ETV Bharat / sports

'ଖେଳିବା ପାଇଁ ବୟସ ମାନଦଣ୍ଡ ନୁହେଁ', ରୋହିତ-କୋହଲିଙ୍କୁ '36 ବର୍ଷୀୟ ୟଙ୍ଗଷ୍ଟାର' କହିଲେ ନେହରା

author img

By ETV Bharat Odisha Team

Published : Nov 24, 2023, 6:32 PM IST

Ashish Nehra on Kohli and Rohit: ଟି20 ବିଶ୍ବକପ୍‌ 2024 ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଟି20 କ୍ୟାରିୟର ନେଇ ବେଶ ଆଲୋଚନା ଆରମ୍ଭ ହୋଇଛି । ଏହାରି ଭିତରେ ସେମାନେ ଯେକୌଣସି ଫର୍ମାଟ୍‌ ଖେଳିବା ଭାରତ ପାଇଁ ଯଥେଷ୍ଟ ଭଲ ବୋଲି କହିଛନ୍ତି ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହରା । ଅଧିକ ପଢ଼ନ୍ତୁ

ରୋହିତ-କୋହଲିଙ୍କୁ '36 ବର୍ଷୀୟ ୟଙ୍ଗଷ୍ଟାର' କହିଲେ ନେହରା
ରୋହିତ-କୋହଲିଙ୍କୁ '36 ବର୍ଷୀୟ ୟଙ୍ଗଷ୍ଟାର' କହିଲେ ନେହରା

ବିଶାଖାପାଟନମ: ଭାରତକୁ ଦିନିକିଆ ବିଶ୍ବକପ୍‌ 2023 ଟ୍ରଫି ଜିତାଇବା ପାଇଁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବ୍ୟାଟର ବିରାଟ କୋହଲି ଯେଉଁଭଳି ପ୍ରଦର୍ଶନ କରିଥିଲେ, ବୋଧହୁଏ କେହି ଭାବି ନଥିଲେ ଯେ ଅଷ୍ଟ୍ରେଲିଆ ଚମ୍ପିଆନ ହେବ । ହେଲେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିବା ପରେ ଫାଇନାଲ୍‌ରେ ଭାରତର ଅପ୍ରତ୍ୟାଶିତ ପରାଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ଆସନ୍ତା ବର୍ଷ ଟି20 ବିଶ୍ବକପ୍‌ ଖେଳାଯିବାକୁ ଥିବାବେଳେ କ୍ରିକେଟ୍‌ର ଏହି ଛୋଟ ଫର୍ମାଟ୍‌ରେ ରୋହିତ ଓ କୋହଲିଙ୍କ ଭବିଷ୍ୟତ ନେଇ ଚର୍ଚ୍ଚା ଓ ଆଲୋଚନା ଆରମ୍ଭ ହୋଇଛି । ଏହାରି ଭିତରେ ପୂର୍ବତନ ଭାରତୀୟ ବୋଲର ଆଶିଷ ନେହେରା ରୋହିତ ଓ କୋହଲିଙ୍କର ଟି20 ଭବିଷ୍ୟତକୁ ନେଇ ନିଜର ମତ ରଖିଛନ୍ତି ।

ଭାରତୀୟ କ୍ରିକେଟ୍‌ର ଏହି ବରିଷ୍ଠ ଯୋଡ଼ି ଟି20 ବିଶ୍ବକପ୍‌ 2022 ସେମିଫାଇନାଲ ହାରିବା ପର ଠାରୁ କୌଣସି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ଖେଳିନାହାନ୍ତି । ଉଭୟ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ (WTC) ଓ ଦିନିକିଆ ବିଶ୍ବକପ୍‌ ଉପରେ ଧ୍ୟାନ ଦେଇ ଟି20ରୁ ଦୂରେଇ ଯାଇଥିବା କୁହାଯାଇଥିଲା । ବର୍ତ୍ତମାନ ଟି20 ବିଶ୍ବକପ୍‌ 2024କୁ ମାତ୍ର 6 ମାସ ବାକି ଥିବାବେଳେ ଚୟନକର୍ତ୍ତା ଏବଂ ବିସିସିଆଇ ଏହି ସିନିୟର ଯୋଡିଙ୍କୁ ଟି20ରେ ସେମାନଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବାକୁ ସ୍ବାଧୀନ କରିଦେଇଥିବା ଚର୍ଚ୍ଚା ହେଉଛି । ହେଲେ ପୂର୍ବତନ ଭାରତୀୟ ବୋଲର ଆଶିଷ ନେହେରା ଅନୁଭବ କରିଛନ୍ତି ଯେ ସାମ୍ପ୍ରତିକ ଫର୍ମକୁ ବିଚାରକୁ ନେଲେ ଏହି ଯୋଡି ଭାରତ ପାଇଁ ଟି20 କ୍ରିକେଟ୍ ଖେଳିବା ଯଥେଷ୍ଟ ଭଲ ।

