Nandankanan: କେତେ ସୁରକ୍ଷିତ ପର୍ଯ୍ୟଟକ, ଫୁଲମାଳ ବଦଳରେ ଲୁହାରଡ୍‌ରେ ଆକ୍ରମଣ

author img

By

Published : May 23, 2022, 8:17 PM IST

Nandankanan: କେତେ ସୁରକ୍ଷିତ ପର୍ଯ୍ୟଟକ, ଫୁଲମାଳ ବଦଳରେ ଲୁହାରଡ୍‌ରେ ଆକ୍ରମଣ

ମନଛୁଆଁ ବ୍ୟବହାର ଓ ସଠିକ୍ ସମ୍ମାନ ପାଇଁ ଓଡ଼ିଶା ପୁରା ବିଶ୍ବରେ ପରିଚିତ । ନେତା ଠୁ ମନ୍ତ୍ରୀ, ବିଦେଶୀ ପର୍ଯ୍ୟଟକଙ୍କ ଠାରୁ ଜନପ୍ରତିନିଧି, ସମସ୍ତେ ଓଡ଼ିଶାକୁ ବେଶ୍ ସମ୍ମାନ କରିବା ସହ ଓଡ଼ିଶାର ପର୍ଯ୍ୟଟନସ୍ଥଳ ପ୍ରତି ଆଦର ପ୍ରକାଶ କରନ୍ତି । କିନ୍ତୁ କିଛି ଖଳ ପ୍ରକୃତିର ଲୋକଙ୍କ ଯୋଗୁଁ ଓଡ଼ିଶା ଆଜି ଚର୍ଚ୍ଚାର ପରିସରକୁ ଆସିପାରିଛି । ନନ୍ଦନକାନନ ଘଟଣା କେବଳ ଛତିଶଗଡ ପର୍ଯ୍ୟଟକ କାହିଁକି କୌଣସି ଓଡ଼ିଶାବାସୀଙ୍କ ମାନସପଟରୁ ଲିଭି ପାରିବ ନାହିଁ । ପଢନ୍ତୁ SPECIAL REPORT

ହାଇଦ୍ରାବାଦ: ସୌନ୍ଦର୍ଯ୍ୟ ଓ ସମୃଦ୍ଧଶାଳୀ ଓଡ଼ିଶାକୁ ତାର ସଂସ୍କୃତି ଓ ସୌହାର୍ଦ୍ଦ୍ୟ ପାଇଁ ଲୋକେ ଜାଣନ୍ତି । ପର୍ଯ୍ୟଟକ ପ୍ରିୟ ଓଡ଼ିଶା ଦେଶ ଓ ବିଦେଶରେ ନିଜର ସଭ୍ୟତା ଓ ସମ୍ମାନ ପାଇଁ ବେଶ୍ ଜଣାଶୁଣା । ରାଜ୍ୟ ବାହାରେ ଓଡ଼ିଶା କହିଲା ମାନେ ହିଁ ଲୋକେ ଜଗାର ରାଜ୍ୟ କହି ଲୋକେ ମୁଣ୍ଡ ନୁଆଁଇ ଦେଇଥାଆନ୍ତି । ଏମିତି ବି କୁହନ୍ତି ଯେ, ଆପଣ ଓଡ଼ିଶାରୁ ଆସିଛନ୍ତି, ସେଠାରେ ତ ବହୁତ ସୁନ୍ଦର ସୁନ୍ଦର ଜାଗା ଅଛି ଦେଖିବାକୁ । ସବୁଆଡେ ହାଏ, ହାଲୋ ଚାଲୁଥିବାବେଳେ ଓଡ଼ିଶାରେ ଜୟ ଜଗନ୍ନାଥ କୁହାଯାଏ । କାଳିଆ ଯେପରି, ତାର ଓଡ଼ିଶାବାସୀ ମଧ୍ୟ ସେହିପରି ହୋଇଥିବେ ବୋଲି ରାଜ୍ୟ ବାହାର ଲୋକେ ଭାବନ୍ତି । କିନ୍ତୁ କିଛି ଦୁଷ୍ଟ ପ୍ରକୃତିର ଲୋକଙ୍କ ପାଇଁ ଓଡ଼ିଶା ଆଜି ବଦନାମ୍ ହେବାକୁ ବସିଛି । ବର୍ତ୍ତମାନ ଓଡ଼ିଶାର କୌଣସି ବି ପର୍ଯ୍ୟଟନସ୍ଥଳ ବୁଲିବାକୁ ଆସିବାବେଳେ ଜଣେ ରାଜ୍ୟ ବାହାର ପର୍ଯ୍ୟଟକ ଶହେ ଥର ଭାବିବ ।

