ETV Bharat / international

ଅନୱର ଉଲ୍ ହକ୍ କାକର୍ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

author img

By

Published : Aug 13, 2023, 7:30 AM IST

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ହେଲେ ଅନୱର ଉଲ୍ ହକ୍ କାକର୍ । ଜାଣନ୍ତୁ ସେ କିଏ ?

ଅନୱର ଉଲ୍ ହକ୍ କାକର୍ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ
ଅନୱର ଉଲ୍ ହକ୍ କାକର୍ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ

ଇସଲାମବାଦ: ନିର୍ବାଚନ ମୁହାଁ ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ହେଲେ ଅନୱର ଉଲ୍ ହକ୍ କାକର୍ । ବିଦାୟୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଶନିବାର ପାକିସ୍ତାନ ଜାତୀୟ ବିଧାନସଭାର(ନ୍ୟାସନାଲ ଆସେମ୍ବଲି) ବିରୋଧୀ ଦଳ ନେତା ରାଜା ରିଆଜଙ୍କ ସହ ଦୁଇ ରାଉଣ୍ଡ ଆଲୋଚନା କରିବା ପରେ କାକରଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି । ସରିଫଙ୍କ ସୁପାରିଶକ୍ରମେ ରାଷ୍ଟ୍ରପତି ଆରିଫ୍ ଅଲଭିଙ୍କ ଦ୍ବାରା ପାକିସ୍ତାନ ସଂସଦ ଭାଙ୍ଗ ହେବାର ୩ ଦିନ ପରେ ଏହି ନିଷ୍ପତ୍ତି ହୋଇଛି । କାକର୍ ବଲୁଚିସ୍ତାନ ଅୱାମି ପାର୍ଟି(BAP) ସାଂସଦ ଅଛନ୍ତି । ନୂଆ ସରକାର ଗଠନ ପର୍ଯ୍ୟନ୍ତ ସେ କାମଚଳା ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ।

ଏନେଇ ପାକିସ୍ତାନ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରାଯାଇଛି ଯେ, କାମଚଳା ପ୍ରଧାନମନ୍ତ୍ରୀ ରୂପେ ଅନୱର ଉଲ୍ ହକ୍ କାକରଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଆରିଫ୍ ଅଲଭି ମଞ୍ଜୁରୀ ଦେଇଛନ୍ତି । ସମ୍ବିଧାନର ଧାରା ୨୨୪A ଅଧିନରେ ଏହି ଅନୁମୋଦନ ମିଳିଛି । ବିରୋଧୀ ଦଳ ନେତା ରାଜା ରିଆଜ କହିଛନ୍ତି, ''କାମଚଳା ପ୍ରଧାନମନ୍ତ୍ରୀ କୌଣସି ଛୋଟ ପ୍ରଦେଶର ଏବଂ ଅଣ-ବିବାଦୀୟ ନେତା ହେବା ଉଚିତ୍ ବୋଲି ଆମେ ସ୍ଥିର କରିଥିଲୁ । ଛୋଟ ପ୍ରଦେଶକୁ ନେଇ ଥିବା ଭାବନାକୁ ଦୂର କରିବା ଆମର ଉଦ୍ଦେଶ୍ୟ ଥିଲା । ଶେଷରେ କାକରଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତି ପାଇଁ ସହମତ ହୋଇଥିଲୁ ।''

ଏହାମଧ୍ୟ ପଢନ୍ତୁ: ଜେଲରେ ମଶା ମାଛି ପାଇଁ କଲବଲ ଇମ୍ରାନ, କହିଲେ ମୋତେ ଏଠୁ ବାହାର କର

ଅନୱର ଉଲ୍ ହକ୍ କାକର କିଏ: ସୂଚନା ଅନୁଯାୟୀ, ଅନୱର ଉଲ୍ ହକ୍ କାକର୍ ଆଜି(ରବିବାର) କାମଚଳ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ୧୯୭୧ ମସିହା ବେଲୁଚିସ୍ତାନର ମୁସଲିମ୍ ବାଗ ଅଞ୍ଚଳରେ କାକର୍‌ଙ୍କ ଜନ୍ମ । ସେ କ୍ବେତାର ଷ୍ଟିଫେନ ଫ୍ରାନ୍ସିସ ସ୍କୁଲରେ ପ୍ରାଥମିକ ଶିକ୍ଷା ପରେ କ୍ୟାଡେଟ କଲେଜ କୋହଟରେ ଅଧ୍ୟୟନ କରିଥିଲେ । ଏହାସହିତ ବେଲୁଚିସ୍ତାନ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନ ଓ ସମାଜଶାସ୍ତ୍ରରେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଛନ୍ତି ।

୨୦୧୮ରେ କାକର୍ ବେଲୁଚିସ୍ତାନରୁ ସ୍ବାଧୀନ ସିନେଟର ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେହିବର୍ଷ ପାକିସ୍ତାନ ମୁସଲିମ ଲିଗ୍ ନୱାଜ ନେତା ସଇଦ ଅହମ୍ମଦ ହାସମିଙ୍କ ସହ ମିଳିତ ଭାବେ ବେଲୁଚିସ୍ତାନ ଅୱାମି ପାର୍ଟି(BAP) ନାମରେ ନୂଆ ରାଜନୈତିକ ଦଳ ଗଠନ କରିଥିଲେ । ବାଲୁଚିସ୍ତାନ ସରକାରଙ୍କ ମୁଖପାତ୍ର ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । କହିରଖୁଛୁ କି, ଚଳିତ ବର୍ଷ ଶେଷରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ କାର୍ଯ୍ୟକାଳ ଶେଷ ହେବାର ୩ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ସରିଫଙ୍କ ସୁପାରିଶ କ୍ରମେ ପାକିସ୍ତାନ ସଂସଦ ଭଙ୍ଗ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.