ETV Bharat / sports

ବିଶ୍ବର ସବୁଠୁ ଧନୀ ବୋର୍ଡ BCCI, କ୍ରିକେଟ୍‌ ଅଷ୍ଟ୍ରେଲିଆ ଠାରୁ ୨୮ ଗୁଣ ଅଧିକା ସମ୍ପତ୍ତି

author img

By ETV Bharat Odisha Team

Published : Dec 11, 2023, 4:33 PM IST

BCCI Vs CA: ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡ ହେଉଛି ବିସିସିଆଇ । ତେବେ ଧନୀ କ୍ରିକେଟ୍‌ ବୋର୍ଡ ତାଲିକାରେ ଦ୍ବିତୀୟରେ ଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆଠାରୁ ୨୮ ଗୁଣ ଅଧିକ ସମ୍ପତ୍ତି ରହିଛି ବିସିସିଆଇର । ଅଧିକ ପଢ଼ନ୍ତୁ

ବିଶ୍ବର ସବୁଠୁ ଧନୀ ବୋର୍ଡ BCCI
ବିଶ୍ବର ସବୁଠୁ ଧନୀ ବୋର୍ଡ BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡ ବୋଲି ତ ସମସ୍ତେ ଜାଣନ୍ତି । ହେଲେ କିଛି ରିପୋର୍ଟରେ ଏଭଳି ତଥ୍ୟ ଦାବି କରାଯାଇଛି, ଯାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ । ଏହି ରିପୋର୍ଟରେ ଭାରତ ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡ ହୋଇଥିବାବେଳେ ଏହି ତାଲିକାରେ ଦ୍ବିତୀୟରେ ରହିଛି କ୍ରିକେଟ୍‌ ଅଷ୍ଟ୍ରେଲିଆ । ହେଲେ ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ ଠାରୁ ବିସିସିଆଇର ସମ୍ପତ୍ତି ୨୮ ଗୁଣ ଅଧିକା । ଯାହା ଏବେ ଆଲୋଚନାର ବିଷୟ ପାଲଟିଛି । ଗତମାସରେ ବିସିସିଆଇ ଦାଖଲ କରିଥିବା ରିପୋର୍ଟ ଅନୁସାରେ ଏହାର ସମ୍ପତ୍ତି ପ୍ରାୟ ୧୮,୭୦୦ କୋଟି ଟଙ୍କା (୨.୨୫ ଆରବ ଆମେରିକୀୟ ଡଲାର) ରହିଛି । ସେପଟେ ଦ୍ବିତୀୟରେ ଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆର ସମ୍ପତ୍ତି ପ୍ରାୟ ୬୬୦ କୋଟି (୭୯ ମିଲିୟନ ଆମେରିକୀୟ ଡଲାର) ବୋଲି ଜଣା ପଡ଼ିଛି । ଏହା ବିସିସିଆଇ ସମ୍ପତ୍ତି ଠାରୁ ୨୮ ଗୁଣ କମ ଅଛି ।

କ୍ରିକେଟ୍‌ ଅଷ୍ଟ୍ରେଲିଆ ଠାରୁ ୨୮ ଗୁଣ ଅଧିକ ଧନୀ BCCI: ସମସ୍ତେ ଜାଣନ୍ତି, ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL) ଯୋଗୁଁ ବିସିସିଆଇର ଆୟ ବଢ଼ିବାରେ ଲାଗିଛି । ଏହି ଲିଗ୍‌ର ବିଭିନ୍ନ ରାଇଟ୍ସ ବିକ୍ରି କରି ବିସିସିଆଇ ଭଲ ଆୟ କରୁଛି । ସେପଟେ ବିଗ୍‌ ବାଶ୍‌ ଲିଗ୍‌ (BBL) ଆୟ ଯୋଗୁଁ ଅଷ୍ଟ୍ରେଲିଆ ଅନ୍ୟ ଦେଶମାନଙ୍କ ତୁଳନାରେ ମଧ୍ୟ ଫାଇଦାରେ ରହିଛି । ଏହାରି ମଧ୍ୟରେ କ୍ରିକ୍‌ବଜ୍‌ର ଏକ ରିପୋର୍ଟ ଅନୁସାରେ ବିଶ୍ବର ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡ ହେଉଛି ବିସିସିଆଇ । ଏହାର ସମ୍ପତ୍ତି ପ୍ରାୟ ୧୮,୭୦୦ କୋଟି ଭାରତୀୟ ଟଙ୍କା ରହିଛି । ସେପଟେ ଦ୍ବିତୀୟରେ ଥିବା ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡର ସମ୍ପତ୍ତି ପ୍ରାୟ ୬୬୦ କୋଟି ଭାରତୀୟ ଟଙ୍କା । ଉଭୟ ବୋର୍ଡର ସମ୍ପତ୍ତି ମଧ୍ୟରେ ଆକାଶ ପାତାଳର ଦୂରତା ରହିଛି । ତେଣୁ କୁହାଯାଏ ଅନେକ ଦେଶରେ 'ଖେଳ' ଶବ୍ଦର ଅର୍ଥରେ ଅନେକ ପ୍ରକାର ଖେଳ ସାମିଲ ରହିଛି । ହେଲେ ଭାରତରେ 'ଖେଳ' ଅର୍ଥ 'କ୍ରିକେଟ୍‌' ହେଉଛି ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ପ୍ରଥମ ପସନ୍ଦ ।