ଏହା ମଧ୍ୟ ପଢ଼ନ୍ତୁ...ଟି-୨୦ ସିରିଜ: SKYଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ରିଙ୍କୁଙ୍କ ୱିନିଂ ସଟ୍‌, ୨ ୱିକେଟରେ ଜିତିଲା ଭାରତ

'ରୋହିତ-କୋହଲି ସବୁ ଫର୍ମାଟରେ ବେଷ୍ଟ': ଗୁରୁବାର ବିଶାଖାପାଟନମରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟି20 ମ୍ୟାଚ୍‌ ପୂର୍ବରୁ ନେହରା କହିଛନ୍ତି, "ବିରାଟ କୋହଲି ଗୋଟିଏ କ୍ୟାଲେଣ୍ଡର ବର୍ଷରେ 800ରୁ 1000 ରନ୍ ସ୍କୋର କରୁଛନ୍ତି । ରୋହିତ ଶର୍ମା ମଧ୍ୟ ଯେପରି ବ୍ୟାଟିଂ କରୁଛନ୍ତି ଯେ କୌଣସି ଚୟନକର୍ତ୍ତା ସେମାନଙ୍କ ପ୍ରତି ପ୍ରଲୋଭିତ ହେବେ । ହେଲେ କୋହଲି ଏବଂ ରୋହିତ ଏହି ଫର୍ମାଟରେ ଖେଳିବାକୁ ଚାହୁଁଛନ୍ତି କି ନାହିଁ ତାହା ସେମାନଙ୍କ ଉପରେ ନିର୍ଭର କରେ । ଯେପର୍ଯ୍ୟନ୍ତ ସେମାନେ ଏହି ଫର୍ମାଟରୁ ଅବସର ଘୋଷଣା କରିନାହାନ୍ତି, ମୁଁ ଭାବୁଛି ତାହା ହେବ ନାହିଁ । ଉଭୟ ରୋହିତ ଏବଂ ବିରାଟ ଯେପର୍ଯ୍ୟନ୍ତ ରନ୍‌ ସ୍କୋର କରୁଛନ୍ତି ଏବଂ ଖେଳକୁ ଉପଭୋଗ କରୁଛନ୍ତି, ସେମାନେ ସବୁ ଫର୍ମାଟରେ ଖେଳିବା ପାଇଁ ଯଥେଷ୍ଟ ଭଲ ।"

ଏହା ମଧ୍ୟ ପଢ଼ନ୍ତୁ...ଆଇସିସି ରାଙ୍କିଂ: ଟପ୍‌ରେ ଭାରତୀୟଙ୍କ ଦବଦବା, ଶୀର୍ଷ ସ୍ଥାନ ଦଖଲ ଲକ୍ଷ୍ୟରେ ରୋହିତ-କୋହଲି

'ବୟସ ମାନଦଣ୍ଡ ନୁହେଁ': ନେହରା ଆହୁରି କହିଛନ୍ତି, "ଖେଳିବା ପାଇଁ ବୟସ କୌଣସି ମାନଦଣ୍ଡ ନୁହେଁ । ସବୁବେଳେ ଦେଖାଯାଏ ଯେ ଆପଣ କେତେ ରନ୍‌ ସ୍କୋର କରୁଛନ୍ତି । ଆମେ ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍‌ୱାଡ ଓ ଶୁଭମନ ଗିଲ୍‌ଙ୍କ ଭଳି ଯୁବ ତାରକାଙ୍କ ବିଷୟରେ କଥା ହେଉଛେ । ହେଲେ ଯଦି ରୋହିତ ଶର୍ମା ଖେଳିବାକୁ ଚାହିଁବେ, ତେବେ ଅନ୍ୟ ଯୁବ ତାରକାମାନଙ୍କୁ ରୋହିତଙ୍କ ସହ ପ୍ରତିଯୋଗିତା କରିବାକୁ ହେବ । କାରଣ ଆଗରେ ଜଣେ 36 ବର୍ଷୀୟ ସୁପର ଫିଟ୍‌ ନିର୍ଭୟ ବ୍ୟକ୍ତି ଅଛନ୍ତି । ଯେତେବେଳେ ଆମେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ବିଚାରକୁ ନେଉଛେ, ତେବେ ଅନ୍ୟ ଯୁବ ତାରକା ମାନେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବାକୁ ହେଲେ ରୋହିତ ଓ କୋହଲିଙ୍କୁ ହରାଇ ଆଗକୁ ଯିବାକୁ ପଡ଼ିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.