ETV Bharat / city

ବାଲିଯାତ୍ରା ପାଇଁ ଚଳଚଞ୍ଚଳ କଟକ, ଆକର୍ଷଣ ସାଜିବ ଜଳକ୍ରୀଡା କେନ୍ଦ୍ର

author img

By

Published : Sep 12, 2022, 3:29 PM IST

ଚଳିତ ବର୍ଷ କଟକରେ ହେବ ଐତିହାସିକ ବାଲିଯାତ୍ରା । ଦୀର୍ଘ ଦୁଇ ବର୍ଷ କୋରୋନା କଟକଣା ପରେ ବେଶ ଧୁମଧାମରେ ବାଲିଯାତ୍ରା ଅନୁଷ୍ଠିତ ହେବ । ବାଲିଯାତ୍ରାରେ ଏଥର ଅନ୍ୟତମ ଆକର୍ଷଣ ସାଜିବ ଜଳକ୍ରୀଡା କେନ୍ଦ୍ର । ଅଧିକ ପଢ଼ନ୍ତୁ

water sports to be arrangement in baliyatra cuttack
ବାଲିଯାତ୍ରା ପାଇଁ ଚଳଚଞ୍ଚଳ କଟକ, ଆକର୍ଷଣ ସାଜିବ ଜଳକ୍ରୀଡା କେନ୍ଦ୍ର

କଟକ: ଚଳିତ ବର୍ଷ କଟକରେ ଧୁମଧାମରେ ପାଳନ ହେବ ଐତିହାସିକ ବାଲିଯାତ୍ରା (Cuttack Baliyatra) । କୋଭିଡ଼ କଟକଣା ଯୋଗୁଁ ଗତ ଦୁଇ ବର୍ଷ ହେଲା ବାଲିଯାତ୍ରାକୁ ବନ୍ଦ କରାଯାଇଥିଲା । ଚଳିତ ବର୍ଷ ଆଉ କଟକଣା ନଥିବାରୁ ଜିଲ୍ଲାପାଳ ପ୍ରଶାସନ ବାଲିଯାତ୍ରାକୁ ଅନୁମତି ଦେଇଛନ୍ତି । ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହନ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଆସିବା ପରେ ଚଳଚଞ୍ଚଳ ହୋଇଉଠିଛି କଟକ ସହର । ଓଡ଼ିଶାର ପାରମ୍ପରିକ ସାଂସ୍କୃତିକ କାଯ୍ୟକ୍ରମ ସହିତ ଦେଶ ବିଦେଶର କଳାକାର ମାନଙ୍କୁ ନେଇ କରାଯିବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଏଥିସହ ଲୋକଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ବ୍ୟବସ୍ଥା କରାଯିବ । ଏଥିଲାଗି ସଜେଇ ହେଲାଣି ଜିଲ୍ଲା ପ୍ରଶାସନ । ଆସନ୍ତା ନଭେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହେବ ।

