ETV Bharat / entertainment

ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ, ILVS ହସ୍ପିଟାଲରେ ହେବ ଚିକିତ୍ସା

author img

By

Published : Feb 7, 2023, 10:45 AM IST

Updated : Feb 7, 2023, 12:54 PM IST

ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଦିଲ୍ଲୀ ଗଲେ ପିଣ୍ଟୁ ନନ୍ଦ । ଓଡ଼ିଶାବାସୀଙ୍କ ଭଲପାଇବା ମତେ ପୁଣି ଭଲ କରି ଫେରାଇ ଆଣିବ କିହଲେ ପିଣ୍ଟୁ । ଅଧିକ ପଢନ୍ତୁ

Pintu Nanda went to Delhi for Liver transplant
Pintu Nanda went to Delhi for Liver transplant

Pintu Nanda went to Delhi for Liver transplant

ଭୁବନେଶ୍ବର: ଲିଭର ସୋରାସିସ ରୋଗରେ ପୀଡିତ ଅଛନ୍ତି ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ। ଭୁବନେଶ୍ବର କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅସ୍ତ୍ରପ୍ରଚାର ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ। ILVS ହସ୍ପିଟାଲରେ ପିଣ୍ଟୁଙ୍କର ହେବ ଅପରେସନ। ଭୁବନେଶ୍ବର କିମ୍‌ସରେ ଚିକିତ୍ସାଧୀନ ହେଉଥିବା ବେଳେ ତାଙ୍କର ଯକୃତ ପ୍ରତିରୋପଣ ବା ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ତାଙ୍କୁ ଦିଲ୍ଲୀ ନିଆଯାଇଛି। ପରିବାର ଲୋକଙ୍କ ସହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତେବେ ତାଙ୍କ ଚିକିତ୍ସା ପାଇଁ 50 ଲକ୍ଷ ଟଙ୍କାର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା 25 ପ୍ରତଶତ ଅର୍ଥ ଯୋଗାଡ ହୋଇ ପାରିଛି ।

ଗତ କିଛିଦିନ ହେବ ଲିଭର ସୋରାସିସ ରୋଗରେ ପୀଡିତ ଥିବାରୁ ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ଭୁବନେଶ୍ୱରରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବାରୁ ତାଙ୍କୁ ଦିଲ୍ଲୀ ନିଆଯାଇଛି । ଯେଉଁଠିକି ତାଙ୍କର ଅପେରସନ ହେବ । କାରଣ ଆସନ୍ତା ୬ ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଯଦି ଲିଭର ଟ୍ରାନ୍ସପ୍ଲାଣ୍ଟ ନହୁଏ ତା’ହେଲେ ପିଣ୍ଟୁଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପାରେ ବୋଲି ଡାକ୍ତର କହିଛନ୍ତି । ଏଥିପାଇଁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଟିକିଏ ସ୍ଥିର ହେବାରୁ ତାଙ୍କୁ ଆଜି ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ନିଆଯାଇଛି ।

ବିମାନ ବନ୍ଦରରେ ଯିବା ସମୟରେ ପିଣ୍ଟୁ ନନ୍ଦ କହିଛନ୍ତି, ''ଓଡିଶାବାସୀ ଅଜସ୍ର ପ୍ରାର୍ଥନା ଓ ସହଯୋଗ ଦ୍ୱାରା ଚିକିତ୍ସା ପାଇଁ ମୁଁ ସାହସ ଜୁଟାଇ ପାରିଛି । ତେଣୁ ସେମାନଙ୍କୁ ଧନ୍ୟବାଦ । ସାଂସଦ ଅଚ୍ୟୁତ ସାମନ୍ତ ସହ ଓଡ଼ିଆ କଳକାର ଓ ଅନ୍ୟ ଶୁଭେଚ୍ଛୁ ବଡ ଭାଇଙ୍କର ପ୍ରତିଶୃତି ଓ ସହଯୋଗ ରହିଛି ମୋ ପ୍ରତି । ଏହାକୁ ପାଥେୟ କରି ମୁଁ ଦିଲ୍ଲୀ ଚିକିତ୍ସା ପାଇଁ ଯାଉଛି । ସବୁଠାରୁ ବଡ କଥା ହେଉଛି ଦର୍ଶକ ଭଲପାଇବା ଯୋଗୁଁ ମୁଁ ପୁଣି ଥରେ ଭଲ ହୋଇ ଆସିବି, ଆଉ ଆପଣଙ୍କ ମନୋରଞ୍ଜନ କରିବି ବୋଲି କହିଛନ୍ତି ପିଣ୍ଟୁ ନନ୍ଦ ।''

