ଖୁବଶୀଘ୍ର ମୁକ୍ତିଲାଭ କରିବ ଓଡିଆ ସିନେମା ବୋଉର ହାତବାକ୍ସ

author img

By

Published : Aug 5, 2022, 5:38 PM IST

Etv Bharatଖୁବଶୀଘ୍ର ମୁକ୍ତିଲାଭ କରିବ ଓଡିଆ ସିନେମା ବୋଉର ହାତବାକ୍ସ, ଅଡିଓ ରିଲିଜ୍‌

ଓଡିଆ ସିନେମା ବୋଉର ହାତବାକ୍ସ ଚଳଚ୍ଚିତ୍ରର ଅଡିଓ ରିଲିଜ୍ ଅନୁଷ୍ଠିତ ହୋଇଛି । ଏହି ଫିଲ୍ମ ଚାଇରୋସନା ପ୍ରଡକ୍ସନ ବ୍ୟାନରରେ ଖୁ୍ବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଚାଇରୋସନା ଫିଲ୍ମ ପ୍ରଡକ୍ସନ ବ୍ୟାନରରେ ମୁକ୍ତିଲାଭ କରିବାକୁ ଯାଉଛି ଭେଟେରାନ ନିର୍ଦ୍ଦେଶକ ନାରାୟଣ ପତିଙ୍କ ନିର୍ଦ୍ଦେଶିତ ନୂଆ ଓଡିଆ ଚଳଚ୍ଚିତ୍ର ବୋଉର ହାତବାକ୍ସ । ବୋଉ ଚରିତ୍ରକୁ ନିଖୁଣ ଭାବେ ଅନେକ ଦିନ ଧରି ଓଡିଆ ଚଳଚ୍ଚିତ୍ରରୁ ଦୂରେଇ ରଖାଯାଇଥିବାବେଳେ ଦୀର୍ଘ ବର୍ଷ ପରେ ଓଡିଆ ଦର୍ଶକ ସିନେମା ହଲ୍‌ରେ ବୋଉ ଚରିତ୍ରକୁ ବଡ ପରଦାରେ ଅନୁଭବ କରିପାରିବେ । ଚଳଚିତ୍ରରେ ବୋଉର ପଣତ କାନି, ମାଡଗାଳିକୁ ବେଶ ନିଖୁଣ ଢ଼ଙ୍ଗରେ ପରିବେଷିତ କରାଯାଇଥିବାବେଳେ ପରିବାରରେ ବୋଉର କର୍ତ୍ତବ୍ୟକୁ ଅତି ପ୍ରାଞ୍ଜଳ ଭାବେ ଦେଖାଇବାକୁ ଚେଷ୍ଟା କରିଛନ୍ତି ନିର୍ଦ୍ଦେଶକ ନାରାୟଣ ପତି ।

ଓଡିଆ ସିନେମା ବୋଉର ହାତବାକ୍ସ

ଏହି ଚଳଚ୍ଚିତ୍ରରେ ଦେବଦାସ ଛୋଟରାୟଙ୍କ ରଚିତ ଗୀତଟି ଦର୍ଶକଙ୍କ ହୃଦୟକୁ ଛୁଇଁବ । ଗାଁ, ପରିବାର ଓ ବୋଉ ଚରିତ୍ରକୁ ନେଇ ଛୋଟରାୟ ମନଛୁଆଁ ଗୀତଟି ଲେଖିଛନ୍ତି । ଏହି ଗୀତରେ ପୁଅ ପାଇଁ ମାଆର ଭଲପାଇବା ଅଜାଡି ହୋଇପଡିଛି । ଅନବରତ ପିଲାଙ୍କ ଚିନ୍ତା କରୁଥିବା ବୋଉ ଚରିତ୍ରର ଅବତାରଣା କରିବା ସହ ସିନେମାର କାହାଣୀ ଓ ଗୀତର ମୌଳିକତାକୁ ଦୃଢ଼ କରିଛନ୍ତି ଦେବଦାସ ଛୋଟରାୟ । ପ୍ରକୃତ ସିନେମାର ଗୀତ ସିନେମାର ମୂଳ ଢ଼ାଞ୍ଚାଠାରୁ ଅଭିନ୍ନ ତାହା ଏହି ବୋଉର ହାତବାକ୍ସ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି ।
ଏହି ଚଳଚିତ୍ରର ପ୍ରଯୋଜନା ଦାୟିତ୍ବରେ ରହିଛନ୍ତି ସଞ୍ଜୟ ଦାସ । ଚଳଚ୍ଚିତ୍ରଟିର ଅଡିଓ ରିଲିଜ ହୋଇ ସାରିଛି । ଯୁବ ସଂଗୀତଜ୍ଞ କ୍ଷୀତିପ୍ରକାଶ ମହାପାତ୍ର ଅତି ସୁନ୍ଦର ଭାବେ ସଂଗୀତକୁ ସଜାଇଛନ୍ତି । କାହାଣୀର ଆବେଗ ଓ ଆବଶ୍ୟକତାକୁ ନଜରରେ ରଖି ପ୍ରତିଷ୍ଠିତ ଗୀତିକାର ଦେବଦାସ ଛୋଟରାୟ କଲମ ଚାଳନା କରିଛନ୍ତି । ଡ. ଆରତୀ ପାଟ୍ଟଯୋଶୀଙ୍କ ବଳିଷ୍ଠ କାହାଣୀ ସହ ନାରାୟଣ ପତିଙ୍କ ଚିତ୍ରନାଟ୍ଟ୍ୟ ଓ ନିର୍ଦ୍ଦେଶନା ସିନେମାକୁ ଜୀବନ୍ତ କରିଛି । ସମ୍ପୂର୍ଣ୍ଣ ପାରିବାରିକ ଚଳଚ୍ଚିତ୍ର ବୋଉର ହାତବାକ୍ସକୁ ଦେଖିବାକୁ ଦର୍ଶକଙ୍କ ଭିତରେ ପ୍ରବଳ ଉତ୍ସାହ ଥିବା କୁହାଯାଉଛି ।

ଚଳଚ୍ଚିତ୍ରରେ ବୋଉ ଚରିତ୍ରରେ ଅଭିନୟ କରିଛନ୍ତି ଲୋପାମୁଦ୍ରା ମିଶ୍ର । ସେ ପ୍ରଥମ ଥର ପାଇଁ ବଡ ପରଦାରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ପୂର୍ବରୁ ଯଦିଓ ସେ ବଡପରଦାରେ ଦେଖା ଦେଇଛନ୍ତି, କିନ୍ତୁ ପ୍ରଥମ କରି ତାଙ୍କୁ ସିନେମାରେ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ଏଥି ସହିତ ରାଜେଶ ପଣ୍ଡା ଓ ଶୁଭଶ୍ରୀ ସବିତା ପଲେଇ, ଶିଶୁ କଳାକାର ଭାବରେ ଅଭିଷେକ ସାହୁ, ବିନୟ କୁମାର ବିଶ୍ବାଳ, ଆୟୁଷ ବଳ ପ୍ରମୁଖ ଅଭିନୟ କରିଛନ୍ତି । ସିନେମାଟି ଖୁବଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.