ETV Bharat / city

ରାତି ପାହିଲେ ଗଣେଶ ପୂଜା, ଅଗ୍ରପୂଜ୍ୟଙ୍କ ଆଗମନ ନେଇ ପ୍ରସ୍ତୁତ ରାଜଧାନୀ

author img

By

Published : Aug 30, 2022, 1:54 PM IST

ରାତି ପାହିଲେ ଗଣେଶ ପୂଜା । ଅଗ୍ରପୂଜ୍ୟଙ୍କ ଆଗମନକୁ ନେଇ ସଜେଇ ହେଲାଣି ମଣ୍ଡପ ଆଉ ବନ୍ଧା ଚାଲିଛି ତୋରଣ । କାରିଗର ଗଣନାଥଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଥିବାବେଳେ, ବେଶ ଚଳଚଞ୍ଚଳ ହୋଇଉଠିଲାଣି ରାଜଧାନୀର ବିଭିନ୍ନ ପୂଜାମଣ୍ଡପ । ଅଧିକ ପଢନ୍ତୁ

ରାତି ପାହିଲେ ଗଣେଷ ପୂଜା, ଅଗ୍ରପୂଜ୍ୟଙ୍କ ଆଗମନ ନେଇ ସଜେଇ ହେଲାଣି ମଣ୍ଡପ
ରାତି ପାହିଲେ ଗଣେଷ ପୂଜା, ଅଗ୍ରପୂଜ୍ୟଙ୍କ ଆଗମନ ନେଇ ସଜେଇ ହେଲାଣି ମଣ୍ଡପ

ଭୁବନେଶ୍ବର: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଧରାପୃଷ୍ଠକୁ ଆସିବେ ଗଜାନନ ଗଣେଶ । ଅଗ୍ରପୂଜ୍ୟଙ୍କ ଆଗମନକୁ ନେଇ ସଜେଇ ହେଲାଣି ମଣ୍ଡପ ଆଉ ବନ୍ଧା ଚାଲିଛି ତୋରଣ । କାରିଗର ଗଣନାଥଙ୍କ ମୂର୍ତ୍ତିରେ ଶେଷ ସ୍ପର୍ଶ ଦେଉଥିବାବେଳେ, ବେଶ୍‌ ଚଳଚଞ୍ଚଳ ହୋଇଉଠିଲାଣି ରାଜଧାନୀର ବିଭିନ୍ନ ପୂଜାମଣ୍ଡପ । ସବୁଠି ଉତ୍ସବର ମାହୋଲ । ଚଳିତ ବର୍ଷ କୋରୋନାର ୨ବର୍ଷ ପରେ କଟକଣା ମୁକ୍ତ ପୂଜା ହେଉଥିବାରୁ ଚଳିତ ବର୍ଷ ବିଘ୍ନ ବିନାଶକଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ୨ବର୍ଷ ପରେ ପୂଜା ପାଇଁ କୋରୋନା କଟକଣା ନାହିଁ । ପୂଜା ଏଥର ଜମିବ ବୋଲି ଶ୍ରଦ୍ଧାଳୁ ଆଶା କରିଛନ୍ତି । ତେବେ ରାଜଧାନୀରେ ବିଭିନ୍ନ ସଂଗଠନ ପୂଜା ପ୍ରସ୍ତୁତି କରିଛନ୍ତି ।

ରାଜଧାନୀର ସମସ୍ତ ପୂଜା କମିଟି ବେଶ ଧୂମଧାମରେ ଗଜାନନଙ୍କ ପୂଜା କରିବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ସହିଦ୍ ସ୍ପୋଟିଙ୍ଗ କ୍ଳବ୍ ପକ୍ଷରୁ ନିଆରା ଥିମରେ ଚାଲିଛି ମୂର୍ତ୍ତି ପ୍ରସ୍ତୁତି । ଇକୋ ଫ୍ରେଣ୍ଡଲି ଗଣେଶ ସହ ତୋରଣ ସଜେଇବାରେ ଲାଗିଛନ୍ତି କାରିଗର । ଏଥର ହୁଗୁଳା ପତ୍ର ଓ କରତ ଗୁଣ୍ଡରେ ସଜ୍ଜିତ ହୋଇଛନ୍ତି ଅଗ୍ରପୂଜ୍ୟ ଏବଂ ମୂଷିକ ବାହନ । ୨୫ ଫୁଟ ଉଚ୍ଚ ବିଶିଷ୍ଟ ମୂର୍ତ୍ତି ପ୍ରସ୍ତୁତିରେ ମାସେ ହେଲା ଲାଗିଛନ୍ତି କୋଲକାତାର କାରିଗର । ସେହିପରି ୫୦ ଫୁଟ ତୋରଣ ସଳିତାରେ ସୁସଜ୍ଜିତ ହୋଇଛି । ୭ ଦିନ ଧରି ପୂଜା ହେବାକୁ ଥିବାବେଳେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ ସହ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି । ଭକ୍ତଙ୍କ ସୁରକ୍ଷା ପାଇଁ ସଂଗଠନ ପକ୍ଷରୁ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ରାତି ପାହିଲେ ଗଣେଷ ପୂଜା, ଅଗ୍ରପୂଜ୍ୟଙ୍କ ଆଗମନ ନେଇ ସଜେଇ ହେଲାଣି ମଣ୍ଡପ