ସେପଟେ ପରିବାରଙ୍କ କହିବା ଅନୁସାରେ ବର୍ତ୍ତମାନ ସୁଦ୍ଧା ତାଙ୍କ ସଂପର୍କୀୟଙ୍କ ମଧ୍ୟରୁ ଦୁଇ ଜଣ ଲିଭର ଡୋନର ସ୍ଥିର ହୋଇଛନ୍ତି । ଦିଲ୍ଲୀରେ ପହଞ୍ଚିବା ପରେ ଚିକିତ୍ସା ଆରମ୍ଭ ହେବ । ଅନ୍ୟପଟେ ପିଣ୍ଟୁଙ୍କ ବ୍ୟୟବହୁଳ ଚିକିତ୍ସା ପାଇଁ ବହୁ ଅର୍ଥର ଆବଶ୍ୟକତା ଥିବା ବେଳେ ପରିବାର ଲୋକେ ମଧ୍ୟ ଅର୍ଥ ରାଶି ଯୋଗାଡ ପାଇଁ ନିବେଦନ କରିଛନ୍ତି । ପିଣ୍ଟୁଙ୍କ ଭଉଣୀଙ୍କ କହିବା ମୁକୁତାବକ, ୬୦ରୁ ୭୦ ଲକ୍ଷର ଆଵଶ୍ୟକତା ରହିଛି । ଯେହେତୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବହୁତ ଖରାପ ରହିଛି ତେଣୁ କେବଳ ପଇସା ନୁହେଁ ସମସ୍ତଙ୍କର ଆଶୀର୍ବାଦର ଆବଶ୍ୟକତା ରହିଛି । ତେଣୁ ସମସ୍ତ ଓଡିଶାବାସୀଙ୍କ ସହଯୋଗ ସହ ଆଶୀର୍ବାଦ କାମନା କରିଛନ୍ତି ପିଣ୍ଟୁଙ୍କ ଦୁଇ ଭଉଣୀ । ଏହାସହ ତାଙ୍କ ଭାଇ ଅଭିରାମ ନନ୍ଦ ମଧ୍ୟ ଭାଇର ଆରୋଗ୍ୟ ପାଇଁ ଓଡିଶାବାସୀଙ୍କୁ ନିବେଦନ କରିଥିବା ବେଳେ ଓଡ଼ିଶା ସରକାର ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ସାହାଯ୍ୟ ସହଯୋଗ କାମନା କରିଛନ୍ତି ।

ଅନ୍ୟପଟେ ସହାୟତା ପାଇଁ ଶୁଭେଚ୍ଛୁ ଓ କଳାକାରମାନେ ହାତ ବଢାଇଛନ୍ତି । ଏଭଳି ସ୍ଥିତିରେ ଆଉ ପାଦେ ଆଗକୁ ଯାଇ ପିଣ୍ଟୁଙ୍କ ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରିଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶନୀ ସାହୁ । ଅଭିନବ ଉପାୟରେ ଜଗତସିଂହପୁରରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସେ ଟଙ୍କାଏ ଟଙ୍କାଏ କରି ସଂଗ୍ରହ କରି ପାଖାପାଖି ୧୦ ହଜାରରୁ ଅଧିକ ଅର୍ଥକୁ ପିଣ୍ଟୁ ନନ୍ଦଙ୍କୁ ଭୁବନେଶ୍ବର ବିମାନ ବନ୍ଦରରେ ଦେଇଛନ୍ତି ରାଣୀ । ସମସ୍ତେ ପିଣ୍ଟୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏଠାରେ ସୂଚନ ଥାଉକି, ଆସନ୍ତା ୬ ମାସ ମଧ୍ୟରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରେଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଯଦି ଲିଭର ଟ୍ରାନ୍ସପ୍ଲାଣ୍ଟ ନହୁଏ ତା’ହେଲେ ପିଣ୍ଟୁଙ୍କ ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପାରେ । ଯଦି କେହି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଗୁଗୁଲ ପେ ନମ୍ବର ୯୮୬୧୧ ୩୧୮୫୪ରେ ଟଙ୍କା ପଠାଇ ପାରିବେ । ଏଥିସହ ବ୍ୟାଙ୍କ ଆକାଉଣ୍ଟ ନମ୍ବର ୦୬୧୪୦୧୦୦୬୫୪୪୭ରେ ମଧ୍ୟ ସହାୟତା ଦେଇପାରିବେ । ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଆବଶ୍ୟକ ରହିଛି । ଏହା ଯୋଗାଡ କରିବ ସମ୍ଭବ ନୁହେଁ ବୋଲି କହିଛନ୍ତି ପିଣ୍ଟୁଙ୍କ ଭାଇ । ‘ଜୟ ଜଗନ୍ନାଥ’, ‘ବାହୁଡ଼ିବେ ମୋ ଜଗାବଳିଆ’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ସାଥୀରେ’, ‘ପ୍ରେମ ପାଇଁ ମହାଭାରତ’, ‘କଥା ଦେଲି ମଥା ଛୁଇଁ’, ‘ଲଭ୍ ମାଷ୍ଟର’, ‘ଦୋସ୍ତି’, ‘ପ୍ରେମ ଋତୁ ଆସିଲା ‌ରେ’, ‘ହାତ ଧରି ଚାଲୁଥା’, ‘ରଙ୍ଗ ନମ୍ବର’ ଓ ‘ଲଭ୍‌ ଏକ୍ସପ୍ରେସ୍‌’ ଭଳି ଅନେକ ଓଡ଼ିଆ ସିନେମାରେ ପିଣ୍ଟୁ ନନ୍ଦ ଅଭିନୟ କରିଛନ୍ତି । ଓଡ଼ିଆ ଆଲବମ୍ 'ଏ ଗଉରା' ତାଙ୍କୁ ଲୋକପ୍ରିୟ କରିପାରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 7, 2023, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.