ବାଲିଯାତ୍ରା ପାଇଁ ଚଳଚଞ୍ଚଳ କଟକ

କଟକ ଐତିହାସିକ ବାଲିଯାତ୍ରାରେ ଏଥର ଦର୍ଶକଙ୍କୁ ଆକୃଷ୍ଟ କରିବ ଆକର୍ଷଣୀୟ ଜଳକ୍ରୀଡା । ପ୍ରାୟ ବର୍ଷେ ପୂର୍ବରୁ ବାଲିଯାତ୍ରା ପଡିଆ ନିକଟ ମହାନଦୀରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହଯୋଗରେ ସିଲଭରସିଟି ବୋଟ କ୍ଳବ ନାମରେ ଏକ ଜଳକ୍ରୀଡା କେନ୍ଦ୍ର ଶୁଭାରମ୍ଭ ହୋଇଛି । ଏହି କେନ୍ଦ୍ରରେ ବର୍ତ୍ତମାନ ସୁନ୍ଦର ସୁନ୍ଦର ବୋଟ୍‌, ସୁରକ୍ଷା ସାମଗ୍ରୀ, ଅଭିଜ୍ଞ ଟ୍ରେନରଙ୍କ ସହାୟତାରେ କମ ଖର୍ଚ୍ଚରେ ଲୋକେ ଜଳକ୍ରୀଡାର ମଜା ନେଉଛନ୍ତି । ଏଥିରେ ଦୁଇ ଜଣିଆ, ଚାରି ଜଣିଆ ଓ ଅଧିକ ଲୋକ ଜଳକ୍ରୀଡା କରିବା ସହିତ ମହାନଦୀରେ ବୁଲିବା ପାଇଁ ସୁନ୍ଦର ବ୍ୟବସ୍ଥା ରହିଛି । ଏଥି ସହିତ ଜଳକ୍ରୀଡା କେନ୍ଦ୍ରରେ ଦୁଇଟି ଭଲ ରେଷ୍ଟୁରାଣ୍ଟ ରହିଛି ଯେଉଁଠି ସୁସ୍ବାଦୁ ଖାଦ୍ୟ ଉପଲବ୍ଧ ରହିଛି । ତେବେ ବାଲିଯାତ୍ରା ସମୟରେ ଲୋକଙ୍କୁ ଜଳକ୍ରୀଡାର ଅନୁଭୂତି ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି ବୋଟ୍‌ କ୍ଳବ । ପ୍ରଥମ ଥର ଲାଗି କରୋନା ପରେ ବେଶ ଧୁମଧାମରେ ବାଲିଯାତ୍ରା ଆୟୋଜନ ହେଉଥିବାରୁ ଏହାର ମଜା ଲୋକଙ୍କୁ ଦେବାକୁ କର୍ତ୍ତୃପକ୍ଷ ପ୍ରସ୍ତୁତ ହେଉଛନ୍ତି । ଓଡିଶା ଜଳକ୍ରୀଡା ସଂଘ ସମ୍ପାଦକ ଦେବାଶିଷ ସାମନ୍ତରାୟ କହିଛନ୍ତି, " ବାଲିଯାତ୍ରାରେ ଲୋକମାନଙ୍କୁ ଜଳକ୍ରୀଡାର ଭଲ ଅନୁଭୂତି ଦେବା ପାଇଁ ବୋଟ କ୍ଳବକୁ ଆସିଛି ସୁନ୍ଦର ସୁନ୍ଦର ବୋଟ୍‌ । ଏଥି ସହିତ ଲୋକଙ୍କ ସୁରକ୍ଷା ପାଇଁ ସାମଗ୍ରୀ ଓ ଅଭିଜ୍ଞ ଟ୍ରେନର ମଧ୍ୟ ନିୟୋଜିତ ହୋଇଛନ୍ତି । ଜଳକ୍ରୀଡା କରିବାକୁ ଯାଉଥିବା ଲୋକଙ୍କ ପାଇଁ ମିଳିତ ବୀମା ବ୍ୟବସ୍ଥା କରାଯାଇଛି ।" କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ କହିଛନ୍ତି, "ଏତେ ସୁନ୍ଦର ଜାଗା ମହାନଦୀ ଉପକଣ୍ଠରେ ରହିଛି, ଯାହାକୁ ଆମେ ସୋକେଶ କରିବୁ ଏଥର ବାଲିଯାତ୍ରାରେ । ୱାଟର ସ୍ପୋର୍ଟ୍ସ ଗୋଟିଏ ବହୁତ ବଡ଼ ଆଟ୍ରାକ୍ସନ ରହିବ ବାଲିଯାତ୍ରାରେ । ଏଥର ଯାତ୍ରୀଙ୍କୁ ନିଆରା ଅନୁଭୂତି ଦେବ ।"

