଳ ଗୁଡ଼ିକୁ କଡ଼ା ସନ୍ଦେଶ ଦେଇଛି ନ୍ୟୁଜିଲାଣ୍ଡ । ତେବେ ଚଳିତ ସିଜନ୍‌ରେ ଟିମ୍‌ ଇଣ୍ଡିଆ ପାଇଁ ମାଷ୍ଟର ଷ୍ଟ୍ରାଇକର ତଥା ଯୁବ ତାରକା ଶୁଭମନ ଗିଲ୍‌ଙ୍କୁ ନେଇ ଚିନ୍ତାରେ ଟିମ୍‌ ମ୍ୟାନେଜ୍‌ମେଣ୍ଟ । ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷ ଭାରତର ପ୍ରଥମ ବିଶ୍ବକପ୍ ମ୍ୟାଚ୍‌ ପୂର୍ବରୁ ଜ୍ବରରେ ପୀଡିତ ହୋଇଛନ୍ତି ଗିଲ୍‌ । ଯଦିଓ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବକପ୍‌ ଦଳରୁ ସମ୍ପୂର୍ଣ୍ଣ ଭାବେ ବାଦ୍‌ ଦେଇନାହିଁ, ଆସନ୍ତାକାଲି ତାଙ୍କର ଉପସ୍ଥିତି ନେଇ ଅଧିକ ସ୍ପଷ୍ଟ ହୋଇପାରିବ । ଏଭଳି ସ୍ଥିତିରେ ଯଦି ସେ ସମ୍ପୂର୍ଣ୍ଣ ସିରିଜ୍‌ ପାଇଁ ଅନୁପସ୍ଥିତ ରୁହନ୍ତି, ତେବେ ଚୂଡ଼ାନ୍ତ ଏକାଦଶରେ ତାଙ୍କ ସ୍ଥାନ କିଏ ନେବ, ସେନେଇ ଆଲୋଚନା ଆରମ୍ଭ ହୋଇଯାଇଛି ।

ସୂର୍ଯ୍ୟକୁମାର ଯାଦବ ପ୍ରସ୍ତୁତ !

ଚଳିତ ବର୍ଷ ଭାରତ ପାଇଁ ଅଧିକାଂଶ ମ୍ୟାଚ୍‌ରେ ନିଜ ଶ୍ରେଷ୍ଠ ଫର୍ମରେ ରହିଛନ୍ତି ଗିଲ୍ । ଯଦି ଏଭଳି ପରିସ୍ଥିତିରେ ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତି, ଏବଂ ଏହି ଭାଇରାଲ ଫିଭର ତାଙ୍କର କୌଣସି ଶକ୍ତି ବା ସାମର୍ଥ୍ୟରେ କ୍ଷତି ନଘଟାଇପାରେ, ତେବେ ସେ ଦଳରେ ରହିବାର ସମ୍ଭାବନା ରହିଛି । କିନ୍ତୁ ଯଦି ସେ ଶୀଘ୍ର ସୁସ୍ଥ ହୋଇନପାରନ୍ତି, ତେବେ ଦଳରେ ତାଙ୍କ ସ୍ଥାନ ନେବାକୁ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ । ବର୍ତ୍ତମାନ ପରିସ୍ଥିତିରେ ସୂର୍ଯ୍ୟ କୁମାର ଯାଦବ ତାଙ୍କ ଶ୍ରେଷ୍ଠ ଫର୍ମରେ ରହିଛନ୍ତି । ଏହା ସହିତ ଭାରତୀୟ ଦଳର ବ୍ୟାଟିଂ ବିଭାଗରେ ଶୀର୍ଷ ବା ମଧ୍ୟକ୍ରମରେ ଏଭଳି ସମସ୍ୟା ରହିଛି, ଯାହା ସୂର୍ଯ୍ୟକୁମାର ଦୂର କରିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଜାଣନ୍ତୁ ଟିମ୍‌ ଇଣ୍ଡିଆର ସାମର୍ଥ୍ୟ ଓ ଦୁର୍ବଳତା

