କୋଟିଆରେ ପରିଚୟ ପତ୍ର ବାଣ୍ଟୁଛନ୍ତି ଆନ୍ଧ୍ର ସରକାର, କେତେ ଚିନ୍ତିତ ରାଜ୍ୟ ସରକାର ?

author img

By

Published : Sep 18, 2022, 8:13 PM IST

Odisha govt not aware of Andhra govt plan to acquire controversial Area Kotia of Koraput

କୋରାପୁଟ ସୀମାନ୍ତ କୋଟିଆ ଅଞ୍ଚଳକୁ ନେଇ ଆନ୍ଧ୍ର ଓଡ଼ିଶା ମଧ୍ୟରେ ଲାଗି ରହିଛି ବିବାଦ । ଏହି ବିବାଦୀୟ ଅଞ୍ଚଳକୁ ନେଇ ମାମଲା ଏବେ ସୁପ୍ରିମକୋର୍ଟରେ । ତେବେ କୋଟିଆକୁ ନେଇ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି(Odisha govt not aware of Andhra govt plan) । ଅଧିକ ପଢ଼ନ୍ତୁ

କୋରାପୁଟ: ଦୀର୍ଘ ବର୍ଷ ଧରି ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ କୋଟିଆ ଅଞ୍ଚଳକୁ ନେଇ ବିବାଦ ଲାଗି ରହିଛି । ଏହି ଅଞ୍ଚଳ ହାତେଇବାକୁ ଆନ୍ଧ୍ର ସରକାର ସମସ୍ତ ସମ୍ଭବ ପ୍ରୟାସ୍‌ କରୁଛନ୍ତି । ସେପଟେ କୋଟିଆକୁ ନେଇ ଓଡ଼ିଶାଙ୍କ ଆଭିମୁଖ୍ୟ ଉପରେ ପୁଣି ପ୍ରଶ୍ନ ଉଠିବାରେ ଲାଗିଛି । ବରାମୁଠା ଓ ପାଚିପେଣ୍ଡି ଭଳି କୋଟିଆ ମଧ୍ୟ ଆନ୍ଧ୍ର ହାତକୁ ଚାଲିଯିବା ନେଇ ଆଶଙ୍କା କରାଯାଉଛି(Odisha govt not aware of Andhra govt plan) ।

କୋଟିଆରେ ପରିଚୟ ପତ୍ର ବାଣ୍ଟୁଛନ୍ତି ଆନ୍ଧ୍ର ସରକାର, କେତେ ଚିନ୍ତିତ ରାଜ୍ୟ ସରକାର ?

୧୯୬୮ରୁ ଚାଲିଛି ମାମଲା

ଆନ୍ଧ୍ର ସହ ଓଡ଼ିଶାର ସୀମା ବିବାଦ ୮୬ ବର୍ଷ ପୁରୁଣା । ସ୍ବାଧୀନତା ପୂର୍ବରୁ ୧୯୩୬ରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶାର ଗଠନ ହୋଇଥିଲା । ସ୍ବାଧୀନତା ପରେ ଆନ୍ଧ୍ର ପ୍ରଦେଶ ଗଠନ ହୋଇଛି । ଏହାପରେ ଉଭୟ ରାଜ୍ୟ ମଧ୍ୟରେ ସୀମା ବିବାଦ ଲାଗି ରହିଛି । ୧୯୬୮ ମସିହାରେ ବରାମୁଠା କୋଟିଆକୁ ନେଇ ସୁପ୍ରିମକୋର୍ଟରେ ଦୁଇଟି ମାମଲା ରୁଜୁ ହୋଇଥିଲା । ବରାମୁଠା ମାମଲାରେ ହାରି ଯାଇଥିଲେ ସରକାର । ଫଳର ବରାମୁଠା ପାଚିପେଣ୍ଡି ଭଳି ଅଞ୍ଚଳ ଆନ୍ଧ୍ର ହାତକୁ ଚାଲି ଯାଇଥିଲା ।

କୋଟିଆ ଗସ୍ତ କରୁନାହାନ୍ତି ମନ୍ତ୍ରୀ ଅଧିକାରୀ

କୋଟିଆ ବିବାଦ ଲାଗି ରହିଥିବାବେଳେ ଏଠାକୁ ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ ବା ପ୍ରଶାସନିକ ଅଧିକାରୀ ଗସ୍ତ କରୁନାହାନ୍ତି । ଅପରପକ୍ଷରେ କୋଟିଆବାସୀଙ୍କୁ ଆନ୍ଧ୍ର ସରକାର ରାସନ କାର୍ଡ, ଭୋଟର କାର୍ଡ, ଫରେଷ୍ଟ ରାଇଟ ଆକ୍ଟରେ ପଟ୍ଟା ବାଣ୍ଟିଛନ୍ତି । କିନ୍ତୁ ଏ ବିଷୟରେ ରାଜ୍ୟ ସରକାର ଅବଗତ ନାହାନ୍ତି ବୋଲି ବିଧାନସଭାରେ କହିଛନ୍ତି । ଆମ ନଜରକୁ ଆସିନାହିଁ ବୋଲି କହି ହାତ ଝାଡି ଦେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ମତରେ କୋଟିଆରେ ସବୁକିଛି ଠିକ୍‌ ଚାଲିଛି ।

ଚୁପ୍‌ ବସିଛନ୍ତି ରାଜ୍ୟ ସରକାର !

