ETV Bharat / science-and-technology

ଭାରତରେ 5G ଲଞ୍ଚ ଦେଖି ବିଶ୍ବ ହୋଇଥିଲା ଆଶ୍ଚର୍ଯ୍ୟ, 6Gରେ ବି ସାଜିବ ଲିଡର: ମୋଦି

author img

By ETV Bharat Odisha Team

Published : Oct 27, 2023, 1:09 PM IST

10 ବର୍ଷ ପୂର୍ବରୁ ଭାରତ 98 ପ୍ରତିଶତ ମୋବାଇଲ ଆମଦାନୀ କରୁଥିଲା । ହେଲେ ଆଜି ଭାରତରେ ତିଆରି ଫୋନକୁ ବ୍ୟବହାର କରୁଛି ସାରା ବିଶ୍ବ । ସମୟ ସହ ବଦଳିଛି ଭାରତର ଚିତ୍ର କହିଲେ ମୋଦି । ଅଧିକ ପଢନ୍ତୁ

7th Edition of India Mobile Congress
7th Edition of India Mobile Congress

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ଶୁକ୍ରବାର) ପ୍ରଗତି ମଇଦାନରେ ଭାରତ ମଣ୍ଡପମ୍ ଠାରେ ଭାରତୀୟ ମୋବାଇଲ କଂଗ୍ରେସ 2023ର ସପ୍ତମ ସଂସ୍କରଣକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦି ଶିକ୍ଷାନୁଷ୍ଠାନ ଗୁଡିକୁ 100ଟି 5G ୟୁଜ କେସ ଲ୍ୟାବ ପ୍ରଦାନ କରିଛନ୍ତି । ଭାରତୀୟ ମୋବାଇଲ କଂଗ୍ରେସ(IMC) ଏସିଆର ସର୍ବବୃହତ ଦୂରସଞ୍ଚାର, ଗଣମାଧ୍ୟମ ଓ ପ୍ରଯୁକ୍ତି ମଞ୍ଚ ହୋଇଥିବା ବେଳେ ଏହି ସମ୍ମିଳନୀ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବ ।

ଶିକ୍ଷାନୁଷ୍ଠାନକୁ 100ଟି 5G ୟୁଜ କେସ ଲ୍ୟାବ ପ୍ରଦାନ କଲେ ମୋଦି: ଆଜି ମୋଦି ଶିକ୍ଷାନୁଷ୍ଠାନକୁ 100ଟି 5G ୟୁଜ କେସ ଲ୍ୟାବ ପ୍ରଦାନ କରିଛନ୍ତି । ଏହି ଲ୍ୟାବ ଦ୍ବାରା ଡ୍ରୋନ, 5G ଏବଂ 6G ଟେକ୍ନୋଲୋଜିର ବିକାଶରେ ସାହାଯ୍ୟ କରିବ । ଏହି ଲ୍ୟାବ ଜରିଆରେ ଆତ୍ମନିର୍ଭରଶୀଳ ଭାରତର ଅଗ୍ରଗତି ଆହୁରି ସୁଗମ ହେବା ସହିତ ଭାରତର ଡିଜିଟାଲ ଟ୍ରାନ୍ସଫରମେସନ ଆହୁରି ସହଜ ହେବ ।

ଭାରତୀୟ ମୋବାଇଲ କଂଗ୍ରେସରେ ଏହା କହିଲେ ମୋଦି: ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି,"ଯେତେବେଳେ ଆମେ ଭବିଷ୍ୟତ ବିଷୟରେ ଆଲୋଚନା କରୁଥିଲୁ, ସେତେବେଳେ ଆଗାମୀ ଦଶନ୍ଧି କିମ୍ବା ଆଗାମୀ ଶତାବ୍ଦୀ ବିଷୟରେ କଥାବାର୍ତ୍ତା କରୁଥିଲୁ । କିନ୍ତୁ ବର୍ତ୍ତମାନ ଟେକ୍ନୋଲୋଜିର ବିକାଶ ହୋଇଛି । ବର୍ତ୍ତମାନ ଆମର ସମସ୍ତ ଆଶା କିଛି ଦିନ ଭିତରେ ପୂରଣ ହୋଇପାରିବ । ଆଗାମୀ ସମୟ ସମ୍ପୂର୍ଣ୍ଣ ଭିନ୍ନ ରହିବ । ଦେଶର ଯୁବପିଢି ବୈଷୟିକ ଶିଳ୍ପକୁ ଆଗେଇ ନେଉଛନ୍ତି । ଯାହା ଆମ ପାଇଁ ଖୁସିର ବିଷୟ । ବିଶ୍ବ ଅପେକ୍ଷା ଦେଶରେ 5ଜି ଟେକ୍ନୋଲୋଜି ସବୁଠାରୁ ଶୀଘ୍ର ରୋଲଆଉଟ ହୋଇପାରିଛି ।"

