ETV Bharat / city

ଶ୍ରୀଗୁଣ୍ଡିଚା ମନ୍ଦିର ନୁହେଁ ମହାପ୍ରଭୁଙ୍କ ମାଉସୀ ଘର, ଜାଣନ୍ତୁ କିଏ କାଳିଆର ମାଉସୀ

author img

By

Published : Jun 25, 2022, 7:03 AM IST

କେହି କେହି ଶ୍ରୀଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁଙ୍କ ମାଉସୀ ଘର ଏବଂ ରାଣୀ ଗୁଣ୍ଡିଚାଙ୍କୁ ମହାପ୍ରଭୁଙ୍କ ମାଉସୀ କହୁ ଥିବାବେଳେ ଜଗନ୍ନାଥ ସଂସ୍କୃତିରେ କିନ୍ତୁ କିଛି ଭିନ୍ନ ରଚନା ହୋଇଛି । ତେବେ ଜାଣନ୍ତି କିଏ ମହାପ୍ରଭୁଙ୍କ ମାଉସୀ, ବାହୁଡା ସମୟରେ କେଉଁଠି ମହାପ୍ରଭୁ ପୋଡପିଠା ଖାଇବାର ପରମ୍ପରା ରହିଛି । ଦେଖନ୍ତୁ ଆମର ସ୍ବତନ୍ତ୍ର ଉପସ୍ଥାପନା ।

ଶ୍ରୀଗୁଣ୍ଡିଚା ମନ୍ଦିର ନୁହେଁ ମହାପ୍ରଭୁଙ୍କ ମାଉସୀ ଘର, ଜାଣନ୍ତୁ କିଏ କାଳିଆର ମାଉସୀ
ଶ୍ରୀଗୁଣ୍ଡିଚା ମନ୍ଦିର ନୁହେଁ ମହାପ୍ରଭୁଙ୍କ ମାଉସୀ ଘର, ଜାଣନ୍ତୁ କିଏ କାଳିଆର ମାଉସୀ

ପୁରୀ: ଧର୍ମ, ଶାସ୍ତ୍ର, ପୋଥିର ଊର୍ଦ୍ଧ୍ବରେ ଶ୍ରୀମନ୍ଦିର ଇତିହାସ । ଶବର ରାଜା ବିଶ୍ବାବସୁଙ୍କ ହାତରୁ ନୀଳମାଧବ ପୂଜା ପାଇବା ହେଉ ଅବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପରିଚାଳନାରେ ମହାପ୍ରଭୁ ଅଧାଗଢା ରହିବା ସବୁକିଛି ନିଗୁଢ ତତ୍ତ୍ବରେ ଆଚ୍ଛନ୍ନ । ଯେତେ ଶୁଣିଲେ, ଯେତେ ବୁଝିଲେ ଆଉ ଗାଇଲେ ବି ସମ୍ପୂର୍ଣ୍ଣ ହୁଏନି ଶ୍ରୀଜଗନ୍ନାଥଙ୍କ ଲୀଳା କାହାଣୀ । ସେଥି ମଧ୍ୟରୁ ଶ୍ରୀଗୁଣ୍ଡିଚା ମନ୍ଦିର ଏବଂ ମାଉସୀ ମା' ମନ୍ଦିରର କାହାଣୀ ଅନ୍ୟତମ ।

