ETV Bharat / international

Israel-Gaza war: ଓ୍ବେଷ୍ଟବ୍ୟାଙ୍କରେ ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ଭେଟିଲେ ଆମେରିକା ବିଦେଶ ସଚିବ

author img

By ETV Bharat Odisha Team

Published : Nov 5, 2023, 9:55 PM IST

ଅଚାନକ ଗସ୍ତରେ ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ଓ୍ବେଷ୍ଟବ୍ୟାଙ୍କରେ ଭେଟିଲେ ଆମେରିକା ବିଦେଶ ସଚିବ । ଓ୍ବେଷ୍ଟବ୍ୟାଙ୍କରୁ ଫେରିବା ପର୍ଯ୍ୟନ୍ତ ଘଟଣା ସମ୍ପର୍କରେ କରାଗଲାନି ପ୍ରଘଟ । ଏବେ ସୁଦ୍ଧା ଗାଜାରେ ମୃତ୍ୟୁସଂଖ୍ୟା ପ୍ରାୟ 10 ହଜାର ପାର କରିଥିବା ଆଶଙ୍କା । ଅଧିକ ପଢନ୍ତୁ

Israel-Gaza war: ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ଭେଟିଲେ ଆମେରିକା ବିଦେଶ ସଚିବ, ଗାଜାରେ ମୃତ୍ୟୁସଂଖ୍ୟା 10 ହଜାର ପାର
Israel-Gaza war: ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ଭେଟିଲେ ଆମେରିକା ବିଦେଶ ସଚିବ, ଗାଜାରେ ମୃତ୍ୟୁସଂଖ୍ୟା 10 ହଜାର ପାର

ହାଇଦ୍ରାବାଦ: ଗାଜାରେ ଇସ୍ରାଏଲର ସାମରିକ ଅଭିଯାନ ଜାରି ରହିଥିବା ବେଳେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଆଜି (ରବିବାର) ଅଚାନକ ଗସ୍ତରେ ପାଲେଷ୍ଟାଇନରେ ପହଞ୍ଚିଛନ୍ତି । ସେ ଓ୍ବେଷ୍ଟବ୍ୟାଙ୍କରେ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କୁ ଭେଟି ଆଲୋଚନା କରିଛନ୍ତି । ତେବେ ଏହା ପୂର୍ବରୁ ସଂଘର୍ଷର ପ୍ରାରମ୍ଭରେ ପ୍ରଥମ ଆମେରିକୀୟ ପ୍ରତିନିଧି ଭାବେ ଇସ୍ରାଏଲର ଟେଲ-ଆଭିଭରେ ପହଞ୍ଚିଥିଲେ । ସେ ସେଠାରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସାକ୍ଷାତ କରିବା ସହ ସମସ୍ତ ସହଯୋଗ ଘୋଷଣା କରିଥିଲେ । ଇସ୍ରାଏଲକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଥିବା ଆମେରିକାର ପ୍ରତିନିଧି ଆଣ୍ଟୋନି ବ୍ଲିଙ୍କେନ୍ ଏବେ ପୁଣି ପାଲେଷ୍ଟାଇନ ମଧ୍ୟ ଗସ୍ତ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଆଜି ଗାଜାର ଏକ ଶରଣାର୍ଥୀ କ୍ୟାମ୍ପରେ ଇସ୍ରାଏଲୀ ରକେଟ ମାଡ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ପ୍ରାୟ 40 ଜଣ ସାଧାରଣ ପାଲେଷ୍ଟାନୀୟଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଦାବି ହୋଇଛି । ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ ଓ୍ବେଷ୍ଟବ୍ୟାଙ୍କରେ ହଠାତ ତଥା ଗୋପନୀୟ ଭାବେ ପହଞ୍ଚିଥିଲେ ବ୍ଲିନକେନ । କଡା ସୁରକ୍ଷା ମଧ୍ୟରେ ସେ ରାଷ୍ଟ୍ରପତି ଅବ୍ବାସଙ୍କ ସହ ସାକ୍ଷାତ କରିଛନ୍ତି । ତେବେ ତାଙ୍କର ଏହି ଗସ୍ତ ସମ୍ପୂର୍ଣ୍ଣ ଗୋପନୀୟ ଥିଲା । ସେ ଓ୍ବେଷ୍ଟବ୍ୟାଙ୍କ ଗସ୍ତ କରିବା ନେଇ କୌଣସି ଆଗୁଆ ସୂଚନା ଓ୍ବାଶିଂଟନ ପକ୍ଷରୁ ମଧ୍ୟ ପ୍ରଦାନ କରାଯାଇନଥିଲା । ସେ ସେଠାକୁ ଗସ୍ତ କରିବା ସୂଚନା ମିଳିଥିଲେ ସେଠାରେ ପାଲେଷ୍ଟାନୀୟମାନେ ଏହାକୁ ବିରୋଧ ମଧ୍ୟ କରିଥାନ୍ତେ । ଏପରିକି ଆକ୍ରମଣ ଆଶଙ୍କା ମଧ୍ୟ ଅନେକାଂଶରେ ରହିଥିଲା । ତେବେ ସେ ଓ୍ବେଷ୍ଟବ୍ୟାଙ୍କରୁ ଫେରିଲା ପରେ ଆଣ୍ଟୋନି ବ୍ଲିଙ୍କେନଙ୍କ ଗସ୍ତ ସମ୍ପର୍କରେ ସୂଚନା ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ:- Nepal earthquake: ଜରୁରୀ ସହାୟତା ସାମଗ୍ରୀ ପଠାଇଲା ଭାରତ

ଅନ୍ୟପଟେ ଗାଜାରେ ଏବେ ମଧ୍ୟ ଗ୍ରାଉଣ୍ଡ ଅପରେସନ ଜାରି ରଖିଛି ଇସ୍ରାଏଲୀ ଡିଫେନ୍ସ ଫୋର୍ସ । ଏବେ ସୁଦ୍ଧା ଗାଜାରେ ପ୍ରାୟ 10 ହଜାର ସାଧାରଣ ଲୋକଙ୍କ ମୃତ୍ୟୁ ହୋଇସାରିଛି । ପୁରା ଉତ୍ତର-ଗାଜା ଏବେ ଖାଲି ହୋଇସାରିଥିବା ବେଳେ ଦକ୍ଷିଣ ଗାଜା ଶରାଣାର୍ଥୀ ଶିବିରରେ ପରିଣତ ହୋଇଛି । ଲକ୍ଷାଧିକ ପାଲେଷ୍ଟାଇନବାସୀ ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇଛନ୍ତି । ଏହାରି ମଧ୍ୟରେ ଆଜି ଏକ ଇସ୍ରାଏଲୀ ରକେଟ ମଧ୍ୟ ଶରଣାର୍ଥୀ କ୍ୟାମ୍ପକୁ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି । ଏନେଇ ଇସ୍ରାଏଲ ସେନା କୌଣସି ସ୍ପଷ୍ଟୀକରଣ ରଖିନି । ଅନ୍ୟପଟେ ଏବେ ବି ଉତ୍ତର-ଗାଜାର ଏକାଧିକ ସୁଡଙ୍ଗ ମଧ୍ୟରେ ଶହ ଶହ ହମାସ ଆତଙ୍କୀ ଆତ୍ମଗୋପନ କରୁଥିବା ଦାବି କରି କୌଣସି ପରିସ୍ଥିତିରେ ଗ୍ରାଉଣ୍ଡ ଅପରେସନ ବନ୍ଦ ହେବନି ବୋଲି ଇସ୍ରାଏଲ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.