ଏହା ମଧ୍ୟ ପଢ଼ନ୍ତୁ: ଏଥର ୧୦୦ ଏକର ଜାଗାରେ ହେବ କଟକର ପ୍ରସିଦ୍ଧ ବାଲିଯାତ୍ରା

ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା (Baliyatra 2022) ର ଆକାର ବିଶାଳ ହେବ । ପାଖାପାଖି ୧୦୦ ଏକର ଜାଗା ଉପରେ ଆୟୋଜନ ହେବ ଯାତ୍ରା । ବାଲିଯାତ୍ରା ପଡିଆ ଠାରୁ ସିଲଭରସିଟି ବୋଟ୍‌ କ୍ଳବ ପର୍ଯ୍ୟନ୍ତ ପରିବ୍ୟାପ୍ତ ପାଖାପାଖି ୧୦୦ ଏକର ଜାଗାରେ ଆୟୋଜନ ହେବ ଚଳିତ ବର୍ଷ ବାଲିଯାତ୍ରା । ୧୦ ଲକ୍ଷ ଲୋକଙ୍କ ସମାଗମକୁ ଆଖିରେ ରଖି ପ୍ରଶାସନ କରୁଛି ପୂର୍ବ ପ୍ରସ୍ତୁତି । ବହୁ ସଂଖ୍ୟାରେ ଜନସମାଗମକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପାନୀୟ ଜଳ ବ୍ୟବସ୍ଥା, ବିଦ୍ୟୁତକରଣ, ସ୍ବଚ୍ଛ ପରିମଳ ବ୍ୟବସ୍ଥା ସହିତ ଉନ୍ନତମାନର ବ୍ୟବସ୍ଥା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଷ୍ଟଲ ଆବଣ୍ଟନ ଏବଂ ଖାଦ୍ୟ ନିରାପତ୍ତା ଓ ଫାୟାର ସେଫ୍ଟି ଅନୁମତିପତ୍ର ପ୍ରଦାନର ଦାୟିତ୍ବ ନେଇଛି ସିଏମସି ।

କାର୍ତ୍ତିକ ମାସରେ ପ୍ରତିବର୍ଷ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହୁଏ । ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକଙ୍କ ଭିଡ ଜମେ । ପ୍ରତି ବର୍ଷ ଏହି ମେଳାକୁ ଅପେକ୍ଷା କରିଥାନ୍ତି କଟକ ବାସିନ୍ଦା । ମାତ୍ର ଗତ ୨ ବର୍ଷ ଧରି ଜୀବନ-ଜୀବିକାକୁ ପ୍ରଭାବିତ କରିବା ସହ ହଜାର ହଜାର ବର୍ଷର ପରମ୍ପରାରେ ରୋକ ଲଗାଇଥିଲା ମହାମାରୀ କୋରୋନା । ତେବେ ଏବର୍ଷ ଯାତ୍ରା ହେଉଥିବାରୁ ସଭିଏଁ ଖୁସିବ୍ୟକ୍ତ କରିଛନ୍ତି । କାର୍ତ୍ତିକ ମାସରେ ବଣିକ ପୁଅ ବିଦେଶ ଯିବାର ଐତିହ୍ୟ-ପରମ୍ପରା ବହନ କରେ କଟକର ବାଲିଯାତ୍ରା । କେବଳ ଯେ ପରମ୍ପରା କାହିଁକି ମନୋରଞ୍ଜନ ଠାରୁ ଆରମ୍ଭ କରି ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ବହୁ ସହାୟ ହୁଏ ଏହି ଯାତ୍ରା । ପୂର୍ବରୁ ବାଲିଯାତ୍ରାରେ ଏତେ ମାତ୍ରାରେ ଲୋକଙ୍କ ସମାଗମ ହୁଏ ଯେ, ପ୍ରଶାସନ ପକ୍ଷରୁ ମେଳାକୁ ୮ ଦିନ ପରିବର୍ତ୍ତେ ୧୦ ଦିନକୁ ବୃଦ୍ଧି କରାଯାଇଥିଲା ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.