ETV Bharat / international

Major Accident: ଘାଟି ତଳକୁ ଖସିଲା ବସ୍; ଚାଲିଗଲା ୨୭ ଜୀବନ

author img

By

Published : Jul 6, 2023, 9:05 AM IST

ମେକ୍ସିକୋରେ ଭୟଙ୍କର ସଡକ ଦୁର୍ଘଟଣା । ଘାଟି ତଳକୁ ଗୋଟିଏ ଯାତ୍ରୀବାହୀ ବସ୍ ଖସି ପଡିବାରୁ ୨୭ ଯାତ୍ରୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ

ମେକ୍ସିକୋରେ ଭୟଙ୍କର ବସ୍  ଦୁର୍ଘଟଣା
ମେକ୍ସିକୋରେ ଭୟଙ୍କର ବସ୍ ଦୁର୍ଘଟଣା

ମେକ୍ସିକୋ ସିଟି: ପୁଣି ଭୟଙ୍କର ସଡକ ଦୁର୍ଘଟଣା । ଘାଟି ତଳକୁ ଖସିପଡିଲା ଯାତ୍ରୀବାହୀ ବସ୍ । ଆଖି ପିଛୁଳାକେ ଚାଲିଗଲା ୨୭ ଜୀବନ । ବୁଧବାର ମେକ୍ସିକୋର ଦକ୍ଷିଣ ରାଜ୍ୟ ଓକ୍ସାକାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗୋଟିଏ ଯାତ୍ରୀବାହୀ ବସ୍ ପାହାଡିଆ ରାସ୍ତାରେ ଯାଉଥିବା ବେଳେ ତଳକୁ ଖସି ପଡିବାରୁ ଅତିକମରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୩ ଜଣ ମହିଳା ଏବଂ ୧୩ ଜଣ ପୁରୁଷଙ୍କ ସମେତ ଜଣେ ବର୍ଷକର ଛୁଆ ରହିଛି । ଦୁର୍ଘଟଣାରେ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ବିଭିନ୍ନ ହସ୍ପିଟାଲଗୁଡିକରେ ଭର୍ତ୍ତି କରାଯାଇଛି । ତେବେ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।

ସୂଚନା ମୁତାବକ, ବସ୍‌ରେ ୪୦ରୁ ଅଧିକ ଯାତ୍ରୀ ଥିଲେ । ଗତକାଲି ବସ୍‌ ମେକ୍ସିକୋ ସିଟିରୁ ୟୋସୋନ୍ଦୁଆ ଅଭିମୁଖେ ଯାଉଥିଲା । ବାଟରେ ମାଗଦାଲେନା ପେନାସ୍କୋ ସହର ନିକଟରେ ଦୁର୍ଘଟଣା ଘଟିଛି । ବସ୍ ଏକ ପାହାଡିଆ ରାସ୍ତା ଦେଇ ଗତି କରୁଥିବା ବେଳେ ଭାରାସାମ୍ୟ ହରାଇ ଘାଟି ତଳକୁ ଖସି ପଡିଥିଲା । ଏନେଇ ଓକ୍ସାକା ଗଭର୍ଣ୍ଣର ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି । ଖବର ପାଇ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକେ, ସିଟି କାଉନ୍ସିଲ କର୍ମଚାରୀ ଏବଂ ଘରୋଇ ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ତୁର୍କୀରେ ସଡକ ଦୁର୍ଘଟଣାରେ 4 ଗୁଜୁରାଟି ଛାତ୍ରଛାତ୍ରୀ ମୃତ

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବସ୍ ପୁରା ଚୁରମାର୍ ହୋଇଯାଇଛି । ପ୍ରଥମେ ୨୫ ଜଣଙ୍କ ମୃତ୍ୟୁ ଏବଂ ୧୭ ଜଣ ଗୁରୁତର ଥିବା ଖବର ଆସିଥିଲା । ସେମାନଙ୍କୁ ତାଲଜିଆକୋ ସ୍ଥିତ ଆଇଏମଏସଏସ କ୍ଲିନିକରେ ଭର୍ତ୍ତି କରାଯାଇଥିଲା । ପରେ ୨୭ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଅନେକ ଯାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି । ଏହି ଘଟଣାରେ ଓକ୍ସାକା ଗଭର୍ଣ୍ଣର ସଲୋମନ ଜାରା ଟ୍ବିଟ୍ କରି ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଆହତ ଯାତ୍ରୀଙ୍କ ସହାୟତା ପାଇଁ ବିଭିନ୍ନ ସରକାରୀ ଏଜେନ୍ସିଗୁଡିକୁ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମନ୍ତୁଦ ଦୁର୍ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି ।

ଯାହା ସୂଚନା ମିଳିଛି, ଦୁର୍ଘଟଣାଗ୍ରସ୍ତ ବସ୍‌ଟି ଏକ ସ୍ଥାନୀୟ ପରିବହନ କମ୍ପାନୀ ଦ୍ବାରା ପରିଚାଳିତ ହେଉଥିଲା । ମଙ୍ଗଳବାର ରାତିରେ ବସ୍ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ସାଣ୍ଟିଆଗୋ ୟୋସୋନ୍ଦୁଆ ଆଡକୁ ଯାଉଥିଲା । ବୁଧବାର ସକାଳେ ମାଗଦାଲେନା ପେନାସ୍କୋ ନିକଟରେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ବସଟି ପ୍ରାୟ ୮୦ ଫୁଟ ଗଭୀର ଖାଇକୁ ଖସି ପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.