ଶ୍ରୀଗୁଣ୍ଡିଚା ମନ୍ଦିର ନୁହେଁ ମହାପ୍ରଭୁଙ୍କ ମାଉସୀ ଘର, ଜାଣନ୍ତୁ କିଏ କାଳିଆର ମାଉସୀ

କେହି କେହି ଶ୍ରୀଗୁଣ୍ଡିଚା ମନ୍ଦିରକୁ ମାଉସୀ ମା' ମନ୍ଦିର କହୁଥିଲେ ମଧ୍ୟ ବାସ୍ତବ କଥା କିନ୍ତୁ କିଛି ଭିନ୍ନ ରହିଛି । ଜଗନ୍ନାଥ ସଂସ୍କୃତି ପ୍ରଚାରକଙ୍କ ମତରେ ମାଉସୀ ମା' ମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ଘର ସମ୍ପୂର୍ଣ୍ଣ ଭିନ୍ନ । ମହାପ୍ରଭୁଙ୍କ ଆବିର୍ଭାବ ସ୍ଥାନକୁ ଶ୍ରୀଗୁଣ୍ଡିଚା ମନ୍ଦିର ବା ଗୁଣ୍ଡିଚା ଘର କୁହାଯାଉଥିବାବେଳେ ବଡଦାଣ୍ଡର ବଳ ଗଣ୍ଡିରେ ରେହିଛି ମାଉସୀ ମା ମନ୍ଦିର । ସେହିପରି ରାଣୀ ଗୁଣ୍ଡିଚା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ପତ୍ନୀ ହୋଇ ଥିବାବେଳେ ମହାପ୍ରଭୁଙ୍କ ମାଉସୀ ହେଉଛନ୍ତି ଅର୍ଦ୍ଧାଶିନୀ ବା ଅର୍ଦ୍ଧଶ୍ବଶିନୀ ।

ଗୁଣ୍ଡିଚା ମନ୍ଦିର

କିମ୍ବଦନ୍ତୀ ତଥା ପୌରାଣିକ ବ୍ୟାଖ୍ୟା ଅନୁସାରେ ଜାରା ଶବରର ଶରରେ ଦ୍ବାରକାଧିପତି ଶ୍ରୀକୃଷ୍ଣଙ୍କ ପ୍ରାଣତ୍ୟାଗ ହେଲା । ଶେଷତମ ଆତ୍ମୀୟ ଭାବରେ ପାଣ୍ଡବମାନେ ସଖା ଶ୍ରୀକୃଷ୍ଣଙ୍କ ଶରୀରକୁ ଦାହ କରିବା ପାଇଁ ଚେଷ୍ଟାକରି ବିଫଳ ହେଲେ । କାରଣ ଅଗ୍ନିର ନିକଟରେ ପୂର୍ଣ୍ଣବ୍ରହ୍ମ ସ୍ବରୂପ ଶ୍ରୀକୃଷ୍ଣଙ୍କ ଶରୀରକୁ ପଞ୍ଚଭୂତରେ ବିଲୀନ କରିବାର ସାମର୍ଥ୍ୟ ନଥିଲା । ଶୂନ୍ୟବାଣୀ ହେଲା ‘କୃଷ୍ଣଙ୍କର ନାଭିକମଳ ଅଗ୍ନିରେ ଭସ୍ମ ହେବନାହିଁ, ତୁମେମାନେ ତାହାକୁ ମହୋଦଧିରେ ବିସର୍ଜନ କରିଦିଅ’ । ପାଣ୍ଡବମାନେ ତାହାହିଁ କଲେ ।

