ETV Bharat / science-and-technology

Global Warming: ଶତାବ୍ଦୀର ଶେଷ ସୁଦ୍ଧା ସିଝିବ ପୃଥିବୀ, ଭାରତ ଉପରେ ଅଧିକ ପଡିବ ଗ୍ଲୋବାଲ ଓ୍ବାର୍ମିଂ ପ୍ରଭାବ

author img

By ETV Bharat Odisha Team

Published : Oct 10, 2023, 12:22 PM IST

ଗ୍ଲୋବାଲ ଓ୍ବାର୍ମିଂ କାରଣରୁ 3 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ଭାରତର ତାପମାତ୍ରା । ଶତାବ୍ଦୀର ଶେଷ ସୁଦ୍ଧା ସିଝିବ ପୃଥିବୀ । ଅଧିକ ପଢନ୍ତୁ

Global Warming
Global Warming

ହାଇଦ୍ରାବାଦ: କୁହାଯାଏ..ମହାକାଶରେ ଥିବା ଅସଂଖ୍ୟ ତାରା ଏବଂ ଗ୍ରହମାନଙ୍କ ମଧ୍ୟରେ ପୃଥିବୀ ଆମର ଏକମାତ୍ର ଘର । ଏଠାରେ ଅନୁକୂଳ ବାତାବରଣ ଏବଂ ସହନଶୀଳ ତାପମାତ୍ରା ହେତୁ ମାନବ ସଭ୍ୟତା ତିଷ୍ଠି ପାରିଛି । କିନ୍ତୁ ସମୟ ସହିତ ବଦଳିବାରେ ଲାଗିଛି ଚିତ୍ର । ବର୍ତ୍ତମାନ ଗ୍ଲୋବାଲ ଓ୍ବାର୍ମିଂ ପୃଥିବୀ ପାଇଁ ସବୁଠାରୁ ବଡ ବିପଦ ଭାବରେ ଉଭା ହେଉଛି । କ୍ରମାଗତ ଅଙ୍ଗାରକାମ୍ଳ ନିର୍ଗମନ ଏବଂ ଗ୍ରୀନ୍ ହାଉସ୍ ପ୍ରଭାବ ହେତୁ ପୃଥିବୀର ତାପମାତ୍ରାର କ୍ରମାଗତ ବୃଦ୍ଧି ପାଉଥିବା ବେଳେ ଭବିଷ୍ୟତରେ ଏହା ଭୟଙ୍କର ରୂପ ନେଇପାରେ ବୋଲି ଏକ ଅଧ୍ୟୟନରେ ଦାବି କରାଯାଇଛି । ଯାହାକି ଚିନ୍ତାର କାରଣ ପାଲଟିଛି ।

ରିପୋର୍ଟରେ ଦାବି କରାଯାଇଛି ଯେ, ଶତାବ୍ଦୀର ଶେଷ ସୁଦ୍ଧା ପୃଥିବୀର ତାପମାତ୍ରା ଏତେ ବୃଦ୍ଧି ପାଇବ ଯେ ମାନବ ସଭ୍ୟତା ବଞ୍ଚିବା କଷ୍ଟକର ହେବ । ଏହାର ସବୁଠାରୁ ଅଧିକ ପ୍ରଭାବ ଜନବହୁଳ ଦେଶ ଭାରତ, ପାକିସ୍ଥାନ ଏବଂ ଚୀନ୍ ଭଳି ଦେଶମାନଙ୍କ ଉପରେ ରହିଛି । ଜଳବାୟୁ ପରିବର୍ତ୍ତନ ହେତୁ ବିଶ୍ୱ ତାପମାତ୍ରା ଶତାବ୍ଦୀର ଶେଷ ସୁଦ୍ଧା ବିପଜ୍ଜନକ ସ୍ତରରେ ପହଞ୍ଚିବ ବୋଲି ରିପୋର୍ଟରେ ଦାବି କରାଯାଇଛି ।