ପର୍ଯ୍ୟଟନସ୍ଥଳରେ ନିୟୋଜିତ ଥିବା କିଛି କର୍ମଚାରୀଙ୍କ ଔଦ୍ଧତ୍ୟ ପାଇଁ ପୁରା ଓଡ଼ିଶା ଏବେ ଚର୍ଚ୍ଚାରେ । ଚାରିଆଡେ ଆଲୋଚନା ଓ ପର୍ଯ୍ୟାଲୋଚନା । ସୋସିଆଲ ମିଡିଆରେ ଲୋକେ ଓଡ଼ିଶା ପର୍ଯ୍ୟଟନସ୍ଥଳ ବାବଦରେ ବିଭିନ୍ନ କଟୁ ମନ୍ତବ୍ୟ ଦେଉଛନ୍ତି । ଏମିତି ଘଟଣା ଆଗରୁ ବହୁବାର ହୋଇଥିଲେ ମଧ୍ୟ, ବର୍ତ୍ତମାନର ନନ୍ଦନକାନନ ଘଟଣା ଏବେ ପୁରା ଓଡ଼ିଶାକୁ ବଦନାମ କରିଦେଇଛି । ପଡୋଶୀ ଛତିଶଗଡର ପର୍ଯ୍ୟଟକଙ୍କୁ ମାଡ ମାରି କେବଳ ନନ୍ଦନକାନନ କାହିଁକି ପୁରା ସମଗ୍ର ଓଡ଼ିଶା ଏବେ ଆଲୋଚନାର ଶରବ୍ୟ ପାଲଟିଛି ।

ପୂର୍ବରୁ ପୁରୀ ମନ୍ଦିରରେ ଏହି ପ୍ରକାରର ଘଟଣା ଦେଖିବାକୁ ମିଳୁଥିଲା । କିନ୍ତୁ ପ୍ରଶାସନର ଦୃଢ କାର୍ଯ୍ୟାନୁଷ୍ଠାନ ଓ ମନ୍ଦିର ସେବାୟତଙ୍କ ଯୋଗୁଁ ଏହି ଘଟଣା ଏବେ ଆଉ ଦେଖିବାକୁ ମିଳୁନାହିଁ । କଥାରେ ଅଛି ଅତିଥି ଦେବୋ ଭବଃ । ରାଜ୍ୟ ବାହାରର ଅତିଥି ଭଗବାନ ସମାନ । ସେମାନେ କେମିତି ସପରିବାର ସହ ପର୍ଯ୍ୟଟନସ୍ଥଳ ବୁଲି ଭଲରେ ଭଲରେ ନିଜ ରାଜ୍ୟକୁ ଫେରି ପାରିବେ, ତାହା ଆମର ପରମ କର୍ତ୍ତବ୍ୟ । କାହିଁକିନା ତାଙ୍କ ଆଗମନ ଯୋଗୁଁ ଆମ ରାଜ୍ୟର ପର୍ଯ୍ୟଟନ ରାଜସ୍ବ ବଢିଥାଏ । ଓଡ଼ିଶା ପୁରା ବିଶ୍ବ ଦରବାରରେ ପରିଚିତ ହୋଇପାରିଥାଏ । ଯଦି ତାଙ୍କ ସହ ଆମେ ଏ ପ୍ରକାରର ଅଭଦ୍ରାମି କରିବା, ତେବେ ଏହା କେତେ ଦୂର ଯୁକ୍ତି ସଂଙ୍ଗତ ହେବ । ଓଡ଼ିଶା ନାଁ ଶୁଣିଲେ ଲୋକେ ଡରିବେ । କେବଳ ଛତିଶଗଡବାସୀ ନୁହେଁ, କୌଣସି ରାଜ୍ୟର ପର୍ଯ୍ୟଟକ ମଧ୍ୟ ଓଡ଼ିଶା ଆସିବେ ନାହିଁ । ତେଣିକି ସେ ପୁରୀ ହେଉ କିମ୍ବା କୋଣାର୍କ । ପର୍ଯ୍ୟଟକ ଆସିବା ପୂର୍ବରୁ ଶହେ ଥର ଭାବିବାକୁ ବାଧ୍ୟ ହେବେ ।