ଶ୍ରୀକୃଷ୍ଣଙ୍କର ଅର୍ଦ୍ଧଦଗ୍ଧ ପିଣ୍ଡ ଦାରୁରୂପରେ ବାଙ୍କୀ ମୁହାଣରେ ଆବିର୍ଭାବ ହେଲା । ସମୁଦ୍ରରେ ଭାସୁଥିବା ସେହି ଦାରୁକୁ ଆଣି ରାଜା ଇନ୍ଦ୍ରଦ୍ୟୁମ୍ନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରଖିଥିଲେ । ସ୍ବୟଂ ମହାପ୍ରଭୁ ଜଣେ ବୃଦ୍ଧ ବେଶରେ ଆସି ସେହି ଦାରୁରେ ମୂର୍ତ୍ତି ପ୍ରସ୍ତୁତ କଲେ । ସର୍ତ୍ତ ଥିଲା ମୂର୍ତ୍ତି ସମ୍ପୂର୍ଣ୍ଣ ନହେବା ଯାଏଁ ଦ୍ବାର ଖୋଲାଯିବ ନାହିଁ । କିନ୍ତୁ 15 ଦିନରେ ମୂର୍ତ୍ତି ଗଢ଼ା ହେଉଥିବା ଘରୁ ଆଉ ଶବ୍ଦ ନ ଶୁଭିବାରୁ ଅଧୈର୍ଯ୍ୟ ହୋଇ ରାଣୀ ଗୁଣ୍ଡିଚା ଇନ୍ଦ୍ରଦ୍ୟୁମ୍ନଙ୍କୁ କହିବାରୁ ଦ୍ବାର ଖୋଲା ଯାଇଥିଲା । ରାଜା ଇନ୍ଦ୍ରଦ୍ୟୁମ୍ନ ଦ୍ବାର ଖୋଲି ଯାହା ଦେଖିଥିଲେ ତାହା ବିଶ୍ବାସ କରି ପାରିନଥିଲେ । ମୂର୍ତ୍ତି ନିର୍ମାଣ କରୁଥିବା ବୃଦ୍ଧ ଗୃହରେ ନ ଥିବାବେଳେ ନିକଟରେ ଅଧାଗଢା ମୂର୍ତ୍ତି ରହିଛି । ଏହାପରେ ଅଧାଗଢ଼ା ମୂର୍ତ୍ତିକୁ ନେଇ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା । ସେହି ସମୟରେ ରାଣୀ ଗୁଣ୍ଡିଚା ମହାପ୍ରଭୁଙ୍କୁ ବର୍ଷକୁ ଥରେ ନିଜ ଜନ୍ମବେଦୀକୁ ବୁଲି ଆସିବା ପାଇଁ ନିବେଦନ କରିଥିଲେ । ରାଣୀଙ୍କ ପ୍ରାର୍ଥନା ରଖି ମହାପ୍ରଭୁ ପ୍ରତି ବର୍ଷ ତାଙ୍କ ଜନ୍ମବେଦୀ ଅର୍ଥାତ୍ ଗୁଣ୍ଡିଚା ଘରକୁ ବୁଲି ଆସନ୍ତି ।

ତେବେ ଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହଙ୍କ ନିର୍ମାଣ ପରେ ସହସ୍ର ଅଶ୍ବମେଧ ଯଜ୍ଞ ଅନୁଷ୍ଠିତ ହୋଇଥିବା ହେତୁ ଗୁଣ୍ଡିଚା ମନ୍ଦିରକୁ ଯଜ୍ଞ ବେଦୀ ତଥା ଆଡ଼ପ ମଣ୍ଡପ ମଧ୍ୟ କୁହାଯାଏ । ନିଳାଦ୍ରୀ ମହୋଦୟରେ ବର୍ଣ୍ଣନା ରହିଛି ଯେ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରତ୍ନବେଦୀରେ ଦଶ ହଜାର ବର୍ଷ ଦର୍ଶନର ପୁଣ୍ୟ ପ୍ରାପ୍ତି ହୁଏ । ସେହିପରି ଗୁଣ୍ଡିଚା ମନ୍ଦିରରେ ଯେଉଁ ଅନ୍ନ ଭୋଗ ହୋଇଥାଏ ତାହାକୁ ଆଡ଼ପ ଅବଢ଼ା କୁହାଯାଏ । ତେବେ ପ୍ରତିବର୍ଷ ହଜାର ହଜାର ଭକ୍ତ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସମେତ ଆଡ଼ପ ଅବଢ଼ା ଖାଇବା ପାଇଁ ଅପେକ୍ଷାରେ ରହିଥାନ୍ତି ।

ମାଉସୀ ମା’ ବା ଦେବୀ ଅର୍ଦ୍ଧାଶିନୀ ମନ୍ଦିର

ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ମାନବୀୟ ଲୀଳା କରୁଥିବା ବେଳେ ମହାପ୍ରଭୁଙ୍କର ଅନେକ ସମ୍ପର୍କ ଯଥା ଅଜା, ମାମୁଁ, ମାଉସୀ ଘର ଇତ୍ୟାଦି । ସେଥି ମଧ୍ୟରୁ ବଡ଼ ଦାଣ୍ଡର ବଳ ଗଣ୍ଡିରେ ରହିଛି ମହାପ୍ରଭୁଙ୍କର ମାଉସୀ ମା’ ଘର । ବାହୁଡା ଦିନ ଯେତେବେଳେ ମହାପ୍ରଭୁ ବଡ଼ ଭାଇ ଓ ଭଉଣୀଙ୍କ ସହ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି ମାଉସୀ ମା’ ମନ୍ଦିର ନିକଟରେ କିଛି ସମୟ ରଥ ଅଟକି ଥାଏ । ମାଉସୀ ମାଙ୍କ ପକ୍ଷରୁ ପ୍ରସ୍ତୁତ ସ୍ବତନ୍ତ୍ର ପୋଡ଼ ପିଠା ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଥାଏ ।