ସେମିକଣ୍ଡକ୍ଟର ପାଇଁ ୮୦୦୦କୋଟି ଟଙ୍କାର PLI ଯୋଜନା ଆରମ୍ଭ: ଦେଶରେ ସେମିକଣ୍ଡକ୍ଟର ଚିପର ଚାହିଦାକୁ ପୂରଣ କରିବା ପାଇଁ ସରକାର ୮୦୦୦ କୋଟି ଟଙ୍କାର ନୂତନ ଉତ୍ପାଦନ-ଲିଙ୍କ୍ ପ୍ରୋତ୍ସାହନ(PLI) ଯୋଜନା ଆରମ୍ଭ କରିଛନ୍ତି । ଯେଉଁଥିରେ ବିଶ୍ବର କମ୍ପାନୀ ଗୁଡିକ ଭାରତୀୟ କମ୍ପାନୀ ସହଯୋଗରେ ସେମିକଣ୍ଡକ୍ଟର ଚିପ ପ୍ରସ୍ତୁତ କରୁଛନ୍ତି । ଭାରତ ନେଟ ବିଶ୍ବର 2 ଲକ୍ଷ ଗ୍ରାମ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ ସହିତ ସଂଯୋଗ କରିବାରେ ସଫଳ ହୋଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ 75 ଲକ୍ଷ ଗରିବ ପିଲାଙ୍କୁ ଯୋଡା ଯାଇଛି ।

ଏହା ମଧ୍ୟ ପଢନ୍ତୁ: PM Modi Inaugurates IMC: 'ଦେଶରେ ବିକାଶକୁ ଦ୍ରୁତ ଗତିରେ ଆଗେଇ ନେବ ଟେକ୍ନୋଲୋଜି'

ସାଇବର ସିକ୍ୟୁରିଟି ପାଇଁ ତିଆରି ହେବ ଭିତ୍ତିଭୂମି: ଦେଶରେ ସାଇବର ସୁରକ୍ଷା ପାଇଁ କାର୍ଯ୍ୟ ଜାରି ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଜି-20 ବୈଠକରେ ବିଶ୍ୱ ପାଇଁ ସାଇବର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା । ଯେଉଁଥିରେ ହାର୍ଡୱେୟାର ଏବଂ ସଫ୍ଟୱେୟାରକୁ ସୁରକ୍ଷିତ ରଖିବା ଉପରେ ତର୍କ କରାଯାଇଥିଲା। ସୋସାଇଟିକୁ ସୁରକ୍ଷିତ କରିବା ପାଇଁ ହେଲେ ଟେକ୍ନୋଲୋଜିକୁ ମଧ୍ୟ ସୁରକ୍ଷିତ ପ୍ରସ୍ତୁତ କରିବାକୁ ହେବ । ଟେକ୍ନୋଲୋଜିକୁ ଆମେ ଥଟ୍ ଲିଡର ବୋଲି ଭାବିବାକୁ ହେବ। ଏଥିପାଇଁ ମୋଦି ଇଣ୍ଡିଆ ମୋବାଇଲ୍ କଂଗ୍ରେସର ସଦସ୍ୟଙ୍କୁ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଛନ୍ତି ।

ଟେକ୍ନୋଲୋଜି ସେକ୍ଟରର ପ୍ରଗତି ବିଷୟରେ କହିଲେ ଅଶ୍ବିନୀ ବୈଷ୍ଣବ: କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଆଇଏମସିକୁ ସମ୍ବୋଧନ କରି କହିଛନ୍ତି, "ଟେଲିକମ ହେଉଛି ଡିଜିଟାଲ ଇଣ୍ଡିଆର ଗେଟ ଓ୍ବେ। ଭାରତରେ ନିର୍ମିତ ଟେଲିକମ୍ ଉପକରଣ 70ରୁ ଅଧିକ ଦେଶକୁ ରପ୍ତାନି କରାଯାଉଛି । ଗତ ବର୍ଷ ଅର୍ଥାତ 2022 ମସିହାରେ 90,000 କୋଟିରୁ ଅଧିକ ମୂଲ୍ୟର ମୋବାଇଲ୍ ଫୋନ୍ ରପ୍ତାନି ହୋଇଥିଲା । 10 ବର୍ଷ ପୂର୍ବେ 98 ପ୍ରତିଶତ ମୋବାଇଲ ଆମଦାନୀ ହେଉଥିଲା କିନ୍ତୁ ଆଜି ଭାରତରେ 98 ପ୍ରତିଶତ ମୋବାଇଲ ତିଆରି କରାଯାଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.