ETV Bharat / international

ପାକ୍‌ର ପୂର୍ବତନ ସେନା ମୁଖ୍ୟଙ୍କ ବୟାନ; ଭାରତ ସହ ଯୁଦ୍ଧ ଲଢିବାକୁ ଅଯୋଗ୍ୟ ପାକିସ୍ତାନ

author img

By

Published : Apr 25, 2023, 2:19 PM IST

ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ କମର ଜାଭେଦ ବାଜୱା ବୟାନ । ବାଜୱା କହିଲେ, ଭାରତ ସହ ଯୁଦ୍ଧ ଲଢି ପାରିବନି ପାକିସ୍ତାନ ସେନା । ଅଧିକ ପଢନ୍ତୁ

ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ କମର ଜାଭେଦ ବାଜୱା ବୟାନ
ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ କମର ଜାଭେଦ ବାଜୱା ବୟାନ

ଇସଲାମବାଦ: ପାକିସ୍ତାନର ପୂର୍ବତନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ସମ୍ପର୍କରେ 'UK44'ର ଦୁଇ ଜଣ ବରିଷ୍ଠ ସାମ୍ବାଦିକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି । ଦୁଇ ପାକିସ୍ତାନୀ ସାମ୍ବାଦିକ ହମିଦ ମୀର୍ ଏବଂ ନସୀମ ଜେହରା ପୂର୍ବ ପାକ୍ ସେନା ମୁଖ୍ୟ ତାଙ୍କ ସହ ସାକ୍ଷାତକାରରେ ଦେଇଥିବା ବୟାନ ସମ୍ପର୍କରେ ଜଣାଇଛନ୍ତି । ସାମ୍ବାଦିକଙ୍କ ଦାବି ଅନୁସାରେ, କମର ଜାଭେଦ ବାଜୱା କହିଥିଲେ ଯେ, ଭାରତ ସେନା ସହ ପାକିସ୍ତାନ ସେନାର କୌଣସି ତୁଳନା ନାହିଁ । ଭାରତ ସହ ଯୁଦ୍ଧ ଲଢିବାକୁ ପାକ୍ ଅସମର୍ଥ । କାରଣ ପାକିସ୍ତାନ ପାଖରେ ଆର୍ଥିକ ସମ୍ବଳ ଓ ଅସ୍ତ୍ରଶସ୍ତ୍ରର ଘୋର ଅଭାବ ରହିଛି । ଏହାସହିତ ସାମ୍ବାଦିକ ହମିଦ ମୀର୍ ଏକ ଭିଡିଓରେ ବାଜୱାଙ୍କ ବିରୋଧରେ କାଶ୍ମୀର ବିକ୍ରି କରିବାର ଅଭିଯୋଗ ମଧ୍ୟ ଆଣିଛନ୍ତି ।

ମିର୍‌ଙ୍କ ଏକ ଭିଡିଓରେ ଦାବି କରାଯାଇଛି ଯେ, ବାଜୱା ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ସହ ଏକ ଡିଲ୍ କରିଥିଲେ । ମାତ୍ର ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏ ବିଷୟରେ କିଛି ଜାଣିନଥିଲେ । କହିରଖୁଛୁ କି, ୨୦୨୨ ଯାଏଁ ଇମ୍ରାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିଥିଲେ । ତାଙ୍କୁ କ୍ଷମତାରୁ ବହିଷ୍କୃତ କରାଯାଇଥିଲା । ଏହାପରେ ଇମ୍ରାନ ତତ୍କାଳୀନ ସେନା ମୁଖ୍ୟ କମର ଜାବେଦ ବାଜୱାଙ୍କ ବିରୋଧରେ ନାନା ଅଭିଯୋଗ ଆଣିଥିଲେ । ତାଙ୍କ ସହ ଯାହା କିଛି ବି ଘଟିଲା ସେଥିପାଇଁ ବାଜୱା ଦାୟୀ ବୋଲି ଇମ୍ରାନ କହିଥିଲେ । ଏବେ ସାମ୍ବାଦିକ ମୀର୍‌ଙ୍କ ବୟାନ ପରେ ଇମ୍ରାନ ଖାନଙ୍କ ସମର୍ଥକମାନେ ବାଜୱାଙ୍କ ପ୍ରତି ଆକ୍ରମଣାତ୍ମକ ହୋଇଉଠିଛନ୍ତି ।

