ETV Bharat / international

ଇରାକରେ ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ, 14 ମୃତ, 18 ଆହତ

author img

By ETV Bharat Odisha Team

Published : Dec 9, 2023, 9:21 AM IST

Fire at Iraq university dormitory: ଇରାକର ସୋରେନ ସ୍ଥିତ ବିଶ୍ବବିଦ୍ୟାଳୟରେ ଛାତ୍ରାବାସରେ ଭୀଷଣ ଅଗ୍ନିକାଣ୍ଡ । ଏହି ଅଘଟଣରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 18 ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ

ଇରାକ ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ
ଇରାକ ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ

ଇରାକ: ଇରାକରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଉତ୍ତର ଇରାକର ଏକ ବିଶ୍ବବିଦ୍ୟାଳୟର ଛାତ୍ରାବାସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 18 ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ଆଗକୁ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଶୁକ୍ରବାର ରାତିରେ ଏହି ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ବେଳେ ବିଳମ୍ବିତ ରାତିରେ ଏହି ନିଆଁକୁ ଆୟତ୍ତ କରାଯାଇଥିଲା ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଉତ୍ତର ଇରାକର ଏରବିଲ ସହରରେ ପୂର୍ବାଞ୍ଚଳରେ ଅବସ୍ଥିତ ସୋରେନ ବିଶ୍ବବିଦ୍ୟାଳୟରେ ଭୀଷଣ ଅଗ୍ନକାଣ୍ଡ ଘଟିଛି । ବିଶ୍ବବିଦ୍ୟାଳୟର ଛାତ୍ରାବାସ ବିଲଡିଂର ତୃତୀୟ ଓ ଚତୁର୍ଥ ମହଲାରେ ହଠାତ ନିଆଁ ଲାଗିଯାଇଥିଲା । ଏହି ଅଗ୍ନିକାଣ୍ଡରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି 18 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଆଗକୁ ମୃତାହତ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।

ଏହାମଧ୍ୟ ପଢନ୍ତୁ..ସପିଂମଲ୍‌ରେ ଅଗ୍ନିକାଣ୍ଡ, 10ମୃତ, 22 ଆହତ

ପ୍ରାଥମିକ ତଦନ୍ତରୁ ସର୍ଟସର୍କିଟ ଯୋଗୁଁ ଏହି ଅଘଟଣ ଘଟିଥିବା ଜଣାପଡିଛି । ନିଆଁ ଲାଗିବା ସମୟରେ ବିଲଂଡିରେ ଛାତ୍ରମାନଙ୍କ ସହ ବିଶ୍ବବିଦ୍ୟାଳୟର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ତେବେ ଛାତ୍ରାବାସରେ ନିଆଁ ଲାଗିବା ଜାଣିବା ପରେ ସ୍ଥାନୀୟ ଫାୟାର ଫାଇଟର୍ସଙ୍କୁ ଖବର ଦିଆଯାଇଥିଲା । ଖବର ପାଇବା ପରେ କିଛି ସମୟ ମଧ୍ୟରେ ଫାୟାର ଫାଇଟର୍ସ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଦୀର୍ଘ ସମୟ ପରେ ବିଳମ୍ବିତ ରାତିରେ ନିଆଁକୁ ଆୟତ୍ତ କରିବାକୁ ସଫଳ ହୋଇଥିଲା ଫାୟାର ଫାଇଟର୍ସ । ଏଥିସହ ଫସିରହିଥିବା ଛାତ୍ର ଓ କର୍ମଚାରୀମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିଲା ।

ଏହି ଭୟଙ୍କର ଅଗ୍ନିକାଣ୍ଡରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 18 ଜଣ ଆହତ ହୋଇଥିବା ନେଇ ସ୍ଥାନୀୟ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର ମୁଖ୍ୟ କାମରାମ ମୁସ୍ସା ମହମ୍ମଦଙ୍କ ସୂଚନା ଅନୁଯାୟୀ, 'ଅରବିଲର ପୂର୍ବାଞ୍ଚଳରେ ଅବସ୍ଥିତ ସୋରନଠାରେ ଏକ ବିଶ୍ବବିଦ୍ୟାଳୟରେ ନିଆଁ ଲାଗିଯାଇଥିଲା । ଯେଉଁଥିରେ 14 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 18 ଜଣ ଆହତ ହୋଇଛନ୍ତି ।' ଏହି ଅଘଟଣକୁ ନେଇ ଅଟୋନୋମସ କୁର୍ଦିସ୍ତାନର ପ୍ରଧାନମନ୍ତ୍ରୀ ମସୌର ବାର୍ଜାନୀ ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ କରି ସତ୍ୟାସତ୍ୟ ନେଇ ରିପୋର୍ଟ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.