କ୍ରିକେଟ୍‌ର ସମସ୍ତ ଫର୍ମାଟ୍‌ରେ ନଂ ୧ ରହିବା ହେଉ, ନିକଟରେ ଏସିଆ କପ୍‌ ଚମ୍ପିଆନ୍‌ ହେବା ହେଉ ବା ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳା ବିଜୟ ହେଉ, ଦଳକୁ ବିଶ୍ବକପ୍‌ ଜିତିବା ପାଇଁ ଏସବୁ ବେଶ ପ୍ରେରଣା ଯୋଗାଇବ । ବାସ୍ତବରେ ଏଥର ଘରୋଇ ମାଟିରେ ବିଶ୍ବକପ୍‌ ଟ୍ରଫି ହାତେଇବା ପାଇଁ ଦଳ ପାଖରେ ମାର୍ଗଦର୍ଶକ ଭାବେ ରହିଛନ୍ତି ଅଧିନାୟକ ତଥା ଅଭିଜ୍ଞ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଏବଂ ଶତକ ଭୋକିଲା, ଫିଟ୍‌ନେସ୍ କିଙ୍ଗ୍‌ ଏବଂ ବ୍ୟାଟିଂ ମାଷ୍ଟ୍ରୋ ବିରାଟ କୋହଲି । କିନ୍ତୁ ଯେପରି ପ୍ରତ୍ୟେକ ଭଲ ବସ୍ତୁ ପଛରେ ଏକ ଛାଇ ରହିଥାଏ, ସେପରି ଭାରତ ପାଇଁ ମଧ୍ୟ ଏକ ଚିନ୍ତା ହେଉଛି ଦଳର ମଧ୍ୟକ୍ରମ ବ୍ୟାଟିଂ । ଯଦିଓ ଦଳର ବ୍ୟାଟିଂ ଲାଇନ୍‌ଅପ୍ ଶକ୍ତିଶାଳୀ ଏବଂ ୭ମ ସ୍ଥାନ ପର୍ଯ୍ୟନ୍ତ ଖେଳାଳିଙ୍କର ବ୍ୟାଟିଂ କରିବାର କ୍ଷମତା ରହିଛି, ହେଲେ ଜାଡେଜାଙ୍କ ପରେ କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ ଏବଂ ଯଶପ୍ରୀତ ବୁମ୍‌ରାଙ୍କ ଭଳି ଖେଳାଳି ବ୍ୟାଟିଂ ପାଇଁ ସେତେ ପ୍ରସ୍ତୁତ ନଥାନ୍ତି, ଯେତେବେଳେ ଦଳ ସେମାନଙ୍କୁ ଆବଶ୍ୟକତା କରିଥାଏ ।

ଟିମ୍‌ ଇଣ୍ଡିଆର ବିଭିନ୍ନ ସାମର୍ଥ୍ୟ ଉପରେ ନଜର ପକାନ୍ତୁ :

(୧) ବ୍ୟାଟିଂ ଲାଇନ୍‌ ଅପ୍‌:

ବିରାଟ କୋହଲି- କୋହଲି ହୁଏତ ପାକିସ୍ତାନର ବାବର ଆଜାମଙ୍କ ଫର୍ମ ତୁଳନାରେ କିଛି ମାତ୍ରାରେ ପଛରେ ରହିଛନ୍ତି, କିନ୍ତୁ ତାଙ୍କର ବ୍ୟାଟ୍‌ ଏଥର ବିଶ୍ବକପ୍‌ରେ ବିସ୍ଫୋରଣ କରିବାକୁ ଅପେକ୍ଷା କରିଛି । ତାଙ୍କର ଉଭୟ ଫିଟନେସ୍ ଏବଂ ରନ୍‌ ସ୍କୋର କରିବାର ଭୋକ ରହିଛି । ଫିଟନେସ୍ ହେଉଛି ତାଙ୍କର ବଡ଼ ଅସ୍ତ୍ର, ଯାହା ତାଙ୍କ ନିଜର ଆଇଡଲ୍‌ ସଚିନ୍ ତେନ୍ଦୁଲକରଙ୍କ ଶତକୀୟ ସଂଖ୍ୟାକୁ ଟପିବାକୁ ଚାହୁଁଛି । ସେ ବର୍ତ୍ତମାନ ସଚିନଙ୍କ ଠାରୁ ସବୁ କ୍ଷେତ୍ରରେ ଦୁଇଗୁଣ ଆଗରେ ଅଛନ୍ତି । ଏହା ଏଥର ବିଶ୍ବକପ୍‌ରେ ତାଙ୍କୁ ତେନ୍ଦୁଲକରଙ୍କ ଅନେକ ରେକର୍ଡ ଭାଙ୍ଗିବାରେ ସାହାଯ୍ୟ କରିବ ।

