ETV Bharat / international

Earthquake: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ଘଣ୍ଟାଏରେ ୩ଥର ଝଟକା

author img

By ETV Bharat Odisha Team

Published : Oct 7, 2023, 2:22 PM IST

ଆଫଗାନିସ୍ତାନରେ ଭୂକମ୍ପ ଝଟକା । ଘଣ୍ଟାଏ ମଧ୍ୟରେ ୩ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅଧିକ ପଢନ୍ତୁ

Earthquake
Earthquake

କାବୁଲ: ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ । ଆଜି(ଶନିବାର) ଆଫଗାନିସ୍ତାନରେ ଘଣ୍ଟାଏ ମଧ୍ୟରେ ୩ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପ୍ରଥମେ ଭାରତୀୟ ସମୟ ୧୨ଟା ୧୧ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.1 ରେକର୍ଡ କରାଯାଇଛି । ସେହିପରି ଦ୍ବିତୀୟ ଥର ୧୨ଟା ୧୯ ଓ ତୃତୀୟ ଭୂକମ୍ପ ୧୨ଟା ୪୨ ମିନିଟରେ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଯଥାକ୍ରମେ ୫.୬ ଓ ୬.୨ ରେକର୍ଡ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନା ଅନୁଯାୟୀ, ମାତ୍ର ଘଣ୍ଟାଏ ମଧ୍ୟରେ ୩ ଥର ଆଫଗାନିସ୍ତାନ ଭୂକମ୍ପ ଅନୁଭୂତ ହୋଇଛି । ଏହାପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ସମସ୍ତେ ଘର ବାହାରକୁ ଚାଲି ଆସିଥିଲେ । ତେବେ ପ୍ରଥମ ଭୂକମ୍ପର ଗଭୀରତା ୩୪ କିଲୋମିଟର ହୋଇଥିବା ରେକର୍ଡ କରାଯାଇଛି । ଏହାର ଅକ୍ଷାଂଶ 34.83 ରହିଥିବା ବେଳେ ଦ୍ରାଘିମା ୬୧.୧୨ ରହିଛି । ଦ୍ବିତୀୟ ଭୂକମ୍ପର ଗଭୀରତା ୩୮ କିଲୋମିଟର ଓ ତୃତୀୟ ଭୂକମ୍ପର ଗଭୀରତା ୩୪ କିଲୋମିଟର ରେକର୍ଡ କରାଯାଇଛି । ଦ୍ବିତୀୟ ଭୂକମ୍ପ ଅକ୍ଷାଂଶ ୩୪.୮୧ ରହିଥିବା ବେଳେ ଦ୍ରାଘିମା ୬୧.୧୨ ରହିଛି । ସେହିପରି ତୃତୀୟ ଭୂକମ୍ପ ଅକ୍ଷାଂଶ ୩୪.୮୦ ରହିଥିବା ବେଳେ ଦ୍ରାଘିମା ୬୨.୧୨ ରେକର୍ଡ ହୋଇଛି । ହେଲେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇ ନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ପ୍ରକାଶ ଥାଉକି, ଗତ ୩ ତାରିଖରେ ଦିଲ୍ଲୀ ସମେତ ଉତ୍ତର ଭାରତ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ମାତ୍ର ଦୁଇ ମିନିଟ ବ୍ୟବଧାନରେ ଦୁଇଥର କମ୍ପନ ଅନୁଭବ ହୋଇଥିଲା । ରିକ୍ଟର ସ୍କେଲରେ ପ୍ରଥମ କମ୍ପନର ତୀବ୍ରତା 4.6 ମ୍ୟାଗ୍ନିଚ୍ୟୁଡ୍‌ ଓ ପରବର୍ତ୍ତୀ କମ୍ପନ 6.2 ମ୍ୟାଗ୍ନିଚ୍ୟୁଡ ରହିଥିଲା । ଉଭୟ କମ୍ପନର କେନ୍ଦ୍ରସ୍ଥଳ ନେପାଳ ବୋଲି ଜଣାପଡ଼ିଛି । କମ୍ପନ ଅନୁଭୂତ ହେବା ପରେ ଦିଲ୍ଲୀର ଏକାଧିକ ଅଞ୍ଚଳରେ ଲୋକେ ଆପାର୍ଟମେଣ୍ଟରୁ ବାହାରକୁ ଚାଲି ଆସିଥିଲେ । ରାଜଧାନୀ ଦିଲ୍ଲୀ, ଏନସିଆର ସମେତ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତର-ବିହାର, ପଞ୍ଜାବ, କାଶ୍ମୀର, ହିମାଚଳ ପ୍ରଦେଶର କିଛି ସ୍ଥାନରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ- ଦିଲ୍ଲୀ ସମେତ ଉତ୍ତର ଭାରତରେ 6.2 ତୀବ୍ରତା ସହ ଭୂକମ୍ପ ଝଟକା, ନେପାଳ କେନ୍ଦ୍ରସ୍ଥଳ !

ସେହିପରି, ଉତ୍ତର-ପୂର୍ବ ରାଜ୍ୟ ମେଘାଳୟରେ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା । ପ୍ରାୟ 6.15 ମିନିଟରେ ଏହି ଭୂକମ୍ପର ଝଟକା ଲାଗିଥିଲା । ମେଘାଳୟରେ ସର୍ବାଧିକ 5.2 ତୀବ୍ରତା ଅନୁଭବ ହୋଇଥିଲା । ପଡ଼ୋଶୀ ଆସାମ ଓ ଉତ୍ତର-ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମଧ୍ୟ ଏହାର ଆଶିଂକ ପ୍ରଭାବ ଅନୁଭୂତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.