ETV Bharat / international

ଇମ୍ରାନ ଖାନ ଗିରଫ, ଇସଲାମାବାଦ କୋର୍ଟ ବାହାରୁ ଉଠାଇନେଲା ପୋଲିସ

author img

By

Published : May 9, 2023, 4:01 PM IST

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ । ଇସଲାମାବାଦ ହାଇକୋର୍ଟ ବାହାରେ ପୋଲିସ ଉଠାଇନେଇଥିବା ପାକିସ୍ତାନ ମିଡିଆରେ ଖବର ପ୍ରସାରିତ । ଅଧିକ ପଢନ୍ତୁ

ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ
ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ

ହାଇଦ୍ରାବାଦ: ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ । ପାକିସ୍ତାନର କିଛି ଗଣମାଧ୍ୟମର ସୂଚନା ଅନୁସାରେ ତାଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରେ ପାକିସ୍ତାନୀ ରେଞ୍ଜର୍ସ ଗିରଫ କରିଛି । ଇମ୍ରାନଙ୍କ ଦଳ ପିଟିଆଇ ପକ୍ଷରୁ ମଧ୍ୟ ତାଙ୍କ ଗିରଫଦାରୀଙ୍କୁ ସ୍ବୀକାର କରାଯାଇଛି । କ୍ଷମତାରୁ ହଟିବା ପରେ ଏକାଧିକ ମାମଲାରେ ଛନ୍ଦି ହୋଇଥିବା ଇମ୍ରାନ ଗତ କିଛି ଦିନ ଗିରଫ ହେବା ନେଇ ଚର୍ଚ୍ଚା ଲାଗି ରହିଥିଲା । ଆଇନଗତ ଲଢେଇ ମଧ୍ୟରେ ତାଙ୍କୁ ଶେଷରେ ଆଜି ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ଇସଲାମାବାଦ ଓ ଲାହୋର ସମେତ ଏକାଧିକ ପାକ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ନିକଟରେ ଇମ୍ରାନ ପାକିସ୍ତାନ ସେନା ତଥା ଦେଶର ଗୁପ୍ତଚର ସଂସ୍ଥା (ISI) ବିରୋଧରେ ସଙ୍ଗୀନ ଅଭିଯୋଗ କରିଥିଲେ । ସେନା ଓ ISI ମିଶି ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଥିବା ଇମ୍ରାନ କହିଥିଲେ । ଶନିବାର ଏକ ରାଲିରେ ଇମ୍ରାନ ଖାନ କହିଥିଲେ, ସେନା ଓ ପାକିସ୍ତାନ ଗୁଇନ୍ଦା ବିଭାଗ ଇଣ୍ଟର-ସର୍ଭିସ ଇଣ୍ଟେଲିଜେନ୍ସି (ଆଇଏସଆଇ) ଅଧିକାରୀ ମେଜର ଜେନେରାଲ ଫୈସଲ ନାସିର ତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି । ଯାହାର ମାତ୍ର ଗୋଟିଏ ଦିନ ପରେ ତାଙ୍କ ଗିରଫଦାରୀ ଖବର ସାମ୍ନାକୁ ଆସିଛି ।

ଇମ୍ରାନଙ୍କ ଏହି ବୟାନକୁ ପ୍ରଧାନମନ୍ତ୍ରୀ ଶେହେଓ୍ବାଜ ସରିଫ ନିନ୍ଦା କରିଥିଲେ ।ଏହା ପୂର୍ବରୁ ମଧ୍ୟ ସେ ତାଙ୍କ ଉପରେ ହୋଇଥିବା ଗୁଳିମାଡ ଘଟଣା ପାଇଁ ପ୍ରଧାନମନ୍ତ୍ରୀ ସରିଫ ଓ ସେନାକୁ ସିଧାସଳଖ ଦାୟୀ କରିଥିଲେ । ଯାହାକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେନା ସରକାରଙ୍କୁ ସୁପାରିଶ କରିଥିଲା ।

70 ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଅନେକ ମାମଲାରେ ଛନ୍ଦି ହୋଇଛନ୍ତି । ଏପରିକି ତାଙ୍କୁ ତାଙ୍କୁ ହତ୍ୟା ଉଦ୍ୟମ ମଧ୍ୟ କରାଯାଇସାରିଛି । ୨୦୧୮ରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ହେଲେ ୨୦୨୨ ରେ ରାଜନୈତିକ ଅସ୍ଥିରତା ମଧ୍ୟରେ ପଦ ହରାଇବାକୁ ବାଧ୍ୟ ହୋଇଥିଲେ । ଅନ୍ୟପଟେ ସେନା ତାଙ୍କୁ ପରୋକ୍ଷରେ ଗାଦିଚ୍ୟୁତ କରିଥିବା ମଧ୍ୟ କୁହାଯାଏ । ହେଲେ କ୍ଷମତାରୁ ହଟିବା ପରେ ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି । ବିଭିନ୍ନ ଅପରାଧିକ ଓ ଆର୍ଥିକ ହେରଫେର ମାମଲାରେ ପାକିସ୍ତାନ ପେନାଲ କୋଡ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଆକ୍ଟ ଅନୁସାରେ ଏହି ମାମଲାଗୁଡିକ ରୁଜୁ କରିଛି ପୋଲିସ । ଆଜି ଗିରଫଦାରୀ ସମ୍ପର୍କରେ ପାକିସ୍ତାନ ପୋଲିସର ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.