ରୋହିତ ଶର୍ମା- ପୁଲ୍‌, କଟ୍‌, ସ୍ଲାସ୍‌, ଲବ୍‌ ଏବଂ ବୋଲରଙ୍କ ମୁଣ୍ଡ ଉପରେ ବଲକୁ ଷ୍ଟାଣ୍ଡ୍‌କୁ ପଠାଇବାରେ ସିଦ୍ଧହସ୍ତ ହେଉଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ବିଶ୍ବ କ୍ରିକେଟ୍‌ରେ ତାଙ୍କୁ ଶ୍ରେଷ୍ଠ ବ୍ୟାଟରଙ୍କ ମଧ୍ୟରେ ସ୍ଥାନ ମିଳିଛି । କୌଣସି ଦଳର ଘାତକ ପେସ୍‌ ବୋଲିଂ ପାଖରେ ତାଙ୍କୁ ପାଭିଲିୟନ୍‌ ଫେରାଇବାର କ୍ଷମତା ରହିଛି, କିନ୍ତୁ ତାଙ୍କର ମାଷ୍ଟରଫୁଲ୍ ଷ୍ଟ୍ରୋକ୍‌ ଗୁଡିକ ଦଳୀୟ ସ୍କୋରକାର୍ଡକୁ ଦ୍ରୁତଗତିରେ ଆଗକୁ ବଢ଼ାଇବାର କ୍ଷମତା ରଖିଛି ।

ଶୁଭମନ ଗିଲ୍‌- ବର୍ତ୍ତମାନ ଭାରତୀୟ କ୍ରିକେଟ୍‌ର ଭବିଷ୍ୟତ ଭାବେ ଆସୁଥିବା ପ୍ରଥମ ନାଁ ହେଉଛି ଶୁଭମନ ଗିଲ୍‌ । ତାଙ୍କର ନିକଟରେ ପ୍ରଦର୍ଶନ ଗୁଡ଼ିକୁ ବିଚାରକୁ ନେଲେ ସେ ଏଥର ବିଶ୍ବକପ୍‌ରେ ଭାରତ ପାଇଁ ଜଣେ କି-ପ୍ଲେୟର ଭାବେ ଉଭା ହୋଇପାରିବେ ବୋଲି କୁହାଯାଇପାରେ । କ୍ରମାଗତ ସ୍ଥିର ପ୍ରଦର୍ଶନ ତାଙ୍କୁ ଭାରତୀୟ ନିର୍ଭରଶୀଳ ବ୍ୟାଟିଂ-ଲାଇନ୍‌ ଅପ୍‌ର ଶୀର୍ଷକୁ ଆଣିପାରିଛି ।

ସୂର୍ଯ୍ୟକୁମାର ଯାଦବ- ଭାରତୀୟ ଦଳରେ ରହିଥିବା ଏହି ଶକ୍ତିଶାଳୀ ବ୍ୟାଟର୍‌ ଯଦିଓ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାର ସମ୍ଭାବନା କ୍ଷୀଣ, ହେଲେ ବଡ଼ ବଡ଼ ସଟ୍‌ ଖେଳିବାରେ ସେ ବେଶ ଦକ୍ଷ । ସେ ଯେତେବେଳେ ବୋଲରମାନଙ୍କୁ ଆକ୍ରମଣ ଆରମ୍ଭ କରିଥାନ୍ତି, ସେତେବେଳେ ଅତି ଆଶ୍ଚର୍ଯ୍ୟଜନକ ସଟ୍‌ ଖେଳି ଦଳୀୟ ଖାତାରେ ଛକା ଓ ଚୌକା ଯୋଡ଼ିଥାନ୍ତି । ଅଧିକାଂଶ ସମୟରେ ସେ ଦଳ ପାଇଁ ବହୁତ ଅଳ୍ପ ବଲରୁ ଅଧିକ ରନ୍‌ ସଂଗ୍ରହ କରିଥିବାର ଦେଖିବାକୁ ମିଳିଥାଏ ।