ଏହା ବି ପଢନ୍ତୁ: ନନ୍ଦନକାନନରେ ଛତିଶଗଡ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା, ୩ ଗିରଫ

ଆଗକୁ ଓଡ଼ିଶାର ଗଣପର୍ବ ରଜ ଆସୁଛି । ବର୍ଷର ଏହା ଏକ ଏମିତି ଦିନ, ଯେଉଁଦିନ ନନ୍ଦନକାନନରେ ଶତାଧିକ ଭିଡ ଦେଖାଯାଏ । କାହିଁ କେଉଁ ଆଡୁ ଯାତ୍ରୀ ଆସିଥାଆନ୍ତି । ଯଦି ଓଡ଼ିଶା ବାହାର ଲୋକ ଏଠାରେ ସୁରକ୍ଷିତ ନାହାଁନ୍ତି, ତେବେ ଓଡ଼ିଶାବାସୀ ବା କିପରି ହୋଇପାରିବେ । କିଏ କେଉଁ ଭରସାରେ ଏଠାକୁ ଆସିବେ । ଯଦି ଏହିପରି ଲାଗି ରୁହେ, ତାହେଲେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳରେ କେବଳ ଓଡ଼ିଶାବାସୀ ହିଁ ଥିବେ, ଅନ୍ୟ ରାଜ୍ୟର ପର୍ଯ୍ୟଟକ ନ ଥିବେ ।

ଚାଲନ୍ତୁ ଜାଣିବା କ'ଣ ଥିଲା ସମ୍ପୂର୍ଣ୍ଣ ଘଟଣା..

ଗତକାଲି(ରବିବାର) ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଭିତରେ ଛତିଶଗଡ଼ର ୨୬ ପର୍ଯ୍ୟଟକ ସଫାରୀ ବସ୍ ଟିକେଟ୍ ଘର ପାଖ ଧାଡିରେ ଛିଡା ହୋଇଥିଲେ । ସେମାନଙ୍କ ପଛରେ ଧାଡିରେ ଛିଡ଼ା ହୋଇଥିବା ପର୍ଯ୍ୟଟକ ବସ୍ ଟିକେଟ୍ କରି ବସରେ ବସିଥିଲେ । ସେମାନଙ୍କୁ ଦେଖି ଛତିଶଗଡ଼ର ପର୍ଯ୍ୟଟକ ବସରେ ବସିବା ପାଇଁ ଚଢିଥିଲେ । କିନ୍ତୁ, ବସ୍ କର୍ମଚାରୀମାନେ ସେମାନଙ୍କୁ ବସିବାକୁ ସୁଯୋଗ ଦେଲେ ନାହିଁ । ଅନ୍ୟପଟେ ସମୟ ହୋଇଥିବାରୁ ଟିକେଟ୍ କାଉଣ୍ଟର ବନ୍ଦ ହୋଇଯାଇଥିଲା । ଏହାକୁ ନେଇ ବସ୍ କର୍ମଚାରୀ, ଡ୍ରାଇଭର ଓ ପର୍ଯ୍ୟଟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ପରସ୍ପରକୁ ଠେଲାପେଲା କରିଥିଲେ । ଏଥିରେ ସଫାରୀ କର୍ମଚାରୀ ଓ ଡ୍ରାଇଭର ପର୍ଯ୍ୟଟକଙ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ । ଫଳରେ ଜଣେ ମହିଳାଙ୍କ ସମେତ ୩ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ ।