କେତେ ବଢିବ ତାପମାତ୍ରା: ପେନ୍ ଷ୍ଟେଟ୍ କଲେଜ୍ ଅଫ୍ ହେଲଥ୍ ଆଣ୍ଡ ହ୍ୟୁମାନ୍ ଡେଭଲପମେଣ୍ଟ, ପର୍ଡୁ ୟୁନିଭରସିଟି କଲେଜ ଅଫ୍ ସାଇନ୍ସ ଏବଂ ପର୍ଡୁ ଇନଷ୍ଟିଚ୍ୟୁଟ୍ ଅଫ ଷଷ୍ଟେନେବଲ ଫ୍ୟୁଚରର ମିଳିତ ଅନୁସନ୍ଧାନର ରିପୋର୍ଟ ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସରେ ପ୍ରକାଶିତ ହୋଇଛି । ପୃଥିବୀର ତାପମାତ୍ରା 1.5 ଡିଗ୍ରୀ ସେଲସିୟସରୁ ଅଧିକ ବୃଦ୍ଧି ପାଉଥିବା ନେଇ ଦାବି କରାଯାଇଛି । ମାନବ ଶରୀରର ଗଠନ ଅନୁଯାୟୀ, କେବଳ ସାଧାରଣ ତାପମାତ୍ରା ଏବଂ ଆର୍ଦ୍ରତା ମଣିଷକୁ ଜୀବିତ ରଖିପାରେ । ଯଦି ଗ୍ଲୋବାଲ୍ ୱାର୍ମିଂ ଏଭଳି ଭାବେ ବୃଦ୍ଧି ପାଏ ତେବେ ହିଟଷ୍ଟ୍ରୋକ କିମ୍ବା ହୃଦଘାତର ସମସ୍ୟା ଦ୍ରୁତ ମାତ୍ରାରେ ବୃଦ୍ଧି ପାଇବ ।

ଗ୍ଲୋବାଲ ଓ୍ବାର୍ମିଂର ସବୁଠାରୁ ଅଧିକ ପ୍ରଭାବ ଭାରତ, ଚୀନ ଏବଂ ପାକିସ୍ତାନ ଉପରେ ରହିବ । ଅଧ୍ୟୟନର ରିପୋର୍ଟରେ ଏହା ଦର୍ଶାଯାଇଛି ଯେ, ଯଦି ବିଶ୍ବର ତାପମାତ୍ରା 2 ଡିଗ୍ରୀ ସେଲସିୟସରୁ ଅଧିକ ବୃଦ୍ଧି ପାଏ ତେବେ ପାକିସ୍ଥାନ ଏବଂ ଭାରତର 2.2 ବିଲିୟନ ବାସିନ୍ଦା, ପୂର୍ବ ଚାଇନାର ଏକ ବିଲିୟନ ଲୋକ ଏବଂ ଆଫ୍ରିକାର 800 ନିୟୁତ ଲୋକଙ୍କର ସହନଶୀଳତାର ସୀମା ପାର ହୋଇଯିବ । ଗରମ ଚୁଲ୍ଲୀରେ ବସିଲା ଭଳି ମନେ ହେବ ବୋଲି କୁହାଯାଇଛି ।

ଦିଲ୍ଲୀ, କୋଲକାତା, ସଂଘାଇ, ମୁଲତାନ, ନାନଜିଙ୍ଗ ଏବଂ ଉହାନ ସହରରେ ଅଧିକ ତାପମାତ୍ରା ରହିବ । ଏହି ସହରଗୁଡିକ ସ୍ୱଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶ ମଧ୍ୟରେ ରହିଥିବାରୁ ଲୋକମାନେ କ୍ୱଚିତ୍ ଏୟାର କଣ୍ଡିସନର କିମ୍ବା ଶରୀରକୁ ଥଣ୍ଡା କରିବା ପାଇଁ ଅନ୍ୟ ପ୍ରଭାବଶାଳୀ ଉପାୟ ପାଇପାରିବେ । ତେଣୁ ଏମାନଙ୍କ ଉପରେ ଅଧିକ ପ୍ରଭାବ ରହିବ ବୋଲି ଦର୍ଶାଯାଇଛି । ଯଦି ତାପମାତ୍ରା 3ଡିଗ୍ରୀ ସେଲସିୟସ ବୃଦ୍ଧି ପାଏ ତେବେ ଉତ୍ତାପର ବୃଦ୍ଧି ଫ୍ଲୋରିଡା, ନ୍ୟୁୟର୍କ, ଚିକାଗୋ ଏବଂ ହ୍ୟୁଷ୍ଟନ୍ ସମେତ ଆମେରିକାର ପୂର୍ବ ଭାଗକୁ ପ୍ରଭାବିତ କରିପାରେ । ଦକ୍ଷିଣ ଆମେରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟ ଅତ୍ୟଧିକ ଉତ୍ତାପ ଅନୁଭବ ହେବ ବୋଲି ଅନୁସନ୍ଧାନରୁ ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ନିଆଁରେ ଜଳୁଛି ଜଙ୍ଗଲ, ବଢୁଛି ତାପମାତ୍ରା, ବଢୁଛି ବାୟୁ ପ୍ରଦୂଷଣ ଗ୍ଲୋବାଲ ୱାର୍ମିଂ– ଘୋର ଚିନ୍ତାର କାରଣ