କେଏଲ୍‌ ରାହୁଲ- ଆହତ କାରଣରୁ ଦୀର୍ଘ ଦିନ ଦଳରୁ ଦୂରେଇ ରହିବା ପରେ ରାହୁଲ ପୂର୍ବ ଅପେକ୍ଷା ବେଶ ଶକ୍ତିଶାଳୀ ଢଙ୍ଗରେ ଦଳକୁ ଫେରିଛନ୍ତି । ଏସିଆ କପ୍‌ରେ ମଧ୍ୟ ତାଙ୍କର ଫର୍ମରୁ ଏହା ସ୍ପଷ୍ଟ ଜଣାପଡ଼ୁଥିଲା । ସେ ମଧ୍ୟ ଏକ ଦଳ ପାଇଁ ରନ୍‌ ମେସିନ୍‌ ସାବ୍ୟସ୍ତ ହୋଇପାରନ୍ତି ଏବଂ ବର୍ତ୍ତମାନର ଫର୍ମକୁ ତାଙ୍କର ନିରବଚ୍ଛିନ୍ନ ପ୍ରତ୍ୟାବର୍ତ୍ତନ ଦଳର ଆଇସିସି ଟ୍ରଫି ସ୍ବପ୍ନକୁ ଦ୍ବିଗୁଣିତ କରିଦେଇଛି ।

ଶ୍ରେୟସ ଆୟର- ଯଦିଓ ଗିଲ୍‌ଙ୍କ ଭଳି ଆକ୍ରମଣାତ୍ମକ ନୁହନ୍ତି, ହେଲେ ଦୀର୍ଘଦିନରୁ ଟିମ୍‌ ଇଣ୍ଡିଆ ଖୋଜୁଥିବା ମିଡିଲ ଅର୍ଡରରେ ଦଳର ମେରୁଦଣ୍ଡ ସାବ୍ୟସ୍ତ ହୋଇପାରନ୍ତି ଶ୍ରେୟସ ଆୟର । ତେବେ ଏଥର ପ୍ରଥମ ଥର ପାଇଁ ଏହି ଯୁବ ତାରକାଙ୍କର ଭାଗ୍ୟ ବିଶ୍ବକପ୍‌ ପରି ଏକ ବଡ଼ ଷ୍ଟେଜ୍‌ରେ ହେବାକୁ ଯାଉଛି ।

ରବିନ୍ଦ୍ର ଜାଡେଜା- ଭାରତୀୟ ଦଳର ସମସ୍ତ ବିଭାଗ ବୋଲିଂ, ବ୍ୟାଟିଂ ଏବଂ ଫିଲ୍ଡିଂରେ ଅନେକ ଜାଡେଜା ସିଦ୍ଧହସ୍ତ ଅଟନ୍ତି । ପ୍ରାୟତଃ ଦଳର ପୂର୍ବତନ ଅଧିନାୟକ ଏମ୍‌ଏସ୍‌ ଧୋନୀ ୱିକେଟ୍‌ ପଛରେ ରହିଥିବା ସମୟରେ ଯେତେବେଳେ ଜାଡେଜାଙ୍କ ହାତକୁ ବଲ ଆସେ, ଉଭୟ ଯୋଜନାବଦ୍ଧ ଭାବେ ବିପକ୍ଷ ଦଳର ୱିକେଟ ଖସାଇଥାନ୍ତି । ଯଦିଓ ଧୋନୀଙ୍କ ପରେ ସେ ନିଜର ଦବଦବା ଜାରି ରଖିଥିଲେ, ହେଲେ ଏବେ ତାଙ୍କର ପ୍ରଦର୍ଶନ ପୂର୍ବ ଅପେକ୍ଷା ଟିକିଏ ଧିମା ହୋଇଯାଇଥିବା ପରି ମନେ ହେଉଛି । ସମସ୍ତ ଦୃଷ୍ଟିରୁ ଏହା ତାଙ୍କର ଶେଷ ବିଶ୍ବକପ୍‌ ହୋଇପାରେ । ତେଣୁ ସେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚେଷ୍ଟା କରିବେ ।