ପୂର୍ବରୁ ବଳଗଣ୍ଡି ପାଖରେ ବାମପଟେ ହାତୀ ଗାଧୁଆ ନଦୀ ବହୁଥିଲା । ଲୋକେ ତାକୁ ବଳବତ୍ତର ଗଣ୍ଡି କହୁଥିଲେ ଏବେ ଏହା ବଳଗଣ୍ଡି ଭାବେ ପରିଚିତ । ଆଗେ ମହାପ୍ରଭୁ ମାନଙ୍କର ରଥ ଆସି ଏଇଠି ଅଟକି କିଛି ସମୟ ବିଶ୍ରାମ ନେବାପରେ ନଈ ପାର ହୋଇ ବିଗ୍ରହମାନେ ଆରପଟରେ ଥିବା ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ । ପୁଣି ଫେରିଲାବେଳକୁ ଅର୍ଥାତ ବାହୁଡ଼ାବେଳେ ଏଇଠି ମାଉସୀ ମା ନିଜ ଗେହ୍ଲା ପୁତୁରା, ଝିଆରିଙ୍କୁ ଜଗନ୍ନାଥଙ୍କୁ ପୋଡ଼ପିଠା ଖାଇବାକୁ ଦେବାର ପରମ୍ପରା ଚଳି ଆସିଛି ।

ପୁରାଣ ବର୍ଣ୍ଣିତ କଥା ଅନୁଯାୟୀ ଯେତେବେଳେ ବ୍ରହ୍ମାଣ୍ଡରେ ଜଳ ପ୍ରଳୟ ହୋଇଥିଲା ସେତେବେଳେ ଦେବୀ ଅର୍ଦ୍ଧାଶିନୀ ଅଧା ଜଳ ଶୋଷଣ କରି ଜଗତକୁ ଉଧାର କରିଥିଲେ । ତେଣୁ ସେ ଅର୍ଦ୍ଧାଳିନୀ ଭାବେ ନାମିତ ହୋଇଛନ୍ତି। ଜଗତ ଉଦ୍ଧାର କରି ଦେବୀ ଅର୍ଦ୍ଧାଶିନୀ ମା’ ରୂପେ ପ୍ରତୀୟମାନ ହୋଇଥିବା ହେତୁ ସେ ମହାପ୍ରଭୁଙ୍କର ମାଙ୍କ ଭଉଣୀ ବା ମାଉସୀ ମା ରୂପରେ ଅବସ୍ଥାପିତ ହୋଇଛନ୍ତି । ଏହି ସମ୍ପର୍କରୁ ଜଣାଯାଏ ମହାପ୍ରଭୁ ମଧ୍ୟ ମଣିଷଙ୍କ ଭଳି ବିଭିନ୍ନ ସମ୍ପର୍କ ରଖି ନିଜର ମାନବୀୟ ଲୀଳାରେ ସ୍ନେହ, ପ୍ରେମ, ଆଦରର ବନ୍ଧନରେ ବାନ୍ଧି ହୋଇ ରହିଛନ୍ତି ।

ଏହିପରି ଭାବରେ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାରେ ଗୋଟିଏ ପରେ ଗୋଟିଏ ରୋଚକ ଫର୍ଦ୍ଦ ଜୋଡି ହୋଇଛି । ଯାହାକୁ ଶୁଣି ସାଧାରଣ ବ୍ୟକ୍ତିଟିଏ ଧନ୍ୟ ଜଗନ୍ନାଥ ଧନ୍ୟ ଜଗନ୍ନାଥ କହି ଭାବବିହ୍ବଳ ହେଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.