ମଧ୍ୟମ ଆୟ ଦେଶଗୁଡିକ କାହିଁକି ଅଧିକ ପ୍ରଭାବିତ ହେବେ?: ପଡ୍ୟୁ ବିଶ୍ବବିଦ୍ୟାଳୟର ପୃଥିବୀ, ବାୟୁମଣ୍ଡଳୀୟ ତଥା ଗ୍ରହ ବିଜ୍ଞାନର ପ୍ରଫେସର ମାଥ୍ୟୁ ହୁବର୍ କହିଛନ୍ତି,"କମ ଆୟକାରୀ ଦେଶଗୁଡିକ ଏହାଦ୍ବାରା ଅଧିକ ପ୍ରଭାବିତ ହେବେ । ଆଗାମୀ ଦିନରେ ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ଥିବାରୁ ଅଧିକ ଲୋକ ପ୍ରଭିବିତ ହେବେ ବୋଲି ଅନୁମାନ କରାଯାଉଛି । " ଅନୁସନ୍ଧାନରୁ ଜଣାପଡିଛି ଯେ, ମଧ୍ୟମ ଆୟକାରୀ ଦେଶ ଅଧିକ ଆୟକାରୀ ଦେଶ ଅପେକ୍ଷା କମ ଅଙ୍ଗାରକାମ୍ଳ ନିର୍ଗତ କରିଥାଆନ୍ତି । କିନ୍ତୁ ମଧ୍ୟମ ଆୟକାରୀ ଦେଶ ଉପରେ ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବ ଅଧିକ ରହିବ । ଏହା ଯୋଗୁଁ କୋଟି କୋଟି ଗରିବ, ବୃଦ୍ଧ ଏବଂ ଅସୁସ୍ଥ ଲୋକ ପ୍ରାଣ ହରାଇପାରନ୍ତି ବୋଲି କୁହାଯାଇଛି ।

ବର୍ତ୍ତିବାର ଉପାୟ କଣ: ତେବେ ତାପମାତ୍ରା ବୃଦ୍ଧି ନହେବା ପାଇଁ ଅଙ୍ଗାରକାମ୍ଳ ଗ୍ୟାସର ନିର୍ଗମନକୁ ରୋକିବା ଆବଶ୍ୟକ ବୋଲି ଅନୁସନ୍ଧାନକାରୀମାନେ ମତ ଦେଇଛନ୍ତି । ତେଣୁ ଜୀବାଶ୍ମ ଇନ୍ଧନରୁ ନିର୍ଗତ ଅଙ୍ଗାରକାମ୍ଳ ଗ୍ୟାସର ମାତ୍ରାକୁ କମ କରିବା ଆବଶ୍ୟକ ବୋଲି କୁହାଯାଇଛି । ଯଦି ସକରାତ୍ମକ ପଦକ୍ଷେପ ଗ୍ରହଣ କରା ନଯାଏ ତେବେ ସମୟକ୍ରମେ ତାପମାତ୍ରା ବୃଦ୍ଧି ପାଇବ। ଏହା ପୃଥିବୀର ଜନସାଧାରଣଙ୍କ ପାଇଁ ଏକ ଅଭିଶାପ ହୋଇପାରେ ବୋଲି ଆଶଙ୍କା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.