ହାର୍ଦ୍ଦିକ ପାଣ୍ଡ୍ୟା- ଏହି ଅଲରାଉଣ୍ଡରଙ୍କ କ୍ରିକେଟ୍‌ କ୍ୟାରିୟରରେ ଟର୍ଣ୍ଣିଂ ପଏଣ୍ଟ ରହିଥିଲା ତାଙ୍କର ଆହତ ହେବା । ଏହାପରେ ବୋଧହୁଏ ସମସ୍ତେ ଭାବିଥିଲେ ସେହିଠାରେ ହିଁ ତାଙ୍କ କ୍ରିକେଟ୍‌ କ୍ୟାରିୟର ଶେଷ ହୋଇଯିବ । ହେଲେ ସୁସ୍ଥ ହୋଇ ଫେରିବା ପରେ ତାଙ୍କ ପ୍ରଦର୍ଶନରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଭାରତୀୟ ଦଳର ସେ ହେଉଛନ୍ତି ଶ୍ରେଷ୍ଠ ଅଲରାଉଣ୍ଡର । ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ସମୟରେ ୱିକେଟ୍‌ ହାସଲ କରିବା ହେଉ ବା କଠିନ ପରିସ୍ଥିତିରେ ବ୍ୟାଟିଂ କରି ଦଳୀୟ ସ୍କୋରବୋର୍ଡକୁ ଆଗକୁ ଆଗେଇନେବା, ସବୁଥିରେ ଆଗରେ ରହିଥାନ୍ତି ପାଣ୍ଡ୍ୟା । ଯେଉଁ କାରଣରୁ ରୋହିତ ଶର୍ମାଙ୍କ ପରେ ପାଣ୍ଡ୍ୟାଙ୍କୁ ଭାରତର ଅଧିନାୟକ ଭାବେ ଦେଖିବାକୁ ମଧ୍ୟ ମିଳିପାରେ ।

(୨) ପେସ୍‌ ବୋଲିଂ ଆଟାକ୍‌:

ଯଶପ୍ରୀତ ବୁମ୍‌ରା- ଭାରତୀୟ ଦଳର ପ୍ରଥମ ଓଭର ୱିକେଟ୍‌-ଟେକର୍‌ ଭାବେ ଜଣାଶୁଣା ବୁମ୍‌ରା ଦୀର୍ଘ ୬ ମାସ ଆହତଜନିତ ସମସ୍ୟାରେ ରହିବା ପରେ ଦଳକୁ ଫେରିଛନ୍ତି । ପାଳି ଆରମ୍ଭ କରୁଥିବା ବ୍ୟାଟର ସବୁବେଳେ ବୁମ୍‌ରାଙ୍କ ବଲକୁ ସାମ୍ନା କରିବାକୁ ପଛଘୁଞ୍ଚା ଦେବାପରି ଦେଖାଯାଏ । ବୁମ୍‌ରା ଦଳକୁ ପାଳି ଆରମ୍ଭରୁ ହିଁ ୱିକେଟ୍‌ ଦେବା ଆରମ୍ଭ କରିଥାନ୍ତି ।

ମହମ୍ମଦ ସିରାଜ- ଆଇସିସି ନଂ ୧ ବୋଲର ମହମ୍ମଦ ସିରାଜ ଶ୍ରୀଲଙ୍କା ବିପକ୍ଷ ଏସିଆ କପ୍‌ ଫାଇନାଲ୍‌ରେ ନିଜର ଶକ୍ତି ଦେଖାଇ ସାରିଛନ୍ତି । ଏହି ହାଇଦ୍ରାବାଦୀ ପେସର ନିଜ କ୍ରିକେଟ୍‌ କ୍ୟାରିୟରର ପ୍ରଥମ ବିଶ୍ବକପ୍‌ ଖେଳିବାକୁ ଯାଉଛନ୍ତି । ବୁମ୍‌ରାଙ୍କ ପରେ ଭାରତୀୟ ଦଳର ପ୍ରଥମ ପସନ୍ଦ ପେସର୍‌ ହେଉଛନ୍ତି ସିରାଜ, ଯାହାଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ମହମ୍ମଦ ସାମି- ନିଜ ବୋଲିଂରେ ଅଧିକ ରନ୍‌ ବ୍ୟୟ କରୁଥିବା ସାମିଙ୍କ ନିକଟରେ ୱିକେଟ୍‌ ନେବାର କ୍ଷମତା ମଧ୍ୟ ରହିଛି । ଦଳକୁ କଠିନ ପରିସ୍ଥିତିରେ ୱିକେଟ୍‌ ହାସଲ କରି ଦେବାର ଅଭିଜ୍ଞତା ସହ ଏଥର ବିଶ୍ବକପ୍‌ ମୈଦାନକୁ ଓହ୍ଲାଇବେ ମହମ୍ମଦ ସାମି । ତେବେ କ୍ୟାରିୟରର ପ୍ରଥମ ବିଶ୍ବକପ୍‌ ଖେଳିବାକୁ ଯାଉଥିବା ଶାର୍ଦ୍ଦୁଲ ଠାକୁରଙ୍କ ଉପରେ ରହିବ ସମସ୍ତଙ୍କ ନଜର ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଅକ୍ଷରଙ୍କ ବାଦ ପଡ଼ିବା ଓ ଅଶ୍ବିନ ଦଳରେ ସାମିଲ ହେବା ନେଇ ଏମିତି କହିଲେ ସନ୍ଦୀପ ପାଟିଲ