ହମିଦ୍ ମୀର୍‌ଙ୍କ କହିବା ଅନୁସାରେ, ବାଜୱା ନିଜ ଦେଶର ସେନାର କ୍ଷମତାକୁ ନେଇ ଦାବି କରିଥିଲେ । ସେ କହିଥିଲେ ଯେ, ପାକିସ୍ତାନ ସେନାର ଯୁଦ୍ଧ ଲଢିବା ପାଇଁ ଶକ୍ତି ନାହିଁ । ସେନା ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ରହିଛି । ପାକିସ୍ତାନୀ ଆର୍ମିର ଟ୍ୟାଙ୍କ୍‌ ମଧ୍ୟ କାମ କରୁନି । ଏପରିକି ଏଥିରେ ଡିଜେଲ ଭରିବାକୁ ସେନା ପାଖରେ ଅର୍ଥ ନାହିଁ । ଭାରତ ସହ ଯୁଦ୍ଧ ଲଢିବାକୁ ପାକ୍ ସେନା ପାଖରେ ଯୋଗ୍ୟତା ନାହିଁ । ଯଦି ସାମ୍ବାଦିକଙ୍କ କଥା ବିଶ୍ବାସ କରାଯାଏ, ତାହାହେଲେ କୁଆଡେ ବାଜୱା କାଶ୍ମୀର ବିକ୍ରି କରିବାକୁ ଏକ ଡିଲ୍ କରିଥିଲେ । ଏଥିପାଇଁ ସେ ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲଙ୍କ ସାଙ୍ଗରେ ଗୁପ୍ତ ଆଲୋଚନା କରିଥିଲେ । ଯଦି ଭାରତ ସହ ଅସ୍ତ୍ରବିରତି ହୁଏ ତାହାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୧ ଏପ୍ରିଲରେ ପାକିସ୍ତାନ ଆସିବା ନେଇ ଯୋଜନା କରିଥିଲେ ।

ମୋଦିଙ୍କ ଗସ୍ତ ବିଷୟରେ ଶୁଣିବା ପରେ ପାକିସ୍ତାନର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ମାହମୁଦ କ୍ୟୁରେସୀ ଖୁବ୍ କ୍ରୋଧିତ ହୋଇ ଇମ୍ରାନଙ୍କ ପାଖକୁ ଯାଇଥିଲେ । ସେତେବେଳେ ଇମ୍ରାନ କହିଥିଲେ ଯେ, ସେ ଏ ବିଷୟରେ ଜାଣିଛନ୍ତି ଏବଂ ଏନଏସଏ ଅଜିତ ଡୋଭାଲଙ୍କ ସହ ଆଲୋଚନା ଚାଲିଛି । ମାତ୍ର ଭାରତ ପ୍ରଧାନମନ୍ତ୍ରୀଙ୍କ ପାକିସ୍ତାନ ଗସ୍ତ ନେଇ ତାଙ୍କ ପାଖରେ କୌଣସି ସ୍ପଷ୍ଟ ସୂଚନା ନାହିଁ । ଅନ୍ୟପଟେ ଇମ୍ରାନ ଖାନଙ୍କ ସମର୍ଥକ କହିଛନ୍ତି ଯେ, ବାଜୱା ଇମ୍ରାନଙ୍କୁ ଅନ୍ଧାରରେ ରଖିଥିଲେ । ସେ ଏ ସମ୍ପର୍କରେ ବିଶେଷ କିଛି ଜଣାଇ ନଥିଲେ । ବାଜୱା ଇମ୍ରାନ ଏବଂ କାଶ୍ମୀରବାସୀଙ୍କୁ ଧୋକା ଦେଇଛନ୍ତି । ବରିଷ୍ଠ ସାମ୍ବାଦିକଙ୍କ ଏପରି ବୟାନ ପରେ ପାକିସ୍ତାନରେ ଏବେ ଚର୍ଚ୍ଚା ଜୋର ଧରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.