ଏହା ବି ପଢନ୍ତୁ: ନନ୍ଦନକାନନରେ ଅଭାବନୀୟ ଘଟଣା: ଛତିଶଗଡ ପର୍ଯ୍ୟଟକଙ୍କୁ ମାଡ ମାରିଲେ ସଫାରି ବସ୍ କର୍ମଚାରୀ

ପରେ ଏହି ଘଟଣାର ସିସିଟିଭି ଫୁଟେଜ ଦେଖାଯାଇ କଡା କାର୍ଯ୍ୟାନୁଷ୍ଠାନ ନେଇଥିଲେ ନନ୍ଦନକାନନ ଉପନିର୍ଦ୍ଦେଶକ । ସଫାରୀ କର୍ମଚାରୀ ଓ ଡ୍ରାଇଭରକୁ ମିଶାଇ ଏଯାବତ୍ ମୋଟ ୩ଜଣଙ୍କୁ ଗିରଫ କରିଛି ନନ୍ଦନକାନନ ଥାନା ପୋଲିସ । ସେ ଏ ନେଇ ରେଞ୍ଜ ସିକ୍ୟୁରିଟି ଅଫିସରଙ୍କୁ ରିପୋର୍ଟ ତଲବ କରିଛନ୍ତି । ଏହାସହ ପର୍ଯ୍ୟଟକମାନେ ମଧ୍ୟ ଆଇନକୁ ହାତକୁ ନନେବା ପାଇଁ କୁହାଯାଇଛି । ଯଦି ଏପରି କୌଣସି ଘଟଣା ଘଟେ, ତେବେ ତୁରନ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାକୁ କୁହାଯାଇଛି ।

ଭବିଷ୍ୟତରେ କେବେ ମଧ୍ୟ ଯେପରି ଏମିତି ଘଟଣା ନ ଘଟେ, ସେଥିପ୍ରତି ପର୍ଯ୍ୟଟନସ୍ଥଳ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଏହାସହ ପର୍ଯ୍ୟଟକ ମଧ୍ୟ ଉତ୍ତ୍ୟକ୍ତ ନ ହୋଇ କର୍ମଚାରୀଙ୍କୁ ସହଯୋଗ କରିବା ଉଚିତ୍ ନଚେତ୍ ରାଜ୍ୟ ବାହାର ପର୍ଯ୍ୟଟକ ଓଡିଶା ପ୍ରତି ବିମୂଢ ହୋଇଯିବେ । ପର୍ଯ୍ୟଟକଙ୍କ ସହ ମିଠା ଓ ଶାଳୀନତାପୂର୍ଣ୍ଣ ବ୍ୟବହାର ଜଣେ ଓଡିଶାବାସୀ ପାଇଁ ଅପରିହାର୍ଯ୍ୟ । ଏହାଦ୍ବାରା ପର୍ଯ୍ୟଟକ ଓଡିଶାର ସୌନ୍ଦର୍ଯ୍ୟତା ପ୍ରତି ବିମୋହିତ ହେବା ସହ ବିଶ୍ବ ଦରବାରରେ ଓଡିଶାକୁ ପରିଚିତ କରାଇପାରିବେ । ଓଡ଼ିଶାର ଏହି ମାନ ସମ୍ମାନ ଯେପରି କ୍ଷୁର୍ଣ୍ଣ ନ ହୋଇଯାଏ, ସେଥିପ୍ରତି ସମସ୍ତ ଓଡିଶାବାସୀ ଧ୍ୟାନ ଦେବା ଆବଶ୍ୟକ ।

ପ୍ରିୟଙ୍କା ସାହୁ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.