୬ଷ୍ଠ ସ୍ଥାନରେ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା: ଏକ ଲମ୍ବା ଗସ୍ତରେ ଏବେ ଦକ୍ଷିଣ ଆଫ୍ରିକାରେ ରହିଛି ଟିମ୍‌ ଇଣ୍ଡିଆ । ଏହାରି ଭିତରେ କ୍ରିକ୍‌ବଜ୍‌ର ଏହି ରିପୋର୍ଟରେ କୁହାଯାଇଛି ୪୭ ମିଲିୟନ ଆମେରିକୀୟ ଡଲାର ସହିତ ଏହି ତାଲିକାରେ ୬ଷ୍ଠ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା । ଯାହା ବିସିସିଆଇ ସମ୍ପତ୍ତିର କେବଳ ୨.୦୯ ପ୍ରତିଶତ । ଏହି ରିପୋର୍ଟ ଅନୁସାରେ ବାସ୍ତବରେ ଶୀର୍ଷ ୧୦ ଧନୀ କ୍ରିକେଟ୍‌ ବୋର୍ଡମାନଙ୍କ ମଧ୍ୟରେ ୮୫.୮୮ ପ୍ରତିଶତ ଅଂଶ କେବଳ ବିସିସିଆଇର ।

ଏହା ମଧ୍ୟ ପଢ଼ନ୍ତୁ...ଟି୨୦ ବିଶ୍ବକପ୍‌ରେ ଭାରତର କ୍ୟାପ୍ଟେନ୍‌ କିଏ ? ଏମିତି ଉତ୍ତର ଦେଲେ ଜୟ ଶାହ

ଭାରତୀୟ ଦଳର ଗସ୍ତରୁ ପ୍ରବଳ ଲାଭ ପାଇବ CSA: ଡିସେମ୍ବର ୧୦ରୁ ଭାରତୀୟ ଦଳର ଆରମ୍ଭ ହୋଇଥିବା ଗସ୍ତରୁ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା (CSA)ର ରାଜସ୍ବ କେତେ ବୃଦ୍ଧି ପାଇବ, ତାହା ମଧ୍ୟ ଏହି ରିପୋର୍ଟରେ ଦର୍ଶାଯାଇଛି । ଭାରତ ବିପକ୍ଷରେ ସମସ୍ତ ୩ ଫର୍ମାଟ୍‌ରେ ୧ ମାସ ଧରି ମ୍ୟାଚ୍‌ ଖେଳିବ ଦକ୍ଷିଣ ଆଫ୍ରିକା । ଏହି ସମୟରେ ଆଫ୍ରିକୀୟ କ୍ରିକେଟ୍ ବୋର୍ଡ ପ୍ରାୟ ୬୮.୭ ମିଲିୟନ ଆମେରିକୀୟ ଡଲାର ରୋଜଗାର କରିବ ବୋଲି ଆଶା କରାଯାଉଛି । ଅର୍ଥାତ ପ୍ରତି ମ୍ୟାଚ୍‌ ପାଇଁ ୮.୬ ମିଲିୟନ ଡଲାର୍ ବା ଦିନକୁ ୨.୨୯ ମିଲିୟନ ଡଲାର୍ ରୋଜଗାର କରିବ ଦକ୍ଷିଣ ଆଫ୍ରିକା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.