ETV Bharat / sports

ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: ବଡ଼ ମ୍ୟାଚ୍‌ରେ ଫେଲ୍‌ ମାରିଲେ ଭାରତୀୟ ୟଙ୍ଗ୍‌ଷ୍ଟାର୍‌, ନିରାଶ କଲେ ଗିଲ୍‌-ଆୟର

author img

By ETV Bharat Odisha Team

Published : Nov 19, 2023, 3:31 PM IST

Cricket World Cup 2023: ଫାଇନାଲ୍‌ ମ୍ୟାଚ୍‌ରେ ଦଳକୁ ନିରାଶ କଲେ ଟିମ୍‌ ଇଣ୍ଡିଆ ଯୁବ ତାରକା ବ୍ୟାଟର ଶୁଭମନ ଗିଲ୍‌ ଓ ଶ୍ରେୟସ ଆୟର । ଅର୍ଦ୍ଧଶତକ ପୂର୍ବରୁ ରୋହିତ ଶର୍ମା ଆଉଟ୍‌ ହେବା ପରେ ପରିସ୍ଥିତିକୁ ସମ୍ଭାଳି ବ୍ୟାଟିଂ କରୁଛନ୍ତି ବିରାଟ କୋହଲି ଓ କେଏଲ୍‌ ରାହୁଲ । ଅଧିକ ପଢ଼ନ୍ତୁ

ବଡ଼ ମ୍ୟାଚ୍‌ରେ ଫେଲ୍‌ ମାରିଲେ ଭାରତୀୟ ୟଙ୍ଗ୍‌ଷ୍ଟାର୍‌
ବଡ଼ ମ୍ୟାଚ୍‌ରେ ଫେଲ୍‌ ମାରିଲେ ଭାରତୀୟ ୟଙ୍ଗ୍‌ଷ୍ଟାର୍‌

ଅହମ୍ମଦାବାଦ: ବିଶ୍ବକପ୍‌ ୨୦୨୩ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରୁଥିବା ଭାରତୀୟ ଯୁବ ଷ୍ଟାର ବ୍ୟାଟରମାନେ ଫାଇନାଲ୍‌ ଭଳି ବଡ଼ ମଞ୍ଚରେ ଫେଲ୍‌ ମାରିଛନ୍ତି । ଅଧିନାୟକ ରୋହିତ ଶର୍ମା ଦଳକୁ ବିସ୍ଫୋରକ ଆରମ୍ଭ ଦେଇଥିଲେ ମଧ୍ୟ ଗିଲ୍‌ ଓ ଆୟର ଦଳକୁ ନିରାଶ କରି ପାଭିଲିୟନ ଫେରିଛନ୍ତି । ସେପଟେ ରୋହିତ ମଧ୍ୟ ଅର୍ଦ୍ଧଶତକ କରିବା ପୂର୍ବରୁ ୪୭ ରନ୍‌ରେ ଆଉଟ୍‌ ହୋଇଯାଇଛନ୍ତି । ଫଳରେ କଠିନ ପରିସ୍ଥିତିରେ ପଡ଼ିଛି ଟିମ୍‌ ଇଣ୍ଡିଆ । ରିପୋର୍ଟ ଲେଖା ହେବାବେଳକୁ ବିରାଟ କୋହଲି ଓ କେଏଲ୍‌ ରାହୁଲ ପରିସ୍ଥିତିକୁ ସମ୍ଭାଳି ବ୍ୟାଟିଂ କରୁଥିଲେ ।

ବିଶ୍ବକପ୍‌ ୨୦୨୩ରେ ଆଜି ଫାଇନାଲ୍‌ ଖେଳୁଛନ୍ତି ଭାରତ ଓ ଅଷ୍ଟ୍ରେଲିଆ । ଟସ୍‌ ଜିତି ପ୍ରଥମେ ଭାରତକୁ ବ୍ୟାଟିଂ ଆହ୍ବାନ କରିଛି ଅଷ୍ଟ୍ରେଲିଆ । ଜବାବରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଦଳକୁ ଭଲ ଆରମ୍ଭ ଦେଇଥିଲେ । ସବୁ ମ୍ୟାଚ୍‌ ଭଳି ଫାଇନାଲ୍‌ରେ ମଧ୍ୟ ରୋହିତ ବିସ୍ଫୋରକ ବ୍ୟାଟିଂ କରିଥିଲେ । କିନ୍ତୁ ତାଙ୍କୁ ଷ୍ଟାର ଓପନର ଗିଲ୍‌ଙ୍କ ସାଥ୍‌ ମିଳିନଥିଲା । ଗିଲ୍‌ କେବଳ ୪ ରନ୍‌ କରି ୫ମ ଓଭରର ଦ୍ବିତୀୟ ବଲରେ ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ ହୋଇଥିଲେ । ହେଲେ ରୋହିତଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା । ସେ ନିଜର ଚିରାଚରିତ ଢଙ୍ଗରେ ଛକା ଓ ଚୌକା ମାରିବା ଜାରି ରଖିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବକପ 2023 ଫାଇନାଲ: ମହାମୁକାବିଲା ଆରମ୍ଭ, ଟସ୍ ଜିତି ଅଷ୍ଟ୍ରେଲିଆର ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି

ଏହାପରେ ବିରାଟ କୋହଲି ମଧ୍ୟ ଦମଦାର ବ୍ୟାଟିଂ ଆରମ୍ଭ କରିଥିଲେ । ସେ ଷ୍ଟାର୍କଙ୍କୁ ଲଗାତର ୩ ଚୌକା ମାରି କଙ୍ଗାରୁ ବୋଲରଙ୍କ ଉପରେ ଚାପ ପକାଇଥିଲେ । ହେଲେ ଧୂଆଁଧାର ବ୍ୟାଟିଂ କରୁଥିବା ରୋହିତ କେବଳ ୪୭ ରନ କରି ଆଉଟ୍‌ ହୋଇଯାଇଥିଲେ । ଅର୍ଦ୍ଧଶତକ କରିବା ପୂର୍ବରୁ ଅଧିନାୟକ ଆଉଟ୍‌ ହେବା ପରେ ଶ୍ରେୟସ ଆୟର ବ୍ୟାଟିଂ କରିବାକୁ ଆସି ଚୌକାରୁ ଇନିଂସ୍‌ ଆରମ୍ଭ କରିଥିଲେ । ହେଲେ ସେ ସେହି ୪ ରନ୍‌ ହିଁ କରିବାରେ ସକ୍ଷମ ହୋଇଥିଲେ । ଦଳୀୟ ସ୍କୋର ୮୧ ହୋଇଥିବାବେଳେ ୧୦.୨ ଓଭରରେ ଅଧିନାୟକ ପ୍ୟାଟ୍‌ କମିନ୍ସଙ୍କ ବଲ୍‌ରେ ପାଭିଲିୟନ ଫେରିଥିଲେ ଆୟର ।

ଦୁଇ ୟଙ୍ଗ୍‌ଷ୍ଟାର ଫେଲ୍‌ ମାରିଥିବାବେଳେ ଆକ୍ରାମକ ଆରମ୍ଭ କରିଥିବା ଅଧିନାୟକ ରୋହିତ ଶର୍ମା ମଧ୍ୟ ପିଚ୍‌ରେ ନାହାନ୍ତି । ଫଳରେ ଦଳକୁ କଠିନ ପରିସ୍ଥିତିରୁ ବାହାର କରିବା ପାଇଁ ବିରାଟ କୋହଲି ଓ କେଏଲ୍‌ ରାହୁଲ ପରିସ୍ଥିତିକୁ ବୁଝି ବ୍ୟାଟିଂ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.