ETV Bharat / international

ପାକିସ୍ତାନରେ ମିସାଇଲ ମାଡ଼ କଲା ଇରାନ, ୨ ମୃତ

author img

By ETV Bharat Odisha Team

Published : Jan 17, 2024, 7:01 AM IST

Iran strikes in Pakistan: ପାକିସ୍ତାନ ସୀମାରେ ପଶି ମିସାଇଲ ମାଡ଼ କଲା ଇରାନ । ଆକ୍ରମଣରେ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା । ଇରାନର ଏଭଳି ଆକ୍ରମଣର ଫଳାଫଳ ଭୟାବହ ହେବ ବୋଲି ଚେତାବନୀ ଦେଲା ପାକିସ୍ତାନ । ଅଧିକ ପଢନ୍ତୁ

Iran strikes bases of terrorist group in Pakistan
ପାକିସ୍ତାନରେ ମିସାଇଲ ମାଡ଼ କଲା ଇରାନ

ଇସଲାମାବାଦ: ପାକିସ୍ତାନରେ ପଶି ମିସାଇଲ ମାଡ଼ କଲା ଇରାନ । ପାକିସ୍ତାନ-ଇରାନ ସୀମାରେ ଥିବା ବାଲୁଚିସ୍ତାନରେ ସୁନ୍ନି ଆତଙ୍କୀ ଗୋଷ୍ଠୀକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି । ଜୈସ ଅଲ୍-ଅଦଲ ଏବଂ ଅନ୍ୟ ଆତଙ୍କୀ ସଂଗଠନର ଆଡ୍ଡାକୁ ଟାର୍ଗେଟ କରି ଘନ ଘନ ମିସାଇଲ ଏବଂ ଡ୍ରୋନ ଆକ୍ରମଣ କରିଛି ଇରାନ । ଆକ୍ରମଣରେ ପାକିସ୍ତାନରେ ସ୍ଥିତ ଜୈସ୍ ଅଲ-ଅଦଲ ଗୋଷ୍ଠୀର ଦୁଇଟି ଗୁରୁତ୍ବପୂର୍ଣ୍ଣ ମୁଖ୍ୟାଳୟ ନଷ୍ଟ ହୋଇଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଇରାନର ଏଭଳି ବାୟୁସୀମା ଉଲ୍ଲଙ୍ଘନକୁ ପାକିସ୍ତାନ କଡ଼ା ନିନ୍ଦା କରିବା ସହ ଆକ୍ରମଣରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି । ଏନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ।

ଆକ୍ରମଣ ନେଇ ପାକ୍ ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟ ଦେଇଛି ଯେ, ଦେଶର ସାର୍ବଭୌମତ୍ବର ଉଲ୍ଲଙ୍ଘନ ଆଦୌ ଗ୍ରହଣୀୟ ନୁହେଁ । ଏହାର ପରିଣାମ ଗୁରୁତର ହେବ । ଦୁଇ ଦେଶ ମଧ୍ୟରେ ଯୋଗାଯୋଗର ଅନେକ ଚ୍ୟାନେଲ ଥାଇ ମଧ୍ୟ ଇରାନ ଏଭଳି ପଦକ୍ଷେପ ନେଇଛି । ପାକିସ୍ତାନ ମାଟିରେ ଇରାନର ଏଭଳି ଷ୍ଟ୍ରାଇକ ଏବଂ ବାୟୁସୀମା ଉଲ୍ଲଙ୍ଘନକୁ ଆମେ କଡ଼ା ନିନ୍ଦା କରୁଛୁ । ଇରାନର ମିଶାଇଲ ଓ ଡ୍ରୋନ ଆକ୍ରମଣରେ ୨ଟି ନିରୀହ ଶିଶୁଙ୍କ ଜୀବନ ଯାଇଥିବା ବେଳେ ୩ ଜଣ ନାବାଳିକା ଆହତ ହୋଇଛନ୍ତି । ତେବେ ପାକିସ୍ତାନ ଭଳି ପରମାଣୁ ଶକ୍ତି ସମ୍ପନ୍ନ ଦେଶରେ ପଶି ଇରାନ ମିସାଇଲ ଆକ୍ରମଣ କରିବା ପାକ୍‌ର ସୁରକ୍ଷାକୁ ବିପଦରେ ପକାଇଛି ।

ଏହା ମଧ୍ୟ ପଢନ୍ତୁ: ଇରାକରେ ପଶି ମୋସାଦ୍ ମୁଖ୍ୟାଳୟ ଉପରେ ଇରାନର ଏୟାରଷ୍ଟ୍ରାଇକ, 4 ମୃତ

ରିପୋର୍ଟ ଅନୁସାରେ, ପାକିସ୍ତାନର ବାଲୁଚିସ୍ତାନ ଅଞ୍ଚଳରେ ଇରାନ ଡ୍ରୋନ ଓ ମିସାଇଲ ମାଡ଼ କରିଛି । ବାଲୁଚିସ୍ତାନରେ ଜୈସ୍ ଅଲ-ଅଦଲର ଅନ୍ୟତମ ସର୍ବବୃହତ ମୁଖ୍ୟାଳୟ ରହିଛି । ୨୦୧୨ରେ ଇରାନ ଜୈସ୍ ଅଲ-ଅଦଲକୁ ଆତଙ୍କୀ ସଂଗଠନ ଭାବେ ନାମିତ କରିଥିଲା । ଯାହାକି ସୁନ୍ନି ଆତଙ୍କୀ ଗୋଷ୍ଠୀ ହୋଇଥିବା ବେଳେ ଇରାନର ଦକ୍ଷିଣ-ପୂର୍ବ ସିସ୍ତାନ ବାଲୁଚିସ୍ତାନ ପ୍ରଦେଶରେ ସକ୍ରିୟ ରହିଛି । ଅନେକ ବର୍ଷ ଧରି ଏହି ଆତଙ୍କୀ ଗୋଷ୍ଠୀ ଇରାନ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଆସୁଛି ।

ଗତ ଡିସେମ୍ବରରେ ସିସ୍ତାନ-ବାଲୁଚିସ୍ତାନର ଏକ ପୋଲିସ ଷ୍ଟେସନ ଉପରେ ଭୟାନକ ଆକ୍ରମଣ ହୋଇଥିଲା । ଏଥିରେ ୧୧ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆକ୍ରମଣ ପାଇଁ ଜୈସ ଅଲ-ଅଦଲ ନିଜକୁ ଦାୟୀ କରିଥିଲା । ସିସ୍ତାନ-ବାରୁଚିସ୍ତାନ ଆଫଗାନିସ୍ତାନ ଓ ପାକିସ୍ତାନ ସୀମାକୁ ଲାଗି ରହିଛି । ଯେଉଁ କାରଣରୁ ଏଠାରେ ବାରମ୍ବାର ଇରାନ ସୁରକ୍ଷା ବାହିନୀ ଏବଂ ସୁନ୍ନି ଆତଙ୍କବାଦୀ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳେ ।

କହିରଖୁଛି ଯେ, ଇରାକର କୁର୍ଦିସ୍ତାନରେ ମିସାଇଲ ଆକ୍ରମଣର ଦିନକ ପରେ ଇରାନ ପାକିସ୍ତାନରେ ମିସାଇଲ ମାଡ଼ କରିଛି । ଇରାନ ଇରାକରେ ସ୍ଥିତ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ୍‌ର ମୁଖ୍ୟାଳୟକୁ ଟାର୍ଗେଟ କରି ଏୟାରଷ୍ଟାଇକ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.