ନଭେମ୍ବର 9 ତାରିଖରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭେଟଘାଟ ହୋଇଥିଲା । ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଆଲୋଚନା କରି କିଛି ଗୋଟେ ସମାଧାନର ବାଟ ବାହାର କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ନଭେମ୍ବର 12 ତାରିଖରେ ସାଲୁର ବିଧାୟକ କୋଟିଆ ଅଞ୍ଚଳ ଗସ୍ତ କରି ଲୋକଙ୍କୁ କହିଥିଲେ ଆନ୍ଧ୍ର ସରକାର ସେମାନଙ୍କ ସହ ଅଛନ୍ତି । ଗଞ୍ଜେଇପଦରରେ ସର୍ଭେ ସହ ନେରେଜିବାଲସାରେ ମାଟି ପରୀକ୍ଷା(Soil Testing) କରିଥିଲେ ମଧ୍ୟ କଲେ । ଏଥିରୁ ସ୍ପଷ୍ଟ ଜଣାପଡୁଛି କୋଟିଆକୁ ଅକ୍ତିଆର କରିବା ପାଇଁ ଆନ୍ଧ୍ର ପ୍ରାଣପ୍ରଣେ ଲାଗିପଡିଛି । କିନ୍ତୁ ରାଜ୍ୟ ସରକାର ଚୁପ୍‌ ବସିଛନ୍ତି ।

ଦେଓମାଳୀ ଉପରେ ବି ଆନ୍ଧ୍ରର ଆଖି !

ଉଚ୍ଚତମ ପର୍ବତମାଳା ଦେଓମାଳୀକୁ ନେଇ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଓ ଜଙ୍ଗଲ ବିଭାଗ ଖାତାରେ କୌଣସି ତଥ୍ୟ ନଥିବା କଥା କହିଥିଲେ ପର୍ଯ୍ୟଟନ ମନ୍ତ୍ରୀ । ଏହାପରେ 50ଜଣ ଆନ୍ଧ୍ର ଅଧିକାରୀ ଆସି ଦେଓମାଳୀ ବୁଲି ଯାଇଛନ୍ତି । କିନ୍ତୁ ସରକାର କହୁଛନ୍ତି ସେମାନେ ପିକ୍‌ନିକ୍‌ କରିବାକୁ ଆସିଥିଲେ । ଦେଓମାଳିକୁ ଭାରତ ସରକାର ଓଡିଶାର ବୋଲି କହିସାରିଛନ୍ତି । ହେଲେ ମନ୍ତ୍ରୀ କହୁଛନ୍ତି ତଥ୍ୟ ନାହିଁ ।

ଏହାକୁ ନେଇ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା କହିଛନ୍ତି, "ବୋଧହୁଏ ରାଜ୍ୟ ସରକାରଙ୍କ ପାଖରେ ସଠିକ ତଥ୍ୟ ପହଞ୍ଚିନାହିଁ । ଗୃହରେ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଆନ୍ଧ୍ର ସରକାର ପାଇଁ ସୁପ୍ରିମକୋର୍ଟରେ ପ୍ରମାଣ ସାବ୍ୟସ୍ତ ହେବ । ଅଡୁଆରେ ପଡ଼ିବେ ରାଜ୍ୟ ସରକାର । ଗତ ୫ ବର୍ଷ ଧରି କାହିଁକି ଜଣେ ବି ମନ୍ତ୍ରୀ କୋଟିଆ ଯାଇ ନାହାନ୍ତି । ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମୋଡ୍‌ରେ କୋଟିଆରେ ରାସ୍ତା ଉଦଘାଟନ କରିଥିଲେ । ଏହାପରେ ସେ କୋଟିଆ ଯିବେ ବୋଲି କହିଥିଲେ । କିନ୍ତୁ ତାହା ହେଲାନାହିଁ ।"

ବର୍ତ୍ତମାନ କୋଟିଆରେ ହେଲିପ୍ୟାଡ୍‌ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଏହାଦ୍ବାରା ମନ୍ତ୍ରୀମାନେ କୋଟିଆ ଗସ୍ତ କରିପାରିବେ । କୋଟିଆ ଲୋକେ ଓଡିଆ କହି ପାରୁନାହାନ୍ତି । ରାଜ୍ୟର ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ କୋଟିଆ ଗସ୍ତ କରି ନିଜର ଅଧିକାର ସାବ୍ୟସ୍ତ କରିବେ । ସେଠାକାର ଲୋକେ କିପରି ଓଡିଆ ଭାଷା କହିପାରିବେ ସେ ଦିଗରେ ରାଜ୍ୟ ସରକାର ଧ୍ୟାନ ଦେବା ଉଚିତ୍‌ । ତେବେ ଯାଇ ସୁପ୍ରିମକୋର୍ଟରେ କେସ ଜିତିବା ରାଜ୍ୟ ସରକାରଙ୍କ ପାଇଁ ସହଜ ହେବ । ନଚେତ କୋଟିଆ ବି ଓଡ଼ିଶା ହାତରୁ ଚାଲିଯିବ । ଏଥିରେ କୌଣସି ସନ୍ଦେହ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.