ସେହିପରି ସହିଦ ନଗର ଉଇନର ଆସୋସିଏସନ ପକ୍ଷରୁ ସୂର୍ଯ୍ୟ ରଥରେ ପୂଜା ପାଇବେ ଶ୍ରୀଗଣେଶ । ୫ ଅଶ୍ୱଙ୍କ ସବାରୀରେ ବସିବେ ଗଣପତି । ୪୬ ଫୁଟ ମୂର୍ତ୍ତି ବିଶିଷ୍ଟ ହୋଇଥିବାବେଳେ, ୫୦ କିଲୋର ଲଡୁ ପ୍ରସ୍ତୁତ କରାଯିବ । ଗଣେଶ ପୂଜା ଠାରୁ ୭ ଦିନ ଧରି ପୂଜା ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯିବା ସହ ମୁଖ୍ୟ ଆକର୍ଷଣ ପାଲଟିବ ଲାଇଟିଙ୍ଗ ଗେଟ୍ । ଓଲିଉଡ୍‌ ଓ ବଲିଉଡ୍‌ ତାରକାମାନେ ଆସି ଏହି ଅବସରରେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ । ପାରମ୍ପରିକ ନୃତ୍ୟ ଓ ଗୀତରେ ମଧ୍ୟ ମଞ୍ଚ ଦୁଲୁକିବ ।

ଏହା ବି ପଢନ୍ତୁ...Ganesh Chaturthi 2022, ହରିଦ୍ବାରରୁ ଭୁବନେଶ୍ବର ଗଜାନନଙ୍କ ଆଗମନରେ ଚଳଚଞ୍ଚଳ ଚତୁର୍ଦିଗ

ଅନ୍ୟପଟେ ସବୁବେଳେ ଅନ୍ୟଠାରୁ ନିଆରା କରିବାର ପ୍ରୟାସ କରିଛନ୍ତି ବୁଦ୍ଧେଶ୍ବର କଲୋନୀର ମା' ମଙ୍ଗଳା ୟୁଥ କ୍ଲବ । ସଂଗଠନ ପକ୍ଷରୁ ପ୍ରକୃତି ପରିବେଶ ପ୍ରଦୂଷଣ ମୁକ୍ତ ଥିମକୁ ନେଇ ଏଥର ଗୁଆରେ ପ୍ରସ୍ତୁତ ହୋଇଛି ଗଣେଶଙ୍କ ମୂର୍ତ୍ତି । ପାଖାପାଖି ୧୦ କେଜି ଗୁଆରେ ପ୍ରସ୍ତୁତ ଗଣେଶ ମୂର୍ତ୍ତିର ପ୍ରସ୍ତୁତିରେ ୫ ଦିନ ହେବ ଲାଗିଛନ୍ତି କାରିଗର । ଆଉ ସୁସଜ୍ଜିତ ତୋରଣ ସହ ଗରିବ ପିଲାଙ୍କୁ ସ୍କୁଲ ବ୍ୟାଗ ସହ ଆବଶ୍ୟକୀୟ ଉପକରଣ ଦେବେ ପୂଜା କମିଟି ସଦସ୍ୟ । ମଣ୍ଡପରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଭିଡ ହେବ ବୋଲି ଆଶା ରଖିଛନ୍ତି ।

ପାର୍ବଣ ମାହୋଲରେ ଉତ୍ସବର ଆସର ଜମିଥିବାବେଳେ ରାତି ପାହିଲେ ପୂଜା ପାଇବେ ଅଗ୍ରପୂଜ୍ୟ । ଏଥିପାଇଁ ରାଜଧାନୀର ସମସ୍ତ କ୍ଲବ୍‌ ଓ ଆସୋସେଶନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନିଜ ନିଜ ପୂଜା ମଣ୍ଡପକୁ ନିଆରା କରିବାର ପ୍ରତିଯୋଗିତା ସହ ଗଣେଶଙ୍କୁ ଟିକେ ଭିନ୍ନ ଭାବରେ ସ୍ଥାପନା କରିବା ଦିଗରେ ଧ୍ୟାନ ଦେଉଛନ୍ତି । ବିନା କଟକଣାରେ ରାଜଧାନୀରେ ଜମିବ ପୂଜା ଆଉ ମନ ଭରି ଗଜାନନଙ୍କ ଦର୍ଶନ କରିବେ ଭକ୍ତ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.