(୩) ସ୍ପିନ୍‌ ବିଭାଗ:

ରବିଚନ୍ଦ୍ରନ ଅଶ୍ବିନ- ପ୍ରଥମେ ବିଶ୍ବକପ୍‌ ଦଳରେ ସ୍ଥାନ ନମିଳିନଥିଲେ ମଧ୍ୟ ଅକ୍ଷର ପଟେଲ ଆହତ ହେବା ଓ ହଠାତ ଦଳକୁ ଡକରା ଆସିବା ରବି ଅଶ୍ବିନଙ୍କ ପାଇଁ ଏକ ଚମତ୍କାର ହୋଇପାରେ । ହେଲେ ସେ ନିଜର ଗୁରୁତ୍ବବହନ କରିବେ ଏବଂ ତାଙ୍କର ଅଭିଜ୍ଞତା ଦଳକୁ ବେଶ ସାହାଯ୍ୟ କରିବ । ତାଙ୍କର ୱିକେଟ ହାସଲକାରୀ କ୍ଷମତା ଦଳକୁ ବଡ଼ ଫାଇଦା ଦେଇପାରେ ।

କୁଲଦୀପ ଯାଦବ- ବର୍ତ୍ତମାନ ଭାରତୀୟ ସ୍ପିନ୍‌ ବିଭାଗର ପ୍ରମୁଖ ବୋଲର ହେଉଛନ୍ତି କୁଲଦୀପ ଯାଦବ । ନିକଟରେ ହୋଇଥିବା ମ୍ୟାଚ୍‌ ଗୁଡ଼ିକରେ ସେ ଭାରତ ପାଇଁ ସର୍ବାଧିକ ୱିକେଟ ହାସଲକାରୀ ସ୍ପିନର ରହିଛନ୍ତି । ତାଙ୍କର ବୋଲିଂକୁ ବୁଝିବା ମଧ୍ୟ ବିପକ୍ଷ ବ୍ୟାଟରମାନଙ୍କ ପାଇଁ ସହଜ ହୋଇନଥାଏ । ତେବେ ଉପଯୁକ୍ତ ସମୟରେ ଦଳକୁ ୱିକେଟ୍‌ ଦେବା ଓ ବିପକ୍ଷ ଦଳର ରନ୍‌ ଗତିକୁ ଧିମା କରିବାରେ ସେ ସିଦ୍ଧହସ୍ତ ।

ଦୁର୍ବଳତା: ବ୍ୟାଟିଂ-ବୋଲିଂରେ ସବୁକିଛି ଠିକ୍‌ ଥିଲେ ବି, ଦୁର୍ବଳ ଫିଲ୍ଡଂ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ଏପରିକି ନିକଟରେ ଏସିଆ କପ୍‌ରେ ମଧ୍ୟ ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି । କ୍ୟାଚ୍‌ ଧରିବାରେ ବିଫଳ ହେବା, ବଲକୁ ଅଟକାଇବାରେ ବିଫଳ ଏବଂ ଡାଇଭ୍‌ ମାରିବାରେ ଆଳସ୍ୟତା ରୋହିତ ବାହିନୀ ପାଇଁ ସବୁଠାରୁ ବଡ଼ ଚିନ୍ତାର କାରଣ । ଏପରିକି ଜାଡେଜା ଓ କୋହଲିଙ୍କ ଭଳି ଦକ୍ଷ ଫିଲ୍ଡର ମଧ୍ୟ ନିଜ ପୂର୍ବ ପ୍ରଦର୍ଶନ ଅପେକ୍ଷା ନିମ୍ନମାନର ଫିଲ୍ଡିଂ କରୁଥିବା ଦେଖିବାକୁ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.